ଶାନ୍ତି ଓ ଯୁଦ୍ଧର ଅଦୃଶ୍ୟ ପରିସୀମା

ଡ଼. ମନୋଜ କୁମାର ମହାନ୍ତି : ମଣିଷର  ଔଦ୍ଧତ୍ୟ ସହ ଇତିହାସ ସମ୍ପୂର୍ଣରୂପେ ପରିଚିତ । ଯଦି ଇତିହାସ ପୃଷ୍ଠାକୁ ଉନ୍ମୋଚନ କରାଯାଏ, ତେବେ ଇତିହାସରେ ଏମିତି କେଉଁ ଶତାବ୍ଦୀ ନାହିଁ  ଯେଉଁଠି ଲୁହ ଓ ଲହୁର ଦରିଆ ବୋହିନାହି । ଏକଦା ଶାନ୍ତିମୈତ୍ରୀର ମନ୍ତ୍ରକୁ ଉଚ୍ଚ଼ାରଣ କରୁଥିବା ମଣିଷ ମଧ୍ୟ ସ୍ୱପ୍ନ ଦେଖିଛି ଏକଛତ୍ରବାଦର । ସେ ପ୍ରେମ ସୌହାର୍ଦ୍ୟର ଗୀତ ଗାଇବାପାଇଁ ଆହ୍ୱାନ କଲା ଭିତରେ  ଉପତ୍ୟକା ସମୂହକୁ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ କରିଛି । ୟୁରୋପରୁ ଆମେରିକା ପୁଣି ଏସିଆରୁ ଆଫ୍ରିକାଯାଏଁ ଉପତ୍ୟାକା ସମୂହକୁ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ରଖିଛି ।ସବୁଠି ସେଇ ଲୋମହର୍ଷଣକାରୀ କୋଳାହଳ ପରିବେଶ । ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ବାରୁଦଗନ୍ଧ ବିଶ୍ୱରେ ସୃଷ୍ଟିକରିଛି ଅଶାନ୍ତ ବାତାବରଣ । ଶାନ୍ତି-ମୈତ୍ରୀ-କରୁଣାର  ମିଠାମିଠା ବାର୍ତ୍ତା ବାଣ୍ଟୁଥିବା ମଣିଷ ପୁଣି ଏତେ ହିଂସ୍ର ହୁଏ କେମିତି? ଏକ ସୁନ୍ଦର ସବୁଜିମା ପୃଥିବୀର ପରିକଳ୍ପନା କରୁ କରୁ ରକ୍ତର ହୋଲି ଖେଳିବାକୁ ଆଗେଇ ଆସେ କିପରି? ସଭାମଞ୍ଚରେ ଏକ ସ୍ୱରରେ ଶାନ୍ତି ସ୍ଥାପନକୁ ଉଚ୍ଚ଼ାରଣ କରି ତା ଗତିପଥକୁ ବଦଲାଇ ଦିଏ କାହିଁକି? ପ୍ରତ୍ୟେକ ମଣିଷ  ଚାହେଁ ଟିକେ ସୁଖରେ ରହିବାକୁ, ଶାନ୍ତିରେ ନିଶ୍ୱାସ ମାରିବାକୁ, ଜୀବନକୁ ସରସ-ସୁନ୍ଦର-ମଧୁମୟ କରିବାକୁ । ଶାନ୍ତିର ଆବଶ୍ୟକତାକୁ ଅନୁଭବ କରି ମଧ୍ୟ କାହିଁକି ସେ ଯୁଦ୍ଧକୁ ଆହ୍ୱାନ କରେ? 
ଯାଯାବର ହୋଇ ଏକୁଟିଆ କାଳତିପାତ କରୁଥିବା ଜୀବନ  ବିପଦପୂର୍ଣ୍ଣ ଅନୁଭବ କଲାପରେ ସେ ଚାହିଁଲା ସଂଘବଦ୍ଧ ଜୀବନ । ସାଥିହୋଇ ସହାବସ୍ଥାନପରେ ସମୟକ୍ରମେ ସଂଘବଦ୍ଧ ଜୀବନ  ମଧ୍ୟରେ ଆରମ୍ଭ ହେଲା ପ୍ରତିଦ୍ୱନ୍ଦ୍ୱିତା । ସେହି ପ୍ରତିଦ୍ୱନ୍ଦ୍ୱିତା ଭିତରେ ସେ ଚାହିଁଲା ତାର ନିଜର ସ୍ୱତନ୍ତ୍ର ପରିଚୟ । ଧୀରେଧୀରେ ପୃଥିବୀକୁ ନିଜର କରିବାକୁ ସ୍ୱପ୍ନ ଦେଖିଲା । ନିଜ ମଧ୍ୟରେ ସ୍ୱଚ୍ଛୋଚାରୀ ଉଗ୍ରମାନସିକତାର ବୀଜ ଅଙ୍କୁରିତ ହେବାରେ ଲାଗିଲା । ନିଜକୁ ଅନ୍ୟମାନଙ୍କ ଠାରୁ ବୁଦ୍ଧିମାନ ଓ  ଦକ୍ଷ ଭାବିଲା । ସମସ୍ତଙ୍କୁ ଏକତ୍ରିତ କରି ସେମାନଙ୍କର ମୁଖିଆ ହୋଇ  ଧନଜୀବନର ଉତ୍ତରଦାୟିତ୍ୱ ନିଜ କାନ୍ଧକୁ ନେଇ   ଅନ୍ୟମାନଙ୍କୁ ନିଜ ନିୟନ୍ତ୍ରଣକୁ ଆଣିଲା । ନିଜ ପରିସୀମାକୁ ବିସ୍ତାର କରିବା ସହ ଅନ୍ୟକୁ ନିଜ ଅଧୀନରେ ରଖିବାର ମନୋଭାବ ତାକୁ ଶିଖାଇଲା ଦ୍ୱନ୍ଦ୍ୱ । ବାହୁବଳ, ଅର୍ଥବଳ ଓ ନିଜର ବିଚକ୍ଷଣ ବୁଦ୍ଧି ସାହାଯ୍ୟରେ  କିଛି ବିଶ୍ୱାସୀମାନଙ୍କୁ ଆତ୍ମୀୟତାର ମୋହରେ ବାନ୍ଧି ଅସ୍ତ୍ରଶସ୍ତ୍ରର ସାହାରା ନେଇ  ଅନ୍ୟକୁ ଯୁଦ୍ଧର ଆହ୍ୱାନ ଦେଲା । ବିଜୟୀ ହେଲାପରେ ସେ ଅନ୍ୟଠାରୁ ନିଜକୁ ଶକ୍ତିଶାଳୀ ଯୋଦ୍ଧା ଭାବେ  ଆତ୍ମଘୋଷିତ କରାଇବା ସହ ଯୁଦ୍ଧବିଦ୍ୟା, ରଣକୌଶଳ ଏବଂ ସୈନ୍ୟଶିବିର ପ୍ରସ୍ତୁତିପୂର୍ବକ ବିଶାଳ ସାମ୍ରାଜ୍ୟ ଗଠନରେ ଲାଗିପଡିଲା । ଗୋଟେପରେ ଗୋଟେ ଅଞ୍ଚଳ ତଥା ରାଜ୍ୟକୁ ଆକ୍ରମଣ କରି ବିଜୟର ସ୍ୱାଦ ତାର ପ୍ରଭୁତ୍ୱକୁ ବିଶ୍ୱ ଦରବାରରେ ଉପସ୍ଥାପନ କଲା ।  ନିଜ ସାମ୍ରାଜ୍ୟର ଭୌଗୋଳିକ ମାନଚିତ୍ରର  ପରିସୀମା ବର୍ଦ୍ଧିନ, ଧନସମ୍ପଦ ଲୁଣ୍ଠନ ସହ ନିଜ ପରାକ୍ରମ ଧ୍ୱଜା ଉଡେଇବା ଲକ୍ଷ୍ୟରେ ସେ ଯୁଦ୍ଧକୁ କଲା ଏକ ବୃହତ୍‌ ମାଧ୍ୟମ । ନିଜ ସାମ୍ରାଜ୍ୟର ବୈଭବ ତଥା ପ୍ରାଚୁର୍ଯ୍ୟ ଲକ୍ଷ୍ୟରେ ଅନ୍ୟ ସାମ୍ରାଜ୍ୟକୁ   ଆକ୍ରମଣ  କରି  ଅମାପ ଧନସମ୍ପଦ ହାତେଇବାକୁ ଚାହିଁଲା ।  ଏହାଥିଲା ସ୍ୱେଚ୍ଛାଚାରୀ ରାଜତନ୍ତ୍ରର ଯୁଦ୍ଧ ମାନସିକତା ।  ବିଶ୍ୱ ଇତିହାସରେ ଅନେକ ସଭ୍ୟତା ଗଢ଼ିଉଠିଛି, ଅନେକଗୁଡିଏ ଛୋଟବଡ଼ ସାମ୍ରାଜ୍ୟ ମୁଣ୍ଡଟେକିଛି, ପୁଣି ସମୟଚକ୍ରରେ ତାର ପତନ ଘଟିଛି । ଜୟପରାଜୟ  ସହ କେତେ ରାଜ୍ୟ ଓ ରାଜବଂଶର ସୂର୍ଯ୍ୟୋଦୟ ପୁଣି ସୂର୍ଯ୍ୟାସ୍ତ ହୋଇଛି । ତାପରେ ଆରମ୍ଭ ହୋଇଛି ଔପନିବେଶକତାବାଦର ଯୁଗ । ଧୀରେ ଧୀରେ ଉପନିନେଶଗୁଡ଼ିକ ଗଣତାନ୍ତ୍ରିକ ରାଷ୍ଟ୍ରଭାବେ ବିଶ୍ୱମାନଚିତ୍ରରେ ନିଜର ପ୍ରତିଷ୍ଠା ଅର୍ଜନ କରିବାରେ ଲାଗି ପଡ଼ିଲେ । ଯଦିଓ ରାଜତନ୍ତ୍ରର ଅବସାନ ଘଟି ଗଣତନ୍ତ୍ର ପ୍ରତିଷ୍ଠା ହୋଇଛି କିନ୍ତୁ ଯୁଦ୍ଧର ମନୋବୃତ୍ତି ବଦଳିନାହିଁ । କେବଳ ଯୁଦ୍ଧ ଓ ଆକ୍ରମଣର ପୃଷ୍ଠଭୂମି ବଦଳିଯାଇଛି । ରାଜତନ୍ତ୍ର ଶାସନ ସମୟର  ଯୁଦ୍ଧ ଗଣତନ୍ତ୍ରରେ  ନୂତନ ରୂପେ ଉପସ୍ଥାପିତ କରାଯାଇଛି ।ବାରୁଦ,ବନ୍ଧୁକ ଓ ଗୁଳିଶବ୍ଦ  ଯୁଦ୍ଧ ଆକ୍ରମଣକୁ ଆହୁରି ମଜବୁତ୍‌ କରିଛି । ଅସ୍ଥିର ଗଣତନ୍ତ୍ର, ଅସନ୍ତୋଷ ପ୍ରଜା ଏବଂ ଗୃହଯୁଦ୍ଧର  ସୁଯୋଗ ନେଇ ବାହ୍ୟଶକ୍ତିର ପ୍ରବେଶ ସହ ସେମାନଙ୍କର ଆଧିପତ୍ୟ ବିସ୍ତାର ହୋଇଛି । ଗଣତନ୍ତ୍ର ପ୍ରତିଷ୍ଠା ଦ୍ୱାରା ରାଜତନ୍ତ୍ରର ଯୁଦ୍ଧ ଓ ଆକ୍ରମଣ ଭୟରୁ ମଣିଷକୁ ଦୂରେ଼ଇ ରଖିବାପାଇଁ ପ୍ରତ୍ୟେକ ରାଷ୍ଟ୍ର ପ୍ରୟାସ କରିଛି । ମିଳିତ ଜାତିସଂଘର ପ୍ରୟାସରେ ପ୍ରତ୍ୟେକ ରାଷ୍ଟ୍ର ମଧ୍ୟରେ କିପରି ସୁସମ୍ପର୍କ ଓ ଶାନ୍ତି ସ୍ଥାପନ ହେବ ସେଥିପାଇଁ ଚୁକ୍ତି ସ୍ୱାକ୍ଷରିତ ହେଲା । କିନ୍ତୁ ମଣିଷର ପ୍ରକୃତି ପରିବର୍ତ୍ତନ ହେଉଛିବା କେଉଁଠୁ? ହାତୀର ବାହାରକୁ ଦେଖେଇବା ପାଇଁ ଦୁଇଟି ଦାନ୍ତ କିନ୍ତୁ ଚୋବେଇବା ପାଇଁ ପାଟିରେ କିଛି ଦାନ୍ତ । ଦାମ୍ଭିକ ବ୍ୟକ୍ତିମାନେ ସମସ୍ତଙ୍କ ଭାଗ୍ୟଡୋରିକୁ ନିଜ ହସ୍ତରେ ରଖିବାକୁ ସଦାସର୍ବଦା ଚାହାଁନ୍ତି । ରାଜତନ୍ତ୍ର କିମ୍ୱା ଗଣତନ୍ତ୍ରରେ ସର୍ବୋଚ୍ଚ଼ ଶାସନ ଓ ଆସନରେ ଅଧିଷ୍ଠିତ ବ୍ୟକ୍ତିବିଶେଷ ହିଁ ବିଶ୍ୱ ଅଶାନ୍ତ ପରିବେଶ ପାଇଁ ଦାୟୀ । ଯୁଦ୍ଧର ପ୍ରମୁଖ କାରଣ ହେଉଛି;ନିଜର ଅସ୍ତିତ୍ୱ ସହ ରାଷ୍ଟ୍ରର ସ୍ୱାଭିମାନ ସହ ସମ୍ମାନ ।  କେବେ ଧର୍ମ ଓ ପରମ୍ପରା ସଂସ୍ଥାପନ ପାଇଁ ପୁଣି କେବେ ସାମୂହିକ ବିକାଶ ପାଇଁ ।ନିଜ ମାଟିର ସ୍ୱାଭିମାନ ସହ ଅତୀତ ଗୌରବକୁ ଅକ୍ଷୁଣ୍ଣ ରଖିବା ପାଇଁ କେହି କେହି ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛି ।
ଭାରତ ଇତିହାସରେ ଦୁଇ ପ୍ରମୁଖ ଓ ପୌରାଣିକ ମହାଯୁଦ୍ଧ ରାମାୟଣ ଓ ମହାଭାରତ । ଉଭୟ ରାବଣ ଓ ଦର୍ଯ୍ୟୋଧନର  ଅହଙ୍କାର ଓ ଜିଦଖୋର ମାନୋବୃତ୍ତିର ଆତ୍ମପ୍ରକାଶ । ମୌର୍ଯ୍ୟମାନଙ୍କର ବିଜୟଯାତ୍ରାକୁ ଅବ୍ୟାହତ ରଖିବା ଥିଲା କଳିଙ୍ଗ ଯୁଦ୍ଧର ମୁଖ୍ୟ ଲକ୍ଷ୍ୟ । କଳିଙ୍ଗ ରାଜ୍ୟଉପରେ ନିଜର ଆଧିପତ୍ୟ ବିସ୍ତାର ଥିଲା ମୌର୍ଯ୍ୟମାନଙ୍କର ବୃହତ୍‌ ସ୍ୱପ୍ନ । ଅଷ୍ଟାଦଶ ଶତାବ୍ଦୀର ନେପୋଲିୟନ ଯୁଦ୍ଧ କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଇଉରୋପୀୟ ରାଜତନ୍ତ୍ରର ସର୍ବୋଚ୍ଚ଼ ଶାସନର ବିଲୋପ । ସବୁଠାରୁ ଭୟଙ୍କର ଯୁଦ୍ଧର ପ୍ରସ୍ତୁତି ଆରମ୍ଭ ହୋଇଥିଲା ଊନବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକରେ । ୧୯୧୪ର ପ୍ରଥମ ବିଶ୍ୱଯୁଦ୍ଧର ସୁତ୍ରପାତ ମୂଳରେ ଉଗ୍ରଜାତୀୟତାବାଦ, ସାମରିକଶକ୍ତିର ପ୍ରତିଯୋଗିତା, ସାମ୍ରାଜ୍ୟବାଦ  ନୀତି ଏବଂ କୂଟନୈତିକ ଚୁକ୍ତି । ପୁନଶ୍ଚ ;୧୯୩୯ର ଦ୍ୱିତୀୟ ବିଶ୍ୱଯୁଦ୍ଧର ପ୍ରଚ୍ଛଦପଟରେ ଥିଲା ବିଶ୍ୱର ଅର୍ଥନୈତିକ ଅବସାଦ, ଭର୍ସେଲ ଚୁକ୍ତି, ଜାପାନ ଓ ଜର୍ମାନୀରେ ସାମରିକବାଦର ବୃଦ୍ଧି । ଉନବିଂଶ ଶତାବ୍ଦୀରୁ ଆରମ୍ଭ ହେଇଥିବା ଯୁଦ୍ଧଠାରୁ ବିଂଶ ଶତାବ୍ଦୀର ଯୁଦ୍ଧର ସାଜସଜ୍ଜା ଆହୁରି ଭୟଙ୍କର । ଏହା ତୃତୀୟ ବିଶ୍ୱଯୁଦ୍ଧ ପାଇଁ ପୁର୍ବପ୍ରସ୍ତୁତି । ଇରାକ ଓ ଆମେରିକାର, ୟୁକ୍ରେନ ଓ ରୁଷିଆର, ଇସ୍ରାଏଲ ଓ ଇସଲାମିକ ରାଷ୍ଟ୍ରସମୂହ  ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ଯୁଦ୍ଧର ପରିଣତି ଆଜି ଆମ ଆଖି ସାମନାରେ । ଏବେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଶଦେଶ ମଧ୍ୟରେ । ସମସ୍ତଙ୍କର ଗୋଟିଏ ଚିନ୍ତା ନିଜ ଦେଶର ସୁରକ୍ଷା ଓ ବାହ୍ୟ ଆକ୍ରମଣରୁ ନିଜର ରକ୍ଷା । ସେଥିପାଇଁ ରାଷ୍ଟ୍ରସମୂହ ପ୍ରତିରକ୍ଷା ବିଭାଗ ଓ ସାମରିକ ଶକ୍ତି ଉପରେ ଧ୍ୟାନରତ । ନିଜକୁ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ରରୂପେ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଲାଗି ପଡିଛନ୍ତି । ଭାରତର ପଡୋଶୀରାଷ୍ଟ୍ର ପରମାଣୁ ଆକ୍ରମଣକୁ ଆଖିରେ ରଖି ଆତଙ୍କବାଦୀ କାର୍ଯ୍ୟକଳପରେ ଲିପ୍ତ । ଅଧୁନା ପୃଥିବୀ ପରମାଣୁ ଯୁଦ୍ଧର  ଡାକରା ଦେଉଛି । ଏଥିରେ ଯୁକ୍ତରାଷ୍ଟ୍ର ଆମେରିକା, ଋଷିଆ, ବ୍ରିଟେନ, ଫ୍ରାନ୍ସ, ଉତ୍ତର କୋରିଆ, ଇସ୍ରାଏଲ, ଚୀନ୍‌, ଭାରତ ଓ ପାକିସ୍ଥାନ ସାମିଲ୍‌ ଅଛନ୍ତ । ଚୀନ୍‌,ଆମେରିକା ଓ ଋଷିଆ ପରମାଣୁ ବୋମାର ସାହାରାରେ ବିଶ୍ୱକୁ ନିଜ ଅଧୀନକୁ ନେବାକୁ ପ୍ରୟାସ ଜାରି ରଖିଛି । ପରମାଣୁ ଶକ୍ତିସମ୍ପର୍ନ୍ନ ଚୀନ୍‌ ଏସିଆ ମହାଦେଶର ରାଷ୍ଟ୍ରସମୂହର ଭାଗ୍ୟ ଭବିଷ୍ୟତକୁ ତା ହାତମୁଠାରେ ରଖିବାକୁ ସଦାସର୍ବଦା ଚେଷ୍ଟିତ । 
ସବୁ ଆକ୍ରମଣ ଓ ଯୁଦ୍ଧ ପଛରେ ଏକମାତ୍ର ଲକ୍ଷ୍ୟ । ଅନ୍ୟର ଅସ୍ତିତ୍ୱକୁ ଲୋପକରି ନିଜର ବିଜୟଧ୍ୱଜା ଉଡାଇବା ସହ ଇତିହାସରେ ନିଜ ନାମ ଲିପିବଦ୍ଧ କରିବା ହିଁ ଅଧିକାଂଶ ଯୁଦ୍ଧର ଉଦ୍ଦେଶ୍ୟ । କେତେବେଲେ  ଧର୍ମକୁ ଆଧାର କରି ଧର୍ମଯୁଦ୍ଧ,  ତ କେତେବେଲେ ସାମରିକ ଶକ୍ତିର ପ୍ରୟୋଗ ପୂର୍ବକ ସାମ୍ରାଜ୍ୟର ବିସ୍ତାର ସହ ଅନ୍ୟର ସଭ୍ୟତାକୁ ଦମନ କରିବାର ମନୋବୃତ୍ତି  । ନିଜ ଧର୍ମସଂସ୍କୃତିର ସ୍ଥାପନ ସହ ଅନ୍ୟ ଧର୍ମର ବିଲୋପ, ଏବଂ ଅର୍ଥନୈତିକ ଅଭିବୃଦ୍ଧି ସହ ନିଜ ରାଷ୍ଟ୍ରର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ପାଇଁ ଏ ଯୁଦ୍ଧ । ସଭ୍ୟତାର ଧ୍ୱଂସ,ରକ୍ତପାତ, ମାନବଜାତିର ନରସଂହାର ହିଁ ତ ପ୍ରତ୍ୟେକ ଯୁଦ୍ଧର ମାନସିକତା । ଅନ୍ୟକୁ ବାସଚ୍ୟୁତ କରିବା,ରକ୍ତର ହୋଲି ଖେଳିବା ସହ ସୁନ୍ଦର ପୃଥିବୀକୁ କଦାଗାର, ବିଭତ୍ସ ଓ ସବୁଜିମାକୁ ଶ୍ରୀହୀନ କରିବାପାଇଁ ତ ଯୁଦ୍ଧ । ସ୍ତ୍ରୀକୁ ବିଧବା, ସନ୍ତାନସନ୍ତତିକୁ ପିତୃମାତୃହରା, ନିଃସ୍ୱ, ଅସହାୟ ଓ ନିଃସନ୍ତାନ କରିବାର ଉଦ୍ଦେଶ୍ୟ ହେଉଛି ଯୁଦ୍ଧ । ପୃଥିବୀପୃଷ୍ଠରୁ  ଯୁଦ୍ଧ କେବେ ବି ଶେଷ ହେବନାହିଁ । ଯୁଦ୍ଧଠୁ  ମଣିଷ ନା କେବେ ଦୂରେଇଛି ନା ଦୂରେଇ ପାରିବ । ଶାନ୍ତି ପ୍ରତିଷ୍ଠାର ଶତଚେଷ୍ଟା କରି ମଧ୍ୟ ସେ ଯୁଦ୍ଧରୁ ନିଜକୁ ନିବୃତ୍ତ ରଖିପାରିବ ନାହିଁ । ନିଜେ ଶାନ୍ତି ·ହିିଁଲେ ମଧ୍ୟ ଆତ୍ମରକ୍ଷା ସକାଶେ ଯୁଦ୍ଧ କରିବାକୁ ହିଁ ହେବ । ସେ ଶାରୀରିକ ଓ ମାନସିକ ସ୍ତରରେ ଯୁଦ୍ଧପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । କାରଣ ନିଜର ଆତ୍ମସୁରକ୍ଷା ପାଇଁ ଯୁଦ୍ଧ ହିଁ ଏକମାତ୍ର ବିକଳ୍ପ ।
ଭଦ୍ରକ,ମୋ: ୮୮୯୫୩୪୧୦୩୩