ଭକ୍ତଙ୍କ ରାଧାପାଦ ଦର୍ଶନ
ପୁରୀ : ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ସତ୍ୟବାଦୀ ବା ସାକ୍ଷୀଗୋପାଳରେ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଅନୁଷ୍ଠିତ ହୋଇଛି ପ୍ରସିଦ୍ଧ ଅଁଳାନବମୀ ଯାତ୍ରା । ଏହି ଅବସରରେ ସାକ୍ଷୀଗୋପୀନାଥଙ୍କ ମନ୍ଦିରରେ ଭକ୍ତମାନେ ଶ୍ରୀରାଧାଙ୍କ ପାଦଦର୍ଶନ କରିଥିଲେ । ଅଁଳାନବମୀ ଉପଲକ୍ଷେ ସାକ୍ଷୀଗୋପାଳ ହୋଇଥିଲା ଲୋକାରଣ୍ୟ ଓ ଉତ୍ସବମୁଖର । ହଜାର ହଜାର ହବିଷ୍ୟାଳିଙ୍କ ସମେତ ଅନ୍ୟ ଭକ୍ତମାନେ ସାକ୍ଷୀଗୋପୀନାଥଙ୍କୁ ଦର୍ଶନ କରିବା ସହ ଶ୍ରୀରାଧାଙ୍କ ପାଦ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ଅଁଳାନବମୀ ଉପଲକ୍ଷେ ସାକ୍ଷୀଗୋପୀନାଥଙ୍କୁ ନଟବର ଓ ଶ୍ରୀରାଧାଙ୍କୁ ଓଡ଼ିଆଣୀ ବେଶରେ ସଜ୍ଜିତ କରାଯାଇଥିଲା । ବିଭିନ୍ନ ପାରମ୍ପରିକ ନୀତିକାନ୍ତି ସଂପନ୍ନ ହେବା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ପ୍ରତ୍ୟୁଷରୁ ବହୁସଂଖ୍ୟକ ଭକ୍ତ ନରନାରୀ ରାଧା ପାଦ ଦର୍ଶନ ପାଇଁ ମନ୍ଦିର ସମ୍ମୁଖରେ ଅପେକ୍ଷା କରି ରହିଥିଲେ । ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ସମ୍ମୁଖରେ ବ୍ୟାରିକେଡ଼ ନିର୍ମାଣ କରାଯିବା ସହ ପୁଲିସ ମୁତୟନ ହୋଇଥିଲେ ।
ଭକ୍ତମାନେ ବ୍ୟାରିକେଡ଼ ଦେଇ ମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ । ମନ୍ଦିର ସନ୍ନିକଟ ଅଞ୍ଚଳରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ପ୍ରଭୁ ବଳଭଦ୍ର ଅସ୍ଥାୟୀ ମଞ୍ଚରେ ବିରାଜମାନ କରିଥିଲେ । ଦର୍ଶନ ପରେ ଭକ୍ତମାନେ ମନ୍ଦିରର ପଛପଟ ଦ୍ୱାର ଦେଇ ପ୍ରସ୍ଥାନ କରିଥିଲେ । ହବିଷ୍ୟାଳୀ ଓ ଅନ୍ୟ ଭକ୍ତମାନେ ସାକ୍ଷୀଗୋପିନାଥ ଓ ଶ୍ରୀରାଧାଙ୍କୁ ଦର୍ଶନ କରିବା ସହ ଅଁଳା ଗଛକୁ ପୂଜା କରିଥିଲେ ।