ପରମଶାସ୍ତ୍ର ଭାଗବତ ଓ ଉକôଳୀୟ ଧର୍ମଧାରା

ଅନୁପମା ଭୂୟାଁ : ପରମଶାସ୍ତ୍ର ଭାଗବତ ଭାବ, ଜ୍ଞାନ, ବୈରାଗ୍ୟ ଓ ତତ୍ତ୍ୱ ମାର୍ଗର ପ୍ରଦର୍ଶକ  । ଅନ୍ୟ ଅର୍ଥରେ ଭଗବାନଙ୍କ ସାକ୍ଷାତ ସ୍ୱରୂପ ହେଉଛନ୍ତି ଶ୍ରୀମଦ୍ଭାଗବତ  । ମାନବ କଲ୍ୟାଣ ପାଇଁ କୃଷ୍ଣ ଦ୍ୱୈପାୟନ ବେଦବ୍ୟାସ ଅଷ୍ଟାଦଶ ପୁରାଣ ଗ୍ରନ୍ଥ ରଚନା କରିବା ପରେ ବିଚାର କଲେ ଯେ ସ୍ୱଳ୍ପ ଆୟୁଷ କାଳ ମଧ୍ୟରେ ଅନନ୍ତ ଶାସ୍ତ୍ରକୁ ଅଧ୍ୟୟନ କରି ସାରତତ୍ତ୍ୱକୁ ପରିଜ୍ଞାତ ହେବା ସମ୍ଭବପର ନୁହେଁ  । ତେଣୁ ସକଳ ଶାସ୍ତ୍ରର ସାରତତ୍ତ୍ୱକୁ ସନ୍ନିବିଷ୍ଟ କରି ବ୍ୟାସଦେବ ରଚନା କରିଥିଲେ ଶ୍ରୀମଦ୍ଭାଗବତ ମହାପୁରାଣ  । ବେଦ ଚତୁଷ୍ଟୟକୁ କଳ୍ପବୃକ୍ଷ ରୂପେ ଋଷିଗଣ କଳ୍ପନା କରିଥିବାବେଳେ ଶ୍ରୀମଦ୍ଭାଗବତ ହେଉଛି ସେହି ବେଦ କଳ୍ପତରୁର ସୁମଧୁର ପକ୍ୱଫଳ  । ଏହି ଦିବ୍ୟ ଫଳ ପାଚି ଝଡ଼ିବା ପରେ ଶୁକଦେବ ଏଥିରେ ଚଞ୍ଚୁ ଆଘାତ କରି ସ୍ୱାଦ ଅସ୍ୱାଦନ କଲେ  । ଶୁକମୁଖ ଦ୍ୱାରା ନଷ୍ଟ ହୋଇ ସେଥିରୁ ଅମୃତରସ ଝରିଆସିଲା  । ବିିବିଧ ରସର ଭଣ୍ଡାର ଭାଗବତର ଦିବ୍ୟ ଅମୃତସରକୁ ମର୍ମଜ୍ଞ ରସିକ ପୁରୁଷମାନେ ପାନ କରିବାରେ ଲାଗିଲେ  । ବାସ୍ତବରେ ଶ୍ରୀମଦ୍ଭାଗବତରେ ଅନେକ ମତର ସମନ୍ୱୟତା ପ୍ରତିପାଦିତ ହୋଇଛି  । ଏହି ମହାନ୍ ଗ୍ରନ୍ଥ ହେଉଛି ବିଦ୍ୟାର ଭଣ୍ଡାର  । ବାରଟି ସ୍କନ୍ଧରେ ବିଭକ୍ତ ଭାଗବତ ଶାସ୍ତ୍ରରେ ଷଡ଼ ସମ୍ବାଦ ମାଧ୍ୟମରେ ସକାମ କର୍ମ, ନିଷ୍କାମ କର୍ମ, ସକାମ ଓ ନିଷ୍କାମ୍ ଭକ୍ତର ବିବିଧ ସ୍ୱରୂପ, ସାଧନ ଜ୍ଞାନ, ସାଧ୍ୟଜ୍ଞାନ, ମର୍ଯ୍ୟାଦାମାର୍ଗ, ବର୍ଣ୍ଣାଶ୍ରମ ଧର୍ମ, ପୌରୁଷର ସାଧନ, ଅବତାର ରହସ୍ୟ, ଧର୍ମର ଆଶ୍ରୟ, ହରିଭକ୍ତ ରସାମୃତ, ସୃଷ୍ଟିସ୍ଥିତି ପ୍ରଳୟାଦି ବିବରଣ ଓ ଦ୍ୱୈତ-ଅଦ୍ୱୈତ ଦର୍ଶନର ଅବତାରଣା କରାଯାଇଛି  । ଏହି ଶାସ୍ତ୍ର ପରମାର୍ଥ ସହିତ ସାଂସାରିକ ଜୀବନକୁ ସୁଖମୟ ଓ ଉନ୍ନତି କରିବା ପାଇଁ ମାର୍ଗଦର୍ଶକ  । ସକଳ ବିଘ୍ନନାଶ ପାଇଁ ନାରାୟଣ କବଚ, କାମନା ପୂର୍ତ୍ତି ପାଇଁ ଫୁସବନ ବ୍ରତ, ମନୋବା‚ିତ ସନ୍ତାନ ସନ୍ତିତ ପାଇଁ ପୟୋବ୍ରତ, ରଣମୁକ୍ତି ପାଇଁ ଗଜେନ୍ଦ୍ରସ୍ତୁତି ଆଦି ଅବ୍ୟର୍ଥ ଉପାୟ ସବୁ ଏହି ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି  । ଇହଲୋକ ଓ ପରଲୋକରେ କଲ୍ୟାଣକାରୀ ଏହି ଶାସ୍ତ୍ରକୁ ପରମହଂସ ସଂହିତା ବୋଲି ମଧ୍ୟ କୁହାଯାଏ  । 
ଆଶ୍ୱିନ ମାସ ପ୍ରଥମ ଦିନ ପୂର୍ଣ୍ଣିମା ତିଥିକୁ ଇନେ୍ଦ୍ରାତ୍ସବ ପୂର୍ଣ୍ଣିମା ବା ଶ୍ରୀମଦ୍ ଭାଗବତ ଜୟନ୍ତୀ ବୋଲଇ ଆମ ହିନ୍ଦୁ ମତରେ ସ୍ୱତନ୍ତ୍ର ଦିବସ ଭାବେ ଆଧ୍ୟାତ୍ମିକ ଚେତନାରେ ପାଳନ କରାଯାଏ  । ଏହାର ପରଦିନ ଅପରପକ୍ଷ ପିତୃତର୍ପଣ ଆରମ୍ଭ ହୁଏ  । ଏହି ଦିବସଟି ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ପାଇଁ ଏକ ବିଶେଷ ଦିବସ  । ହିନ୍ଦୁମାନଙ୍କ ମତରେ ଏହି ଦିନ ମହାପୁରୁଷ ଭଗବାନ ବ୍ୟାସ ଦେବଙ୍କ ଦ୍ୱାରା ଶ୍ରୀମଦ୍ ଭଗବତ୍ ଗୀତା ରଚିତ ହୋଇଥିଲା  । ଅନ୍ୟ ତିନି ଯୁଗ ତୁଳନାରେ କଳିଯୁଗରେ ମଣିଷମାନେ ଅଳ୍ପାୟୁଷ, ଦିଗଭ୍ରଷ୍ଟ ଏବଂ ଅଜ୍ଞାନ ହୋଇଥାଆନ୍ତି  । ସେମାନେ କିପରି ନିଜର ଧର୍ମକୁ ନିଜେ ପାଳନ କରିବେ ସେଥିନିମନ୍ତେ ମହର୍ଷି ବ୍ୟାସଦେବ ସ୍ୱରଚିତ ଭାଗବତରେ ବିଭିନ୍ନ ଉଦାହରଣ ଦେଇ ବର୍ଣ୍ଣନା କରିଛନ୍ତି  । ବାସ୍ତବରେ ଭାଗବତ ହେଉଛି କାଳଜୟୀ ଏବଂ ଅମର  । ଏହାର ଲେଖା ପ୍ରତ୍ୟେକ ବ୍ୟକ୍ତିବିଶେଷ ପାଇଁ ଏକାନ୍ତ ଆବଶ୍ୟକ  । ନୈଷ୍ଠିକ ହିନ୍ଦୁ ପରିବାରରେ ଭାଗବତ ପ୍ରତିଦିନ ପାଠ କରାଯାଏ  । ଭାଗବତକୁ ପଠନ କରୁଥିବା ଏବଂ ଶ୍ରବଣ କରୁଥିବା ଧର୍ମାତ୍ମା ବାସ୍ତବରେ ମହାନ୍  । ଗାଁ ଗାଁରେ ଦେବାଳୟରେ, ମନ୍ଦିରମାନଙ୍କରେ, ଧର୍ମପୀଠରେ ଭାଗବତ ଟୁଙ୍ଗିମାନ ପ୍ରତିଷ୍ଠା କରାଯାଇ ଦେଶ, ଜାତି ତଥା ବ୍ୟକ୍ତିର ଉନ୍ନତି ପାଇଁ ଭାଗବତ ପାଠ କରାଯାଏ  । 
    ଭଗବାନ ବ୍ୟାସଦେବ ବେଦ, ଉପନିଷଦ, ମହାଭାରତ, ଗାୟତ୍ରୀ ଏବଂ ପୁରାଣ ରଚନା କରି ସେତିକିରେ ସନ୍ତୋଷ ନଥିଲେ  । ତେଣୁ ସେ ଜଗତ କଲ୍ୟାଣର ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ବ୍ରହ୍ମର୍ଷି ନାରଦଙ୍କ ପରାମର୍ଶରେ ରଚନା କରିଥିଲେ  । ଶ୍ରୀମଦ୍ ଭାଗବତ୍ ଯେଉଁଥିରେ ଅଠର ହଜାର ଶ୍ଲୋକ ରହିଅଛି  । ଭଗବାନଙ୍କ ଦ୍ୱାରା ଏହା ରଚିତ ହୋଇଥିବାରୁ ଏହାର ଭାଗବତ କୁହାଯାଏ  । ଭାଗବତର ତତ୍ତ୍ୱ ବିଶେଷଭାବେ ଶରୀର ତତ୍ତ୍ୱ, ଜନସଚେତନତା ଏବଂ ସମାଜମଙ୍ଗଳ ଉଦ୍ଦିଷ୍ଟ  । ବ୍ୟାସକୃତ ସଂସ୍କୃତ ଭାଗବତରେ ଶୁକମୁନି ରାଜା ପରୀକ୍ଷିତଙ୍କୁ କାହାଣୀ କହିବା ମାଧ୍ୟମରେ ବହୁ ଉପଦେଶ, ପରାମର୍ଶ ଦେଇଛନ୍ତି  । ଯାହା ଅତ୍ୟନ୍ତ ସୁନ୍ଦର ଏବଂ ହୃଦୟସ୍ପର୍ଶୀ  । ସଂସାରର ରୀତିନୀତି, ଚାଲିଚଳଣି, ଆଦବକାଇଦା ଆଦି ଏଥିରେ ସ୍ୱତନ୍ତ୍ର ଭାବେ ଉଦାହରଣ ମାଧ୍ୟମରେ ରଚନା କରାଯାଇଛି  । ମହାପୁରୁଷ ଜଗନ୍ନାଥ ଦାସ ତାଙ୍କ ମାତାଙ୍କ ଅନୁରୋଧ ରକ୍ଷା କରି ବ୍ୟାସକୃତ ଶ୍ରୀମଦ୍ ଭାଗବତକୁ ଓଡ଼ିଶା ନବାକ୍ଷରୀ ଛନ୍ଦରେ ରଚନା କରିଛନ୍ତି  । ଯାହାକୁ ଗଜପତି ପ୍ରତାପରୁଦ୍ର ଦେବ ଓଡ଼ିଶାର ଗ୍ରାମେ ଗ୍ରାମେ ଭଗବତ ଟୁଙ୍ଗିମାଧ୍ୟମରେ ଭାଗବତ ବାଣୀ ପ୍ରଚାର ଓ ପ୍ରସାର କରାଇଥିଲେ  ।
    ଭାଗବତକୁ ଭଗବାନଙ୍କ ପ୍ରତ୍ୟକ୍ଷ ରୂପ ବୋଲି ମନେକରି ହିନ୍ଦୁ ଧର୍ମର ପ୍ରତ୍ୟେକ ଘରେ ଘରେ ଆସ୍ଥାନରେ ରଖି ବିଧିବିଧାନର ସହିତ ପୂଜାର୍ଚ୍ଚନା କରାଯାଉଛି  । ଭାଗବତ ପଢ଼ିବା ଦ୍ୱାରା ସକଳ ପାପତାପ ରୋଗ ଆଦି ଦୂରୀଭୂତ ହୁଏ ବୋଲି ବିଶ୍ୱାସ  । ଶ୍ରୀମନ୍ଦିରରେ ଭାଗବତ ପାଠର ପରମ୍ପରା ସ୍ୱତନ୍ତ୍ର ଭାବରେ ରହିଅଛି  । ବ୍ୟାସରଚିତ ସଂସ୍କୃତ ଭାଗବତର ପ୍ରଥମ ଟୀକାକାର ହେଉଛନ୍ତି ଆଚାର୍ଯ୍ୟ ଶ୍ରୀଧରସ୍ୱାମୀ  । ଶ୍ରୀଧରଙ୍କ ଟୀକା ପରେ ଭାଗବତ ଶାସ୍ତ୍ର ଭାରତବର୍ଷର ମୁଖ୍ରକାମୀ ଅଗଣିତ ବିଦ୍ୱାନ ଓ ଶ୍ରଦ୍ଧାଳୁଙ୍କ ପଥପ୍ରଦର୍ଶକ ସାଜିଥିଲା  । ଏହି ଟୀକା ମାଧ୍ୟମରେ ଭକ୍ତଗଣ ଭାଗବତର ମର୍ମ ବୁଝିବାକୁ ସକ୍ଷମ ହୋଇଥିଲେ  । ପଞ୍ଚଦଶ ଶତାବ୍ଦୀର ଶେଷଭାଗରେ ଉକ୍ରଳଭୂମିରେ ପଞ୍ଚସଖା ଯୁଗୀୟ ଜ୍ଞାନାମିଶ୍ରିତ ଭକ୍ତିମାର୍ଗର ପ୍ରଚାର ହୋଇଥିଲା  । ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ଅତିବଡ଼ି ଜଗନ୍ନାଥ ଦାସଙ୍କ ଦ୍ୱାରା ଓଡ଼ିଆ ଭାଗବତ ରଚନା କରାଯାଇଥିଲା  । ନିଜ ଜନନୀର ଇଛା ପୂରଣ କରିବାକୁ ଯାଇ ଯେଉଁ ମହାଶାସ୍ତ୍ର ରଚିତ ହେଲା, ତାହା ଆଜି ବି ଉକ୍ରଳୀୟଙ୍କ ମାର୍ଗଦର୍ଶକ ସାଜିଛି  । ପୁରୀ ନିକଟସ୍ଥ କପିଳେଶ୍ୱରପୁର ବ୍ରାହ୍ମଣଶାସନରେ ରାଧାଷ୍ଟମୀରେ ଜନ୍ମ ନେଇଥିଲେ ଜଗନ୍ନାଥ  । ପୁରାଣପଣ୍ଡା ଭଗବାନ ଦାଶ ତାଙ୍କର ପିତା ଓ ମାତାଙ୍କ ନାମ ପଦ୍ମାବତୀ  । ପିତାଙ୍କ ଦେହାନ୍ତେ ତାଙ୍କୁ ବଡ଼ଦେଉଳରେ ପୁରାଣ ପଢ଼ିବା ବୃତ୍ତିକୁ ଆଦରିନେବାକୁ ପଡ଼ିଥିଲା  । ଏହା କିନ୍ତୁ ଥିଲା ମଣିକାଞ୍ଚନ ସଂଯୋଗ  । ଆବାଲ୍ୟ ହରିଭକ୍ତ ଜଗନ୍ନାଥଙ୍କୁ ମିଳିଲା ମହାପ୍ରଭୁଙ୍କ ନିକଟରେ ବସି ତାଙ୍କରି ଯଶରାଶିକୁ ପଠନ ଓ ମନନ କରିବାର ଅହୋଭାଗ୍ୟ  । ତେବେ ଗୋଟିଏ ଦୁଃଖ  । ନିଜର ଅପାଠୋଇ ମାତା ବୁଝିପାରୁ ନାହାନ୍ତି ସଂସ୍କୃତ ଭାଗବତର ଅର୍ଥ  । ଜନନୀଙ୍କ ଇଛା ଦୂର କରିବାକୁ ମନରେ ଚିନ୍ତା କରି ପରମେଶ୍ୱରଙ୍କୁ ସେ ଧ୍ୟାନ କଲେ  । ସରଳ ସୁନ୍ଦର ନବାକ୍ଷରୀ ବୃତ୍ତରେ ଆରମ୍ଭ କଲେ ସଂସ୍କୃତ ଭାଗବତର ଓଡ଼ିଆ ଅନୁବାଦ  । ନିଜେ ରଚନା କରିଥିବା ପଂକ୍ତିଗୁଡ଼ିକୁ ପ୍ରଥମେ ଜଗନ୍ନାଥଙ୍କୁ ଶୁଣାଇ ଦାସେ ବଟଗଣେଶ ମୂଳେ ବସି ପୁରାଣ ପାଠ କରନ୍ତି  । ଏକଦା ଭେଟ ହେଲେ ଶ୍ରୀଚୈତନ୍ୟ ମହାପ୍ରଭୁ  । ଦାସଙ୍କ ଭାଗବତ ଚର୍ଚ୍ଚାରେ ମୁଗ୍ଧ ହୋଇ ମୁଣ୍ଡରେ ଭିଡ଼ିଦେଲେ ନିଜର ଉତ୍ତରୀୟ  । ସହର୍ଷେ କୋଳାଗ୍ରତ କରିବା ସହ ସେଇଦିନ ଭୂଷିତ କରିଥିଲେ ଅତିବଡ଼ି ଉପାଧିରେ  । ଅନେକ କଠିନ ପରୀକ୍ଷାର ସମ୍ମୁଖୀନ ହୋଇ ନିଜ ଭକ୍ତିର ପରାକାଷ୍ଠା ବଳରେ ରାଜା ପ୍ରତାପରୁଦ୍ରଙ୍କୁ ଚମତ୍କୃତ କରିବା ପରେ ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ ହୋଇଥିଲା ବଡ଼ ଓଡ଼ିଆ ମଠ  । କିନ୍ତୁ ନିଜର ସାଧନା ପାଇଁ ସେ ନିର୍ଜନ ବେଳାଭୂମିରେ ସ୍ଥାପନ କରିଥିଲେ ସାତଲହଡ଼ି ମଠ  । ଏଠାରେ ରହି ରଚନା କଲେ ଓଡ଼ିଆ ଭାଗବତ ଏକାଦଶ ସ୍କନ୍ଧରେ ଶ୍ରୀକୃଷ୍ଣଙ୍କ ସ୍ୱଧାମ ଗମନଲୀଳା  । ଲେଖିସାରିବାର ଅଳ୍ପଦିନ ପରେ ମାଘ ଶୁକ୍ଳ ସପ୍ତମୀରେ ତାଙ୍କର ଲୀଳାବସାନ ହୋଇଥିଲା  । ସନ୍ଥକବି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ମୂଳ ଭାଗବତ ଆଧାରରେ ରଚିତ ହୋଇଥିଲେ ବି ଏହା ଆକ୍ଷରିକ ଅନୁବାଦ ନୁହେଁ  । ପ୍ରକୃତ ଭାଷାରେ ରଚିତ ଏହି କୃଷ୍ଣ ରଚିତ ଗାଥା  । ଏଥିରେ କବିଙ୍କର ଭାଷା ଚାତୁରି ଓ କାବ୍ୟକତା ଅନନ୍ୟ ଭାବେ ପ୍ରତିପାଦିତ  । ଜଗନ୍ନାଥ ଦାସ ମୋଟ ଏକାଦଶ ସ୍କନ୍ଧ ପର୍ଯ୍ୟନ୍ତ ଭାଗବତ ରଚନା କରିଥିବାବେଳେ ମହାଦେବ ଦାସଙ୍କ ରଚିତ ଦ୍ୱାଦଶ ଓ ତ୍ରୟୋଦଶ ସ୍କନ୍ଧ ମଧ୍ୟ ଉପଲବ୍ଧ ହୁଏ  । ତେବେ ମଧ୍ୟଯୁଗୀୟ ଓଡ଼ିଶାରେ ଭାଗବତ ହିଁ ଧର୍ମ ଆନେ୍ଦାଳନରେ ମୁଖ୍ୟ ପୁରୋଧା ଥିବା ଗବେଷକମାନେ ମତ ଦିଅନ୍ତି  । ଏହା ଷୋଡ଼ଶ ଶତାବ୍ଦୀ ଠାରୁ ଉକ୍ରଳୀୟ ଧର୍ମଧାରାକୁ ଅନେକ ପରିମାଣରେ ପ୍ରଭାବିତ କରିଆସୁଛି  । ଲୋକେ କଥାକଥାରେ ଭାଗବତ ପଂକ୍ତି ଉଦ୍ଧାର କରନ୍ତି  । ପ୍ରତିଘରେ ଭାଗବତକୁ ପୂଜା କରାଯାଉଥିବାବେଳେ ଗାଁ ଗାଁରେ ଭାଗବତ ଟୁଙ୍ଗି ମାଧ୍ୟମରେ ଜ୍ଞାନଚର୍ଚ୍ଚା ହୋଇପାରୁଥିଲା  । ଭାଦ୍ରବ ପୂର୍ଣ୍ଣିମାରେ ଜଗନ୍ନାଥ ଦାସ ଭାଗବତ ଲେଖା ଆରମ୍ଭ କରିଥିବା ଜନଶ୍ରୁତି ଆଧାରରେ ଏହି ଦିନ ଭାଗବତ ଜନ୍ମ ଓ ଆଷାଢ଼ ଗୁରୁ ପୂର୍ଣ୍ଣିମାରେ ବଢ଼ା ଉତ୍ସବ ପାଳିତ ହେଉଥିଲା  । ଏବେ କିନ୍ତୁ ଆଧୁନିକତା ନାମରେ ଏହିସବୁ ବୈଭବ ଲୋପ ପାଇଯାଉଥିବା ଦେଖାଯାଉଛି  । ତେବେ ପରମଶାସ୍ତ୍ର ଭାଗବତ ଅଭ୍ୟାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ନିଜର କଲ୍ୟାଣ ପାଇଁ ତଥା ଆତ୍ମୋଦ୍ଧାର ପାଇଁ ନିରନ୍ତର ଭାଗବତ ରସ ଆସ୍ୱାଦନ କରିବା ଆବଶ୍ୟକ  । ଏହାଦ୍ୱାରା ମାନବ ଜୀବନ ଚରିତାର୍ଥ ହୋଇଥାଏ  ।
 କଟକ