ସୃଷ୍ଟିର ମହାନାୟକ ଓ ସଂଚାଳକ ଶ୍ରୀକୃଷ୍ଣ
ଭଗବାନ ଶ୍ରୀକୃଷ୍ଣ ଆମ ସଂସ୍କୃତିର ଜଣେ ଅଦ୍ଭୁତ ଏବଂ ବିଲକ୍ଷଣ ମହାନାୟକ । ତାଙ୍କ ଚରିତ୍ର ଓ ସାମାଜିକ ଭୂମିକା ବହୁ ଚର୍ଚ୍ଚିତ । ଏପରିକି ଆଧୁନିକ ଯୁଗର ବିଦ୍ୱାନମାନେ ଏହି ପୌରାଣିକ ଚରିତ୍ରକୁ ବିଶ୍ଳେଷଣ କରି ତାଙ୍କ ଭୂମିକାକୁ ଆଧୁନିକ ଯୁଗର ଏକ ‘ମ୍ୟାନେଜମେଣ୍ଟ ଗୁରୁ’ ମାନ୍ୟତାପ୍ରାପ୍ତ ଚରିତ୍ର ଭାବେ ତୁଳନା କରିଛନ୍ତି । ସେମାନଙ୍କ ମତରେ ଶ୍ରୀକୃଷ୍ଣଙ୍କ ପ୍ରଭାବୀ ଚରିତ୍ରରେ ଏକ ସଫଳ ମ୍ୟାନେଜମେଣ୍ଟ(ପ୍ରବନ୍ଧନ) ଗୁରୁଙ୍କର ସମସ୍ତ ଗୁଣ ରହିଛି । ସେ ଶାସକ କିନ୍ତୁ କେବେ ତାଙ୍କୁ ରାଜା ଶ୍ରୀକୃଷ୍ଣ ଭାବେ ସମ୍ବୋଧିତ କରାଯାଏ ନାହିଁ । ସେ ତ ବ୍ରଜ ନନ୍ଦନ ଅଟନ୍ତି । କୁଶଳ ପ୍ରବନ୍ଧନର ଦକ୍ଷତା କାରଣରୁ ସମାଜ ଏବଂ ରାଷ୍ଟ୍ରବ୍ୟବସ୍ଥା ତାଙ୍କ ପାଇଁ କର୍ତ୍ତବ୍ୟ ଥିଲା, ଧର୍ମ ତାଙ୍କର ଆତ୍ମନିଷ୍ଠା ପାଲଟିଥିଲା । ସେ ପ୍ରବୃତ୍ତି ଏବଂ ନିବୃତ୍ତି ଉଭୟର ସଂଯୋଜନାରେ ସଚେତନ ଥିଲେ । ଶ୍ରୀକୃଷ୍ଣଙ୍କ ଆଦର୍ଶରେ ହିଁ ଦେଶ ଏବଂ ଦୁନିଆରେ ଶାନ୍ତି ସ୍ଥାପିତ କରିବାର ମାର୍ଗ ପ୍ରଶସ୍ତ ହୋଇପାରିବ । ଶ୍ରୀକୃଷ୍ଣଙ୍କ ପ୍ରବନ୍ଧନ ରହସ୍ୟକୁ ବୁଝିବା ପାଇଁ ତାଙ୍କର ଆଦର୍ଶ ରାଜନୀତି, ବ୍ୟାବହାରିକ ଲୋକତନ୍ତ୍ର, ସାମାଜିକ ବ୍ୟବସ୍ଥା, ଏକାତ୍ମ ମାନବବାଦ ଏବଂ ଅନୁଶାସିତ ସୈନ୍ୟ ଏବଂ ଯୁଦ୍ଧ ସଂଚାଳିତ ବ୍ୟବସ୍ଥା ଜାଣିବାକୁ ପଡିବ । ରାଷ୍ଟ୍ରର ସର୍ବାଙ୍ଗୀନ ବିକାଶ ପାଇଁ କେଉଁ ପ୍ରକାରର ନୀତି ଏବଂ ନିୟମ ଆବଶ୍ୟକ ସେ ସବୁ ପ୍ରଶ୍ନର ଉତ୍ତର ଶ୍ରୀକୃଷ୍ଣଙ୍କ ପ୍ରଭାବୀ ପ୍ରବନ୍ଧନ ସୂତ୍ରରୁ ମିଳିଥାଏ । ଶ୍ରୀକୃଷ୍ଣଙ୍କ ବ୍ୟକ୍ତିତ୍ୱ ଏବଂ କୃତିତ୍ୱ ନେତୃତ୍ୱ ତଥା ପ୍ରବନ୍ଧନର ସମସ୍ତ ବିଶେଷତା ବହୁରଙ୍ଗୀ ଅର୍ଥାତ୍ ରାଜନୈତିକ କୌଶଳ, ବୁଦ୍ଧିମତା, ଚାତୁର୍ଯ୍ୟ, ଯୁଦ୍ଧନୀତି, ଆକର୍ଷଣ, ପ୍ରେମ ଭାବ, ଗୁରୁତ୍ୱ, ସୁଖ ଦୁଃଖ ଏବଂ ଆହୁରି ଅନେକ କିଛି । ଜଣେ ଦେଶଭକ୍ତ ପାଇଁ ଶ୍ରୀକୃଷ୍ଣ ଭଗବାନ ତ ଅଟନ୍ତି ଏଥି ସହ ସେ ଜୀବନ ଜିଇଁବାର କଳା ଏବଂ ସଫଳ ନାଗରିକତା କଥା ମଧ୍ୟ ଶିଖାଇଛନ୍ତି । ସେ ନିଜର ବ୍ୟକ୍ତିତ୍ୱର ବିବିଧ ବିଶେଷତାର ଭାରତୀୟ ସଂସ୍କୃତିରେ ଉଚ୍ଚ ମହାପ୍ରବନ୍ଧକର ପଦ ପ୍ରାପ୍ତି କରିଥିଲେ । ଗୋଟିଏ ପକ୍ଷରେ ସେ ରାଜନୀତିର ଜ୍ଞାତା, ତ ଅନ୍ୟ ପକ୍ଷରେ ଦର୍ଶନର ପ୍ରକାଣ୍ଡ ପଣ୍ଡିତ ଥିଲେ । ଧାର୍ମିକ, ରାଜନୈତିକ ଏବଂ ସାମାଜିକ ଜଗତକୁ ମଧ୍ୟ ନେତୃତ୍ୱ ଦେଇଥିଲେ ତଥା ଜ୍ଞାନ-କର୍ମ- ଭକ୍ତିର ସମନ୍ୱୟବାଦୀ ଧର୍ମ ମଧ୍ୟ ପ୍ରଭାବିତ କରିଥିଲେ । ନିଜର ଯୋଗ୍ୟତାର ଆଧାରରେ ସେ ଯୁଗପୁରୁଷ ଥିଲେ ଓ ପରବର୍ତ୍ତୀ ଅବସ୍ଥାରେ ଯୁଗାବତାର ଭାବେ ସ୍ୱୀକୃତ ହୋଇଥିଳେ । ଆମେ ତାଙ୍କୁ ଜଣେ ମହାନ କ୍ରାନ୍ତିକାରୀ ନାୟକ ଭାବେ ମନେ ରଖିଛେ । ସେ ଦାର୍ଶନିକ, ଚିନ୍ତକ, ଗୀତା ମାଧ୍ୟମରେ କର୍ମ ଏବଂ ସାଂକ୍ଷଯୋଗର ସଂଦେଶବାହକ ଏପରିକି ମହାଭାରତ ଯୁଦ୍ଧରେ ନୀତି ନିର୍ଦେଶକ ଥିଲେ । କିନ୍ତୁ ସରଳ ନିଛଳ ବ୍ରଜବାସୀ ମାନଙ୍କ ପାଇଁ ସେ ଥିଲେ ରାସ ରଚେତା, ଲହୁଣୀ ଚୋର, ଗୋପୀମାନଙ୍କ ମାଠିଆ ଭାଙ୍ଗୁଥିବା ଦୁଷ୍ଟ କହ୍ନେଇ ଏବଂ ଗୋପୀମାନଙ୍କ ଚିତ୍ତଚୋର । ଗୀତାରେ ଏ ସବୁର ଭାବାଭିବ୍ୟକ୍ତି ରହିଛି – “ହେ ଅର୍ଜୁନ! ଯେଉଁ ଭକ୍ତ ମୋତେ ଯେଉଁ ଭାବନାରେ ଭଜିଥାଏ ମୁଁ ତାକୁ ସେଇ ପ୍ରକାର ଭଜିଥାଏ” । ଶ୍ରୀକୃଷ୍ଣଙ୍କ ଜୀବନ ଆଦର୍ଶକୁ ଯିଏ ଆତ୍ମସାତ କରି ପାରିବ ସେ ଜଣେ କୁଶଳ ପ୍ରବନ୍ଧିକ ଭାବେ ନିଜକୁ ପ୍ରଦର୍ଶିତ କରିପାରିବ ।
ସଠିକ୍ ପ୍ରବନ୍ଧନ ବିନା କୌଣସି କାର୍ଯ୍ୟର ଶ୍ରେଷ୍ଠତମ ପରିମାଣ ମିଳିପାରେ ନାହିଁ । ଜୀବନର ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇଁ ସଠିକ୍ ପ୍ରବନ୍ଧନ ନିହାତି ଆବଶ୍ୟକ । ସାର୍ଥକ ଜୀବନ ପାଇଁ ମଧ୍ୟ ସଠିକ୍ ପ୍ରବନ୍ଧନ ଜରୁରି । ଶ୍ରୀକୃଷ୍ଣ ପ୍ରବନ୍ଧନ (ମ୍ୟାନେଜମେଣ୍ଟ) ଗୁରୁ ର ଭୂମିକା ନିର୍ବାହକରି ସଫଳ ଏବଂ ସାର୍ଥକ ଜୀବନ ଜିଇଁବାର ପ୍ରବନ୍ଧନ ସୁତ୍ରର ଶିକ୍ଷା ଦେଇଛନ୍ତି ଯାହା ସଂପୂର୍ଣ୍ଣ ମାନବ ଜାତିକୁ ପଥ - ପ୍ରଦର୍ଶନ କରୁଛି । ଶ୍ରୀକୃଷ୍ଣଙ୍କ ପ୍ରବନ୍ଧନ ନୀତିର ବିଶେଷତ୍ୱ ହେଉଛି ଯେ ତାଙ୍କ ଭାବନା ଏବଂ ବିବେକ ପରସ୍ପରର ପୂରକ ଥିଲେ । ପ୍ରବନ୍ଧନ ଗୁରୁ ଶ୍ରୀକୃଷ୍ଣଙ୍କ ବ୍ୟାବହାରିକ କୌଶଳ ଥିଲା ଯେ ସର୍ବ ପ୍ରଥମେ ଅତ୍ୟାଚାରୀ ଙ୍କସକୁ ସେ ଆର୍ଥôକ ·ପରେ ଦୁର୍ବଳ କରି ଦେଇଥିଲେ ଓ ପରେ ତାକୁ ବଧ କରି ଥିଲେ । ପୁରା ମହାଭାରତ ଯୁଦ୍ଧ ସମୟରେ ସେ କେବେ ଦୁଃଖିତ ହୋଇନଥିଲେ କିମ୍ବା ଅତ୍ୟଧିକ ଉସôାହିତ ମଧ୍ୟ ହୋଇନଥିଲେ । ଜଣେ ବ୍ୟକ୍ତି ମଧ୍ୟରେ ଅନେକ ଗୁଣ, ବିଶେଷତା ଏବଂ କୌଶଳର ସମାବେଶ ସେତେବେଳେ ହୋଇପାରେ ଯେତେବେଳେ ସେ ପ୍ରବନ୍ଧନରେ ଅଭିଜ୍ଞତା ହାସଲ କରି ପାରିଥାନ୍ତି । ଶ୍ରୀକୃଷ୍ଣ ଏମିତି ଏକ ଆଦର୍ଶ ଚରିତ୍ର ଯିଏ ଅର୍ଜୁନଙ୍କ ମାନସିକ ବ୍ୟଥାର ନିଦାନ କରିବା ସମୟରେ ଜଣେ ମନୋବୈଜ୍ଞାନିକ ଭାବେ ନିଜକୁ ପ୍ରତିପାଦିତ କରିଥିଲେ । କଂସକୁ ସଂହାର ବେଳେ ଜଣେ ଧର୍ମାବତାର ପାଲଟିଥିଲେ । ସ୍ୱାର୍ଥ ପୋଷିତ ରାଜନୀତିର ପ୍ରତିକାର କରି ଜଣେ ଆଦର୍ଶ ରାଜନୀତିଜ୍ଞ, ମୋହନ ବଂଶୀବଜାଇ ଜଶେ ଶ୍ରେଷ୍ଠ ସଙ୍ଗୀତଜ୍ଞ, ବ୍ରଜବାସୀଙ୍କ ଆଗରେ ପ୍ରେମାବତାର, ସୁଦାମା ଆଗରେ ଜଣେ ଆଦର୍ଶ ବଂଧୁ, ସୁଦର୍ଶନ ଚକ୍ରଧାରୀ ରୂପରେ ଜଣେ ଯୋଦ୍ଧା ଓ ସାମାଜିକ କ୍ରାନ୍ତିର ପ୍ରେରଣାଦାତା ଭାବେ ନିଜକୁ ପ୍ରତିପାଦିତ କରିଥିଲେ । ତାଙ୍କ ଜୀବନର ଅନେକ ଛୋଟ ଛୋଟ ଘଟଣା ମଧ୍ୟ ସମାଜ ପାଇଁ ପ୍ରେରଣାଦାୟୀ । ସେ ଥିଲେ ସର୍ବଐଶ୍ୱର୍ଯ୍ୟସମ୍ପନ୍ନ । ଧର୍ମର ସାକ୍ଷାତ୍ ମୂର୍ତ୍ତି, କୁଶଳ ରାଜନୀତିଜ୍ଞ ଥିଲେ ଶ୍ରୀକୃଷ୍ଣ । ସୃଷ୍ଟି ସଂଚାଳକ ରୂପରେ ସେ ଥିଲେ ଜଣେ ମହା ପ୍ରବନ୍ଧକ । ତାଙ୍କ ପ୍ରବନ୍ଧନର ମନ୍ତ୍ର ଅନୁସାରେ ଶ୍ରେଷ୍ଠ ବ୍ୟକ୍ତି ସର୍ବଦା ପଦବୀ ଏବଂ ଗାରିମା ଅନୁରୂପ ବ୍ୟବହାର ଓ ଆଚରଣ ପ୍ରଦର୍ଶନ କରିବା ଉଚିତ । କାରଣ ସେହି ବ୍ୟକ୍ତିମାନେ ଲୋକଙ୍କ ପାଇଁ ଆଦର୍ଶ ଅଟନ୍ତି । ସେମାନଙ୍କୁ ଲୋକ ଅନୁକରଣ କରିଥାନ୍ତି । କୁରୁକ୍ଷେତ୍ରର ଯୁଦ୍ଧଭୂମିରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଗୀତାର ଯେଉଁ ଉପଦେଶ ଦେଇଥିଲେ ତାହା ହେଉଛି ପ୍ରବନ୍ଧନ ବା ମ୍ୟାନେଜମେଣ୍ଟର ଅମରସୁକ୍ତ । ମୋହବଶ ହୋଇଥିôବା ଅର୍ଜୁନ ଯୁଦ୍ଧଭୂମିରେ ଅସ୍ତ୍ର ତ୍ୟାଗ କରିଦେଇଥିଲେ । ସେତେବେଳେ ଗୀତାର ଉପଦେଶ ମାଧ୍ୟମରେ ଶ୍ରୀକୃଷ୍ଣ ତାଙ୍କୁ ଧର୍ମାନୁସାରେ କର୍ମ କରିବାରେ ପ୍ରେରଣା ଦେଇଥିଲେ । ଉପଦେଶ ମାଧ୍ୟମରେ ସେ ଅର୍ଜୁନଙ୍କୁ ପ୍ରବନ୍ଧନର ସୂତ୍ର ବୁଝାଇଥିଲେ । ଶ୍ରୀକୃଷ୍ଣଙ୍କ ଉପଦେଶ ଅନୁସାରେ ମନୁଷ୍ୟର ମନରେ ଯଦି କାମନା ଥାଏ ତାଙ୍କୁ କେବେ ସୁଖ ଶାନ୍ତି ମିଳି ନଥାଏ । ତେଣୁ ସୁଖ ଶାନ୍ତି ପାଇବାକୁ ହେଲେ କାମନାକୁ ତ୍ୟାଗ କରିବାକୁ ପଡିବ । ଆମେ କର୍ମକରିବାବେଳେ ତାର ଫଳ କ’ଣ ହେବ ସେକଥା ଭାବିଲେ ଆମେ ଦୁର୍ବଳ ହୋଇଯିବା । ଏଣୁ ଆମେ ପରିଣାମର କଥା ଚିନ୍ତା ନକରି ନିଜର କର୍ମ ପ୍ରତି ଧ୍ୟାନ ଦେବା ଆବଶ୍ୟକ ଯାହା ଫଳରେ ଆମେ ଆମ କର୍ତ୍ତବ୍ୟର ପାଳନ କରି ପାରିବା ଓ ଏହା ହେଉଛି ପ୍ରବନ୍ଧନର ଆଦିସୂତ୍ର । ଶ୍ରୀକୃଷ୍ଣଙ୍କ ପ୍ରଶାସନିକ ଏବଂ ରାଜନୈତିକ ଚରିତ୍ର ଅତ୍ୟନ୍ତ ଅଲୌକିକ । ସେଥିରୁ ସମଗ୍ର ବିଚାର ଦର୍ଶନର ସଂକ୍ଷେପ ସଂଦେଶ ହେଉଛି- କର୍ମ । କର୍ମ ମାଧ୍ୟମରେ ହିଁ ସମାଜର ଅନିଷ୍ଟକାରୀ ପ୍ରବୃତ୍ତିକୁ ଦମନକରି ତା ସ୍ଥାନରେ ବରେଣ୍ୟ ପ୍ରବୃତ୍ତିକୁ ସ୍ଥାପନ କରାଯାଇପାରେ ।
ଶ୍ରୀକୃଷ୍ଣଙ୍କ ବ୍ୟକ୍ତିତ୍ୱ ଅସୀମ କରୁଣାରେ ପରିପୂର୍ଣ୍ଣ । କିନ୍ତୁ ଅନୀତି ଏବଂ ଅତ୍ୟାଚାରର ପ୍ରତିକାର କରିବା ଭଳି କଠୋର ବ୍ୟକ୍ତିତ୍ୱ ତାଙ୍କଠାରେ ମଧ୍ୟ ରହିଥିଲା । ଭକ୍ତଙ୍କ ପାଇଁ ଯାହାଙ୍କ ହୃଦୟ ତରଳିଯାଉଥିଲା ସେହି ଶ୍ରୀକୃଷ୍ଣ ଦଣ୍ଡ ଦେବା ପାଇଁ ଅତ୍ୟନ୍ତ କଠୋର ହୋଇଯାଉଥିଲେ । କେବେ ପ୍ରେମ କରିବା, କେବେ ଘୃଣା କରିବା, କେବେ କଠୋର ହେବା ଓ କେବେ ଦୟାବାନ ହେବା ସେ ସବୁ କଥା ଉଚିତ୍ ପ୍ରବନ୍ଧନରେ ହିଁ ସମ୍ଭବ । ନିଜର ଜନ୍ମଠାରୁ ଲୀଳା ସମାପ୍ତି ପୁରା ଅବତାର ସମୟ ମଧ୍ୟରେ ଶ୍ରୀକୃଷ୍ଣ ଅନେକ ସଂଘର୍ଷକୁ ଦେଖିଛନ୍ତି ଓ ସମାପ୍ତି କରିଛନ୍ତି । ପରିସ୍ଥିତିକୁ ଅନୁକୂଳ କରିବାର କଳା ହିଁ ତାଙ୍କ ପାଖରେ ଥିଲା । ତାଙ୍କ ଶିକ୍ଷା ମଧ୍ୟ ଉଚ୍ଚକୋଟୀର ଥିଲା ଯେଉଁଥିପାଇଁ ତାଙ୍କ ବ୍ୟକ୍ତିତ୍ୱର ରଚନାତ୍ମକ ବିକାଶ ଘଟିଥିଲା ।
ରାମଚନ୍ଦ୍ରପୁର, ରଣପୁର
ମୋ -୯୪୩୮୪୮୫୦୯୪