୨ ଜେଜେଏମପି କମାଣ୍ଡରଙ୍କ ଆତ୍ମସମର୍ପଣ
ସରକାରଙ୍କ ପୁନର୍ବାସ ନୀତି ‘ନଇ ଦିଶା' ଅନୁଯାୟୀ ବୁଧବାର ଦିନ ନିଷିଦ୍ଧ ମାଓବାଦୀ ସଂଗଠନ ଝାଡ଼ଖଣ୍ଡ ଜନ ମୁକ୍ତି ପରିଷଦ (ଜେଜେଏମପି)ର ଦୁଇ କମାଣ୍ଡର ଝାଡ଼ଖଣ୍ଡ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ ସବ-ଜୋନାଲ କମାଣ୍ଡର ବ୍ରଜେଶ ଯାଦବ ଓରଫ ରାକେଶ ଓ ଏରିଆ କମାଣ୍ଡର ଅବଧେଶ ଲୋହାରା ଓରଫ ରୋହିତ । ଗୁମଲାର ବିଶୁନପୁର ଥାନା ଅଞ୍ଚଳର କାଥୋକାଟୱା ଗ୍ରାମର ବାସିନ୍ଦା ବ୍ରଜେଶ ଯାଦବଙ୍କ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ଅନ୍ୟପକ୍ଷରେ ଅବଧେଶ ଲୋହାରା ଲାତେହାରର ହେରହାଙ୍ଗଜ ଥାନା ଅଞ୍ଚଳର ବନ୍ଦୁଆ ଗ୍ରାମର ବାସିନ୍ଦା । ମାଓବାଦୀ ବ୍ରଜେଶ ଯାଦବଙ୍କୁ ଆତ୍ମସମର୍ପଣ ପରେ ତୁରନ୍ତ ୫ ଲକ୍ଷ ଟଙ୍କାର ଚେକ୍ ମଧ୍ୟ ଦିଆଯାଇଥିଲା । ଆତ୍ମସମର୍ପଣ ସମୟରେ ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ । ଲାତେହାର ପୁଲିସ ଅଧୀକ୍ଷକ କୁମାର ଗୌରବଙ୍କ ଅନୁଯାୟୀ, ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁଯାୟୀ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ଝାଡ଼ଖଣ୍ଡରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ମୋଟ ୨୧ ଜଣ ମାଓବାଦୀ ଆତ୍ମସମର୍ପଣ କରିସାରିଲେଣି ।