ଲକ୍ଷ ଲକ୍ଷ ଟଙ୍କାର ବାଣ ଜବତ, ଜଣେ ଗିରଫ 

ନୀଳଗିରି,୨୯ା୯ : ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ବେଆଇନ ଭାବରେ ତିଆରି ହୋଇଥିବା ଲକ୍ଷ ଲକ୍ଷ ଟଙ୍କାର ବାଣ ଜବତ କରିବା ସହିତ ପୋଲିସ ଜଣକୁ ଗିରଫ କରିଥିବା ଜଣାପଡ଼ିଛି । ଅଟକ ହୋଇଥିବା ଯୁବକ ଜଣକ ହେଲେ ନୀଳଗିରି ଥାନା ଅଧିନ ଇଶ୍ୱରପୁର ପଞ୍ଚାୟତର ବାଇଧର ଜେନା (୫୮) । ଆଗକୁ ପାର୍ବଣ ଋତୁ ଥିବାରୁ ବାଣ ପ୍ରସ୍ତୁତ କରି ବିକ୍ରି କରିବା ପାଇଁ ବାଣ ତିଆରି କରୁଥିଲେ । ନୀଳଗିରି ଏସଡିପିଓ ପ୍ରମୋଦ କୁମାର ମଲ୍ଲିକ କୌଣସି ସୂତ୍ରରୁ ଖବର ପାଇବା ପରେ ତାଙ୍କ ନିର୍ଦ୍ଦେଶରେ ନୀଳଗିରି ଥାନା ଆଇଆଇସି ଗୋର୍ବଦ୍ଧନ ନାୟକଙ୍କ ନେତୃତ୍ୱରେ ଏସଆଇ ବିକାଶ ଭୋଇ ସଦଳବଳ ନେଇ ବାଣ ତିଆରି ସ୍ଥାନ ଉପରେ ଅଚାନକ ଚଢ଼ାଉ କରି ବାଣ ସହ ଉକ୍ତ ଯୁବକଙ୍କୁ ଗିରଫ କରିଛନ୍ତି । ଜବତ ହୋଇଥିବା ବାଣର ମୂଲ୍ୟ ଦୁଇ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି । ଏ ନେଇ ନୀଳଗିରି ଥାନା ପକ୍ଷରୁ ୩୮୦/୨୫ ନଂ ମାମଲା ରଜୁ କରି ଯୁବକକୁ ଗିରଫ କରିବା ପରେ ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବାର ଜଣାପଡ଼ିଛି ।