ଭକ୍ତକବି ଯଶୋବନ୍ତ ଓ ଶ୍ରୀ ଜଗନ୍ନାଥ
କୃଷ୍ଣ ଚନ୍ଦ୍ର ସୁଆର : ପଞ୍ଚସଖା ଯୁଗର ସିଦ୍ଧ ସାଧକମାନଙ୍କ ମଧ୍ୟରେ ଭକ୍ତକବି ଯଶୋବନ୍ତ ଦାସ ହେଉଛନ୍ତି ଅନ୍ୟତମ । ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀରେ ଗଜପତି ପ୍ରତାପ ରୁଦ୍ରଦେବଙ୍କ ରାଜତ୍ୱ କାଳରେ ତାଙ୍କର ଆବିର୍ଭାବ ହୋଇଥିଲା । ସେ ଥିଲେ ଏକାଧାରରେ ଜଣେ ଜଗନ୍ନାଥୈକ ପରମଭକ୍ତ, ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ, ବହୁ ଭଜନ ଜଣାଣର ରଚୟିତା ତଥା ଆଧ୍ୟାତ୍ମିକ ଗ୍ରନ୍ଥର ସ୍ରଷ୍ଟା ଓ ସନ୍ଥସାଧକ ଭାବରେ ପ୍ରାତଃ ସ୍ମରଣୀୟ ମନୀଷୀ ।
ଭଜୁକିନା ରାମ ନାମରେ କୁମର, ବୋଲୁ କିନା ରାମ ନାମ । ଭଜି ନପାରିଲେ କୁଳ ଚନ୍ଦ୍ରମାରେ ବାନ୍ଧି ନେବ କାଳଯମ । ସରଳ, ତରଳ ଓ ହୃଦୟସ୍ପଶୀ ଭାଷା ଓ ଭାବରେ ରଚିତ ଏହି ଅନନ୍ୟ ଓ ଅନବଦ୍ୟ ଗାଥା କାବ୍ୟକୁ ନାଥ ସଂପ୍ରଦାୟର ଯୋଗୀମାନେ କେନ୍ଦରାର ତାଳେ ତାଳେ ସୁମଧୁର ସ୍ୱରରେ ଗାନ କରି ଏହାର ଜୀବନ ଦର୍ଶନ ଓ ମନୋଜ୍ଞ କାବ୍ୟିକ ମାଧୁରୀକୁ ଓଡ଼ିଶାର କୋଣେ କୋଣେ ପ୍ରଚାରିତ କରିଥାନ୍ତି । ଜନପ୍ରିୟ କାବ୍ୟ କୃତି ଭାବରେ ତାଙ୍କ ରଚିତ ଗୀତଗୋବିନ୍ଦ ଚନ୍ଦ୍ରର କାବ୍ୟିକ ପ୍ରତିଭା ଓ ପରାକାଷ୍ଠା ବାସ୍ତବରେ ଜାତିସ୍ମର ।
ସେ ଅନେକ ଯୋଗ ସାଧନା ଓ ଆଧ୍ୟାତ୍ମିକ ତତ୍ତ୍ୱ ସମ୍ବଳିତ ପୁସ୍ତକ ରଚନା କରିଥିଲେ । ସେଗୁଡିକ ହେଲା- ଗୀତ (ଟିକା) ଗୋବିନ୍ଦ ଚନ୍ଦ୍ର, ଚଉରାଶି ଆଜ୍ଞ, ଅତଙ୍ଗଗଡ ମାଳିକା, ଆଗତ ଭବିଷ୍ୟ ମାଳିକା, ଶିବ ସ୍ୱରୋଦୟ, ହେତୁ ଉଦୟ ଭାଗବତ, ପ୍ରେମ ଭକ୍ତି ବ୍ରହ୍ମ ଗୀତା, ପଦ୍ମବନର ରାସ, ଦିବ୍ୟା ଦେହୀ, ବଣଭୋଜି ବୋଳି, ମନ୍ତ୍ର ବୋଲି, ରାହୀ ଦାମୋଦର ଗୀତା, ଧାନ ଚୋରି, ବାଘ ଲୀଳା, ଭଜନସାର ଓ ଆତ୍ମ ପରତେ ଗୀତା ଆଦି ଉଲ୍ଲେଖଯୋଗ୍ୟ ।
ସେ ବାଲ୍ୟକାଳୁ ଆଧ୍ୟାତ୍ମିକ ମତବାଦୀ ଥିଲେ ଏବଂ ଶ୍ରୀକ୍ଷେତ୍ରରେ ଶ୍ରୀ ଚୈତନ୍ୟ ଦେବଙ୍ଗ ସଂସ୍ପର୍ଶରେ ଆସି ଦୀକ୍ଷା ଗ୍ରହଣ କରିଥିଲେ । ପ୍ରେମ ଭକ୍ତ ବ୍ରହ୍ମ ଗୀତା ହେଉଛି ଜ୍ଞାନ ମିଶ୍ରା ଭକ୍ତି ସାହିତ୍ୟର ଏକ ଉପାଦେୟ ଗ୍ରନ୍ଥ । ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ ମଧ୍ୟରେ ଶ୍ରୀଜଗନ୍ନାତ ବଳଦେବ, ସୁଭଦ୍ରା ଓ ସୁଦର୍ଶନଙ୍କ ସୃଷ୍ଟି ତତ୍ତ୍ୱ ବ୍ରହ୍ମଙ୍କ ଅବସ୍ଥିତି । ଯୋଗମାୟାଙ୍କ ଜନ୍ମ ସୃଷ୍ଟି ପ୍ରକ୍ରିୟା ପ୍ରଭୃତି ଏହାର ପ୍ରତିପାଦ୍ୟ ବିଷୟ । ଏହି ମହାନ ବୈଷ୍ଣବ କବିଙ୍କ ରଚନାର ଛତ୍ରେ ଛତ୍ରେ ନୀଳାଦ୍ରି ବିହାରୀ ଶ୍ରୀଜଗନ୍ନାଥଙ୍କ ମହିମା ପ୍ରକୀଭିତ ଉଦାହରଣ ଦ୍ରଷ୍ଟବ୍ୟ-
ନମସ୍ତେ ଦେବ ଜଗନ୍ନାଥ । ଯେ ପ୍ରଭୁ ଶଙ୍ଖ ଚକ୍ରହସ୍ତି
ପ୍ରଳୟ ଜଳେ ଶଙ୍ଖାମାରି । ଯେ ଶଂଖଚକ୍ରଭୁଜେଧରି
ଜଗତ ଉଦ୍ଧାରଣ କାଳେ । ମେଦିନୀ ଥାପିଲ ନିଶ୍ଚୟେ
ୟେମନ୍ତ ଭକ୍ତିର ନିର୍ବାଣ । ମୁକ୍ତିର ଅଟଇ ନିର୍ଗୁଣ ।
ୟେମନ୍ତ ଦାରୁବ୍ରହ୍ମ ଗୋପ୍ୟ । ଓଁକାର ଜଗନ୍ନାଥ ରୂପ ।
ଆଗେ ଭକତି ପଛେ ମୁକ୍ତି । ୟେଣୁ ଏଦାରୁ ବ୍ରହ୍ମ ମୂର୍ତ୍ତି (ପୃଷ୍ଠା ,୧,୨୦,୨୧)
ପଞ୍ଚମ ଅଧ୍ୟାୟରେ ଶ୍ରୀକ୍ଷେତ୍ର ତଥା ଶ୍ରୀମନ୍ଦିର ଅଭ୍ୟନ୍ତର ସମ୍ବନ୍ଧରେ ଖୁବ ମନୋଜ୍ଞ ବର୍ଣ୍ଣନା ରହିଛି । କବି ସ୍ୱୟଂ ଭଗବାନଙ୍କ ମୁଖରେ ସକଳ ତୀର୍ଥକୁ ଆପଣ । ଭିତରେ ସମ୍ମିଳିତ କରିଥିବା ନିତ୍ୟ ନୀଳାଚଳର ହିଁ ପ୍ରଶସ୍ତିଗାନ କରିଛନ୍ତି-
ଦେଖ ୟେ ନିତ୍ୟ ନୀଳାଚଳ
ସକଳ ତୀର୍ଥଙ୍କର ଆଳ ।
ସକଳ ଯେହି ସ୍ଥାନ ପାଇ ।
ଆବର କାଶୀ ମଧ୍ୟ ହୋଇ ।
କୋଟିୟେ ତୀର୍ଥ ୟେ କ୍ଷେତ୍ରରେ ।
ମହିମା କହିଲେ ନସରେ ।
ସଂସ୍କୃତରେ ସେ ପାଣ୍ଡିତ୍ୟ ଥିଲେ । ସ୍ୱରଶାସ୍ତ୍ର ସମ୍ବନ୍ଧରେ ସଂସ୍କୃତ ଭାଷାରେ ଲିଖିତ ଏକ ପୁସ୍ତକ ଅବଲମ୍ବନରେ ସେ ‘ଶିବ ସ୍ୱରୋଦୟ’ ବହିଟିଏ ଲେଖିଥିଲେ । ଏହାର ପ୍ରାରମ୍ଭରେ ଜଗନ୍ନାଥଙ୍କର ସ୍ତୁତି କରାଯାଇଛି ଓ ଜଗନ୍ନାଥଙ୍କ ସ୍ତୁତିରେ ହିଁ ସମାପ୍ତ ହୋଇଛି । ଉଦାହରଣତଃ
“ଜୟ ଜୟ ଜଗନ୍ନାଥ ଜଗତ ଧାରଣ
ଜୟ ବଳଭଦ୍ର ଭଦ୍ରା ଜୟ ସୁଦର୍ଶନ ।
ଜୟ ଉତପତ୍ତି ସ୍ଥିତି ଯାହାଠାରୁ ହୋଏ
ଜଗନ୍ନିବାସ ବୋଲନ୍ତୁ ଶ୍ରୁତି ସଯାହା ରାଏ ।"
ଆତ୍ମପରତେ ଗୀତାରେ ମଧ୍ୟ କବି ସର୍ବ ପ୍ରଥମେ ଜଗନ୍ନାଥଙ୍କୁ ହିଁ ସ୍ମରଣ କରିଛନ୍ତି । ତାଙ୍କୁ ଆପଣାର ଯାବତୀୟ ଧର୍ମ ପ୍ରେରଣାର ଉତ୍ସ ବୋଲି ମାନିଛନ୍ତି ଓ ନିଜେ ସେହି ଜଗନ୍ନାଥଙ୍କ ଠାରୁ ମନ୍ତ୍ର ଦୀକ୍ଷା ଗ୍ରହଣ କରିଥିବାର ଉଲ୍ଲେଖ କରିଛନ୍ତି-
ସେ ଜଗତସିଂହପୁର (ପ୍ରାକ୍ତନ ପୁରୀ ଜିଲ୍ଲା ଅନ୍ତର୍ଗତ ଅତିଙ୍ଗଗଡ଼ ନିକଟସ୍ଥ ନନ୍ଦି ଗ୍ରାମ (ନାଇଲୋ)ର ଏକ କ୍ଷେତ୍ରତୀୟ ପରିବାରରେ ପବିତ୍ର ଅକ୍ଷୟ ତୃତୀୟାରେ ୧୪୮୭ ଖ୍ରୀ.ଅ.ରେ ଭୂମିଷ୍ଠ ହୋଇଥିଲେ ତାଙ୍କର ଜନ୍ମତିଥି ଓ ମସିହା ନେଇ ଆଲୋଚକମାନଙ୍କ ମଧ୍ୟରେ ମତାନୈକ୍ୟ ଦେଖାଯାଏ । ପିତାଙ୍କ ନାମ ବଳଭଦ୍ର ମଲ୍ଲ ଓ ମାତାଙ୍କ ନାମ ରେଖା ଦେବୀ । ତାଙ୍କର ଶ୍ରଦ୍ଧା ନାମ ଥିଲା ‘ବାନ୍ତିଆ’ । ଆଧ୍ୟାତ୍ମିକ ସ୍ତରରେ ସେ ବହୁ ଉଚ୍ଚରେ ଥିଲେ ମଧ୍ୟ ଅର୍ଥନୈତିକ ଦୃଷ୍ଟିରୁ ଥିଲେ ଜଣେ ଅନଗ୍ରସର । ତାଙ୍କ ପିତା ତକ୍ରାଳୀନ କୁଜଙ୍ଗ ରାଜାଙ୍କ ଅଧୀନରେ ଜଣେ ସିପାହୀ ଭାବେ କାର୍ର୍ଯ୍ୟ କରୁଥିଲେ । ନିଜେ ଯଶୋବନ୍ତ ମଧ୍ୟ ଅତଙ୍ଗ ରାଜାଙ୍କ ଅଧୀନରେ ଜଣେ ଗ୍ରାମ୍ୟ କଟୁଆଳ ଭାବେ କାର୍ଯ୍ୟ କରୁଥିଲେ । ପାଚିଲା ଧାନ କ୍ଷେତକୁ ଚୋର ତଥା ପଶୁମାନଙ୍କ କବଳରୁ ରକ୍ଷା କରିବା ଦାୟିତ୍ୱ ତାଙ୍କର ଥିଲେ ମଧ୍ୟ ପରିବାରର ଅଭାବ ପରିସ୍ଥିତି ତାଙ୍କୁ ବାଧ୍ୟ କରିଥିଲା । କୋଣସି ଏକ କ୍ଷେତର ପାଚିଲା ଧାନ ଚୋରି କରିବା ପାଇଁ । ସତେ ଯେମିତି ଥିଲା ଏ ଏକ ବିଧି ବିଡମ୍ବନା । କାରଣ ଦାଆ ସାହାଯ୍ୟରେ ଧାନଗଛ କାଟିବା ସମୟରେ ତାଙ୍କୁ କଟା ଶବ୍ଦ ପରିବର୍ତ୍ତେ ଶୁଭିଲା ରାମ ରାମ ଶବ୍ଦ । ସେହି ଶବ୍ଦରେ ହାତ ତାଙ୍କର ଅଟକି ଗଲା, ହାତରୁ ଦାଆ ଖସି ପଡିଲା ଧାନ କାଟିବା ବନ୍ଦ କରି ସେ ରାମ ନାମର ତାଳେ ତାଳେ ନୃତ୍ୟ କରିବାକୁ ଲାଗିଲେ କିଛି ସମୟ ପରେ ପ୍ରକୃତିସ୍ଥ ହେଲା ପରେ ସେ ଚିନ୍ତା କଲେ କିଏ ଏହି ପୁଣ୍ୟାତ୍ମା । ଶୂନ୍ୟ ପୁରୁଷ ଯିଏ ରାମ ନାମ ଉଚ୍ଚାରଣ କରୁଛନ୍ତି ? କେଉଁଠୁ ଆସୁଛି ଏହି ରାମ ନାମର ସ୍ୱର? ଯିଏ ଆହ୍ୱାନ କରୁଛନ୍ତି ତାଙ୍କ ସହ ନାମ ଗାଇବା ପାଇଁ ଏମିତି ଚିନ୍ତା କରୁ ଯଶୋଦା ସେହି ଶୂନ୍ୟ ପୁରୁଷଙ୍କୁ ତାଙ୍କୁ ଦେଖି ଦେବା ପାଇଁ ଆକୁଳ ପ୍ରାର୍ଥନା କଲେ । ଭକ୍ତ ବତ୍ସଳ ଭଗବାନ ସ୍ଥୂଳ ରୂପରେ ଦର୍ଶନ ଦେଇ ଚୈତନ୍ୟଙ୍କୁ ଗୁରୁ ଭାବେ ଗ୍ରହଣ କରିବାକୁ କହିଥିଲେ । ଏହାପରେ ସେ ଚୋର ଭାବରେ ଅଭିଯୁକ୍ତ ହୋଇ ରାଜା ରଘୁରାଜ ସଂପତ୍ତିଙ୍କ ରାଜ ଦରବାରରେ ହାଜର ହୋଇଥିଲେ । ମାତ୍ର ବିଚାର ସମୟରେ ରାଜା ଦେଖୁଛନ୍ତି ଯଶୋବନ୍ତଙ୍କ ଶରୀରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ । ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ପରମ ଆଶ୍ଚର୍ଯ୍ୟ ହେଲେ ଓ ଭକ୍ତି ଗଦ ଗଦ ହୋଇ ତାଙ୍କୁ ପ୍ରଣାମ ଜଣାଇଥିଲେ । ଏକଥା ସେ ତାଙ୍କ ରଚିତ ଚଉରାଳିଶୀ ଆଜ୍ଞାରେ ବର୍ଣ୍ଣନା କରିଛନ୍ତି । ସେ ଧାନରାମ ରାମ ଭାଷି, ମୁଁ ଶୁଣି ହୋଇଲି ସନ୍ୟାସୀ ହସ୍ତୁ ପଡିଲା ଦାଆ ତଳେ, ମୁଁ ଭୋଳ ହେଲି ରାମ ତାଳେ ।
ତେଣୁ ରାଜା ତାଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ ତାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ଏବଂ ସିଦ୍ଧି ସ୍ୱରୂପରେ ପ୍ରଭାବିତ ହୋଇ ରାଜା ରଘୁରାମ ଓ ରାଣୀ ତିଳୋତ୍ତମା ଉଭୟେ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଛନ୍ତି । ଏତଦ୍ ବ୍ୟତୀତ ଭଉଣୀ ଅଞ୍ଜନାକୁ ଯଶୋବନ୍ତଙ୍କ ସହ ବିବାହ ଦେଇଛନ୍ତି । ତାଙ୍କ ନିମନ୍ତେ ଏକ ମଠ ନିର୍ମାଣ କରାଇ ତାର ସୁପରିଚାଳନା ନିମନ୍ତେ ଆବଶ୍ୟକ ଜମିବାଡି ଖଞ୍ଜି ଦେଇଛନ୍ତି । ଏ ଘଟଣା ପରେ ପରେ ଯଶୋବନ୍ତଙ୍କ ଖ୍ୟାତି ଚତୁର୍ଦ୍ଦିଗ ବ୍ୟାପୀ ଯାଇଥିଲା । ତାଙ୍କ ଦର୍ଶନ ଥିଲା ବାସ୍ତବରେ ମାନବବାଦୀ । ଆଧ୍ୟାତ୍ମିକ କ୍ଷେତ୍ରରେ ଜଣେ ଭକ୍ତ ତା’ର ମାନସିକତାକୁ ନେଇ ଯେ କୋ÷ଣସି ମାର୍ଗ ଅନୁସରଣ କରିବାରେ କୋ÷ଣସି ପ୍ରତିବନ୍ଧକ ରହିବା ଉଚିତ୍ ନୁହେଁ ବୋଲି ସେ କହୁଥିଲେ । ଆଧ୍ୟାତ୍ମିକ ମାର୍ଗକୁ ସରସ, ସୁନ୍ଦର, ସାବଲୀଳ ଏବଂ ଜୀବନ୍ତ ରଖିବାକୁ ନିଷ୍ଠା ଏକାଗ୍ରତା ଉପରେ ଗୁରୁତ୍ୱାରୋପ କରୁଥିଲେ ।
ତାଙ୍କର ଅଲୋ÷କିକ ସାଧନା କୋ÷ଶଳ ସମ୍ବନ୍ଧରେ ଆଉ ଏକ ଲୋକ କଥା ଶୁଣାଯାଏ । ଥରେ ସେ ଶିଷ୍ୟମାନଙ୍କ ଗହଣରେ ଶ୍ରୀକ୍ଷେତ୍ର ଯାତ୍ରା କରୁଥିବା ବେଳେ ପଥ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଗୋଟିଏ ବହ୍ମରାକ୍ଷସ ଯଶୋବନ୍ତଙ୍କୁ ଦେଖି ତା’ର ପୈଶାଚିକ କ୍ରିୟା ପ୍ରକଟ କଲା । ଯୋଗ ଶକ୍ତି ବଳରେ ସେ ବ୍ରହ୍ମରାକ୍ଷସର ଉପସ୍ଥିତି ଜାଣିପାରି ତାକୁ ଆୟତ୍ତ କଲେ ଓ ବ୍ରହ୍ମରାକ୍ଷସ ତାଙ୍କର ଆଦେଶରେ ନିରୀହ ଶାନ୍ତ ଭାବେର ଆଗରେ ଚାଲିଲା । ଏ ଖବର ପ୍ରଘଟ ହେବା ଫଳରେ ସେହି ପଥ ପାଖ ଗ୍ରାମର ଲୋକମାନେ ସେମାନଙ୍କର ଘରଦ୍ୱାର ବନ୍ଦ କରିଦେଲେ । ମାତ୍ର ରାଜା ପ୍ରତାପରୁଦ୍ରଦେବ ପଞ୍ଚସଖାଙ୍କର ବୈଶିଷ୍ଟ୍ୟ ପରୀକ୍ଷା କରିବା ପାଇଁ ସବୁବେଳେ ଆଗଭର ହୁଅନ୍ତି । ତେଣୁ ଯଶୋବନ୍ତ ବହ୍ମ ରାକ୍ଷସକୁ ଆୟତ୍ତ କରିବା ଖବର ପାଇ ସେ ଅଠରନଳା ପର୍ଯ୍ୟନ୍ତ ଆସିଲେ ଓ କଥାଟି ସତ ବୋଲି ଶୁଣି ପାରିଲେ । ସେଇଠି ରାଜା ଯଶୋବନ୍ତଙ୍କୁ ଅଭ୍ୟର୍ଥନା କଲେ ଓ ଯଶୋବନ୍ତଙ୍କ କଥାରେ ସେ ବ୍ରହ୍ମରାକ୍ଷସକୁ ପୁରୀରେ ଅବସ୍ଥିତ ଗୁଣ୍ଡିଚାବାଡିର ରକ୍ଷଣବେକ୍ଷଣ କାର୍ଯ୍ୟରେ ରଖିଲେ । ସେହିଦିନ ଠାରୁ ସେହି ବ୍ରହ୍ମରାକ୍ଷସ ବାବନାଭୂତ ଭାବରେ ପୂଜା ପାଉଛି ବୋଲି ପ୍ରବାଦ ଥିବା ଶୁଣିବାକୁ ମିଳେ । ତାଙ୍କ ଉପରେ ଜଗନ୍ନାଥଙ୍କର ଅହେତୁକ ଆଶୀର୍ବାଦ ଥିଲା । ତେଣୁ ସେ ଜନ୍ମସିଦ୍ଧ । ଧାନ ଚୋରି ଠାରୁ ଆରମ୍ଭ କରି ଗଜପତି ପ୍ରତାପରୁଦ୍ରଙ୍କ ସାମନାରେ ପରୀକ୍ଷାର ସମ୍ମୁଖୀନ ହେବା, ନାଗା ସାଧୁସନ୍ଥଙ୍କ ଇଚ୍ଛାନୁସାରେ ଶୂନ୍ୟରୁ ଖାଦ୍ୟ ତଥା ପାନୀୟ ପହଞ୍ଚାଇବା ତାଙ୍କ ଆଜ୍ଞାରେ ମେଘ ତାଙ୍କର ଅଛୁଆଁଣି କୁଡିଆକୁ ଛାଡି ଅନ୍ୟତ୍ର ବର୍ଷା କରିବା ଖଣ୍ଡିଆ କାନ୍ଥ ଚାଲିବା, ବ୍ରହ୍ମରାକ୍ଷସ ବଶହେବା, ଫଳନ୍ତି ନଡିଆଗଛ ନଇଁ ପଡିବା ଇତ୍ୟାଦିରୁ ତାଙ୍କ ଅଲୋ÷କିକତାର ପରିଚୟ ମିଳିଥାଏ । ଏତଦ୍ବ୍ୟତୀତ ତାଙ୍କର ତିରୋଧାନ ଦିବସର ପରଦିନ ଶ୍ରୀକ୍ଷେତ୍ରରେ ତାଙ୍କୁ ଲୋକ ଦେଖିଥିବା ଏବଂ ଆତଙ୍ଗୀ ଗଡ଼ର ରାଜାଙ୍କ ପାଖକୁ କମଣ୍ଡଳୁ ପଠାଇବା ଇତ୍ୟାଦି ଘଟଣାବଳୀ ତାଙ୍କୁ ଅସାଧାରଣ ତନ୍ତ୍ର ସିଦ୍ଧ ପରୁଷ ରୂପେ ପରିଚିତ କରାଇଛି । ସୁନ୍ଦର ସବୁଜ ଧାନ କ୍ଷେତ, ସବୁଜ ବନାନୀ ଓ ଗ୍ରାମ୍ୟ ପରିବେଶ ମଧ୍ୟରେ ପଡେ ଯଶୋବନ୍ତଙ୍କ ସାଧନାର ପୀଠ । ଶ୍ରାଦ୍ଧ ଦିବସରେ ସୂକ୍ଷ୍ମ ରୂପରେ ମହାତ୍ମା ଯଶୋବନ୍ତ ମହାପ୍ରଭୁ ଉପସ୍ଥିତ ହୁଅନ୍ତୁ ଏବଂ ଅଗଣିତ ଭକ୍ତଙ୍କୁ ଆଶୀର୍ବାଦ କରନ୍ତି ବୋଲି ଲୋକ ବିଶ୍ୱାସ ରହିଛି । ମଠ ପରିସରରେ ଅତ୍ୟନ୍ତ ଯାକ ଯକମରେ ତାଙ୍କର ଶ୍ରାଦେ୍ଧାତ୍ସବ ପାଳନ କରାଯାଏ ।
ସେ ବହୁ ଭଜନର ସ୍ରଷ୍ଟା । ତାଙ୍କ ରଚିତ ଶରୀରଭେଦୀ ଭଜନ ଗୁଡିକ ଭାରି ଭାବଗର୍ଭକ । ଉଦାହରଣତଃ
ଓଲଟ ବୃକ୍ଷେ ଖେଳୁଛି ଲୋଟଣୀ ପାରା
ଅଠାକାଠି ପଞ୍ଜୁରୀରେ ନ ଦିଏ ଧରା ।
ମାତୃଗର୍ଭ ନିର୍ଣ୍ଣୟ ଭଜନ, ମନବୋଧ ଭଜନ, ନିଗମ ଗୁମ୍ପା କହୁଛି କୋ÷ତୁକ ତତ୍ତ୍ୱଗୁଣ, ପୂର୍ବରାଗ, ଗାଈ ଭଲା ଭୁଲାଇଲେ, ମନମତ୍ତ ଦୁହାଁଳି ଗାଈ, ଭଜନ ଓ ସିଦ୍ଧରସ୍ତୁ ତତ୍ତ୍ୱ ଭଜନ ମୁଖ୍ୟତଃ ଏଗୁଡିକ ଶରୀର ଭେଦ ଭଜନ । ପଞ୍ଚସଖାମାନଙ୍କର ଅନବଦ୍ୟ କୃତି ହେଉଛି ମାଳିକା ସାହିତ୍ୟ । ପ୍ରାୟ ପ୍ରତ୍ୟେକ ମାଳିକା ରୂପରେ ଲେଖନୀ ଚାଳନା କରିଛନ୍ତି । ଏଥିରୁ ଆଗତ ଭବିଷ୍ୟ କଥା ଜଣାଯାଏ । ସେ ତାଙ୍କର ଅତିମାନବୀୟ ଶକ୍ତି ଦ୍ୱାରା ଭବିଷ୍ୟତ ସନ୍ଦର୍ଶନ କରିପାରିଥିଲେ । ତେଣୁ ତାଙ୍କ ଦ୍ୱାରା ରଚିତ ମାଳିକା ହେଉଛି :ଯଶୋବନ୍ତ ଦାସଙ୍କ ମାଳିକା, ଅତଙ୍ଗଗଡ ମାଳିକା, ଯଶୋବନ୍ତ ଗୋସେଇଁଙ୍କ ଭବିଷ୍ୟ ଟିକା ଆଦି ପ୍ରଧାନ ।ଆଜି ସେ ନାହାନ୍ତି ସତ ହେଲେ ତାଙ୍କ ମୃତ୍ୟୁର ପାଞ୍ଚଶହ ବର୍ଷରୁ ଊଦ୍ଧ୍ୱର୍ ହୋଇଥିଲେ ମଧ୍ୟ ତାଙ୍କ ସାଧନାର ବିଭବଶାଳୀ ଦିଗଟି ଓ ପୁଣ୍ୟପୀଠ ବିଜ୍ଞାନଗତ ମଣିଷମାନଙ୍କୁ ପ୍ରଭାବିତ କରିଚାଲିଛି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିକୁ ଆଧ୍ୟାତ୍ମିକ ରଚନାବଳୀ ଦ୍ୱାରା ଋଦ୍ଧିମନ୍ତ କରି ସାହିତ୍ୟର ଭିତ୍ତିଭୂମିକୁ ସୁଦୃଢ କରିବାରେ ତାଙ୍କର ଅବଦାନ ଅବିସ୍ମରଣୀୟ ।
ଭୁବନେଶ୍ୱର-୧୬
ମୋ-୯୧୭୮୯୦୮୭୬୩