ଶ୍ରୀମନ୍ଦିରରେ ପଞ୍ଚୁକ ଭିଡ଼ : ପ୍ରଶାସନ ନାକେଦମ୍‌

ଶ୍ରୀମନ୍ଦିରରେ ପଞ୍ଚୁକ ଭିଡ଼ : ପ୍ରଶାସନ ନାକେଦମ୍‌

ପୁରୀ : ପବିତ୍ର କାର୍ତ୍ତିକ ମାସର ଶୁକ୍କ ଏକାଦଶୀ ଠାରୁ ଆରମ୍ଭ ହୋଇଛି ପଞ୍ଚକ ବ୍ରତ । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ପଞ୍ଚକ ନୀତି ଆରମ୍ଭ ହୋଇଥିବା ବେଳେ ହବିଷ୍ୟାଳି ଓ ଅନ୍ୟ ଭକ୍ତମାନେ ପଞ୍ଚକ ବ୍ରତ ପାଳନ  ଆରମ୍ଭ କରିଛନ୍ତି । କାର୍ତ୍ତିକ ପୂର୍ଣ୍ଣମୀରେ ପଞ୍ଚକର ପରିସମାପ୍ତି ହେବ । ଏଥିପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଶ୍ରୀମନ୍ଦିର ସାମ୍ନାରେ ହଜାର ହଜାର ଭକ୍ତ ଦୀର୍ଘ ସମୟ ଧରି ଲାଇନ୍‌ ଲଗାଇ ଠିଆ ହୋଇଥିବା ବେଳେ ଠେଲାପେଲା ବି ଦେଖିବାକୁ ମିଳିଥିଲା । ଭିଡ଼କୁ ନେଇ ପ୍ରଶାସନ ନାକେଦମ୍‌ ହୋଇଯାଇଥିଲା ।

    ସୂଚନାଯୋଗ୍ୟଯେ, ଧର୍ମାଚରଣ ପାଇଁ ଶ୍ରେଷ୍ଠ ସମୟ ରୂପେ ବିବେଚିତ ମହାକାର୍ତ୍ତିକ ମାସରେ ମାସ ସାରା କାର୍ତ୍ତିକ କରିନଥିବା ମହିଳା ଓ ବ୍ୟକ୍ତିବିଶେଷ ପଞ୍ଚକ ପାଳନ କଲେ କାର୍ତ୍ତିକ ବ୍ରତର ପୂଣ୍ୟ ଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଚଳିତ ବର୍ଷ ପଞ୍ଚକ ୪ ଦିନ ପଡ଼ୁଥିବାରୁ ରବିବାର ଦିନ ଶ୍ରୀମନ୍ଦିରରେ ଶ୍ରୀହରିଉତ୍ଥାପନ ଏକାଦଶୀରେ ଶ୍ରୀଜୀଉଙ୍କର ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଛି । ସେହିଭଳି ସୋମବାର ଦିନ ଗରୁଡ଼ ଉତ୍ଥାପନ ନୀତି ସହ ଶ୍ରୀଜୀଉମାନଙ୍କର ଡାଳିକିଆ ବା ତ୍ରିବ୍ରିକମ ବେଶରେ ଶ୍ରୀଜୀଉମାନେ ଦର୍ଶନ ଦେବେ । ମଙ୍ଗଳବାର ଦିନ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନେ ଲକ୍ଷ୍ମୀନୃସିଂହ ବେଶରେ ସଜ୍ଜିତ ହେବେ । ବୁଧବାର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ମହାପ୍ରଭୁ ରାଜରାଜେଶ୍ୱର ବା ସୁନା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ଶ୍ରୀକ୍ଷେତ୍ରରେ ରହି ପଞ୍ଚକ ପାଳନ କରିବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରଦ୍ଧାଳୁମାନେ ସମବେତ ହୋଇଥିବାରୁ ପୁରୀ ସହର ଲୋକାରଣ୍ୟ ହୋଇଉଠିଛି । ସହରରେ ସୃଷ୍ଟି ହୋଇଛି ଦିବ୍ୟ ଆଧ୍ୟାତ୍ମିକ ପରିବେଶ । ପହିଲି ପଞ୍ଚକର ପ୍ରତ୍ୟୁଷରୁ ଦର୍ଶନ ପାଇଁ ଦର୍ଶନାର୍ଥୀମାନଙ୍କର ଭିଡ଼ ଜମିଥିଲା । ପ୍ରଶାସନ ପକ୍ଷରୁ ସିଂହଦ୍ୱାର ସନ୍ନିକଟ ଅଞ୍ଚଳରୁ ମାର୍କେଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ଼ କରାଯାଇଛି ।

    ଲକ୍ଷଲକ୍ଷ ଦର୍ଶନାର୍ଥୀ ବ୍ୟାରିକେଡ଼ ଦେଇ ସିଂହଦ୍ୱାର ବାଟେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ ଏବଂ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିଥିଲେ । ସୁଦୀର୍ଘ ରାସ୍ତାରେ ନିର୍ମାଣ କରାଯାଇଥିବା ବ୍ୟାରିକେଡ଼ରେ ଦର୍ଶନାର୍ଥୀଙ୍କ ଖଚାଖଚ ଭିଡ଼ ଦେଖିବାକୁ ମିଳିଥିଲା । ବ୍ୟାରିକେଡ଼ ବାହାରେ ମଧ୍ୟ ୨ ପାଶ୍ୱର୍ରେ ହଜାର ହଜାର ଲୋକ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ୨ହାତ ଟେକି ଜୟ ଜଗନ୍ନାଥ ଧ୍ୱନି ଦେଇ ରାସ୍ତାରେ ଯାଉଥିବା ଦେଖାଯାଇଥିଲା । କେବଳ ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରୁଥିବା ବେଳେ ସିଂହଦ୍ୱାର ଗୁମୁଟ ସମ୍ମୁଖରେ କଡ଼ା ପୁଲିସ ପ୍ରହରା ଦେଇଥିଲେ । ସିଂହଦ୍ୱାର ଅଞ୍ଚଳରେ ପୁରୁଷ ଓ ମହିଳାମାନେ ଉନ୍ମାଦନାର ସହ ମଜ୍ଜି ଯାଇଥିଲେ ସଂକୀର୍ତ୍ତନରେ । ବଡ଼ଦାଣ୍ଡ, ସିଂହଦ୍ୱାର ଅଞ୍ଚଳ, ମନ୍ଦିର ଚତୁଃପାଶ୍ୱର୍ ପ୍ରବଳ ଭିଡ଼ ହୋଇଥିବାରୁ ପୁଲିସ ପ୍ରଶାସନକୁ ଭିଡ଼ ନିୟନ୍ତ୍ରଣ ପାଇଁ ନାକେଦମ ହେବାକୁ ପଡ଼ିଥିଲା । ହବିଷ୍ୟାଳୀମାନେ ରାସ୍ତା ଉପରେ ଶ୍ରୀକୃଷ୍ଣ, ରାଧା ବେଶ ଧାରଣ କରି ନୃତ୍ୟରେ ମଜ୍ଜି ଯାଇଥିଲେ । ବହୁସଂଖ୍ୟକ ଲୋକ ମଠମାନଙ୍କରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରତିମୂର୍ତ୍ତି ବସାଇ ଶ୍ରାଦ୍ଧ ଯଜ୍ଞ ଆଦି କରିଥିଲେ । ଶ୍ରୀମନ୍ଦିରରେ ବାଳଧୂପ ପରେ ପୂଜାପଣ୍ଡା ପତି ଓ ମୁଦିରସ୍ତ ଠାକୁରମାନଙ୍କୁ ବନ୍ଦାପନା କରିଥିଲେ । ଲକ୍ଷ୍ମୀନାରାୟଣ ବେଶରେ ଥାଇ ଶ୍ରୀଜୀଉମାନଙ୍କ ଗୋପାଳବଲ୍ଲଭ ଓ ଭୋଗମଣ୍ଡପ ଆଦି ନୀତି ସଂପନ୍ନ ହୋଇଥିଲା ।

    ନୀଳଚକ୍ରରେ ବହୁ ସଂଖ୍ୟାରେ ବିଭିନ୍ନ ରଂଗର ଧ୍ୱଜା ଫରଫର ହୋଇ ଉଡ଼ୁଥିଲା । ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ବେଶ୍‌ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଜିଲ୍ଳା ପୁଲିସ ପକ୍ଷରୁ ଶ୍ରୀମନ୍ଦିର ଭିତରେ ଓ ବାହାରେ ଭକ୍ତମାନଙ୍କୁ ସହାୟତା କରିବା ପାଇଁ ୯୬ ସେକ୍ସନ ଫୋର୍ସ ମୁତୟନ ହୋଇଥିଲେ । ବରିଷ୍ଠ ନାଗରିକମାନଙ୍କ ଦର୍ଶନକୁ ପୁଲିସ ବେଶ୍‌ ଗୁରୁତ୍ୱ ଦେଇଥିଲା । ୫ଜଣ ଅତିରିକ୍ତ ଏସ୍‌.ପି, ୧୬ଜଣ ଡ଼ି.ଏସ୍‌.ପିଙ୍କ ସମେତ ୩୫ଜଣ ଇନ୍ସପେକ୍ଟର, ୧୩୮ଏଏସ୍‌ଆଇ ଓ ଏସ୍‌ଆଇ, ୧୪୭ କନଷ୍ଟେବଳ, ୩୩୪ ହୋମଗାଡର଼୍ ନିୟୋଜିତ ହୋଇଥିଲେ । ମହାପ୍ରଭୁଙ୍କ ନୀତିକାନ୍ତି ସ୍ୱାଭାବିକ ଚାଲିବା ଉପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା । ଭୋଗଲାଗି ସମୟରେ ଶୃଙ୍ଖଳା ରକ୍ଷା ପାଇଁ ସ୍ୱତନ୍ତ୍ର ଅଧିକାରୀ ନିୟୋଜିତ ହୋଇଥିଲେ । ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ସିସି ଟିଭି ବ୍ୟବସ୍ଥା କରାଯାଇଛି । ଏହାର ନିୟନ୍ତ୍ରଣ କକ୍ଷ ସିଂହଦ୍ୱାର ଫାଣ୍ଡିରେ କରାଯାଇଛି ।