ପରିବେଶ ପ୍ରଦୂଷଣ ଓ ଆମ ଜୀବନ
ନାରାୟଣ ଚନ୍ଦ୍ର ବିଶ୍ୱାଳ : ଦୀପାବଳି ଅବସରରେ ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳରେ କିଛିଦିନ ତଳେ ସଂପ୍ରତି ପ୍ରଦୂଷଣର ମାତ୍ରା ସାଙ୍ଘାତିକ ଚିନ୍ତାଜନକ ସ୍ଥିତିରେ ପହଞ୍ôଚବା ପରେ ଏହାର ପ୍ରତିକାର ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଯାଇଥିଲା । ଏବେ ଶୀତକାଳୀନ କୁହୁଡ଼ି ସହ ପ୍ରଦୂଷଣ ଏକ ପ୍ରକାର ସାଙ୍ଘାତିକ ପରିବେଶ ସୃଷ୍ଟି କରିଛି । ଦିଲ୍ଲୀ, ପଞ୍ଜାବ, ହରିଆନା ତିନୋଟି ରାଜ୍ୟ ଏହି ପ୍ରଦୂଷଣର ସାଙ୍ଘାତିକ ଭାବେ ଶିକାର ହେଉଛନ୍ତି । ବାଣ ପ୍ରସ୍ତୁତିରେ କେତେ ବିଷାକ୍ତ ଓ ଭୟାନକ ଜୈବ ପଦାର୍ଥ ତଥା କ୍ଷତିକାରକ ପ୍ରସ୍ତୁତି ପଦାର୍ଥ ରହିଛି ତାହା ଯେ କେହି ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହେବ । ବାଣ ତିଆରିରେ କପର, କ୍ୟାଡମିୟମ, ଜିଙ୍କ, ଲିଡ, ମାଗ୍ନେସିୟମ, ସୋଡିୟମ ଆଦି ରାସାୟନିକ ବ୍ୟବହାର ହେଉଛି । ବାଣ ପୋଡାରୁ ବାହାରୁଛି ବିଷାକ୍ତ ଅଙ୍ଗାରକାମ୍ଳ ଯାହାକି କାର୍ବନ ଡାଇଅକ୍ସାଇଡ଼, ସଲଫର ଡାଇଅକ୍ସାଇଡ଼, ନାଇଟ୍ରୋଜେନ ଡାଇଅକ୍ସାଇଡ଼, କାର୍ବନ ମନୋକ୍ସାଇଡ଼, ହାଇଡ୍ରୋ କାର୍ବନ, ଚାରକୋଲ ବାଷ୍ପ । ଆକାଶରୁ ରଙ୍ଗୀନ କରିବା ପାଇଁ ବାଣରେ ବ୍ୟବହୃତ ରାସାୟନିକ ପଦାର୍ଥରୁ ନିର୍ଗତ ଗ୍ୟାସ କ୍ୟାନସର ଭଳି ଭୟଙ୍କର ରୋଗକୁ ବଢ଼ାଇଥାଏ । ଏସବୁ ବାଷ୍ପ ଧୂଳିକଣା ସହ ମିଶି ବାୟୁମଣ୍ଡଳରେ ଏକ ଅସୁସ୍ଥକର ବାତାବରଣ ସୃଷ୍ଟି କରିଥାଏ । ଅଙ୍ଗାରକାମ୍ଳ ପରିମାଣ ବାୟୁମଣ୍ଡଳରେ ବଢ଼ିଲେ ମୁଣ୍ଡବ୍ୟଥା ସହ ଧଇଁସଇଁ, ମାନ୍ଦା ଲାଗିପାରେ । ବେଳେ ବେଳେ ଶରୀରରେ ଆକସ୍ମିକ ପୀଡ଼ା ଅନୁଭବ ହୁଏ । ଅଚାନକ ରକ୍ତଚାପ ବଢ଼ିଯାଏ । ରକ୍ତଚାପର ଏହି ଆକସ୍ମିକ ବଢ଼ିଯିବା ମାତ୍ରା ଜଣକୁ ଅସ୍ୱାଭାବିକ ଓ ଏକ ପ୍ରକାର ବିଚଳିତ କରିପକାଏ । କେତେକ କ୍ଷେତ୍ରରେ କୋମା, ଆସଫିକ୍ସିଆ, କନଭୁଲସନ ହାତ, ଗୋଡ଼, ଆଙ୍ଗୁଠି ଯେମିତି ନିର୍ଦ୍ଦିଷ୍ଟ ଅବସ୍ଥାରେ ଅଟକିଯାଏ ଆକ୍ରାନ୍ତ କରିପାରେ । କାର୍ବନ ମନୋକ୍ସାଇଡ ଗ୍ୟାସ ଉଭୟ ମଣିଷ, ପଶୁପକ୍ଷୀଙ୍କୁ ପ୍ରଭାବିତ କରେ । ଏହା ରକ୍ତରେ ଅମ୍ଳଜାନ ପ୍ରବାହର କ୍ଷମତାକୁ କମାଇଦିଏ । ଶରୀରର ବିଭିନ୍ନ କୋଷ, ହୃଦୟ, ମସ୍ତିଷ୍କ ସମେତ ବିଭିନ୍ନ ଅଙ୍ଗକୁ ଅମ୍ଳଜାନ ପ୍ରବାହ କମିଯାଏ । ଏଥିରେ ହୃଦ ରୋଗୀଙ୍କ ସ୍ଥିତି ସଙ୍କଟାପନ୍ନ ହୋଇପାରେ । ସଲଫର ଡାଇଅକ୍ସାଇଡ ଗ୍ୟାସ ପୁରା ଶ୍ୱାସକ୍ରିୟାକୁ ପ୍ରଭାବିତ କରିଥାଏ । ବିଶେଷକରି ଫୁସଫୁସକୁ ଆକ୍ରାନ୍ତ ହୁଏ । ଅଚାନକ କାଶ ବଢ଼ିପାରେ । ଛାତିରେ ଯନ୍ତ୍ରଣା ହୁଏ । ଆଜମା ଓ ଶ୍ୱାସଜନିତ ବିଭିନ୍ନ ରୋଗରେ ଆକ୍ରାନ୍ତଙ୍କ ସ୍ଥିତି ସଙ୍କଟାପନ୍ନ ହୋଇପାରେ । ବ୍ଲାକ ପାଉଡର ମଧ୍ୟ ବେଶ କ୍ଷତିକାରକ । କୌଣସି ଗୋଟିଏ ସ୍ଥାନରେ ବାୟୁ ସୁସ୍ଥକର ନୁହେଁ । ସବୁଠି ବାୟୁ ପ୍ରଦୂଷଣ ସ୍ତର ମଧ୍ୟମ ଧରଣର ଥିବା କୁହାଯାଉଛି । ହାର୍ଟ ଓ ଲଙ୍ଗସ ରୋଗୀ, ପିଲା ଓ ବୟସ୍କଙ୍କ ପାଇଁ ଏଭଳି ପରିବେଶ ଭଲ ନୁହେଁ । ଛାତି ରୋଗ ସହ, ଆଜମା, ଫୁସଫୁସ କ୍ୟାନସର ରୋଗକୁ ଏହା ବଢ଼ାଏ ।
ପରିବେଶକୁ ବ୍ୟାପକ କ୍ଷତାକ୍ତ କରିଥାଏ ପ୍ରଦୂଷଣ କେବଳ ଯେ ପରିବେଶଜନିତ ପ୍ରସଙ୍ଗ ତାହା ନୁହେଁ । ଏହା ମନୁଷ୍ୟର ସ୍ୱାସ୍ଥ୍ୟ ଓ ସୁସ୍ଥ ଜୀବନଯାପନ ପ୍ରଣାଳୀ ଉପରେ ପ୍ରଭାବ ପକାଇଥାଏ । ଏହା ମଧ୍ୟରେ ଦେଶର ଅର୍ଥନୀତି ଏବଂ ସାମାଜିକ କ୍ଷେତ୍ର ମଧ୍ୟ ଅନ୍ତର୍ଭୁକ୍ତ । ପ୍ରଦୂଷଣ କାରଣରୁ ଭାରତ ଭଳି ନିମ୍ନ ମଧ୍ୟମ ଆୟକାରୀ ବର୍ଗର ରାଷ୍ଟ୍ରଗୁଡ଼ିକରେ ଉତ୍ପାଦନଗତ କ୍ଷତି ଦେଶର ଜିଡ଼ିପିର ୦.୩୨ ପ୍ରତିଶତରୁ ୦୪ ପ୍ରତିଶତ ପର୍ଯ୍ୟନ୍ତ ହୋଇଥାଏ । ମୋଟାମୋଟି ରିପୋର୍ଟରେ ପ୍ରାଣୀ ସମାଜ ଉପରେ ଅନିୟନ୍ତ୍ରିତ ପ୍ରଦୂଷଣର ଭୟାବହ ପରିଣତିକୁ ଦର୍ଶାଯାଇଛି । ତେଣୁ ଅର୍ଥନୀତିକ ଅଭିବୃଦ୍ଧି ନାଁରେ ମାନବ ସମାଜର ସ୍ୱାସ୍ଥ୍ୟ ଓ ମଙ୍ଗଳ ଉପରେ ଅତ୍ୟନ୍ତ ହାନିକାରକ ପ୍ରଭାବ ପକାଉଥିବା ପ୍ରଦୂଷଣକୁ ଅଣଦେଖା କରିବା ଉଚିତ ନୁହେଁ । ପ୍ରଦୂଷଣ ପ୍ରତିରୋଧ କରିବା କିପରି ବର୍ତ୍ତମାନ ସମୟରେ କେବଳ ଅତ୍ୟାବଶ୍ୟକ ନୁହେଁ, ଅପରିହାର୍ଯ୍ୟ ଏବଂ ଜାତୀୟ କାର୍ଯ୍ୟକ୍ରମରେ ଏହା କିପରି ପ୍ରାଥମିକତା ପାଇବା ଉଚିତ ତାର ସଙ୍କେତ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଏହି ରିପୋର୍ଟରୁ ମିଳେ । ପ୍ରଦୂଷଣକୁ ରୋକିବା ପାଇଁ କେବଳ ଆଇନକାନୁନ ତିଆରି କରିବା ବା କେତେକ ଉପର ଠାଉରିଆ ପଦକ୍ଷେପ ନେବା କି ଆଭିମୁଖ୍ୟ ଆପଣାଇବା ଯଥେଷ୍ଟ ନୁହେଁ । ବରଂ ପ୍ରଦୂଷଣର ମୁକାବିଲାକୁ ଦେଶର ଯୋଜନା ପ୍ରକ୍ରିୟାରେ ସାମିଲ କରିବା ଉଚିତ । ଏହା ସହିତ ପ୍ରତ୍ୟେକ ସ୍ତରରେ ସରକାରମାନେ ଏଥିପାଇଁ ହାସଲ କରିହେବା ଭଳି ଲକ୍ଷ୍ୟ ଧାର୍ଯ୍ୟ କରି ସେଥିପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ଓ ଉତ୍ତରଦାୟିତ୍ୱ ନେବାର ଆବଶ୍ୟକତା ରହିଛି । ପ୍ରଦୂଷଣ ପ୍ରତିରୋଧ ନିମନ୍ତେ ରହିଥିବା ଆଇନକାନୁନଗୁଡ଼ିକର ଘରୋଇ ଉଦ୍ୟୋଗ କ୍ଷେତ୍ର ତଥା ସହରାଞ୍ଚଳଗୁଡ଼ିକରେ କଡ଼ାକଡ଼ି କାର୍ଯ୍ୟାନ୍ୱୟନ ଏ ଦିଗରେ ବିଶେଷ ସହାୟକ ହୋଇପାରିବ ।
ବିଶ୍ୱ ପାଇଁ ସଂପ୍ରତି ଦୁଇଟି ପ୍ରମୁଖ ବିପଦ ଦେଖାଦେଇଛି । ତାହାହେଲା ସନ୍ତ୍ରାସବାଦ ଓ ବିଶ୍ୱତାପାୟନ ସହ ପରିବେଶ ପ୍ରଦୂଷଣ । ଆମକୁ ଯଦି ଆମର ଭବିଷ୍ୟତ ବଂଶଧରମାନଙ୍କ ପାଇଁ ଏକ ସୁରକ୍ଷିତ ଓ ଶୁଦ୍ଧ ବାତାବରଣବିଶିଷ୍ଟ ଭବିଷ୍ୟତ ସୃଷ୍ଟି କରିବାରେ ଅଛି ତାହେଲେ ଏହି ଉଭୟ ସମସ୍ୟାକୁ ପ୍ରାଥମିକତା ଦେଇ ଏହାକୁ ସମୂଳେ ବିଲୋପ କରିବାର ଆବଶ୍ୟକତା ରହିଛି । ସମାଜର ସବୁ ଲୋକ ଯଦି ଏକାଠି ହୋଇ କାର୍ଯ୍ୟ କରନ୍ତି ତାହାଲେ ପ୍ରଦୂଷଣର ମାତ୍ରା ହ୍ରାସ ହେବା ସହିତ ମାନବ ସମାଜର ମଙ୍ଗଳ ହୋଇପାରିବ ଏବଂ ଅର୍ଥନୀତିକ ଅଭିବୃଦ୍ଧି ହାସଲ ହେବା ଅସମ୍ଭବ ହେବନାହିଁ । ସମ୍ପ୍ରତି ପୃଥିବୀ ଏକ "ନୂଆ ବାସ୍ତବିକତା' ସହ ଯୁଝୁଛି । ଏହି ବାସ୍ତବିକତା ଅତ୍ୟନ୍ତ ଭୟଙ୍କର ରୂପ ନେଉଛି । ଜାଳବାୟୁ ପରିବର୍ତ୍ତନ ଯୋଗୁଁ ବିନାଶଲୀଳାର ଅୟମାରମ୍ଭ ହୋଇସାରିଛି । ଏହି ବିନାଶଲୀଳା ଏହାର ଆଦ୍ୟ ବିନ୍ଦୁରେ ଉପନୀତ ହୋଇଛି । ଅତଳ ସମୁଦ୍ର ଗର୍ଭରେ ବାସ କରୁଥିବା ସୂକ୍ଷ୍ମ ଜୀବଗୁଡ଼ିକର ମୃତ୍ୟୁ ହେଉଛି । କାଳକ୍ରମେ ସେଗୁଡ଼ିକ ନିଶ୍ଚିନ୍ନ ହୋଇଯିବା ଆଶଙ୍କା ଉପୁଜିଛି । ବିଶ୍ୱବ୍ୟାପୀ ୧୬୦ ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ ଏକ ଐତିହାସିକ ରିପୋର୍ଟରୁ ଏହି ଭୟାନକ ଚିତ୍ର ମିଳିଛି । ଆମାଜାନ ବର୍ଷାଜଙ୍ଗଲ ଠାରୁ ପୋଲାର ବରଫ ବାଦର ପର୍ଯ୍ୟନ୍ତ ସନ୍ତୁଳନ ବିଗିଡ଼ିବାରେ ଲାଗିଛି । ବିଶ୍ୱବ୍ୟାପୀ ଏହା ଭୟଙ୍କର ବିନାଶଲୀଳାର ସଙ୍କେତ ଦେଉଛି । ପ୍ରଦୂଷଣ କଥା ନେଇ ଆମ୍ଭେମାନେ ଯେ ଜାଣି ନାହୁଁ ତାହା ନୁହେଁ । ଦିଲ୍ଲୀର ଭୟାନକ ପ୍ରଦୂଷଣ ଅଳ୍ପ ବହୁତେ ଆମ୍ଭେମାନେ ସାମ୍ନା କରୁଛୁ ଏବଂ ଆଗକୁ ଜଳବାୟୁ ପରିବର୍ତ୍ତନର କାରଣ ମଧ୍ୟ ପରିବେଶକୁ ଆହୁରି ସଙ୍ଗୀନ କରିପାରେ । ଏ କ୍ଷେତ୍ରରେ ବ୍ୟାପକ ବୃକ୍ଷରୋପଣ ଓ ଗଛ କଟା ଉପରେ ଲଗାମ ରଖିବା ସହ ପରିବେଶକୁ ନେଇ ଆମ୍ଭମାନଙ୍କ ଭିତରେ ଗଭୀର ଓ ଆନ୍ତରିକ ସଚେତନତା ଜରୁରୀ ।
ମୋ : ୯୪୩୮୨୭୬୭୬୦