ରେଙ୍ଗାଲି କେନାଲ ପାଇଁ ଆରଡ଼ି ରାସ୍ତା ବିପଦପୂର୍ଣ୍ଣ
କୋରେଇ: ଜାଇକା ପ୍ରକଳ୍ପ ନାମରେ ୨୦୧୩ ମସିହାରୁ ଜଳ ସମ୍ପଦ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ରେଙ୍ଗାଲି ବାମପାଶ୍ୱର୍ କେନାଲ ମେଗା ପ୍ରୋଜେକ୍ଟ ଢେଙ୍କାନାଳରୁ ଆରମ୍ଭ ହୋଇ କେନ୍ଦୁଝର ଯାଏ ଅଞ୍ଚଳର ହଜାର ହଜାର ହେକ୍ଟର ଚାଷ ଜମିକୁ ଜଳସେଚିତ କରିବ । ଢେଙ୍କାନାଳରୁ ଆରମ୍ଭ ହୋଇ କେନ୍ଦୁଝର ପର୍ଯ୍ୟନ୍ତ କାର୍ଯ୍ୟ କିନ୍ତୁ ଗୋଟେ ପଟେ ଶେଷ ହେବାର ନାଁ ଗନ୍ଧ ଧରୁନଥିବା ବେଳେ ପେଟି ଠିକାଦାରଙ୍କ ମନମାନିରୁ ସାଧାରଣ ଜନତା ହସ୍ତସନ୍ତ ହେଉଛନ୍ତି । ଯାହାର ଦୃଶ୍ୟ କୋରେଇ ବ୍ଲକ୍ ଅନ୍ତର୍ଗତରେ ଦେଖିବାକୁ ମିଳିଛି । ରେଙ୍ଗାଲି ବାମପାଶ୍ୱର୍ କେନାଲ କାର୍ଯ୍ୟରୁ ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ୍ର ଚାଷୀ ଉପକୃତ ହେଉଥିବା ବେଳେ କୋରେଇ ବ୍ଲକର ସାଧାରଣ ଜନତା ଠିକାଦାରଙ୍କ ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ।
ସଂପୃକ୍ତ କେନାଲ କାର୍ଯ୍ୟ କୋରେଇ ଅଂଚଳରେ ଚାଲିଥିବା ବେଳେ ସାଇଁଟୋରୁ କୋରେଇ ରେଲୱେ ଲାଇନ ପର୍ଯ୍ୟନ୍ତ ହେବାକୁ ଥିବା କେନାଲ କାର୍ଯ୍ୟ ବର୍ଷେ ହେଲା ବନ୍ଦ ପଡ଼ିଛି । ରେଙ୍ଗାଲି ବାମପାଶ୍ୱର୍ କେନାଲ କାର୍ଯ୍ୟ ହାତେଇଥିବା ଠିକାଦାରଙ୍କ ଠାରୁ କାର୍ଯ୍ୟ ଆଣିଥିବା ପେଟି ଠିକାଦାର ବାରଦା ପମ୍ପ ହାଉସ୍ ପାଖରେ ଆରଡ଼ି ବିଭାଗ ରାସ୍ତାକୁ ଖୋଳି ପକେଇ ଦେଇଛି । ପେଟି ଠିକାଦାର ବାରଦା ପମ୍ପ ହାଉସ ନିକଟରେ କେନାଲକୁ ଆରଡ଼ି ରାସ୍ତାରେ ପାରି କରିବାକୁ ବର୍ଷେ ତଳେ ଖୋଳି ପକାଇଥିଲା । ହେଲେ କେନାଲ ପାଇଁ ଆରଡ଼ି ରାସ୍ତାକୁ ଖୋଳି ପକାଇବା ପରେ କାର୍ଯ୍ୟ ଅଗ୍ରଗତି କରୁନି । ବର୍ଷେ ହେଲା ରାସ୍ତାଟି ଖୋଳା ହୋଇପଡ଼ିଥିବା ବେଳେ, ଆରଡ଼ି ବିଭାଗ ପକ୍ଷରୁ କାର୍ଯ୍ୟ ସାରିବାକୁ ରେଙ୍ଗାଲି କେନାଲ ଡିଭିଜନ ସୁକିନ୍ଦା କାର୍ଯ୍ୟାଳୟ ଏବଂ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ କୁହଯାଉଥିଲେ ହେଁ କେହି କିଛି କର୍ଣ୍ଣାପାତ କରୁନାହାନ୍ତି । ବିଭାଗର ବାରମ୍ବାର ତାଗିଦକୁ କେନାଲ ଡ଼ିଭିଜନ ଏଡ଼ାଇ ଯାଉଥିବା ବେଳେ, ପେଟି ଠିକାଦାର ମଧ୍ୟ କର୍ଣ୍ଣପାତ କରୁନାହାନ୍ତି । ଯାହାଫଳରେ ବାରଦା ପମ୍ପ ହାଉସ ନିକଟ ଆରଡ଼ି ବିଭାଗ ରାସ୍ତା ଦୁର୍ଘଟଣାର କେନ୍ଦ୍ର ପାଲଟିଯାଇଛି । ଆରଡ଼ି ବିଭାଗ ରାସ୍ତାକୁ କାଟି ଦେଇ କରାଯାଇଥିବା ଡାଇଭର୍ସନ ରାସ୍ତା ରକ୍ଷଣା ବେକ୍ଷଣ ଅଭାବରୁ ବିପର୍ଯ୍ୟସ୍ତ ହୋଇଛି । ଖୋଳାଯାଇଥିବା ସ୍ଥାନରେ ଯେଭଳି କିଛି ଦୁର୍ଘଟଣା ନଘଟେ ସେଥିପାଇଁ ଯେଉଁ ସୁରକ୍ଷା ବାଡ଼ାର ବ୍ୟବସ୍ଥା କରାଯିବା କଥା ତାହା କରାଯାଇନି । ଯାହଫଳରେ ଯାତ୍ରୀ ଦୁର୍ଘଟଣର ସମ୍ମୁଖିନ ହେଉଛନ୍ତି । କେନାଲ କାର୍ଯ୍ୟରେ କେବଳ ଡୋଜିଂରେ ସିମିତ ରହିଛି । ଯାହାଫଳରେ ପାଖରେ ଥିବା କଲଭଟ ଏବଂ ଯାଇଥିବା ରାସ୍ତା କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇପାରୁନି । ପେଟି ଠିକାସଂସ୍ଥା ପକ୍ଷରୁ କରାଯାଇଥିବା କ୍ୟାମ୍ପ ଘର ଭାଙ୍ଗିରୁଜି ପଡ଼ିଥିବା ବେଳେ, ଗୋଡି ନଷ୍ଟ ହେବାକୁ ବସିଲାଣି । ଏଣୁ ଆଗକୁ ସଂପୃକ୍ତ କେନାଲ ଶେଷ କରାଯିବ କି ନାହିଁ ତାହା ସନେ୍ଦହ ସୃଷ୍ଟି କରିଛି । ଯାହାକୁ ନେଇ ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଏଠି ପ୍ରଶ୍ନ ଉଠୁଛି ରେଙ୍ଗାଲି ଡିଭିଜନ କର୍ତ୍ତୃପକ୍ଷ କାହିଁକି କାର୍ଯ୍ୟକୁ ପକାଇ ରଖିଛନ୍ତି? ଠିକାଦାର କାର୍ଯ୍ୟ କରୁନି ନାଁ କାର୍ଯ୍ୟ ନ କରିବାକୁ କୌଣସି ଅଦୃଶ୍ୟ ଶକ୍ତିର ନିଦେ୍ର୍ଦଣ ରହିଛି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।