ଜମି ଦୁର୍ନୀତିର ଗନ୍ତାଘର ସବରେଜିଷ୍ଟ୍ରର ଓ ତହସିଲ କାର୍ଯ୍ୟାଳୟ
ଜଟଣୀରୁ ଦେବପ୍ରସାଦ ଦାସ
ରାଜଧାନୀ ଉପକଣ୍ଠ ଖୋର୍ଦ୍ଧା ଜିଲା ଜଟଣୀରେ ଅବସ୍ଥିତ ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ୧୯୭୦ ମସିହାରୁ ଓଡିଶା ସରକାରଙ୍କ ସହଯୋଗରେ ଜନସାଧାରଣଙ୍କ ସୁବିଧା ପାଇଁ ଘରଡିହ ଓ ଜମିବାଡ଼ି ସଂକ୍ରାନ୍ତୀୟ ସମ୍ପତ୍ତି କ୍ରୟ ବିକ୍ରୟ କାର୍ଯ୍ୟ ପାଇଁ ସ୍ଥାପନ କରାଯାଇଥିଲା । ସେହିପରି ତହସିଲ କାର୍ଯ୍ୟାଳୟ ମଧ୍ୟ ୧୯୯୬ ମସିହାରେ ସ୍ଥାପିତ ହୋଇଥିଲା । ଏଠାରେ ଏହି କାର୍ଯ୍ୟାଳୟ ଦ୍ୱୟ ସ୍ଥାପିତ ହେବା ପରେ ଜନତା ବହୁ ସୁବିଧା ଉପଲବ୍ଧ କରିଥିଲେ । କିନ୍ତୁ ସ୍ଥାପନ ହେବା ଦିନ ଠାରୁ ଅଦ୍ୟାବଧି ଜନସାଧାରଣଙ୍କ ସୁବିଧା ପରିବର୍ତ୍ତେ ଅନେକ୍ ଅସାଧୁ କର୍ମଚାରୀ ଏବଂ ଜମି ଦଲାଲ୍, ଅସାଧୁ ବିଲଡ଼ର ସରକାରଙ୍କର ଆଇନ୍କୁ ଅବମାନନା କରି ଓ ଜମି କିଣା ବିକାରେ ଜାଲିଆତି କରି ଅନେକ୍ ବ୍ୟକ୍ତିଙ୍କର ଜମି ବାଡ଼ି ହଡ଼ପ କରି ଏହି କାର୍ଯ୍ୟାଳୟରେ ରେଜିଷ୍ଟ୍ରୀ କରାଇ ବିଗତ ଦିନରେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଧରାପଡିବାର ନଜିର୍ ଅଛି । ଷ୍ଟାମ୍ପ ଭେଣ୍ଡର ମାନେ ଷ୍ଟାମ୍ପ ପେପର୍ କି ଷ୍ଟାମ୍ପ ଟିକଟକୁ ଉଲ୍ଲେଖ ମୂଲ୍ୟ ଠାରୁ ଅହେତୁକ ବୃଦ୍ଧି କରି ବିକ୍ରୀ କରୁଛନ୍ତି, ପଚାରିଲେ କୌଣସି ସନ୍ତୁଷ୍ଟ ଜନକ ଉତ୍ତର ଦେଉନାହାନ୍ତି । ସର୍ବୋପରି କିଛି ଜମିର ଖାତା ନମ୍ୱର୍ ଓ ପ୍ଲଟ ନଂ ଠିକ୍ ଥାଇ ଚଞ୍ଚକତା କରି କିସମ ପରିବର୍ତ୍ତନ କରାଯାଇ ଜଟଣି ସବରେଜିଷ୍ଟର ଅଧୀନରେ ଥିବା ଜଟଣି ମୌଜା, କୁଦିଆରୀ, କୁଶମାଟି, ଗୋଡ଼ିପୁଟ ମାଟିଆପଡା, ପୋଡ଼ପଡା, ଗୋବିନ୍ଦପୁର, ଉପରବସ୍ତ, ଭିମପୁର, ବେଲପଡ଼ା, କଂସପଦା, ହାଲ ହରିପୁର, ମଣିପୁର, ଯମୁନା, ଝାରପଡ଼ା, ବଡତୋଟା, ପଦନପୁର, ରାମଚନ୍ଦ୍ରପୁର, ବୋତଣ୍ଡା, ନିରଞ୍ଜନପୁର, ଗୋବିନ୍ଦପୁର, ରାମଚନ୍ଦ୍ରପୁର, ଗୋପିନାଥପୁର, ବଡ ନୁଆଗାଁ, ଯାଆଁଳା ମୌଜାରେ ଅନେକ୍ ଜମି ବିକା କିଣା ହୋଇ ପ୍ରକୃତ ଜମିଦାର ନିଜ ଜମିକୁ ହରାଇ ଏ ସଂକ୍ରାନ୍ତରେ ନିଜ ସମ୍ପତ୍ତି ପାଇବା ପାଇଁ ମାନ୍ୟବର ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ ନ୍ୟାୟାଳୟରେ ମାମଲା ଥାଇ ଅନେକ ଅସାଧୁ ବ୍ୟକ୍ତି ନିୟମକୁ ବେଖାତିର୍ କରି ନିଜ ଜମିକୁ ଅନ୍ୟକୁ ବିକ୍ରୟ କରିବା ପାଇଁ ଉକ୍ତ ଦଲିଲ୍ ରେ ଉଲ୍ଲେଖ କରୁଛନ୍ତି ଯେ ଏହି ସମ୍ପତ୍ତି ବାବଦରେ କୌଣସି କୋର୍ଟ୍ କଚେରୀରେ ମାମଲା ନାହିଁ କି ଆମେ କାହାଠାରୁ ଅଗ୍ରୀମ ନେଇ ନାହୁଁ । ସେଟେଲମେଣ୍ଟ ନହୋଇ କିନ୍ତୁ କିଛି ଜମି ମାଲିକ୍ ଦଲାଲ୍ ଓ କିଛି କର୍ମଚାରୀମାନଙ୍କୁ ହାତ କରି ଅନାୟାସରେ ଜମି ବିକ୍ରୟ କରି ଚାଲିଛନ୍ତି । ଅପରପକ୍ଷେ ଜମିର ପ୍ରକୃତ ମାଲିକ ନିଜ ଜମିକୁ ଫେରି ପାଇବା ପାଇଁ କୋର୍ଟକୁ ଦୌଡ଼ି ଦୌଡ଼ି ନିରାଶ ହେଉଛନ୍ତି । ଏପରି ଭାବେ ଗଣ୍ଡଗୋଳ ଘଟି ଧନ ଜୀବନ କ୍ଷୟ କ୍ଷତି ହୋଇ ଥାନା କଚେରୀର ଦ୍ୱାରସ୍ଥ ହେଉଛନ୍ତି । ଏପରିକି ଏହି କାର୍ଯ୍ୟାଳୟର କିଛି କର୍ମଚାରୀଙ୍କ ସହଯୋଗରେ ନିକଟରେ ସରକାରି ଜମିରେ ଜେରକ୍ସ ଦୋକାନ ମାନ ସ୍ଥାପନ କରାଯାଇ ତନ୍ମଧ୍ୟରେ ଦଲାଲି କାରବାର ଓ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି, ଯାହା ଫଳରେ କି ଜମି କ୍ରେତା ବିକ୍ରାତା ମାନେ ଟଙ୍କା ପଇସା କାରବାର ପାଇଁ ଏହି ପରିସରକୁ ସୁରକ୍ଷିତ ମନେ କରୁନାହାନ୍ତି । ମୁଖ୍ୟତଃ ବେଆଇନ୍ ଜମି କାରବାରର ମୁଖ୍ୟ କାର୍ପଟଦାର ଡାଟା ଏଣ୍ଟ୍ରି ଅପରେଟର ସାଜିଛନ୍ତି ବୋଲି ଅନେକ ଆଇନଜୀବୀ ମତ ଦିଅନ୍ତି । ନିକଟରେ ଜମି ଜାଲିଆତି ଘଟଣାରେ ଚାରିଜଣ ଆଇଏଏସ୍ ଅଫିସରଙ୍କ ଭୂମିକାକୁ ନେଇ ହଟଚମକ ସ୍ରୁଷ୍ଟି କରିଥିବାବଳେ ଏହିଭଳି ଭାବେ ସଦ୍ୟତମ ଭାବେ ଏକ ଜମି ଜାଲିଆତି ଘଟଣା ଲୋକଲୋଚନକୁ ଆସିଛି ଯେଉଁଥିରେ କି ଜଣେ ଅତିରିକ୍ତ ତହସିଲଦାରଙ୍କ ସମ୍ପୃକ୍ତିକୁ ନେଇ ମାମଲା କୋର୍ଟ ପର୍ଯ୍ୟନ୍ତ ଯାଇଛି । ମିଳିଥିବା ଅଭିଯୋଗ ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲ୍ ଅନ୍ତର୍ଗତ ଯାଆଁଳା ପଞ୍ଚାୟତର ସ୍ୱର୍ଗତ ସୋମନାଥ ପ୍ରତିହାରୀଙ୍କ ପୁଅ ସର୍ବେଶ୍ୱର ପ୍ରତିହାରୀ ଜଟଣୀ ଅତିରିକ୍ତ ତହସିଲଦାର ମଧୁସ୍ମିତା ନନ୍ଦ ଯିଏକି ଚଞ୍ଚକତା କରି ତାଙ୍କ ସମ୍ପତ୍ତି ହଡ଼ପ କରି ଅନ୍ୟ ଏକ ବ୍ୟକ୍ତିଙ୍କ ନାମରେ ରେକର୍ଡ କରାଇଛନ୍ତି ସେ ନେଇ ସେ କୋର୍ଟର ଆଶ୍ରୟ ନେବା ସହିତ ଅଭିଯୋଗର ନକଲ ଖୋର୍ଦ୍ଧାଜିଲ୍ଲାପାଳ, ମୁଖ୍ୟ ଶାସନ ସଚିବ, ଅର୍ଥ ସଚିବ ଓ ବୋର୍ଡÿ ଅଫ ରେଭେନୁ୍ୟଙ୍କୁ ପ୍ରଦାନ କରିଥିବା ଜଣାଯାଇଛି । ଜିଲ୍ଲା ପ୍ରଶାସନ, ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଏହି ଦୁଇ କାର୍ଯ୍ୟାଳୟ ପ୍ରତି ଦୃଷ୍ଟି ଦେଇ ପୁର୍ବରୁ ରହିଥିବା ଅନେକ୍ ଜମି ଜାଲିଆତି ପ୍ରତି ଦୃଷ୍ଟି ଦେଇ ରେକର୍ଡ ପତ୍ର ଯାଞ୍ଚ କଲେ ଅନେକ ସତ୍ୟତା ପଦାକୁ ଆସିପାରିବା ସହ ଉକ୍ତ କାର୍ଯ୍ୟାଳୟରେ ସୁରକ୍ଷା ପାଇଁ ପୁଲିସ୍ କର୍ମଚାରୀଙ୍କୁ ନିୟୋଜିତ କରିବା ପାଇଁ ସାଧାରଣରେ ଦାବି ହେଉଛି ।