ଶ୍ରୀଅନ୍ନର ସଂରକ୍ଷଣକୁ ଶିବରାଜଙ୍କ ପ୍ରଶଂସା
ଭୁବନେଶ୍ୱର : କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ୧୦ ଓ ୧୧ ରେ ଦୁଇଦିନିଆ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ମହିଳା କୃଷକ ସମ୍ମିଳନୀ ଲୋକସେବା ଭବନ କନଭେନସନ ହଲଠାରେ ସଫଳତାର ସହ ସମାପ୍ତ ହୋଇଛି । ଏହି ସମ୍ମିଳନୀ ‘କୃଷି ଐତିହ୍ୟ ଓ ଜୈବ ବିବିଧତା ସଂରକ୍ଷଣରେ ମହିଳାଙ୍କ ଭୂମିକା’ ଶୀର୍ଷକ ବିଷୟବସ୍ତୁ ଉପରେ ଆଧାରିତ ଥିଲା ।
ଏହି ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଗଦେଇଥିଲେ । କୃଷି ଐତିହ୍ୟର ସଂରକ୍ଷଣ ସହ ଶ୍ରୀଅନ୍ନର ସଂରକ୍ଷଣ ଓ ପ୍ରସାର ଦିଗରେ ଓଡ଼ିଶାର ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଶ୍ରୀ ଚୌହାନ କହିଥିଲେ ଯେ, ଓଡ଼ିଶା ଏକମାତ୍ର ରାଜ୍ୟଭାବେ ଏକ ନିର୍ଦ୍ଦିଷ୍ଟ ଦିନକୁ ଶ୍ରୀଅନ୍ନ ବା ମାଣ୍ଡିଆ ଦିବସ ଭାବେ ଉତ୍ସର୍ଗ କରିଛି । କେବଳ ଏତିକି ନୁହେଁ ଏହାର ଉତ୍ପାଦନ ବୃଦ୍ଧି କରି ଅନ୍ୟ ରାଜ୍ୟକୁ ମଧ୍ୟ ଯୋଗାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ଏବଂ ସବୁଠାରୁ ଉତ୍ସାହଜନକ କଥା ହେଲା ଏଥିରେ ମହିଳା ଚାଷୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଓଡ଼ିଶା ପ୍ରଥମ ରାଜ୍ୟଭାବେ ବିଭିନ୍ନ ଭୂ-ପ୍ରଜାତି ବା ଲ୍ୟାଣ୍ଡରେସ୍ ସଂରକ୍ଷଣ ପାଇଁ ମାର୍ଗଦର୍ଶିକା ସହ ମହିଳା କୈନ୍ଦ୍ରିକ ସୁବିଧାଜନକ କୃଷି ଭିତ୍ତିକ ଯନ୍ତ୍ରପାତିର ପରୀକ୍ଷଣ ମାର୍ଗଦର୍ଶିକା ଜାରି କରିଛି । ଏହାବ୍ୟତୀତ ଓଡ଼ିଶା ସରକାରଙ୍କ କୃଷି ବିଭାଗ ପକ୍ଷରୁ ମିଲେଟ ଫାଉଣ୍ଡେସନ ଗାଇଡ଼ ପ୍ରକାଶିତ ହୋଇଛି, ଯେଉଁଥିରେ ଶ୍ରୀଅନ୍ନ ସମ୍ବନ୍ଧିତ ବିଭିନ୍ନ ଗବେଷଣାତ୍ମକ ତଥ୍ୟ ଉଲ୍ଲେଖ ରହିଛି । ଏହାର ଉଦଯାପନୀ ସମାରୋହରେ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟି ଯୋଗ ଦେଇ ସମ୍ମିଳନୀକୁ ସାଫଲ୍ୟମଣ୍ଡିତ କରିଥିଲେ ।