ସୁରଭି ଉଦ୍ଘାଟିତ ; ଶିଶୁଙ୍କ ସ୍ୱପ୍ନ ସାକାର କରିବୁ : ମୋହନ
ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆରମ୍ଭ ହୋଇଯାଇଛି । ଭୁବନେଶ୍ୱରର ୟୁନିଟ୍-୩ ସ୍ଥିତ କ୍ୟାପିଟାଲ ହାଇସ୍କୁଲ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାର ଉଦ୍ଘାଟନ କରିଛନ୍ତି । ସୁରଭି କେବଳ ଶିଶୁ ପ୍ରତିଭାର ବିକାଶ ପାଇଁ ଏକ ଉତ୍ସବ ନୁହେଁ, ଏହା ପ୍ରତ୍ୟେକ ଶିଶୁମାନଙ୍କ ସ୍ୱପ୍ନ, ସୃଜନଶୀଳତା, ଚିନ୍ତାଧାରା ଓ ପ୍ରତିଭା ବିକାଶର ମଞ୍ଚ । ବିଦ୍ୟାର୍ଥୀମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ‘ସୁରଭି’ ଏକ ଅଦ୍ୱିତୀୟ ପ୍ଲାଟଫର୍ମ ସାଜିଛି ।
ସୂଚନାଯୋଗ୍ୟଯେ, ରାଜ୍ୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମରେ ୨୪ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ସହଯୋଗୀ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ୧ ହଜାରରୁ ଉଦ୍ଧ୍ୱର୍ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଛନ୍ତି । ଚଳିତ ବର୍ଷ ‘ସୁରଭି’ କାର୍ଯକ୍ରମରେ – ‘ନିପୁଣ ଓଡ଼ିଶା-ନିପୁଣ ଭାରତ’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଥମରୁ ତୃତୀୟ ଶ୍ରେଣୀର ପିଲାମାନଙ୍କୁ ବିଦ୍ୟାଳୟ ଓ କ୍ଲଷ୍ଟର ସ୍ତରରେ ଭାଗନେବାର ସୁଯୋଗ ଦିଆଯାଇଛି ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ, ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ବିଭିନ୍ନ କାର୍ଯ୍ୟକ୍ରମର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଓ ଅତିଥିମାନେ ବୁଲି ଦେଖିଥିଲେ । ଏଥିସହିତ ଯୁକ୍ତ ଦୁଇ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା କଳାରେ ଦେବେନ୍ଦ୍ର ଖମାରିଆ, ବିଜ୍ଞାନରେ ସୁଶିଲ କୁମାର ନାୟକ, ବାଣିଜ୍ୟରେ ସ୍ୱର୍ଣ୍ଣ ରେଖା ମନ୍ତ୍ରୀ ଏବଂ ଧନ୍ଦାମୂଳକ ଶିକ୍ଷାରେ ସୁପ୍ରିୟା ସୁତାରଙ୍କୁ ମୁଖ୍ୟମନ୍ତ୍ରୀ ୨୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଥିଲେ । ବିଭିନ୍ନ ପ୍ରତିଯୋଗିତା ଏବଂ ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଏବଂ ମୁଖ୍ୟମନ୍ତ୍ରୀ ଭାଷା ବୃତ୍ତି ପାଇଁ ୫ ଜଣଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିବା ସହିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ହୁଇଲ ଚେୟାର ପ୍ରଦାନ କରିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେଯେ, ଶିଶୁମାନେ ଆମର ଭବିଷ୍ୟତ, ଆମର ଆଶା । ଶିଶୁମାନଙ୍କ ସ୍ୱପ୍ନକୁ ସାକାର କରିବା, ସେମାନଙ୍କ ମାର୍ଗଦର୍ଶନ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା । ଆମ ସରକାର ପ୍ରାକ୍ ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ଆମେ ପ୍ରୟାସ ଜାରି ରଖିଛନ୍ତି । ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ପିଏମ-ଶ୍ରୀ ଯୋଜନା ପର୍ଯ୍ୟନ୍ତ ଆମେ କାର୍ଯ୍ୟକାରୀ କରିଛୁ । ରାଜ୍ୟରେ ଜାତୀୟ ଶିକ୍ଷା ନୀତି ୨୦୨୦କୁ ବିଦ୍ୟାଳୟସ୍ତରରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ସ୍ତର ଯାଏଁ ସଫଳତାର ସହ କାର୍ଯ୍ୟକାରୀ କରିଛୁ । ଆମ ସରକାର ରାଜ୍ୟର ୪୫ ହଜାର ବିଦ୍ୟାଳୟରେ ଶିଶୁ ବାଟିକା ଆରମ୍ଭ କରିଛନ୍ତି । ଛୋଟ ପିଲାମାନଙ୍କର ଯତ୍ନ ଏବଂ ପ୍ରାରମ୍ଭିକ ଶିକ୍ଷା ପାଇଁ ଶିଶୁ ସେବିକାଙ୍କୁ ନିଯୁକ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେ ଆହୁରି କହିଥିଲେଯେ, ରାଜ୍ୟ ସରକାର ଶିକ୍ଷାକୁ ଅତ୍ୟନ୍ତ ଗୁରୁତର ସହିତ ନେଇଛନ୍ତି । ଚଳିତ ବଜେଟରେ ଆମ ସରକାର ରେକର୍ଡ ୪୧ ହଜାର ୨୭୩ କୋଟି ଟଙ୍କା ପ୍ରାବଧାନ କରିଛନ୍ତି । ‘ସୁରଭି’ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରତିବର୍ଷ ବିଦ୍ୟାର୍ଥୀମାନଙ୍କ ପ୍ରତିଭା ଲୋକଲୋଚନକୁ ଆଣିବାକୁ ପ୍ରୟାସ ଜାରି ରଖିଛି । ବିଦ୍ୟାର୍ଥୀମାନଙ୍କ ଭିତରେ ଅସଂଖ୍ୟ ସମ୍ଭାବନା ଏବଂ ଗୁଣାବଳୀ ଲୁଚି ରହିଛି । ସେମାନେ ନିଜ ଭିତର ଲୁକ୍କାୟିତ ଗୁଣାବଳୀ ଏବଂ ଦକ୍ଷତାକୁ ଚିହ୍ନଟ କରନ୍ତୁ । ବଡ଼ ସ୍ୱପ୍ନ ଦେଖିବା ପାଇଁ କେବେ ବି ଦ୍ୱିଧା ପ୍ରକାଶ କରନ୍ତୁ ନାହିଁ । କଠିନ ପରିଶ୍ରମ ଏବଂ ନିଷ୍ଠା ବଳରେ ସେମାନେ ପ୍ରତ୍ୟେକ ଲକ୍ଷ୍ୟକୁ ହାସଲ କରିପାରିବେ ।
କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେଯେ, ଶିକ୍ଷା ବ୍ୟବସ୍ଥାରେ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ, ଉଚ୍ଚଶିକ୍ଷା ଭଳି ବିଭିନ୍ନ ସ୍ତର ରହିଛି ଏବଂ ଏହି ସମସ୍ତେ ପରସ୍ପରର ପରିପୂରକ । ତେଣୁ ସବୁସ୍ତରର ବିକାଶ ହୋଇପାରିଲେ ହିଁ ଆମ ରାଜ୍ୟର ଶିକ୍ଷା କ୍ଷେତ୍ରର ବିକାଶ ସମ୍ଭବ ହୋଇପାରିବ । କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡି଼ଏନ୍. ତିରୁମାଲା ନାଏକ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବୀରେନ୍ଦ୍ର କର୍କରା ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ନିୟତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟଯେ, ନଭେମ୍ବର ୧୨ରୁ ୧୪ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍-୩ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ବ୍ଲକ ଓ ଜିଲ୍ଲାସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ଏହି ମହୋତ୍ସବରେ ଅଂଶଗ୍ରହଣ କରିବେ ।