ଜବରଦଖଲକାରୀଙ୍କ କବ୍ଜାରେ ଜଙ୍ଗଲ ଜମି
ଢେଙ୍କାନାଳ : ଜବରଦଖଲକାରୀଙ୍କ ଉପରେ ଅଙ୍କୁଶ ପକାଇବା ପରିବର୍ତ୍ତେ ପ୍ରୋତ୍ସାହିତ କରାଯାଉଥିବାରୁ ଜଙ୍ଗଲ ଆଇନକୁ ଭୃକ୍ଷେପ ନ କରି ସହର ଚାରିପାଖ ପାହାଡତଳ ଜଙ୍ଗଲଜମିଗୁଡିକ ବନବିଭାଗ ଓ ଦଲାଲଙ୍କ ମଧୁଚନ୍ଦ୍ରିକାରେ ଜବରଦଖଲ ହେଉଛି । ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜଙ୍ଗଲଜମିରୁ ଦଖଲ ଉଚ୍ଛେଦ କରିବା ପାଇଁ ଦାବି ହୋଇଛି ।
ସବୁଜିମାରେ ପରିପୂର୍ଣ୍ଣ ପାଣିଓହଳା ପାହାଡ ଏବଂ କୁଟୁଣିଆ ପାହାଡ ସମତେ ବହୁ ଛୋଟବଡ ପାହାଡ ଘେରରେ ରହିଛି ଢେଙ୍କାନାଳ ସହର । ଏହାର ପ୍ରାକୃତିକ ଶୋଭାରାଜି, ପାଣିପବନ ଓ ଜଳବାୟୁ ଆକୃଷ୍ଟ କରିଥାଏ ବିଦେଶୀ ପର୍ଯ୍ୟଟକମାନଙ୍କୁ । ସହରର ଚତୁଃପାଶ୍ୱର୍ ପାହାଡପର୍ବତ ଗୁଡିକର ପାଦଦେଶ ସ୍ଥିତ ବଡ ବଡ ପ୍ୟାଚ୍ ଜଙ୍ଗଲ ଜମିଗୁଡିକୁ ଜବର ଦଖଲକାରୀମାନେ ବନବିଭାଗର କେତେକ ଅସାଧୁକର୍ମଚାରୀଙ୍କ ସହ ସଲାସୁତରାରେ ଜବରଦଖଲ କରିଚାଲିଛନ୍ତି । ଶୋଭାବର୍ଦ୍ଧକ ପାଣିଓହଳା ପାହାଡର ଚାନ୍ଦମାରୀ ସାହି ଏବଂ ସଦର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଦକ୍ଷିଣ ଅଂଚଳର କୁଞ୍ଜକାନ୍ତ ଦେଇ ଢେଙ୍କାନାଳ କଲେଜ ପର୍ଯ୍ୟନ୍ତ ଏବଂ ରିଜର୍ଭ ଲାଇନ୍ ପଛ ପାଖରେ ଥିବା କୁଟୁଣିଆ ପାହାଡର ଜଙ୍ଗଲ ଜମି ଜବରଦଖଲକାରୀଙ୍କ କବ୍ଜାରେ ରହିଲାଣି । ସେହିପରି ସହର ଉପକଣ୍ଠ କାଠଗଡା, ଭଗବାନପୁର, ବୋରାପଦା, ଶ୍ୟାମାଚରଣପୁର, ମହିଷାପାଟ ପଲ୍ଲିଶ୍ରୀମେଳା ପଡିଆ ତଥା ଡିଆରଡିଏ କାର୍ଯ୍ୟାଳୟ ପଛପାଖ, ରେଙ୍ଗାଳି କାର୍ଯ୍ୟାଳୟ ଓ ପଲିଟେକନିକ ପଛପାଖ ଆଦି ଅଞ୍ଚଳର ସରକାରୀ ଓ ଜଙ୍ଗଲଜମିକୁ ଦଲାଲମାନେ ଜବରଦଖଲ କରି ବିକ୍ରି କରି ଚାଲିଛନ୍ତି । ବନଖଣ୍ଡର କର୍ମଚାରୀମାନେ ଏହା ଜାଣିଥିଲେ ମଧ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି । ଜନସାଧାରଣ ବାରମ୍ବାର ଅଭିଯୋଗ କରି ନିରାଶ ହେଉଥିବାରୁ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି । ପାଣିଓହଳା ପାହାଡର ଚତୁଃପାର୍ଶ୍ୱ ତାର ବାଡ ଦ୍ୱାରା ଆବଦ୍ଧ କରାଯାଇଥିଲେ ମଧ୍ୟ ଜବରଦଖଲ ଅଂଚଳକୁ ତାରବାଡ଼ ଘେରା କରାଯାଇନାହିଁ, ଯାହାକି ପରୋକ୍ଷରେ ଅସାଧୁମାର୍ଗକୁ ଦର୍ଶାଉଛି ବୋଲି ବୁଦ୍ଧିଜୀବୀ ଓ ସଚେତନ ନାଗରୀକମାନେ ଦର୍ଶାଇଛନ୍ତି । ଏହାର ପ୍ରତିବାଦରେ ସାମଜସେବୀ ରାମଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଶୁଭେନ୍ଦୁ କୁମାର ଶତପଥୀ, ଅଭିମନ୍ୟୁ ପଣ୍ଡା, ଧ୍ରୁବଚରଣ ସ୍ୱାଇଁ, ନିରୋଦ କୁମାର ସାହୁ, ବିକାଶ କୁମାର ସାହୁ ପ୍ରମୁଖଙ୍କ ସମେତ ବହୁ ବୁଦ୍ଧିଜୀବୀ ଜିଲ୍ଲା ବନଖଣ୍ଡ ଅଧିକାରୀ ସୁମିତ କରଙ୍କୁ ଭେଟି ଆଲୋଚନା କରିବା ସହ ଜବରଦଖଲ ଜଙ୍ଗଲ ଜମିକୁ ପୁନରୁଦ୍ଧାର କରି ଚାରାରୋପଣ କରିବାକୁ ଦାବି କରିଛନ୍ତି ।