ଭାଗବତ ଟୁଙ୍ଗିରେ ମହାପ୍ରଭୁ
ବାଦଲ ଭୂୟାଁ: ମହାପ୍ରଭୁ ସର୍ବମାନ୍ୟ । ତାଙ୍କ ପାଖରେ ନଥାଏ ଜାତି-ଧର୍ମର ଭେଦଭାବ । ସେ ସବୁରି ଘରେ ପୂଜିତ ହୁଅନ୍ତି । ଭକ୍ତର ଭାବନାରେ ସେ ସବୁବେଳେ ରହିଥାନ୍ତି । ସେଥିପାଇଁ କୁହାଯାଏ ଭାବକୁ ନିକଟ, ଅଭାବକୁ ଦୂର । ମହାପ୍ରଭୁଙ୍କ ପ୍ରତି ଆବ୍ରାହ୍ମଣଚାଣ୍ଡାଳ ସମସ୍ତେ ହୋଇପଡ଼ନ୍ତି ସମର୍ପିତ । ତାଙ୍କ ପ୍ରତି ଏହି ଭାବ ସୃଷ୍ଟି କରିବା ଓ ତାଙ୍କୁ ସର୍ବମୟ ଭାବେ ପ୍ରତିପାଦିତ କରିବାରେ ଓଡ଼ିଶାର କିଛି ପ୍ରମୁଖ ପରମ୍ପରା ନିର୍ବାହ କରିଛନ୍ତି ଗୁରୁ ଦାୟିତ୍ୱ । ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ଡ.ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ଶ୍ରୀଜଗନ୍ନାଥ ଗଣଦେବତା ଭାବେ ସମଗ୍ର ରାଷ୍ଟ୍ରରେ ଗୃହୀତ ହେବା ପଛରେ ୩ଟି ପରମ୍ପରା ମୁଖ୍ୟତଃ ରହିଛି । ସେଥିମଧ୍ୟରୁ ପ୍ରଥମଟି ହେଉଛି - ଶ୍ରୀଜଗନ୍ନାଥ ଚେତନାକୁ ଆଧାର କରି ରହିଥିବା ଗୁରୁଗୋସାଇଁ ପରମ୍ପରା । ଏହାକୁ ଶ୍ରୀକ୍ଷେତ୍ରର କୌଳିକ ପରମ୍ପରା ମଧ୍ୟ କୁହାଯାଏ । କୌଳିନ୍ୟ ରକ୍ଷା ବା କୁଳ ପରମ୍ପରା ରଖିବା କରିବା ପାଇଁ ମହାପ୍ରଭୁଙ୍କ ସେବାୟତଙ୍କୁ ଗୁରୁ ଗୋସାଇଁଙ୍କ ଠାରୁ ଦୀକ୍ଷା ନେବାକୁ ହୁଏ । ଏବେ ବି ଅନେକାଂଶରେ ଏହାର ପ୍ରଚଳନ ରହିଛି । ଦୀକ୍ଷା ନେଇ ସେବା କରି ଆସୁଥିବା ବୟସ୍କ ସେବକମାନେ ବିନା ଦୀକ୍ଷାରେ ସେବାକୁ ବାରଣ କରନ୍ତି । କାରଣ ଗୁରୁ ଗୋସାଇଁ ଶିଷ୍ୟଙ୍କୁ ଦୀକ୍ଷା ଦେବା ପୂର୍ବରୁ ସେବା କରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ କରାନ୍ତି । ସେବା କାଳରେ ସମର୍ପଣ ଭାବ ରଖିବାକୁ ଜ୍ଞାନ ଦିଅନ୍ତି । ବ୍ୟତିକ୍ରମକୁ ଅପରାଧ ବୋଲି ଦର୍ଶାଇ ତା'ପ୍ରତି ସତର୍କ କରାଇ ଦିଅନ୍ତି । ମୁଁ ପରଂବ୍ରହ୍ମଙ୍କ ସେବା କରିବାକୁ ଯାଉଛି । ଏପରି ଏକ ଦାୟିତ୍ୱବୋଧ ସୃଷ୍ଟି କରିବାକୁ ଗୁରୁ ଦେଉଥିଲେ ଜ୍ଞାନ । ଏହି ସେବାରେ ସାମାଜିକ ଶୃଙ୍ଖଳା ଠିକ୍ ଭାବେ ପାଳିତ ହେଉଥିଲା । ଗଜପତିଙ୍କ ଠାରୁ ପ୍ରଜାଙ୍କ ପର୍ଯ୍ୟନ୍ତ, ସାଧୁସନ୍ଥଙ୍କ ଠାରୁ ମହନ୍ତ ତଥା ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସେବା କାଳରେ ଗୋଟିଏ ଚେତନାରେ ବାନ୍ଧି ଦେବାରେ ସେବକଟିଏ ସମର୍ଥ ହେଉଥିଲା । ସମସ୍ତଙ୍କୁ ପ୍ରଭୁଙ୍କ ପ୍ରତି ଅନୁରକ୍ତ କରାଇବାରେ ସେ ସଫଳ ହେଉଥିଲା । ତେଣୁ ମହାପ୍ରଭୁଙ୍କ ଚେତନାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାରେ ପ୍ରଥମେ ମୁଖ୍ୟ ବିନ୍ଧାଣି ହେଉଥିଲା ସେବକ । କୌଳିକ ରୀତିରେ ଏହା ପିଢ଼ି ପରେ ପିଢ଼ି ଚାଲି ଆସୁଥିଲା । ଗୁରୁ ଗୋସାଇଁ ମର୍ଯ୍ୟାଦାବନ୍ତ ବ୍ୟକ୍ତିତ୍ୱ ଭାବେ ପରିଚିତ ହେଉଥିଲେ । ତାଙ୍କ ପାଇଁ ପୀଠଟିଏ ମଧ୍ୟ ସୃଷ୍ଟି ହୋଇଥିଲା । ଆଜି ତାହା ଗୁରୁ ଗୋସାଇଁ ମଠ ନାମରେ ପରିଚିତ । ଏହି ମଠ ଶ୍ରୀକ୍ଷେତ୍ରରେ ଶ୍ରୀ ଉପାସନାରେ ଆଦିମ ପୀଠ ଭାବେ ପରିଚିତ ଥିଲା ।
ସେବାୟତମାନଙ୍କ ମଧ୍ୟରେ ସହାବସ୍ଥାନ ପରମ୍ପରାକୁ ଅତୁଟ ରଖିବା ପାଇଁ ଏହି ମଠ କାର୍ଯ୍ୟ କରୁଥିଲା । ଶହ ଶହ ବର୍ଷ ତଳେ ପ୍ରଚାର ପ୍ରସାରର ସୁବିଧା ନଥିଲେ ମଧ୍ୟ ଅଖଣ୍ଡ ଭାରତବର୍ଷର ନିପଟ ମଫସଲରେ ପ୍ରଭୁଙ୍କ କଥା ପହଞ୍ଚôପାରୁଥିଲା । ସେଥିପାଇଁ ମାନସିକ ଇଛାଶକ୍ତି କାର୍ଯ୍ୟ କରୁଥିଲା । ଏହି ଇଛାଶକ୍ତି ପଛରେ ରହିଥିଲା ସୁଦୃଢ଼ ଗୁରୁ ଗୋସାଇଁ ପରମ୍ପରା । ମହାପ୍ରଭୁ ଗଣଦେବତା ହେବାର ଦ୍ୱିତୀୟ ରହସ୍ୟଟି ହେଉଛି ଭାଗବତ ଟୁଙ୍ଗି ପରମ୍ପରା । ଅତିବଡ଼ୀ ଜଗନ୍ନାଥ ଦାସ, ଓଡ଼ିଶାରେ ଟୁଙ୍ଗି ପରମ୍ପରାର ଜନକ । ତାଙ୍କର ଅନ୍ୟ ସଖାମାନଙ୍କର ଏଥିପାଇଁ ୫୦୦ ବର୍ଷ ପୂର୍ବେ ସହଯୋଗ ମଧ୍ୟ ରହିଥିଲା । ପଞ୍ଚସଖାଙ୍କ ମିଳିତ ସହଯୋଗରେ ପ୍ରଥମେ ସେମାନେ ଏକ ନୂତନ ସନେ୍ଦଶ ବା ବାର୍ତ୍ତା ସମାଜକୁ ଦେଲେ । ତାହା ହେଉଛି ଶୂଦ୍ର ଭାବର ଚେତନା । ଶୂଦ୍ର ଭାବ ହେଉଛି ସେବକର ଭାବ । ସବୁଠାରୁ ଅଧିକ ପରିପକ୍ୱ ଲାଭ କରିଥିବା ଭକ୍ତିର ଭାବ । ସେମାନେ ନିଜକୁ ମହାପ୍ରଭୁଙ୍କ ଦାସ ବୋଲି ଘୋଷଣା ମହାପ୍ରଭୁଙ୍କ ନିକଟତର ହୋଇଗଲା । ଅତିବଡ଼ୀ ମହାଶୟ ଲାଳିତ୍ୟପୂର୍ଣ୍ଣ ଭାଗବତ ପୋଥି ସାଙ୍ଗରେ ଲବଣ୍ୟମୟ ଶ୍ରୀଜଗନ୍ନାଥଙ୍କର ଏକକ ବିଗ୍ରହଙ୍କୁ ଭାଗବତ ପୋଥି ସହିତ ଭାଗବତ ଟୁଙ୍ଗିରେ କରିଥିଲେ । ଏହି ବାର୍ତ୍ତା ହିଁ ଓଡ଼ିଆ ପ୍ରାଣରେ ଏକ ନୂତନ ଜୀବନର ସଞ୍ଚରଣ କରାଇଥିଲା । ଶୂଦ୍ର ବା ଦାସ ଭାବର ଡୋରିରେ ଅତିବଡ଼ୀଙ୍କ ଭାଗବତ ହିଁ ବାନ୍ଧି ଦେଇଥିଲା ଗାଁରୁ ଗାଁ ପର୍ଯ୍ୟନ୍ତ । ବିଶାଳ ଓଡ୍ର ଖଣ୍ଡର ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ଭାଗବତର ନିପଟ ଓଡ଼ିଆ ଭାଷା ଓ ଲାଳିତ୍ୟ ପହଞ୍ଚôପାରିଥିଲା ଭାଗବତ ମାଧ୍ୟମରେ । ସାଧାରଣ ଅକ୍ଷର ଚିହ୍ନି ପଢ଼ି ପାରୁଥିବା ଗାଁ ଗହଳିର ଲୋକଟିଏ ମଧ୍ୟ ଭାଗବତ ମାଧ୍ୟମରେ ବସାଇଦେଲେ ।
ସେହିଦିନ ଠାରୁ ଭାଗବତ ଟୁଙ୍ଗି ହୋଇଗଲା ସାଧାରଣ ଓଡ଼ିଆ ଲୋକଟିଏ ପାଇଁ ଶାନ୍ତି ବା ସମର୍ପଣର ସ୍ଥଳ । ଗାଁର ଭାଗବତ ଟୁଙ୍ଗି ପାଲଟିଗଲା ସଂହତିର ପ୍ରାଣକେନ୍ଦ୍ର । ସାମାଜିକ ସଂହତି, ଆଧ୍ୟାତ୍ମିକ ଚେତନା, ଭାଷାର ପରାକାଷ୍ଠା ଓ ପରମ୍ପରାର ପ୍ରତୀକ ରୂପେ ଭାଗବତ ଟୁଙ୍ଗି ମୁଣ୍ଡ ଟେକିଲା । ଜଗନ୍ନାଥଙ୍କୁ ଆଧାର କରି ଏହି ପ୍ରତୀକ ଗୁଡ଼ିକ ଗଢ଼ିବାରେ ଅତିବଡ଼ୀ ଜଗନ୍ନାଥ ଦାସଙ୍କର ତ୍ୟାଗର ପଟ୍ଟାନ୍ତର ନାହିଁ । ଏହା ଦିନକରେ ହୋଇନଥିଲା । ବର୍ଷ ବର୍ଷ ଲାଗିଥିଲା ଏହା ସମ୍ପୂର୍ଣ୍ଣ ଭାବେ ଠିଆ ହେବା ପାଇଁ । ଏହାପରେ ଗାଁର ସାଧାରଣ ଲୋକଟିଏ ଗାଇ ଉଠିଛି ଜଗନ୍ନାଥ ପ୍ରାଣ ଲୋକଗୀତ, ଯାହା ସୃଷ୍ଟି କରିଛି ଲୋକକଥା । ହଳିଆଗୀତ, ଚଇତିପର୍ବ ଗୀତ, କାନ୍ଦଣା ଗୀତ, ଚକୁଳିଆ ପଣ୍ଡା ଗୀତ, ଦାସକାଠିଆ ଓ ସଂକୀର୍ତ୍ତନ ଗୀତ । ଏହାରି ଭିତରେ ଫୁଟି ଉଠୁଥିଲା ଶ୍ରୀଜଗନ୍ନାଥ ଉପାସନାର ମହତ୍ୱ । ଅତିବଡ଼ୀ ଗୋସାଇଁଙ୍କର ଟୁଙ୍ଗି ପରମ୍ପରାରେ ଏହି ଐତିହ୍ୟର ବାସ୍ତବ ରହସ୍ୟ ଆଜି ବି ଓଡ଼ିଶାରେ ସଠିକ୍ ଭାବେ ଆକଳନ ହୋଇନାହିଁ କି ଲୋକଙ୍କ ପାଖରେ ପହଞ୍ଚô ପାରିନାହିଁ । ମହାପ୍ରଭୁ ଗଣଦେବତା ହେବାର ତୃତୀୟ ବିନ୍ଦୁଟି ହେଉଛି - ମହାପୁରୁଷମାନଙ୍କର ଗୁରୁକୁଳ ପରମ୍ପରା । ମହାପୁରୁଷ ଅଚୁ୍ୟତାନନ୍ଦ ଏହି ଗୁରୁକୁଳ ପରମ୍ପରାକୁ ବିକଶିତ କରାଇଥିଲେ । ଗୁରୁକୁଳ ପରମ୍ପରା ଓଡ଼ିଶାର କୋଣ ଅନୁକୋଣରେ ଏବେ ବି ସକ୍ରିୟ ରହିଛି । ଏହି ପରମ୍ପରାରେ ଗୁରୁ କହିଲେ ଅଚୁ୍ୟତଙ୍କୁ ହିଁ ଗ୍ରହଣ କରାଯାଏ । ମହାପୁରୁଷ ଅଚୁ୍ୟତ ନିଜର ଗୁରୁ ରୂପେ ଶୂନ୍ୟ ବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଗ୍ରହଣ କରିଥିଲେ । ସେ ଥିଲେ ସିଦ୍ଧ ଯୋଗୀ । ଏବେ ବି ପାଞ୍ଚଶହ ବର୍ଷ ପରେ ଅଚୁ୍ୟତଙ୍କ ସତ୍ତା ପୋଥିମାନଙ୍କରୁ ଅନୁଭୂତ ହୁଏ । ବହୁଜନ ସୁଖାୟଃ ବହୁଜନ ହିତାୟଃ ଚେତନାର ଏକ ସମୃଦ୍ଧ ପରମ୍ପରା । ସେ ଶ୍ରୀଜଗନ୍ନାଥଙ୍କୁ ଆଧାର କରି ଶୂନ୍ୟ ଧାରାର ବାର୍ତ୍ତା ଦେଇଥିଲେ । ଏହି ଶୂନ୍ୟ ଧାରାରୁ ବହୁ ଉପଧାରା ଓଡ଼ିଶାରେ ସୃଷ୍ଟି ହୋଇଛି । ସେମାନେ ଈଷ୍ଟ ରୂପେ ଶ୍ରୀଜଗନ୍ନାଥଙ୍କୁ ଗ୍ରହଣ କରିଥିବାବେଳେ ଗୁରୁ ରୂପେ ମହାପୁରୁଷ ଅଚୁ୍ୟତଙ୍କୁ ଗ୍ରହଣ କରନ୍ତି । କେବଳ ସେତିକି ନୁହେଁ, ଅଚୁ୍ୟତାନନ୍ଦଙ୍କ ମାଳିକା, ଜ୍ୟୋତିଷୀ, ପିଣ୍ଡବ୍ରହ୍ମାଣ୍ଡ ତତ୍ତ୍ୱ ଓ ଅଜପା ଧାରାକୁ ନେଇ ଅନେକ ଗୁରୁ ପରମ୍ପରା ଓଡ଼ିଶାରେ ବିକାଶ ଲାଭ କରିଥିଲା । ଏହାକୁ ନେଇ ଅନେକ ସାହିତ୍ୟ ବି ସୃଷ୍ଟି ହୋଇଥିଲା, ଯାହା ଶ୍ରୀଜଗନ୍ନାଥଙ୍କର ନିଗୂଢ଼ ମାନବୀୟ ଦୃଷ୍ଟିକୋଣକୁ ନେଇ ସମୃଦ୍ଧ ହୋଇଅଛି । ତାହାର ଯଥାର୍ଥ ଆଲୋଚନା ଓଡ଼ିଶାରେ ଯେପରି ହେବା କଥା ତାହା ହୋଇପାରିନାହିଁ । ଏହି ପରମ୍ପରାରେ ଶତାଧିକ କାବ୍ୟ କବିତା, ଚଉତିଷା, ମାଳିକା ଓ ପୁରାଣ ଆଜି ପର୍ଯ୍ୟନ୍ତ ପ୍ରକାଶିତ ମଧ୍ୟ ହୋଇପାରିନାହିଁ । ଗୁରୁ ଗାଦିମାନଙ୍କର ଶହ ଶହ ପୋଥି ସେହିପରି ରହିଛି । ସେଥିରେ ଅନେକ ଦାର୍ଶନିକ ଚିନ୍ତାଧାରା ଓ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପାସନା ଧାରାର ଅନେକ ରହସ୍ୟ ଏପର୍ଯ୍ୟନ୍ତ ଲୁଚିରହିଛି । ତଥାପି ଏ ଗୁରୁ ପରମ୍ପରା ମହାପ୍ରଭୁଙ୍କୁ ଗଣଦେବତା କରାଇବାରେ ସଫଳ ହୋଇଥିଲା । ଓଡ଼ିଆ ଘରର ମୁରବି ଭାବେ ଜଗନ୍ନାଥଙ୍କୁ ଗ୍ରହଣ କରିବାର ପରମ୍ପରା ଏହି ଗୁରୁକୁଳ ପରମ୍ପରା ହିଁ ଶିକ୍ଷା ଦେଇଥିଲା ।
ମୋ : ୯୨୦୪୬୫୨୦୬୫