ଅଜଣା ଜଗତର ଡାକ
ଅଶୋକ ବିଶ୍ୱାଳ : “ଅଛି ନା, କୁମୁଡା ଖାଡି ( କଖାରୁ ଖାଡି) ।”-ଅସୀମ ପୁଣି ହସିକି କହିଲେ ।
“ତୁମ କଥା ଶୁଣି ମୋତେ ଲାଗୁଛି କିଏ ଯେଣେ ଭଲ ଚାଷୀ ଏ ଗଛଗୁଡାକର ନାମକରଣ କରିଛି । ସେଟଲରମାନେ ନାମକରଣ କରିଥିବେ ଆଉ ସେମାନେ ତ ଏଠି ଚାଷୀ । ଆଗରୁ ବି କେଉଁ ଚାଷୀ ପରିବାରରୁ ଆସିଥିବେ । ଆଚ୍ଛା ଆପଲ, ଅରେଞ୍ଜ ଇତ୍ୟାଦି ଫଳ ଅଛି ତ?”-ଶୋଭନା ପଚାରିଲେ । “ମାନଗ୍ରୁଭ ଆପେଲ ବି ଅଛି ଆଉ ଅଛି ୱେଜ ଆପଲ ଗଛ ମଧ୍ୟ ଅଛି ।” “ଯାହାହେଉ ଏବେ କିଛି ଫଳ ଆସିଗଲା ।” “ସେମିତି ଅଛି ସୋନେରାସିଆ ପ୍ରଜାତି ।” “କଣ କହିଲ ସୋନେରିଟା, ସ୍ପାନିଶ ଗୀତ ଗାଉଥିବା ଅବିବାହିତା ତରୁଣୀ , ଅପୂର୍ବ ରୂପସୀ ସୁନ୍ଦରୀ ହୋଇଥିବ, ମଧୁର ଭାବେ ହସୁଥିବ । କାମିଲା କାବେଲୋ ଆଉ ଶନ ମେଣ୍ଡିସଙ୍କ ଚିରସ୍ମରଣୀୟ ଗାନା
ମୋତେ ଭଲଲାଗେ ଯେତେବେଳେ ତୁମେ ମୋତେ କୁହ ସେନୋରିଟା- —
କହିପାର କିଏ ସୋନେରିଟା ଗୀତର କେହି ପ୍ରଶଂସକ ସେନୋରେସିଆ ନାମଟା ଉଦ୍ଭାବନ କରିଥିବ ।”- ଶୋଭନା ଏତେଗୁଡାଏ କଥା ଏକାସାଙ୍ଗରେ କହିଗଲେ । ତାଙ୍କ କଣ୍ଠରେ ସେନୋରିଟା ଗୀତଟା ନାଚୁଥିଲା ଭଳି ଲାଗୁଥିଲା ।
“ସେମିତି କିଛି ମଜାଦାର ନାମଯେମିତି ମେହେନ୍ଦି ଖାଡି, ଲାଲ ଖାଡିଭଳି ଅଛି ।”-ଅସୀମ ହସି ହସି କହିଲେ । “ବୋଧହୁଏ ଏକ ମେହେନ୍ଦି ଲଗାଉଥିବା କେଉଁ ଏକ ମହିଳା ଏ ଗଛମାନଙ୍କର ନାମକରଣ କରିଛି ।”-ଶୋଭନା କହି ହସି ଉଠିଲେ ।
“ଆଉ ଅଛି ଦୁଧ ଖାଡି, ସୁନ୍ଦରୀ, ଗୋବ୍ରା ଖାଡି, ଖାଡି ଖଜୁର, କାଲା ଖାଡି ଇତ୍ୟାଦି । ସମୁଦ୍ରକୂଳରେ ଖାଡି ଆମ, ଖାଡି ବାଦମ, ଖାଡି ଜାମୁନ, କରଞ୍ଜ, ପୁନ, ପାଣ୍ଡାନାସ ବା କେଓଡା ଜଙ୍ଗଲ ଅଛି । ଲୁଣା ଜଙ୍ଗଲରେ ସୁନ୍ଦରୀ ଗଛ ଥିବ । ତା’ ଛଡା ଏଠାରେ ହଳଦିଆ ଫୁଲରୁ ଦିନ ଗଡିଲେ ଲାଜରେ ଲାଲ ହୋଇଯାଉଥିବା ଖାଡି କାପାସର ଗଛମାନ କୂଳରେ ଅଛି ।
“ଏଠି ଗଛ ହିସାବରେ ସେମାନେ ଲୁଣା ଜଙ୍ଗଲର ନାମକରଣ କରିଦେଇଚନ୍ତି, ଯେମିତି ହ୍ୱାଇଟ ମାନଗ୍ରୁଭ, ବ୍ଲାକ ମାନଗ୍ରୁଭ, ଧନୀ ପାମ । ଆଉ କିଛି କଣ୍ଟା ବୁଦା, ନାଁ ତୁମକୁ ସେମିତି ମଜାଳିଆ । ସି ହୋଲି, କଣ୍ଟା ଖାଡି, ଖାଡି ଭାଜି, କୁମ୍ବୀ ଆଦି ।”- ଅସୀମ କିଛି ସମୟ ଧରି ଅସ୍ୱାଭାବିକ କିନ୍ତୁ ମନେରଖି ହେଉଥିଲା ଭଳି ଏମିତିଆ ନାଁ ଗୁଡା ହସି ହସି କହୁଥିଲେ । ତାପରେ ସେମାନେ ବସି ଏମିତିଆ ମଜାଦାର ନାମଗୁଡାକ ଏକାଠି କଲେ । ଶୋଭନାଙ୍କୁ ଏବେ ଗଛମାନ ଦେଖିବାକୁ ମଜା ଲାଗୁଥିଲା । ସେ ଗଛସବୁ ଦେଖି କିଛି ବୁଝିନପାରିଲେ ନିଜେ ଜାଣିଥିବା ଫଳ, ପରିବା ହିସାବରେ ତା’ର ନାମକରଣ ମନକୁ ମନ କରୁଥିଲେ ଆଉ ସେଇଟା ଠିକ ହେଲା କି ନାହିଁ ତାହା ପୁସ୍ତକ ସହ ମିଳାଉନଥିଲେ । ତାଙ୍କର ଭାବନାର ପରିଧି ବଢିଗଲା ବୋଲି ସେ ମନେକରୁଥିଲେ । କିଛି ସାମ୍ୟ ହେବା ଦରକାର ଆଉ ଏକ ନାମ ଆସିଗଲା ।
ତାପରେ ଅସୀମ ଲୁଣା ଜଙ୍ଗଲର ମହତ୍ତ୍ୱ ବିଷୟରେ ଶୋଭନାଙ୍କୁ ସାମାନ୍ୟ କଥା କହିଲେ । ଏହି ଲୁଣା ଜଙ୍ଗଲ ଭୂମି ଆଉ ସମୁଦ୍ର ଭିତରେ ଏକ ବଫର । ସମୁଦ୍ରକୂଳର ଅବକ୍ଷୟକୁ ମାନଗ୍ରୁଭ ଫରେଷ୍ଟ କମ କରିଥାଏ । ଏମିତିକି ସମୁଦ୍ର ଭିତରେ ଜମିକୁ ଘେରିଥାଏ । ଫଳରେ ଭୂମିର ଆୟତନ ସମୁଦ୍ରଆଡକୁ ବଢେ । ଏହି ଲୁଣା ଜଙ୍ଗଲ ବହୁ ପ୍ରକାର ସାମୁଦ୍ରିକ ଜୀବଙ୍କ ଯଥା କଙ୍କଡା, ଶ୍ରିମ୍ପ( ଛୋଟ ଚିଙ୍ଗୁଡି),ମାଛଙ୍କ ନର୍ସରୀ । ଏଠାକାର ଗଛମାନଙ୍କର ବିଶେଷତ୍ତ୍ୱ ହେଉଛି ଏମାନଙ୍କର ଚେର । ଏହା ଜୁଆର ସମୟରେ ଗଛକୁ ନିଃଶ୍ୱାସ ନେବାରେ ସାହାଯ୍ୟ କରେ । ଷ୍ଟିଲ୍ଟ ରୁଟ ବରଗଛର ଓହଳିଥିବା ଚେର ଭଳି ଲାଗେ । ରାଇଜୋଫୋରା ଆଉ ଆଭେସେନିଆ ଗଛରେ ଷ୍ଟିଲ୍ଟ ରୁଟ ଥାଏ । ବ୍ରିଦିଙ୍ଗ ରୁଟସ ବା ନ୍ୟୁମାଟୋଫୋରକୁ ଦେଖିଲେ ଲାଗିବ ଯେମିତି କୂଳରେ କିଏ ତୀରମାନ ପୋତିଦେଇଛି । ଏହା ତଳ ଚେରରୁ ୨୦-୩୦ ସେମି ପର୍ଯ୍ୟନ୍ତ ଉପରକୁ ଉଠିଥାଏ । ଲୁଣା ଜଙ୍ଗଲରେ ଫଳରୁ ଗଜା ଗଛରେ ଲାଗିଥିଲା ଅବସ୍ଥାରେ ହୁଏ ।
ସେମାନଙ୍କର ବୋଟ ଯାତ୍ରା କିଛି ସମୟ ସେମିତି କଥାବାର୍ତ୍ତା ଭିତରେ ଚାଲିଥିଲା । ଏକ ସମୟରେ ଦୁଇ ପାଖରେ କିଛି ଲମ୍ବା ନିପା ପାମ(ଧନୀ ପାମ)ର ବଡ ବଡ ବୁଦା ବା କଲୋନୀ ଆସିଲା । ଦୁଇପଟେ ପାଣିକୁ ଘେରି ରଖିଛି ଆଉ ଆଗରେ ନଦୀ ସାମନା୍ୟ ବୁଲିଯାଇଥିଲା । ଏ ପାମ ଗଛ ମଧ୍ୟ ଲୁଣା ଜୁଆରିଆ ନଦୀ କୂଳରେ ହୁଏ । ଗୁଆ ବା ନଡିଆ ପତ୍ର ଭଳି ବଡ ବଡ ପତ୍ର । କିନ୍ତୁ ଗୁଆ ବା ନଡିଆ ଗଛ ଭଳି ଏ ଗଛ ବଡ ହୁଏନା । କୁଳରେ ଡାଳ ମେଲାଇ ଦେଇଥାଏ । ଏମାନେ ଛୋଟ କଲୋନୀ କୂଳରେ କରନ୍ତି । ଭିତର ଆଡକୁ ଏ ଗଛ ମିଳେନା । ବୋହୁଥିବା ପାଣି ଏ ଗଛର ବଢିବାପାଇଁ ଆବଶ୍ୟକ ଆଉ ଖରା ଭଲ ପଡୁଥିବା ଦରକାର । ସୂର୍ଯ୍ୟର ଦିଗ, ମାଟିର ଉର୍ବରତା, ପାଣିର ପ୍ରବାହ, ଲୁଣା ପାଣି ସବୁ ମିଶିଲେ ଏ ଗଛ ବଢିବ । ଏମିତି ଜାଗା କୁମ୍ଭୀର ପାଇଁ ଭଲ । କ୍ୟାମ୍ପବେଲର ନଦୀମାନଙ୍କରେ ବହୁ ଭିତର ଯାଏ କୁମ୍ଭୀର ଅଛନ୍ତି ବୋଲି ଲୋକେ କୁହନ୍ତି । ଅସୀମ ଏ ପର୍ଯ୍ୟନ୍ତ ପୂରା ତଥ୍ୟ ପାଇ ନାହାନ୍ତି । ଏମିତିକି ଗଲାଥିଆ ନଦୀର ଉପର ମୁଣ୍ଡ ପର୍ଯ୍ୟନ୍ତ କୁମ୍ଭୀର ଅଛନ୍ତି ବୋଲି ଖବର ମିଳେ । ସେମାନେ କିଛି ସମୟ ନଦୀ ଭିତରେ ବୁଲିଲେ । ଧୀରେ ସମୁଦ୍ରକୂଳ ହୋଇଆସିଲା । ଗଛ କିଛି କିଛି ପରିମାଣରେ ବଦଳି ଗଲା । କେଉଁ କେଉଁଠି ସାମାନ୍ୟ ଲମ୍ବା ଚଡମାନ ଦେଖାଗଲା ଆଉ ସେଥିରେ ଲତାମାନ ମାଡ଼ିଥିଲା । ନଦୀର ଉପର ଆଡକୁ ଚଡ ନାହିଁ । କିନ୍ତୁ କୂଳ ଆଡକୁ ନଦୀରେ ସାମାନ୍ୟ ଚଡ ଅଛି । କିଛି ଚଡରେ ବଡ ଶୁଖିଲା କାଠଗରମାନ ପଡିଥିଲା । ଚଡ ପରେ ଥିଲା ବଡ ଗଛମାନ । କିଛି ଜାଗାରେ ପାଣ୍ଡାନାସ ଗଛମାନ ବଡ ଆକାର ଧାରଣ କରିଥିଲା । ଉପରକୁ ଡାଳମାନ ମୁଣ୍ଡ ଟେକିଛି । ସମସ୍ତଙ୍କ ଅଗରେ ଗୋଛାଏ ପତ୍ର ଆଉ ତଳକୁ କେବଳ ଡାଳ । ଅନ୍ୟ ଜାଗାରେ ଅସୀମ ଏଡେ ଲମ୍ବ ପାଣ୍ଡାନାସ ଗଛ ଦେଖି ନଥିଲେ । ନଦୀ ଧାରରେ ସବୁ ଯାଗାରେ ଗଛମାନ ଖୁନ୍ଦି ହୋଇଥିଲା । ତଥାପି କେଉଁଠି କେଉଁଠି ସାମାନ୍ୟ କୂଳ ଖାଇଥିଲା । ତଳ ଆଡକୁ ନଦୀ କୁଳରେ ଗଛଥିଲା ଲମ୍ବ, ଆଉ କୂଳ ତିଖ ନହେବା ହେତୁ ଗଛମାନଙ୍କ ଅଗ ପ୍ରାୟ ଏକ ସମତଳରେ ଥିଲା । ସେମାନଙ୍କର ଲମ୍ବା ଗଣ୍ଡିମାନ ବାରିହେଉଥିଲା । ଅନେକ ଝାଉଁଗଛ ଥିଲା କୂଳରେ । ତଳ ଆଡକୁ କୂଳରେ ଗଛ ଚେରର ତିଆରି ଜାଲ ମାଟି ବାଲି ଧୋଇଯିବା ହେତୁ ଦେଖାଯାଉଥିଲା । ଏକଦମ ସମୁଦ୍ରକୂଳରେ ଅବଶ୍ୟ ଗଛମାନ ଛୋଟ ଥିଲା । ଧୀରେ ନଦୀ ଚଉଡା ହୋଇଆସିଲା ଆଉ ସମୁଦ୍ରରେ ନଦୀର ସଙ୍ଗମ ସ୍ଥଳ ମିଳିଲା । ସୂର୍ଯ୍ୟ କିରଣ ଝଲମଲ କରୁଥିଲା । କିଛି ତାରକା, ଯେମିତି କିଛି ହୀରା ପାଣିରୁ ଝଲସୁଛି, ଆଖି ଏତେ ଉଜ୍ଜ୍ୱଳି ପ୍ରତଫଳନକୁ ଦେଖିପାରୁନଥିଲା । ଆକାଶରେ ଛୋଟ ଛୋଟ ମେଘ ଖଣ୍ଡ, ସବୁ ସୂର୍ଯ୍ୟ କିରଣରେ ଚମକୁଛି । ନଦୀ କୂଳ ସମୁଦ୍ର ପାଖାପାଖି ସମତଳ ହୋଇଆସିଥିଲା ।
ନଦୀ ଯାତ୍ରା ପରେ ସେମାନେ ବୋଟରୁ ଓହ୍ଲାଇ ବିଚରେ ଏକ ଛୁଆ ଭଳି ନୂଆ କିଛି ଖୋଜିଲା ଭଳି ଖୋଜି ଚାଲିଲେ । ବୋଟ ଯାତ୍ରା ସେମାନଙ୍କର ଅନୁସନ୍ଧିତ୍ସାକୁ ବହୁ ପରିମାଣରେ ବଢାଇ ଦେଇଥିଲା । କ୍ରମଶଃ)
ଭୁବନେଶ୍ୱର