ଭାରତୀୟ ଅର୍ଥ ବ୍ୟବସ୍ଥାର ସାରଥୀ
ଗୋପାଳ ମହାପାତ୍ର : ଭାରତ ଡିଜିଟାଲ ନେଣ ଦେଣ କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛି । ଡିଜିଟାଲ ନେଣ ଦେଣ ଦେଶର ଅର୍ଥ ବ୍ୟବସ୍ଥାକୁ ନୂଆ ରୂପ ଦେଇଛି ଏବଂ ବିଶ୍ୱସ୍ତରରେ ଉଦାହରଣ ସୃଷ୍ଟି କରିଛି । ୟୁନଫାଏଡ଼ ପେମେଣ୍ଟ ଇଣ୍ଟରଫେସ (ୟୁପି ଆଇ) ଏହାର ଆଧାର ଯାହା ଦେଶରେ ନଗଦ ମୁଦ୍ରା କାରବାରକୁ ଡିଜିଟାଲ ଯୁଗରେ ପରିବର୍ତ୍ତନ କରିପାରିଛି । ସଡ଼କ କଡ଼ର ଚା ଦୋକାନ ହେଉ ବା ହଜାର ହଜାର ଟଙ୍କାର ଜିନିଷ କିଣାବିକା ସବୁଠି ୟୁପିଆଇର ପ୍ରଚଳନ ଚାଲିଛି ଓ ୟୁପିଆଇ ଏହି ନେଣ ଦେଣକୁ ସହଜ ଏବଂ ତ୍ୱରିତ କରି ଦେଇଛି । ୟୁପିଆଇ ଏବେ ଭାରତୀୟଙ୍କ ପାଇଁ ନେଣ ଦେଣର ଜରୁରୀ ସାଧନ ପାଲଟି ଯାଇଛି । ୨୦୧୬ରେ ୟୁପିଆଇ ନେଣ ଦେଣର ବ୍ୟବସ୍ଥା ଆରମ୍ଭ ହୋଇଥିଲା । ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ ଅଫ ଇଣ୍ଡିଆ (ଏନ୍ପିସିଆଇ) ପକ୍ଷରୁ ଏହି ବ୍ୟବସ୍ଥାର ପ୍ରଚଳନ କରାଯାଇଥିଲା । ୟୁପିଆଇ ଏକ ଆପ୍ ନୁହେଁ ବରଂ କୋଟି କୋଟି ଲୋକଙ୍କୁ ପାରମ୍ପରିକ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଠାରୁ ଡିଜିଟାଲ ଯୁଗକୁ ନେଇଯାଇଛି । ୟୁପିଆଇ ୩ଟି ବ୍ୟବସ୍ଥା ଯୋଗୁଁ କାର୍ଯ୍ୟ କରୁଛି । ପ୍ରଥମଟି ହେଉଛି ଲୋକଙ୍କ ବ୍ୟାଙ୍କ ଖାତା, ଦ୍ୱିତୀୟ ହେଉଛି ଆଧାର ଯାହା ପ୍ରତ୍ୟେକ ନାଗରିକଙ୍କ ବାୟୋମେଟ୍ରିକ ପରିଚୟ ଏବଂ ତୃତୀୟ ହେଉଛି ମୋବାଇଲ ଡାଟା (ଇଣ୍ଟରନେଟ) । ଏହି ୩ଟି ବ୍ୟବସ୍ଥା ଡିଜିଟାଲ ସାର୍ବଜନିକ ଅବସଂରଚନାକୁ ନିର୍ମାଣ କରେ ଯାହା ୟୁପିଆଇକୁ ଏକ କ୍ରାନ୍ତିକାରୀ ମଞ୍ଚରେ ପରିଣତ କରିପାରିଛି ।
ୟୁପିଆଇର ସବୁ ଠାରୁ ବଡ଼ ଗୁଣ ହେଉଛି ଏହାର ସଂଯୋଜନଶୀଳତା । ଏହି ପ୍ରଣାଳୀ ଉପଯୋଗ କର୍ତ୍ତାଙ୍କୁ କୌଣସି ବି ୟୁପିଆଇ ଆପ୍ ମାଧ୍ୟମରେ ତୁରନ୍ତ ଦେଣ ବା ପୈଠ କରିବାର ସୁବିଧା ଦେଇଥାଏ । ଏହା ପୁଣି ଅନ୍ୟ ପକ୍ଷ କେଉଁ ଆପ୍ର ଉପଯୋଗ କର୍ତ୍ତା ସେ ବାବଦରେ ଚିନ୍ତା କରିନଥାଏ । ଏହି ସରଳତା କାରଣରୁ ୟୁପିଆଇ ଅନ୍ୟସବୁ ଆପ୍ ଠାରୁ ଭିନ୍ନ ଅଟେ । ଅନ୍ତର୍ଜାତୀୟ ମୁଦ୍ରା କୋଷ (ଆଇଏମ୍ଏଫ) ୨୦୨୫ ଜୁନ ମାସରେ କହିଥିଲା ଯେ ଭାରତରେ ଡିଜିଟାଲ ନେଣ ଦେଣ କ୍ଷେତ୍ରରେ ୟୁପିଆଇ ଏକ କ୍ରାନ୍ତି ଆଣି ଦେଇଛି ଏବଂ ଡିଜିଟାଲ ନେଣ ଦେଣର ଏକ ସ୍ୱତନ୍ତ୍ର କାୟାକଳ୍ପ ସୃଷ୍ଟି କରି ପାରିଛି । ଅନ୍ତର୍ଜାତୀୟ ମୁଦ୍ରା କୋଷ ୟୁପିଆଇକୁ ବିଶ୍ୱର ସର୍ବାଧିକ ତ୍ୱରିତ ନେଣ ଦେଣ ପ୍ରଣାଳୀ ବୋଲି କହିଛି । ଭାରତରେ ପ୍ରତି ମାସରେ ୧୯ ଅରବ (୧୯୦ ଲକ୍ଷ କୋଟି)ରୁ ଅଧିକ ନେଣ ଦେଣ ୟୁପିଆଇ ମାଧ୍ୟମରେ ହୋଇଥାଏ । ୟୁପିଆଇ ଭାରତୀୟ ଅର୍ଥବ୍ୟବସ୍ଥାକୁ ଅଧିକ ଗତିଶୀଳ କରିଛି । ୨୦୧୬ରେ ବିଶ୍ୱର ଶୀର୍ଷ ୧୦ ଅର୍ଥବ୍ୟବସ୍ଥାରେ ସାମିଲ ଭାରତ ଏବେ ୪ର୍ଥ ବୃହତ୍ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି । ଏ ଦିଗରେ ୟୁପିଆଇର ଭୂମିକା ମଧ୍ୟ ଗୁରୁତ୍ୱପୁର୍ଣ୍ଣ । ଟେକନିକାଲ ଭ୍ରଷ୍ଟାଚାର ଉପରେ ଅଙ୍କୁଶ ଲଗାଇବା ସହ ନଗଦ ନୋଟ ଛପା ପାଇଁ ହେଉଥିବା ଖର୍ଚ୍ଚ ମଧ୍ୟ ୟୁପିଆଇ ଯୋଗୁଁ କମିଛି । ଏପରିକି ଧନର ତରଳତା ବଢ଼ାଇବା ଦିଗରେ ଏହା ସହାୟକ ହୋଇଛି ।
୨୦୨୫ ଅଗଷ୍ଟ ସୁଦ୍ଧା ୟୁପିଆଇ ମାଧ୍ୟମରେ ୨୪.୮୫ ଲକ୍ଷ କୋଟିରୁ ଅଧିକ ମୁଲ୍ୟର ନେଣ ଦେଣ ହୋଇଛି । ଭାରତରେ ଡିଜିଟାଲ ନେଣ ଦେଣର ୮୫ ପ୍ରତିଶତ ଅଂଶ ୟୁପିଆଇ ମାଧ୍ୟମରେ ହୋଇଥାଏ । ୟୁପିଆଇ କ୍ରେଡିଟକାର୍ଡ ଓ ଡେ଼ବିଟକାର୍ଡ କୁ ମଧ୍ୟ ପଛରେ ପକାଇ ଦେଇଛି । ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଛୋଟ ଛୋଟ ଦୋକାନୀ, ଗ୍ରାମାଞ୍ଚଳର ଛୋଟ ଛୋଟ ଶିଳ୍ପ ଏପରିକି ସାଧାରଣ ନାଗରିକ ମାନଙ୍କର ୟୁପିଆଇ ଏକ ସାଧନ ପାଲଟି ଯାଇଛି । ଚା’ ଦୋକାନୀ, ମଜଦୁର, କୃଷକ ସମସ୍ତେ ୟୁପିଆଇ ମାଧ୍ୟମରେ ନେଣ ଦେଣ କରିପାରୁଛନ୍ତି । ଏକ ତଥ୍ୟ ଅନୁସାରେ ୮୯ ପ୍ରତିଶତରୁ ଅଧିକ ଭାରତୀୟଙ୍କ ବ୍ୟାଙ୍କ ଖାତାକୁ ଡିଜିଟାଲ ଅର୍ଥବ୍ୟବସ୍ଥା ସହ ଯୋଡିବାର କାମ କରୁଛି ୟୁପିଆଇ । ଏହି ୟୁପିଆଇ ବ୍ୟବସ୍ଥାକୁ ସିଙ୍ଗାପୁର, ୟୁନାଇଟେଡ୍ ଆରବ ଏମିରେଟସ, ମରିଶସ, ନେପାଳ, ଶ୍ରୀଲଙ୍କା ଏବଂ ଭୁଟାନ ଭଳି ଦେଶ ମଧ୍ୟ ଆପଣେଇ ନେଇଛନ୍ତି । ୟୁପିଆଇ ଏକ ନେଣ ଦେଣ ପ୍ରଣାଳୀ ନୁହେଁ ବରଂ ଏହା ଭାରତର ନବାଚାର ଏବଂ ସମାବେଶୀ ବିକାଶର ପ୍ରତୀକ ପାଲଟି ଯାଇଛି । ଏହା ଡିଜିଟାଲ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଭଳି ଅଭିଯାନର ଜୀବନ୍ତ ଉଦାହରଣ । ଏଥିରେ ମଧ୍ୟ କେତେକ ଅସୁବିଧା ରହିଛି । ଡିଜିଟାଲ ସାକ୍ଷରତା, ସାଇବର ସୁରକ୍ଷା ଏବଂ ଗ୍ରାମାଞ୍ଚଳରେ ଇଣ୍ଟରନେଟ ବ୍ୟବସ୍ଥାର ଅଭାବକୁ ସୁଧାରାଯାଇ ପାରିଲେ ଏହାର ଉପଯୋଗିତା ଆହୁରି ବୃଦ୍ଧି ପାଇବ । ୟୁପିଆଇ ଭାରତର ଡ଼ିଜିଟାଲ କ୍ରାନ୍ତିର ଏମିତି ଏକ ବ୍ୟବସ୍ଥା ଯାହା ବିଶ୍ୱକୁ ନୂଆ ଦିଗ୍ଦର୍ଶନ ଦେବାରେ ସକ୍ଷମ ହୋଇପାରିଛି ।
ରାମଚନ୍ଦ୍ରପୁର, ରଣପୁର,
ମୋ :- ୯୪୩୮୪୮୫୦୯୪