ଭାଇ ଜିଉଁତିଆ ଓଷା ପାଳିତ

 ସମ୍ବଲପୁର  : ଭାଇର ଦୀର୍ଘାୟୁ କାମନା ପାଇଁ ପଶ୍ଚିମ ଓଡିଶାରେ ଭଉଣୀମାନେ ଆଶ୍ୱିନ ଶୁକ୍ଲପକ୍ଷ ଅଷ୍ଟମୀ ତିଥିରେ ଭାଇଭଉଣୀଙ୍କ ସ୍ନେହ ଓ ମମତାର ପର୍ବ ଭାଇ ଜିଉଁତିଆ ଓଷା ପାଳନ କରାଯାଏ । ଭଉଣୀମାନେ ଉପବାସ ଧାରଣା କରିବା ସହ ଦେବୀଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ । ସକାଳୁ ସ୍ନାନ ପରେ ବାଲୁକା ପୂଜା ସାରି ଭାଇମାନଙ୍କୁ ଦେବୀଙ୍କ ଠାରେ ଅର୍ପଣ କରାଯାଇଥିବା ୨୧ପ୍ରକାର ଫଳ, ୧୧ପ୍ରକାର ଫୁଲ, ୧୦୮ ଦୁବ ଓ ଅକ୍ଷତ ଅରୁଆ ଚାଉଳକୁ ମୁରୁଜ ଉପରେ ଦୀପ ପ୍ରଜ୍ୱଳନ କରି ବନ୍ଦାଣ କରିବା ସହ ନୂତନ ବସ୍ତ୍ର ପ୍ରଦାନ କରି ଭାଇର ଦୀର୍ଘାୟୁ କାମନା ପାଇଁ ପୂଜା କରିଥାନ୍ତି । ଏହି ପୂଜା ପାଇଁ ପୂଜାମଣ୍ଡପ ଓ ଦେବୀ ପୀଠରେ ଝିଅ ଓ ମହିଳାମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଏହି ପର୍ବରେ ଭାଇ ଭଉଣୀମାନେ ନୂଆ ବସ୍ତ୍ର ଓ ଉପହାର ଆଦାନ ପ୍ରଦାନ କରନ୍ତି ।
ଗୋଲାମୁଣ୍ଡା : ପଶ୍ଚିମ ଓଡ଼ିଶାରେ ଭାଇ ଜିଉଁନ୍ତିଆ ଓଷା ବିଧିବିଧାନ ସହ ମହାଡମ୍ବରରେ ପାଳନ କରାଯାଏ । ଭଉଣୀମାନେ ନିଜ ଭାଇଙ୍କ ଶୁଭ ମନାସି ଏହି ଓଷା ପାଳନ କରୁଥିଲେ । ଭାଇ ଜିଉଁନ୍ତିଆ ଓଷା ପାଳନ ଦିନ ବାଲୁକା ପୂଜାକରି ଦିନସାରା ଉପବାସ ରହ ରୀତିନୀତି ଅନୁଯାଇ ପୂଜା କରାଯାଏ ଏବଂ ଭାଇ ଜିଉଁନ୍ତିଆ ବ୍ରତବହି ପାଠ କରାଯାଏ । ବିଶ୍ୱାସ ରହିଛି ଯେ, ଏହି ପବିତ୍ର ଦିନରେ ମା'ଦୁର୍ଗାଙ୍କର ପ୍ରିୟ କଖାରୁ ଫୁଲ ନିଷ୍ଠାପର ସହକାରେ ଅର୍ପଣ କଲେ ଶତ ସ୍ୱର୍ଣ୍ଣ କମଳ ଯୁକ୍ତ ହୋଇଥାଏ । ନିବିଡ ଆତ୍ମୀୟତାରେ ଭାଇର ସର୍ବକୁଶଳ କାମନା କରି ଭାଇକୁ ଯଥାସାଧ୍ୟ ବସ୍ତ୍ର ଏବଂ ଉପହାର ଦେବା ସହ ମିଷ୍ଟାନ୍ନ ଖୁଆନ୍ତି । ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମମାନଙ୍କରେ ଭାଇ ଜିଉଁନ୍ତିଆ ଓଷା ଧୂମଧାମରେ ପାଳିତ ହୋଇଛି ।