ଗାଧଉଥିବା ସମୟରେ ବୁଡ଼ି ଗଲେ ୩ ପିଲା : ଦୁଇ ଉଦ୍ଧାର ନାବାଳିକା ନିଖୋଜ  

ଗାଧଉଥିବା ସମୟରେ ବୁଡ଼ି ଗଲେ ୩ ପିଲା : ଦୁଇ ଉଦ୍ଧାର ନାବାଳିକା ନିଖୋଜ  

ଯାଜପୁର : ଯାଜପୁର ଗାରଡେଶ୍ୱର ନିକଟ ଥିବା ବୈତରଣୀ ନଦୀରେ ଅଘଟଣ । ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଗଲେ ତିନି ପିଲା । ସେମାନଙ୍କ ମଧ୍ୟରେ ଦୁଇ ନାବାଳିକା ଥିବାବେଳେ ଜଣେ ନାବାଳକ ଅଛନ୍ତି । ଦୁଇ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି । ନିଖୋଜ ଥିବା ନାବାଳିକା ପ୍ରୀତିପ୍ରଜ୍ଞା ମିଶ୍ର ।  

    ସୂଚନା ଅନୁସାରେ, ପ୍ରୀତିପ୍ରଜ୍ଞା ନିଜ ଭାଇ ସହିତ କାର୍ତ୍ତିକ ପୂର୍ଣ୍ଣମୀ ପଇଁ ମାମୁ ଘରକୁ ବୁଲିବାକୁ ଆସିଥିଲେ । ସେ ତାଙ୍କ ମାମୁ ଝିଅ ଓ ଭାଇ ସହିତ ନଦୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ଗାଧୋଇବା ସମୟରେ ଅସାବଧାନତା କାରଣରୁ ୩ ଜଣ ଯାକ ବୁଡ଼ି ଯାଇଥିଲେ । ସେ ସମୟରେ ନଦୀରେ ମାଛ ଧରୁଥିବା ସତ୍ୟପ୍ରକାଶ ସେଠୀ ନାମକ ନାବାଳକ ଏହା ଦେଖି ନିଜ ଜୀବନକୁ ଖାତିର ନ କରି ସେମାନଙ୍କୁ ବଞ୍ଚାଇବା ପାଇଁ ପାଣିକୁ ଡେ଼ଇଁ ପଡ଼ିଥିଲେ । ବହୁ କଷ୍ଟରେ ସେ ୨ ଜଣଙ୍କୁ ଉଦ୍ଧାର କରିଥିବାବେଳେ ପ୍ରୀତିଙ୍କ ପତ୍ତା ପାଇ ନ ଥିଲା । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ପ୍ରୀତିଙ୍କ ସନ୍ଧାନ ମିଳି ନ ଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଦୁଇ ଜଣଙ୍କ ଜୀବନ ବଞ୍ଚାଇଥିବାରୁ ନାବାଳକ ସତ୍ୟ ପ୍ରକାଶଙ୍କୁ ସାଧାରଣରେ ପ୍ରଶଂସା କରାଯାଉଛି। । ଅଗ୍ନିଶମ ବାହିନୀ ପକ୍ଷରୁ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।