ରାମନବମୀ
ଗୋପୀନାଥ ଦାଶ : କଳିଯୁଗରେ ଯୋଗ, ଯଜ୍ଞ ଓ ଜ୍ଞାନର କୌଣସି ମହତ୍ୱ ନାହିଁ । ଏକମାତ୍ର ରାମନାମ ଗୁଣଗାନ ହିଁ ପ୍ରାଣୀ ଜଗତକୁ ଉଦ୍ଧାର କରିବାରେ ସହାୟ । ସନ୍ଥଙ୍କ କହିବା କଥା, ପ୍ରଭୁ ଶ୍ରୀରାମଙ୍କ ଭକ୍ତିରେ କପଟ, ଦେଖାଣିଆ ପୂଜାର୍ଚ୍ଚନାର କୌଣସି ମାନେ ନାହିଁ । ତାଙ୍କୁ କେବଳ ଦରକାର ଆନ୍ତରିକ ଭକ୍ତି । ଗୋସ୍ୱାମୀ ତୁଳସୀଦାସ କହିଛନ୍ତି, ଜ୍ଞାନ ଓ ବୈରାଗ୍ୟ ପ୍ରଭୁଙ୍କୁ ପାଇବାର ମାର୍ଗ ନୁହେଁ, କେବଳ ପ୍ରେମ ଓ ଭକ୍ତିରେ ସେ ମିଳିଥାନ୍ତି । ରାମନବମୀ ହିନ୍ଦୁଙ୍କର ଏକ ସାଂସ୍କୃତିକ ପର୍ବ । ଏହି ପର୍ବ ମର୍ଯ୍ୟାଦାପୁରୁଷତ୍ତୋମ ଭଗବାନ ରାମଙ୍କ ଜନ୍ମଦିନ ରୂପରେ ପ୍ରତିବର୍ଷ ଚୈତ୍ର ଶୁକ୍ଳପକ୍ଷ ନବମୀରେ ପାଳନ କରାଯାଏ । ଭଗବାନ ରାମ ଅଯୋଧ୍ୟାରେ ଆଜିର ଦିନରେ ହଜାର ବର୍ଷ ପୂର୍ବେ ରାଜା ଦଶରଥଙ୍କ ପୁତ୍ର ଭାବେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ କୌଶଲ୍ୟା । ଏଥିସହ ଦଶରଥଙ୍କର ଆଉ ଦୁଇ ରାଣୀ ଥିଲେ ଯଥା କୈକେୟୀ ଓ ସୁମିତ୍ରା । ତାଙ୍କ ପୁତ୍ର ଭାବେ ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ମଧ୍ୟ ରାମଙ୍କ ଭାଇ ରୂପେ ଜନ୍ମ ଗ୍ରହଣ କରିଥିଲେ । ରାଜକୁମାର ଶ୍ରୀରାମ ତଥା ଅନ୍ୟ ତିନି ଭାଇଙ୍କ ଶିକ୍ଷା-ଦୀକ୍ଷାର ପ୍ରବନ୍ଧ ବଶିଷ୍ଠ ମୁନିଙ୍କ ଆଶ୍ରମରେ ହୋଇଥିଲା । ସେ ଦଶରଥଙ୍କର ପୂଜ୍ୟ ଗୁରୁ ଥିଲେ । ଏହାଛଡ଼ା କିଛି ବିଶେଷ ଶାସ୍ତ୍ରର ଜ୍ଞାନ ଋଷି ବିଶ୍ୱାମିତ୍ରଙ୍କଠୁ ମଧ୍ୟ ପ୍ରାପ୍ତ ହୋଇଥିଲା । ବିଶ୍ୱାମିତ୍ରଙ୍କ ସାଧ୍ୟ ଯୋଗୁ ଭାଇ ଲକ୍ଷ୍ମଣଙ୍କ ସହ ପ୍ରଭୁ ରାମ ଜନକ ରାଜଧାନୀ ମିଥିଳା ଭ୍ରମଣ କରି ଧନୁଷଯଜ୍ଞରେ ଭାଗ ନେଇଥିଲେ । ଯେଉଁଠାରେ ଭଗବାନ ଶଙ୍କରଙ୍କ ପ୍ରଦତ୍ତ ଦିବ୍ୟ ଧନୁଷ ଥିଲା । ତାକୁ ଯିଏ ଭାଙ୍ଗିବ ସେ ଜନକଙ୍କ କନ୍ୟା ସୀତାଙ୍କୁ ବିବାହ କରିବେ ବୋଲି ଏକ ବଡ଼ ଅନୁଷ୍ଠାନ ଡକାଯାଇଥିଲା । ପ୍ରଭୁ ରାମ କିନ୍ତୁ ଏହି କାମକୁ ଅତି ସହଜରେ କରି ଦେବାରୁ ପ୍ରସନ୍ନତା ପୂର୍ବକ ରାଜା ଜନକ ମା'ସୀତାଙ୍କ ବିବାହ ପ୍ରଭୁ ରାମଙ୍କ ସହ ସମ୍ପନ୍ନ କରାଇଥିଲେ । ସେଠାରେ ଏକସଙ୍ଗେ ଜନକଙ୍କ ଚାରି ଝିଅଙ୍କ ବିବାହ ରାମ ଓ ତାଙ୍କ ଭାଇଙ୍କ ସହ ସମ୍ପନ୍ନ ହୋଇଥିଲା । ଚାରିପୁତ୍ରବଧୁ ଅଯୋଧ୍ୟା ଫେରିବା ପରେ ଆନନ୍ଦ ଓ ଉତ୍ସାହର ସହ ସେମାନଙ୍କ ସ୍ୱାଗତ କରାଯାଇଥିଲା । କିଛି ଦିନ ପରେ ରାଜଦରବାରକୁ ସୂଚନା ଆସିଲା ଯେ ପ୍ରଭୁ ରାମ ରାଜା ଘୋଷିତ ହେବେ । ଏହାକୁ ସହିନପାରି ମନ୍ଥରା ବୁଢ଼ୀର କୁଚକ୍ରାନ୍ତରେ ପଡ଼ି ରାଣୀ କୈକେୟୀ ଦଶରଥଙ୍କଠୁ ଦୁଇଟି ବର ମାଗିନେଲେ । ଗୋଟିଏରେ ଭରତ ରାଜା ହେବେ ଓ ଅନ୍ୟଟିରେ, ରାମ ଚଉଦ ବର୍ଷ ବନକୁ ଯିବେ । ଏହି ଘଟଣାରେ ପିତୃସତ୍ୟ ପାଳିବା ପାଇଁ ପ୍ରଭୁ ରାମ, ମା'ସୀତା ଓ ଲକ୍ଷ୍ମଣ ବନବାସ ଗମନ କରିଥିଲେ । ବନବାସରୁ ଫେରିବା ପରେ ରାମ ବେଶ ଆନନ୍ଦର ସହ ଅନେକ ବର୍ଷ ଧରି ପ୍ରଜାଙ୍କୁ ଖୁସି କରି ଶାସନ କଲେ । ରାମରାଜ୍ୟ ଆଦର୍ଶ ରାଜ୍ୟ ଥିଲା । ରାମ ନବମୀକୁ ରାମଙ୍କ ଜନ୍ମଦିନ ମାନି ହିନ୍ଦୁଧର୍ମାବଲମ୍ବୀମାନେ ଏହି ବ୍ରତ ପାଳନ କରିଥାନ୍ତି । ଏହିଦିନ ମନ୍ଦିରରେ ପୂଜାର ଆୟୋଜନ ହୋଇଥାଏ । ଚୈତ୍ର ନବରାତ୍ରର ଏହା ଅନ୍ତିମ ଦିନ ହୋଇଥିବାରୁ ଏହିଦିନ ବାସନ୍ତୀକ ଦୁର୍ଗାପୂଜା ମଧ୍ୟ ହୋଇଥାଏ ।
ଯାଜପୁର ମୋ: ୮୮୯୫୨୯୬୧୬୭