ପରିବେଶ ଓ ପ୍ରକୃତି
କେବେ ବଣ ପାହାଡ଼କୁ ଯାଇଛନ୍ତି ? ଗାଁରେ ଛୁଟିଦିନ କଟାଇଛନ୍ତି ? ସେଠି ରହି ପ୍ରକୃତିକୁ ଉପଭୋଗ କରିଛନ୍ତି ? ଯଦି ଯାଇଥିବେ ତା'ହେଲେ ରଙ୍ଗବେରଙ୍ଗ ପ୍ରଜାପତି, ଭଅଁର, ସାଧବ ବୋହୂ ଆଦିଙ୍କୁ ଖୁବ୍ ଉପଭୋଗ କରିଥିବେ । ପ୍ରଜାପତି ଫୁଲ ଉପରେ ବସି ପବନରେ ଦୋଳି ଖେଳିବା, ଭଅଁରର ଗୁଞ୍ଜନ ଆଉ ସାଧବ ବୋହୂର ଲାଲ ଟୁକୁଟୁକୁ ରୂପ ଦେଖି ମନ ଖୁସି ହୋଇଯାଏନି ? ସେମାନଙ୍କୁ ଦେଖି ଦେଖି ସମୟ କେମିତି କଟିଯାଏ ଜାଣି ହୁଏନି । ଏବେ ଆଉଥରେ ସେ ସବୁ ସ୍ଥାନକୁ ଯାଆନ୍ତୁ, ବଗିଚାରେ, ପଡ଼ିଆରେ ବସନ୍ତୁ । ସେଠି ବସିଲେ ପିଲାଦିନେ ପ୍ରଜାପତି ପଛରେ ଦୌଡ଼ିବାର ଆଉ ପ୍ରଜାପତି ଧରିବାର ସ୍ମୃତି ସବୁ ତାଜା ହୋଇଯିବ । ହଠାତ୍ ମନେ ହେବ ପ୍ରଜାପତି ସବୁ କୁଆଡ଼େ ଗଲେ? ଭଅଁରର ସ୍ୱର କାହିଁକି ଶୁଣାଯାଉନିତ? କେବେ କେମିତି ଗୋଟାଏ ଦୁଇଟା ଆଖିରେ ପଡ଼ିବ । ଆପଣଙ୍କ ପ୍ରିୟ ରଙ୍ଗ କିମ୍ବା ପ୍ରିୟ ଛିଟ ଥିବା ପ୍ରଜାପତିକୁ ଯେତେ ଖୋଜିଲେ ବି ପାଉନଥିବେ ଆପଣ । ନିହାତି ଅଗମ୍ୟ ଗାଁ ଗଣ୍ଡାରେ ବି ଆଉ ଆଗଭଳି ହାଉଯାଉ ପ୍ରଜାପତି ଓ ବିଭିନ୍ନ ରକମର କୀଟପତଙ୍ଗ ଦେଖାଯାଉ ନାହାନ୍ତି ଏବେ । ମହାନଗର ଗୁଡ଼ିକରେ ତ ଏସବୁ ଦେଖିବା ସ୍ୱପ୍ନ ।
ଚୀନ୍ ପରେ ଭାରତ ବିଶ୍ୱର ସବୁଠାରୁ ବଡ଼ ପନିପରିବା ଉତ୍ପାଦକ ଦେଶ । ଏଠି ପ୍ରତିବର୍ଷ ପ୍ରାୟ ୭୫ ଲକ୍ଷ ଟନ୍ ପନିପରିବା ଉତ୍ପାଦନ ହୁଏ । ଏହା ସାରା ବିଶ୍ୱର ପନିପରିବା ଉତ୍ପାଦନ ପ୍ରାୟ ୧୪ ପ୍ରତିଶତ । ପରିବା ବିନା ଭୋଜନ ବିଷୟରେ ଭାରତୀୟମାନେ ଚିନ୍ତା କରିପାରନ୍ତି ନାହିଁ । ଏ ସମ୍ପର୍କରେ କୋଲକତା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଡ. ପାର୍ଥôବ ବସୁ କହିଛନ୍ତି - ଆମ ଜିଡ଼ିପିରେ କୃଷି ଯୋଗଦାନ ୨୦ ପ୍ରତିଶତ । ପନିପରିବା ଓ ଫଳ ଉତ୍ପାଦନ କମ୍ ହେଲେ ଏହାର ପ୍ରଭାବ ଜିଡ଼ିପି ଉପରେ ପଡ଼ିବ । ଏହାର ସମାଧନ କେବଳ ଇକୋ - ଫ୍ରେଣ୍ଡଲି ଫାର୍ମିଂ ବୋଲି କହିଛନ୍ତି । କୃଷିରେ ଜୈବିକ ଉର୍ବରକ ବ୍ୟବହାର କରିବା ଏବଂ ସେମାନଙ୍କ ପ୍ରାକୃତିକ ବାସସ୍ଥାନଗୁଡ଼ିକୁ ନଷ୍ଟ ନକରିବା ଦ୍ୱାରା ସେମାନଙ୍କ ସଂଖ୍ୟା ପୁଣିଥରେ ବୃଦ୍ଧି କରାଯାଇପାରିବ । ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (ଫୁଡ଼୍ ଆଣ୍ଡ ଏଗ୍ରିକଲ୍ଚର ଅର୍ଗାନାଇଜେସନ୍ର ରିପୋର୍ଟ ଅନୁଯାୟୀ ବିଶ୍ୱର ୧୫୦ଟି ଦେଶରେ ଖାଦ୍ୟଶସ୍ୟର ଶହେଟି ମୁଖ୍ୟ ପ୍ରଜାତି ବିଶ୍ୱର ୯୦ ପ୍ରତିଶତ ଜନସଂଖ୍ୟାର ଖାଦ୍ୟ ଆବଶ୍ୟକତା ପୂରଣ କରେ । ଏଗୁଡ଼ିକ ମଧ୍ୟରୁ ୭୧ଟି ପ୍ରଜାତି ଫସଲର ପରାଗସଙ୍ଗମ ମହୁମାଛି ଦ୍ୱାରା ହୋଇଥାଏ । ଏହି ସମସ୍ୟାକୁ ଗୁରୁତ୍ୱର ସହ ବିଚାର କରି ଏଫ୍ଏଓ ଭାରତ ସମେତ ୭ଟି ଦେଶର କୀଟପତଙ୍ଗ ସଂଖ୍ୟା ହ୍ରାସକୁ ରୋକିବା ଏବଂ ପରାଗ ସଙ୍ଗମ ପରିଚାଳନାକୁ ଦୃଢ଼ କରିବା ନିମନ୍ତେ ଏକ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି । କୀଟପତଙ୍ଗଙ୍କ ସଂଖ୍ୟା ହ୍ରାସ ସମସ୍ୟା ବିଶ୍ୱ ପାଇଁ ଖାଦ୍ୟାଭାବ ସୃଷ୍ଟି କରିବ ବୋଲି ଏଫ୍ଏଓ ଚେତାବନୀ ଦେଇଛି । ସର୍ବେକ୍ଷଣରୁ ଜଣାପଡ଼ିଛି ବ୍ରିଟେନ୍ରେ ୨୦୧୨ ଓ ୨୦୧୩ ମସିହାରେ ମହୁମାଛିଙ୍କ ସଂଖ୍ୟା ୩୦ ପ୍ରତିଶତ ହ୍ରାସ ପାଇଛି । ଇଟାଲୀରେ ଏମାନଙ୍କ ସଂଖ୍ୟା ୪୦ରୁ ୫୦ ପ୍ରତିଶତ ହ୍ରାସ ପାଇଛି । ଭାରତରେ ମଧ୍ୟ ସେମାନଙ୍କ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି । ଭାରତରେ ସବୁଜ ବିପ୍ଳବର ସ୍ୱପ୍ନକୁ ସାକାର କରିବା ପାଇଁ ରାସାୟନିକ ସାର ଓ କୀଟନାଶକର ବହୁଳ ବ୍ୟବହାର ହେଉଛି । ସାର ଯୋଗୁଁ ମାଟିର ମାନ ହ୍ରାସ ପାଉଛି । କୀଟନାଶକ ହିତକାରୀ କୀଟପତଙ୍ଗ ପାଇଁ ବିପଦ ସୃଷ୍ଟି କରୁଛି । ଏହା ବ୍ୟତୀତ ପ୍ରଦୂଷଣ ଓ ଗ୍ଲୋବାଲ୍ ୱାର୍ମିଂ ମଧ୍ୟ କୀଟପତଙ୍ଗ ସଂଖ୍ୟା ହ୍ରାସ କରୁଛି । ହିମାଳୟ ଅଞ୍ଚଳ ମଧ୍ୟ ଗ୍ଲୋବାଲ୍ ୱାର୍ମିଂ ସମସ୍ୟାରୁ ମୁକ୍ତ ନୁହେଁ । ଏହି ଅଞ୍ଚଳରେ ଜଳ ବିଦୁ୍ୟତ୍ ପରିଯୋଜନା ପାଇଁ ନିର୍ମାଣ ହୋଇଥିବା ବନ୍ଧ ଯୋଗୁଁ ଏଠାରେ ତାପମାତ୍ରା ବଢ଼ୁଛି । ଏହି ତାପ ବୃଦ୍ଧିକୁ ସ୍ଥାନୀୟ କୀଟପତଙ୍ଗ ସହ୍ୟ କରିପାରୁ ନାହାନ୍ତି । ଏବେ କେବଳ ପରିବେଶବିଦ୍ ନୁହନ୍ତି, କୃଷି ବିଜ୍ଞାନୀମାନେ ମଧ୍ୟ ଏହି ସମସ୍ୟାକୁ ବୁଝିବାରେ ଲାଗିଲେଣି । ଏବେ ସାଧାରଣ ଲୋକେ ଏହାକୁ ବୁଝିବାର ସମୟ ଆସିଯାଇଛି ।
ଡା. ଉମେଶ ଚନ୍ଦ୍ର ପାତ୍ର,ମୋ : ୯୪୩୭୦୫୧୯୫୭