ଅଙ୍ଗନବାଡ଼ି କେନ୍ଦ୍ରରେ ଗଛୁଆ ନାଗ
ଭଣ୍ଡାରିପୋଖରୀ : ନିମ୍ନମାନର ନିର୍ମାଣ କାର୍ଯ୍ୟ ଓ ମରାମତି ଅଭାବରୁ ଅନେକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକ ବିଭିନ୍ନ ସମୟରେ ବିପଦ ସଙ୍କୁଳ ଅବସ୍ଥାରେ ରହୁଥିବା ଦେଖା ଯାଉଛି । ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ରାଢୋ ସ୍କୁଲ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରଟିର ଚାରି ବର୍ଷ ପୂର୍ବରୁ ଟାଇଲ କାର୍ଯ୍ୟ ହୋଇଥିଲା । କେନ୍ଦ୍ରର ରୋଷେଇ ଘର କାନ୍ଥରେ ଏଭଳି ଟାଇଲ ଲାଗିଛି ଯେ ତା ଭିତରେ ଅନେକ ସରିସୃପ ବସା ବାନ୍ଧି ରହିଛନ୍ତି । ଆଜି ଅଙ୍ଗନବାଡ଼ି ସହାୟିକା ଘର ଖୋଲିଲା ପରେ ଟାଇଲ ଭିତରେ ଗୋଟିଏ ସାପ ରହିଥିବା ଦେଖିବାକୁ ପାଇଥିଲେ । ଏନେଇ ସାପ ଧରାଳିଙ୍କୁ ଖବର ଦିଆଯାଇଥିଲା । ବାରିକପୁର ଠାରୁ ଜୈନିକ ସାପ ଧରାଳି ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ଏହା ସତ୍ତେ୍ୱ କାନ୍ଥ ଭିତରେ ଆହୁରି ସାପ ଥିବା ଦେଖା ଯାଇଥିଲା । କିଛି ଟାଇଲକୁ ଭାଙ୍ଗି ଆହୁ ଦୁଇଟି ସାପକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସାପ ଗୁଡିକ ଗଛୁଆ ନାଗ ବୋଲି ଜଣାପଡିଛି । ଅତି ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଯୋଗୁଁ କାନ୍ଥ ଭିତରେ ସାପ ରହି କାତି ଛାଡୁଥିବା ଦେଖାଯାଇଛି । ତେଣୁ ଛୋଟଛୋଟ ପିଲା ମାନଙ୍କୁ ଏବେ ବିପଦ ରହିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ରଟିକୁ ପୁନଃ ମରାମତି ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।