ଜଙ୍ଗଲ ଓ ପରିବେଶ ଷ୍ଟାଣ୍ଡିଂ କମିଟି ବୈଠକ

ଜଙ୍ଗଲ ଓ ପରିବେଶ ଷ୍ଟାଣ୍ଡିଂ କମିଟି ବୈଠକ

କେନ୍ଦୁଝର : ଜିଲ୍ଲା ପରିଷଦର ଜଙ୍ଗଲ ଓ ପରିବେଶ ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକ ଜିଲ୍ଲା ପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ ଆଶିଷ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, କୌଶଲ୍ୟା ସେଠୀ, କେଦାର ଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀ ପ୍ରଧାନ, ଅରୁଣ କୁମାର ବାରିକ, ସୁରେନ୍ଦ୍ର ଜେନା, ରଥ ମୁଣ୍ଡାଙ୍କ ସମେତ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ ଇଂ ପ୍ରଶାନ୍ତ କର, ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନର ଡିଏଫ୍‌ଓ ପ୍ରଶାନ୍ତ ପଣ୍ଡା, କେନ୍ଦୁଝର ଡିଭିଜନର ଏସିଏଫ୍‌ ଅଶୋକ ଦାସ ପ୍ରମୁଖ ଉପସ୍ଥିତ ଥିଲେ । 

       ଏହି ବୈଠକରେ ପ୍ରଥମେ ଜଙ୍ଗଲ ବିଭାଗରେ ବେଧଡକ ଗଛ କଟାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା । କେନ୍ଦୁଝର ଡିଭିଜନର ୭ ଟି ରେଞ୍ଜରେ ସଂଖ୍ୟାଲଘୁ କାଠ ମାଫିଆମାନେ ୟୁକାଲିପଟାସ ଏବଂ ଆକାଶିଆ ଗଛ କାଟି ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି । ବିଭିନ୍ନ ଜଙ୍ଗଲରେ ଥିବା ଏହି ପ୍ରଜାତିର ଗଛ କାଟିବାକୁ ବନ ସୁରକ୍ଷା ସମିତି ଆବେଦନ କରୁଛି । ଏହା ଜଙ୍ଗଲ ବିଭାଗ ଅନୁମୋଦନ କରିବା ପରେ ସଂଖ୍ୟାଲଘୁ କାଠ ମାଫିଆମାନେ ଜଙ୍ଗଲ ଭିତରେ ପଶି ଅନୁମତି ଠାରୁ ବହୁ ଗୁଣ ଅଧିକ ଗଛ କାଟି ନେଉଛନ୍ତି । ଗଛ କାଟିବା ସମୟରେ ବନବିଭାଗ କର୍ମଚାରୀ ଉପସ୍ଥିତ ରହୁନଥିବାରୁ ଧାର୍ଯ୍ୟଠାରୁ ବହୁ ଅଧିକ ଏବଂ ଶାଳ ଗଛ ଓ ଅନ୍ୟାନ୍ୟ କିସମର ଗଛ କଟାଯାଇଥିବାରୁ କମିଟିର ଅଧ୍ୟକ୍ଷ ଆଶିଷ ଚକ୍ରବର୍ତ୍ତୀ ଉଦ୍‌ବେଗ ପ୍ରକାଶ କରିଥିଲେ । ସଂରକ୍ଷିତ ଜଙ୍ଗଲରେ ୟୁକାଲିପଟାସ ଗଛ କାଟିବାକୁ ଅନୁମତି ଦିଆଯାଉଥିବାରୁ ଜଙ୍ଗଲର ଘନତ୍ୱ କମୁଛି ଏବଂ ବନ୍ୟପ୍ରାଣୀ ଗାଁ ମୁହାଁ ହୋଇ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ଓ ପରିବେଶ ଏବଂ ଜଳବାୟୁ ଉପରେ ଏହାର କୁପ୍ରଭାବ ପଡୁଛି । ସେହିପରି ଗଛ କଟା ଯିବା ପୂର୍ବରୁ ନିୟମ ଅନୁସାରେ ବିକ୍ରୀ ବାବଦ ଅର୍ଥ ବନ ସୁରକ୍ଷା ସମିତିର ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ । ଏହାର ୪୦ ପ୍ରତିଶତ ଗାଁର ଉନ୍ନତିକରଣ,୪୦ ପ୍ରତିଶତ ଭିଏସ୍‌ଏସ୍‌ ସଦସ୍ୟ ଥିବା ଗ୍ରାମବାସୀମାନଙ୍କ ମଧ୍ୟରେ ବଣ୍ଟାଯିବ ଏବଂ ଅବଶିଷ୍ଟ ୨୦ ପ୍ରତିଶତ ଅର୍ଥ ଗଛ କଟାଯାଇଥିବା ଜଙ୍ଗଲରେ ପୁନର୍ବାର ବୃକ୍ଷରୋପଣ ପାଇଁ ଜମା ରଖିବାର ବ୍ୟବସ୍ଥା ରହିଥିଲେ ମଧ୍ୟ ଏହି ନିୟମ ପାଳନ ହେଉନାହିଁ ବୋଲି କମିଟି ଅଧ୍ୟକ୍ଷ ଆଶିଷ ଚକ୍ରବର୍ତ୍ତୀ ଉଦ୍‌ବେଗ ପ୍ରକାଶ କରିଥିଲେ । ସେହିପରି କେନ୍ଦୁଝର ଜିଲ୍ଲାରେ ୧୬ ଟି ଲାଇସେନ୍ସପ୍ରାପ୍ତ ଦେଶୀ ମଦ ଭାଟି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଠାରୁ ସିଟିଓ ନ ନେଇ ଚାଲୁଥିବାରୁ କମିଟି ଅଧ୍ୟକ୍ଷ ଆଶିଷ ଚକ୍ରବର୍ତ୍ତୀ ଉଦ୍‌ବେଗ ପ୍ରକାଶ କରିଥିଲେ । ସିଟିଓ ଏବଂ ବିନା ପରିବେଶ ମଞ୍ଜୁରୀରେ ଚାଲିଥିବା ଦେଶି ମଦ ଭାଟି ତୁରନ୍ତ ବନ୍ଦ କରିବାକୁ କମିଟି ଅଧ୍ୟକ୍ଷ ଆଶିଷ ଚକ୍ରବର୍ତ୍ତୀ କହିଥିଲେ ।