୮ କୋଟିର ଗଞ୍ଜେଇ ତେଲ ଜବତ
ମାଲକାନାଗିରି : ଦକ୍ଷିଣୀ ସିନେମା ‘ଘାଟି’ ଷ୍ଟାଇଲରେ ପ୍ରସ୍ତୁତ ହେଉଥିଲା ଗଞ୍ଜେଇ ତେଲ । ଆଜି ଚୋରା ଚାଲାଣ ବେଳେ ମାଲକାନଗିରି ପୁଲିସ୍ ବିପୁଳ ପରିମାଣର ଗଞ୍ଜେଇ ତେଲ ଜବତ କରିଛି । ୬୦ କିଲୋ ଓଜନର ଗଞ୍ଜେଇ ତେଲ ବା ତରଳ ଗଞ୍ଜେଇର ମୂଲ୍ୟ ୮ କୋଟି ଟଙ୍କା ହେବବୋଲି ଆକଳନ କରାଯାଇଛି ।
ଚିତ୍ରକୋଣ୍ଡା ଅଞ୍ଚଳରୁ ତରଳ ଗଂଜେଇ ଚାଲାଣ କରାଯାଉଥିଲା । ବିଶେଷ ସୂତ୍ରରୁ ପୁଲିସ ଖବର ପାଇଥିଲାଯେ, ୮ ସନ୍ଦିଗ୍ଧ ବ୍ୟକ୍ତି ଏସାର ଛକ ନିକଟରେ ଏକତ୍ରିତ ହୋଇଛନ୍ତି । ପୁଲିସ ତୁରନ୍ତ ସେହି ସ୍ଥାନରେ ପହଁଚିବା ମାତ୍ରେ ସନ୍ଧିଗ୍ଧ ବ୍ୟକ୍ତିମାନେ ଛତ୍ର ଭଙ୍ଗ ଦେଇଥିଲେ । ପୁଲିସ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଜଙ୍ଗଲ ଅଞ୍ଚଳ ହୋଇଥିବାରୁ ସେମାନେ ଖସି ପଳାଇବାରେ ସଫଳ ହୋଇଥିବା ପୁଲିସ କହିଛି । କିନ୍ତୁ ସେହି ଅଞ୍ଚଳରେ ଯାଞ୍ଚ କରିବା ପରେ ୮ ବାଇକ୍ ସାଇକେଲ ଏବଂ ୬୦ କେଜି ଗଂଜେଇ ତେଲ ଜବତ କରିଛି ପୁଲିସ । ମାଲକାନାଗିରି ଏସପି ଏହି ସୂଚନା ଦେଇଛନ୍ତି । ଏହି ତରଳ ଗଂଜେଇର ବଜାର ମୂଲ୍ୟ ଅଧିକ ହୋଇଥିବାରୁ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ପ୍ରସ୍ତୁତ କରାଯାଉଥିବା ଅନୁମାନ କରାଯାଉଛି ।