ନିଶାମୁକ୍ତ ସମାଜ ପାଇଁ ମଦମୁକ୍ତି ଯୁବବାହିନୀ ପକ୍ଷରୁ ପ୍ରଭାତଫେରୀ

ନିଶାମୁକ୍ତ ସମାଜ ପାଇଁ ମଦମୁକ୍ତି ଯୁବବାହିନୀ ପକ୍ଷରୁ ପ୍ରଭାତଫେରୀ

ମଦମୁକ୍ତି ଯୁବବାହିନୀ ପକ୍ଷରୁ ଭୁବନେଶ୍ୱର ରାମ ମନ୍ଦିର ସାମ୍ନାରେ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ସରକାରଙ୍କ ମଦ ନୀତି ଯୋଗୁଁ ପ୍ରତ୍ୟେକ ଦିନ ଘଟୁଥିବା ଘଟଣା ଓ ସରକାର ଏବଂ ରାଜନେତାମାନେ କିପରି ଏହି ଗମ୍ଭୀର ସମସ୍ୟାକୁ ଅଣଦେଖା କରିଚାଲିଛନ୍ତି ତାହାକୁ ସଙ୍ଗଠନର ସଦସ୍ୟମାନେ ପ୍ଲା-କାର୍ଡ଼, ଗୀତ ଓ ସ୍ଲୋଗାନ୍ ମାଧ୍ୟମରେ ଜଣାଇବା ସହ ଉପସ୍ଥିତ ଜନସାଧାରଣଙ୍କୁ ପ୍ରଚାରପତ୍ର ପ୍ରଦାନ କରିଥିଲେ। ସାମାଜିକ ଓ ପାରିବାରିକ ବିଶୃଙ୍ଖଳାର ମୁଖ୍ୟ କାରଣ ମଦ ହେଇଥିବା ସତ୍ତ୍ଵେ ବି ରାଜ୍ୟ ସରକାର ଲାଇସେନ୍ସ ପ୍ରଦାନ କରି ଓଡ଼ିଶାର କୋଣ ଅନୁକୋଣରେ ୪ ହଜାରରୁ ଅଧିକ ଦୋକାନ ଖୋଲିଛନ୍ତି। ମଦରୁ ବହୁତ ରାଜସ୍ୱ ମିଳୁଥିବା କଥା ସମ୍ପୂର୍ଣ୍ଣ ମିଛ। ରାଜ୍ୟ ସରକାରଙ୍କ ମୋଟ୍ ବଜେଟର ମାତ୍ର ୨.୫ ରୁ ୩ ପ୍ରତିଶତ ଅବକାରୀ ବିଭାଗରୁ ମିଳିଥାଏ। ଗୁଜୁରାଟ, ବିହାର ଭଳି ଓଡ଼ିଶା ସରକାରଙ୍କୁ ଏହି ଅର୍ଥ ନମିଳିଲେ ମଧ୍ୟ ରାଜ୍ୟ ସହଜରେ ଚଳିପାରିବ। କିନ୍ତୁ ମଦ ମିଳୁଥିବା କାରଣରୁ ରାଜ୍ୟରେ ଗାଡ଼ି ଦୁର୍ଘଟଣା,ଘରୋଇ ହିଂସା, ନାରୀ ନିର୍ଯ୍ୟାତନା, ହତ୍ୟା, ବଳତ୍କାର, ଗୋଷ୍ଠୀ ସଂଘର୍ଷ ପରି ଘଟଣା ଦିନକୁ ଦିନ ବଢି ଚାଲିଛି । ଯାହାଫଳରେ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୨ଲକ୍ଷ କୋଟି ଟଙ୍କାର ରଜସ୍ୱ ହରାଉଛନ୍ତି। ତେଣୁ ରାଜସ୍ୱ ପାଇଁ ନୁହଁ ବରଂ ରାଜ୍ୟରେ କୃଷି, ରୋଜଗାର, ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ବିଭିନ୍ନ ମୌଳିକ ସମସ୍ୟା ଉପରୁ ଜନସାଧାରଣଙ୍କ ନଜର ହଟାଇବା ଏବଂ ଯୁବଗୋଷ୍ଠୀଙ୍କୁ ନିଶା ଦ୍ୱାରା ମାନସିକ ପଙ୍ଗୁ କରିବା ସହ ସରକାରଙ୍କୁ ଏ ସଂକ୍ରାନ୍ତରେ ପ୍ରଶ୍ନ ପଚାରିବାର କ୍ଷମତା ହରାଇବା ଭଳି ଷଡ଼ଯନ୍ତ୍ର କରି ରାଜ୍ୟ ସରକାର  ମଦ ବିକ୍ରି କରୁଥିବା କଥା ଯୁବାବାହିନୀର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁନାଥ ସାହୁ ପ୍ରକାଶ କରିଛନ୍ତି । ରାଜ୍ୟ ର ସ୍ୱାର୍ଥ ଦୃଷ୍ଟିରୁ ମଦ ବିକ୍ରି କରିବା ଏକ ଜନମଙ୍ଗଳକାରୀ ସରକାରଙ୍କ ଲକ୍ଷଣ ନୁହେଁ, କିନ୍ତୁ ଓଡ଼ିଶା ର ଜନସାଧାରଣଙ୍କ ଅନିଚ୍ଛା ସତ୍ତ୍ୱେ ଏ ଅହଙ୍କାରୀ ସରକାର ଅଧିକରୁ ଅଧିକ ମଦ ଦୋକାନକୁ ସ୍ୱକୃତି ପ୍ରଦାନ କରୁଛନ୍ତି। ତେଣୁ ଏହି ବ୍ୟବସ୍ଥାଗତ ବିଶ୍ୱାସଘାତକତା ବିରୁଦ୍ଧରେ ଆଜିର ଯୁବଗୋଷ୍ଠୀ ସ୍ୱର ଉତ୍ତୋଳନ କରିବାକୁ ମଦମୁକ୍ତି ଯୁବବାହିନୀ ପକ୍ଷରୁ ସମାସ ଷଡ଼ଙ୍ଗୀ  ଉପସ୍ଥିତ ଜନସାଧାରଣଙ୍କୁ ଅହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଯୁବବାହିନୀର ଅନ୍ୟତମ ସଦସ୍ୟ ହରିଶ୍ ପାଣିଗ୍ରାହୀଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହିମାଂଶୁ ଶେଖର ନାୟକ, ବରିଷ୍ଠ ସମାଜସେବୀ ଅମରେଶ ନରେଶ ସାମନ୍ତ, ସଞ୍ଜୟ ମହାନ୍ତି, ମୃତ୍ୟୁଞ୍ଜୟ ପାଢୀ, ଅଭିନାଶ ଧଳଙ୍କ  ସମେତ ଅନ୍ୟ ସଦସ୍ୟ ମାନେ ସାମିଲ ହୋଇଥିଲେ।