ଜଙ୍ଗଲ ସମ୍ବନ୍ଧୀୟ ସମସ୍ୟା ସମାଧାନ ପାଇଁ ସମନ୍ୱୟ ବୈଠକ

ଜଙ୍ଗଲ ସମ୍ବନ୍ଧୀୟ ସମସ୍ୟା ସମାଧାନ ପାଇଁ ସମନ୍ୱୟ ବୈଠକ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜଙ୍ଗଲ ସମ୍ବନ୍ଧୀୟ ସମସ୍ୟାର ସମାଧାନ ଓ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଫରେଷ୍ଟ ଡାଇଭର୍ସନ ପ୍ରସ୍ତାବଗୁଡ଼ିକର ତ୍ୱରିତ ପ୍ରକ୍ରିୟାକରଣ ସୁନିଶ୍ଚିତ କରିବା ପାଇଁ ତୃତୀୟ ସମନ୍ୱୟ ବୈଠକ ଗୃହ ବିଭାଗର ସମ୍ମିଳନୀ କକ୍ଷରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । 

    ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପୂର୍ବବର୍ତ୍ତୀ ଅକ୍ଟୋବର ମାସରେ ହୋଇଥିବା ବୈଠକରେ ଆଲୋଚିତ ପ୍ରକଳ୍ପଗୁଡିକର ନିର୍ଦ୍ଧାରିତ ସମୟ ସୀମା ଅନୁଯାୟୀ ଅଗ୍ରଗତିର ସମୀକ୍ଷା ପୂର୍ବକ ଆଜିର ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପିଏମଜି /ପ୍ରଗତି ପୋର୍ଟାଲରେ ଥିବା ମୁଖ୍ୟ ପ୍ରକଳ୍ପଗୁଡିକ ଉପରେ ସମୀକ୍ଷା କରିଛନ୍ତି । ଏଗୁଡିକ ମଧ୍ୟରେ କ୍ୟାପିଟାଲ ରିଜିଅନ୍‌ ରିଙ୍ଗ ରୋଡ୍‌ ପ୍ରକଳ୍ପ, ଦକ୍ଷିଣ ପୂର୍ବ ରେଳବାଇର ବାଙ୍ଗିରିପୋଷି ଠାରୁ ଗୋରୁ-ମହିଷାଣୀ ନୂତନ ରେଳ ଲାଇନ, ରିଲାୟନ୍ସ ଜିଓ ଇନ୍‌ ଫୋକମ୍‌ ଲିମିଟେଡ୍‌ ଏବଂ ବିଏସଏନଏଲର ୪ ଜି ଭିତ୍ତିକ ମୋବାଇଲ ସେବା ପ୍ରକଳ୍ପ, ଜିଓଲଜିକାଲ ସର୍ଭେ ଅଫ୍‌ ଇଣ୍ଡିଆର ଖନନ ଅନୁସନ୍ଧାନ ପ୍ରସ୍ତାବ, ସେଲ୍‌, ଏନଟିପିସିର ଡୁଲାଙ୍ଗ ମାଇନ ପ୍ରକଳ୍ପ, ଓପିଟିସିଏଲର ଟ୍ରାନ୍ସମିସନ ଲାଇନ୍‌ ପ୍ରକଳ୍ପ, କଳ୍ୟାଣୀ ଷ୍ଟିଲର ଇଣ୍ଟିଗ୍ରେଟେଡ୍‌ ଷ୍ଟିଲ ପ୍ଲାଣ୍ଟ ପ୍ରସ୍ତାବ ଆଦି ଅନ୍ତର୍ଭୁକ୍ତ ।

     ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ କେବୁଲ ବିଛା ଓ ଟାୱର ସ୍ଥାପନା ସମ୍ବନ୍ଧିତ କାର୍ଯ୍ୟର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଥିଲେ । ବିଶେଷ କରି କ୍ୟାପିଟାଲ ରିଜିଅନ୍‌ ରିଙ୍ଗ ରୋଡ୍‌ ପ୍ରକଳ୍ପ ଅଧୀନରେ ଆସୁଥିବା ଢେଙ୍କାନାଳ, ଆଠଗଡ, କଟକ ଏବଂ ଖୋର୍ଦ୍ଧା ବନଖଣ୍ଡରେ ଭୂମି ଅଧିଗ୍ରହଣ ସମସ୍ୟାଗୁଡିକୁ ଆସନ୍ତା ୨୦ ତାରିଖ ଭିତରେ ସମାଧାନ କରିବାକୁ ସମ୍ପୃକ୍ତ ଡିଭିଜନ ବନଖଣ୍ଡ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।