କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ 

   କେନ୍ଦୁଝର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩ ଦିନିଆ କେନ୍ଦୁଝର ଗସ୍ତ ସାରି ବୁଧବାର ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି । ବୁଧବାର ମଧ୍ୟାହ୍ନରେ ଭୁବନେଶ୍ୱର ଯିବାବେଳେ କେନ୍ଦୁଝର ସର୍କିଟ ହାଉସରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ସମସ୍ତ ଅଭିଯୋଗଗୁଡିକ ମୁଖ୍ୟମନ୍ତ୍ରୀ ଧୈର୍ଯ୍ୟର ସହ ଶୁଣିବା ପରେ ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଜଟିଳ ରୋଗରେ ଆକ୍ରାନ୍ତଙ୍କୁ ଜଣ ଜଣ କରି ମୁଖ୍ୟମନ୍ତ୍ରୀ ଭେଟିଥିଲେ ଏବଂ ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

           ଆଜି ଆସିଥିବା କିଛି ଲୋକ ନିଜ ନିଜ ସମସ୍ୟାକୁ ନେଇ ବିଚଳିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଭରସା ଓ ଆଶ୍ୱାସନା ଦେଇ ବୁଝାଇଥିଲେ । ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ ଜରିଆରେ ଅନେକ ଲୋକଙ୍କର ବର୍ଷ ବର୍ଷ ଧରି ପଡି ରହିଥିବା  ସମସ୍ୟାର ସମାଧାନ ହୋଇପାରୁଛି । ଆଜି ଅଭିଯୋଗ ଶୁଣାଣୀରେ ସମସ୍ତ ଅଭିଯୋଗଗୁଡିକର ସମାଧାନ ପାଇଁ ଉପସ୍ଥିତ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯୋଗ ଶୁଣାଣି ସମୟରେ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ, ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତି, ଏସ୍‌ପି ନିତିନ କୁଶଲକର, ଡିଏଫ୍‌ଓ ଏଚ୍‌ଡି ଧନରାଜ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନିୟମିତ ଅଭିଯୋଗ ଶୁଣାଣି ଯୋଗୁ ବିଭିନ୍ନ କାରଣରୁ ସମସ୍ୟାରେ ଥିବା ଲୋକମାନେ ଆଶା ଓ ଭରସା ନେଇ ଆସୁଛନ୍ତି ଓ ସେମାନଙ୍କର ସମସ୍ୟାର ସମାଧାନ କରାଯାଉଛି । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିୟମିତ ପ୍ରୟାସ ଯୋଗୁଁ ସରକାରଙ୍କ ପ୍ରତି ଲୋକଙ୍କ ଆସ୍ଥା ବୃଦ୍ଧି ପାଇଛି ।