କୃଷି ବିଶ୍ୱବିଦ୍ୟାଳୟ ପ୍ରସଙ୍ଗକୁ ନେଇ ତେଜିଲା ରାଜନୀତି : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅସନ୍ତୋଷ ଜାହିର କଲେ କଳିକେଶ
ବଲାଙ୍ଗିର: କେବିକେ ଅଞ୍ଚଳରେ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ତତ୍କାଳୀନ ନବୀନ ପଟ୍ଟନାୟକ ସରକାର ଘୋଷଣା କରିଥିଲେ । ଗତ ୧୦ବର୍ଷ ହେଲା ଏ ନେଇ ବଲାଙ୍ଗୀରରେ ଏହା ସ୍ଥାପନ କରାଯିବାକୁ ଦାବି କରାଯାଇ ଆସୁଛି । କିନ୍ତୁ ଏ ପର୍ଯ୍ୟନ୍ତ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଲେ ନାହିଁ । ବିଭିନ୍ନ ସମୟରେ ବଲାଙ୍ଗୀରରେ ଏ ନେଇ ଜନଆନେ୍ଦାଳନ ହୋଇଛି । କିନ୍ତୁ ସରକାର ନୀରବ ରହିଛନ୍ତି । ସେପଟେ ସମ୍ବଲପୁରରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ଭୁବନେଶ୍ୱର ଲୋକସେବା ଭବନରେ ଏକ ବୈଠକ କରାଯାଇଥିବା ନେଇ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କୃଷିକୃଷକ ଓ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଟ୍ୱିଟ୍ କରିବା ପରେ ବଲାଙ୍ଗୀରରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ ପ୍ରତିକ୍ରିୟା ପ୍ରକାଶ କରି ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ପ୍ରତିବାଦ କରି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କୁ ଏକ ଚିଠି ଲେଖିଛନ୍ତି । କଳିକେଶ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବଲାଙ୍ଗୀରରେ ଦୀର୍ଘବର୍ଷ ହେଲା କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଦାବି ହେଉଛି । କିନ୍ତୁ ଏହାକୁ ଅଣଦେଖା କରାଯାଇ କେବିକେ ଅଞ୍ଚଳ ବଦଳରେ ସମ୍ବଲପୁରରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ପ୍ରସ୍ତାବ କରାଯାଉଛି । ଏହା ବଲାଙ୍ଗୀରର ଲୋକଙ୍କ ଭାବନାକୁ ଆଘାତ ଦେଇଛି । ମରୁଡି, ଦାଦନପ୍ରବଣ ତଥା କୃଷି ଉପରେ ନିର୍ଭର କରୁଥିବା ବଲାଙ୍ଗୀର ଜିଲ୍ଲାରେ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ହେଲେ ଅନେକ ଗବେଷଣାର ଅନେକ ସମ୍ଭାବନା ରହିଛି । ଏହା ଏହି ଅଞ୍ଚଳରେ ଅନେକ ସମସ୍ୟାର ସାମାଧାନ ହୋଇପାରିବ । କୃଷି ଗବେଷଣା ପାଇଁ ଏଠାରେ ଉପଯୁକ୍ତ ଭିତ୍ତିଭୂମୀ ଥିବାବେଳେ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବରୁ ତାହା ହୋଇପାରୁନି । ବଲାଙ୍ଗୀରର ଦାବିକୁ ଅଣଦେଖା କରାଯାଇଥିବାରୁ ଏଥିରେ କଳିକେଶ ଗଭୀର ଭାବରେ ଉଦ୍ବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ତୁରନ୍ତ ଏ ନେଇ ପଦକ୍ଷେପ ନେଇ କେନ୍ଦ୍ରସରକାରଙ୍କ ସହିତ କଥା ହୋଇ ବଲାଙ୍ଗୀରରେ ହିଁ କୃଷି ବିଶ୍ୱବିଦ୍ୟାଳୟ କରିବାକୁ ପ୍ରସ୍ତାବ ପଠାଇବାକୁ ଚିଠି ଲେଖିଛନ୍ତି । ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ମଧ୍ୟ ଏହି ଚିଠିର ନକଲ ପଠାଇଛନ୍ତି କଳିକେଶ ସିଂହ ଦେଓ ।