ଜନଜାତିଙ୍କ ଉନ୍ନତି ପାଇଁ କୃଷି-ସହଯୋଗୀ କାର୍ଯ୍ୟକଳାପ ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱ
ଭୁବନେଶ୍ୱର : ରାଜ୍ୟରେ ଜନଜାତିଙ୍କ ଜୀବିକାରେ ଉନ୍ନତି ପାଇଁ କୃଷି ସହଯୋଗୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଯୋଗାଇବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବାର୍ଷିକ ହିସାବ ରିପୋର୍ଟ ଦାଖଲ କରିବା ଏବଂ ଉତ୍ତରଦାୟିତ୍ୱ ଉପରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଗୁରୁତ୍ୱାରୋପ କରିଛନ୍ତି । ବୁଧବାର ଦିନ ରାଜଭବନର ମିନି କନଫରେନ୍ସ ହଲ ଠାରେ ରାଜ୍ୟର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ସମ୍ପର୍କିତ ୨୦୨୩ ଆର୍ଥିକ ବର୍ଷ ପାଇଁ କମ୍ପଟ୍ରଲର ଏବଂ ଅଡିଟର ଜେନେରାଲ (ସିଏଜି) ରିପୋର୍ଟର ପର୍ଯ୍ୟବେକ୍ଷଣ ଏବଂ ସୁପାରିଶ ଉପରେ ଆଲୋଚନା କରିବା ଅବସରରେ ରାଜ୍ୟପାଳ ଏହି ଗୁରୁତ୍ୱାରୋପ କରିଛନ୍ତି ।
ଏହି ବୈଠକରେ ପ୍ରିନସିପାଲ୍ ଆକାଉଣ୍ଟାଣ୍ଟ ଜେନେରାଲ (ଅଡିଟ୍-୧) ସୁବୁ ଆର, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର, ଏସଟି ଏବଂ ଏସସି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ବି. ପରମେଶ୍ୱରନ ଏବଂ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ରୂପା ରୋଶନ ସାହୁଙ୍କ ସମେତ ରାଜଭବନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ରାଜ୍ୟପାଳ ୨୦୨୩ ଆର୍ଥିକ ବର୍ଷର ସିଏଜି ରିପୋର୍ଟ ଓ ପରାମର୍ଶ ଉପରେ କ’ଣ ସଂଶୋଧନମୂଳକ ପଦକ୍ଷେପ ନିଆଯାଉଛି ତାହା ଜାଣିବାକୁ ଚାହିଁଥିଲେ ଏବଂ ବିଶ୍ଳେଷଣ ପରେ ନୂତନ ରିପୋର୍ଟ ପ୍ରସ୍ତୁତି ବିଷୟରେ ପଚାରିଥିଲେ । ଆଇଟିଡିଏ ଦ୍ୱାରା ସମୟାନୁସାରେ ବାର୍ଷିକ ହିସାବ ରିପୋର୍ଟ ପ୍ରସ୍ତୁତି ଏବଂ ଦାଖଲର ଗୁରୁତ୍ୱ ଉପରେ ରାଜ୍ୟପାଳ ଅବତାରଣା କରିଥିଲେ । କିଛି ପବ୍ଲିକ ସେକ୍ଟର ଅଣ୍ଡରଟେକିଂ ଏକ ଦଶନ୍ଧିରୁ ଅଧିକ ସମୟ ଧରି ସେମାନଙ୍କର ହିସାବ ରିପୋର୍ଟ ଦାଖଲ କରିନଥିବା ନେଇ ରାଜ୍ୟପାଳ ଚିନ୍ତା ପ୍ରକଟ କରି ଅଧିକାରୀମାନଙ୍କୁ ଏ ଦିଗରେ ଅଧିକ ଦାୟିତ୍ୱବାନ ହେବା ସହ ହିସାବ ଦାଖଲ ସମୟସୀମା ପାଳନ ସୁନିଶ୍ଚତ କରିବାକୁ କହିଥିଲେ । ରାଜ୍ୟପାଳ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଉଦ୍ୟୋଗୀ ଏବଂ ଚାହିଦା-ଭିତ୍ତିକ ଜୀବିକା ପଦକ୍ଷେପର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରିଥିଲେ । କୃଷି କ୍ଷେତ୍ରରେ ନିୟୋଜିତ ଲୋକମାନେ ସେମାନଙ୍କର ଆୟ ବୃଦ୍ଧି କରିବା ପାଇଁ ଦୁଗ୍ଧ, କୁକୁଡ଼ା, ମତ୍ସ୍ୟଚାଷ ଏବଂ ଅନ୍ୟାନ୍ୟ ଗ୍ରାମୀଣ ଉଦ୍ୟୋଗ ଭଳି ଆନୁଷଙ୍ଗିକ କାର୍ଯ୍ୟକଳାପ ମଧ୍ୟ ଗ୍ରହଣ କରିବା ଉଚିତ ବୋଲି କହିଥିଲେ ।