ଦେବଗଡରେ ହୁଏ ୩ ଦିନ ରଥଯାତ୍ରା
ଦେବଗଡ : ଦେବଗଡ ପୌରାଚଂଳର ପୁରୁଣାଗଡ ସ୍ଥିତ ଜଗନ୍ନାଥ ମନ୍ଦିରରେ ୩ଦିନ ଧରି ହୁଏ ରଥଯାତ୍ରା । ଦେବଗଡ ପୁରୁଣାଗଡ ସ୍ଥିତ ଜଗନ୍ନାଥ ମନ୍ଦିରର ରଥଯାତ୍ରାର ବିଶେଷତ୍ୱ ହେଲା, ଶ୍ରୀକ୍ଷେତ୍ର ପୁରୀ ସମେତ ପ୍ରାୟ ସବୁଆଡେ ଆଷାଢ ମାସ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । କିନ୍ତୁ ପୁରୁଣାଗଡରେ ଥିବା ଜଗନ୍ନାଥ ମନ୍ଦିରରରେ କେଉଁ କାଳରୁ ଗୋଟିଏ ଦିନ ବିଳମ୍ୱରେ ରଥଟଣା ହୋଇଥାଏ । ରଥଯାତ୍ରା ବା ଦ୍ୱିତୀୟା ଦିନ ଅପରାହ୍ନରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ମନ୍ଦିରରୁ ପହଣ୍ଡି କରାଯାଇ ରଥକୁ ନିଆଯାଇଥାଏ ।
ସେ ଦିନ ସବୁ ଭକ୍ତମାନେ ତିନିଠାକୁରଙ୍କୁ ରଥରେ ହିଁ ଦର୍ଶନ କରିଥାନ୍ତି । ତା ପରଦିନ ଠାରୁ ୨ ଦିନ ଧରି ରଥ ଟଣା ହୋଇଥାଏ ଏବଂ ତାପରେ ତିନି ଠାକୁର ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି । ଠିକ ସେହିପରି ଭାବେ ବାହୁଡା ଯାତ୍ରା ଦିନ ଜନ୍ମ ବେଦୀରୁ ଆସି ଗରୁଡସ୍ତମ୍ଭ ନିକଟରେ ବସିଥାନ୍ତି । ବାହୁଡା ପର ଦିନ କେବଳ ପହଣ୍ଡି କରି ତିନିଠାକୁରଙ୍କୁ ରଥକୁ ନିଆଯାଇଥାଏ । ଏହାପର ୨ ଦିନ ରଥଟଣା ହୋଇଥାଏ । ପରେ ତିନି ଠାକୁର ବଡଦେଉଳକୁ ବିଜେ କରିଥାନ୍ତି । ପୂଜକଙ୍କ କହିବା ଅନୁଯାୟୀ, ୧୭୦୩ରେ ବାମଣ୍ଡାର ତତକାଳୀନ ରାଜା ପ୍ରତାପ ରୁଦ୍ର ଦେବ ମନ୍ଦିର ନିର୍ମାଣ କରିଥିଲେ । ଏହାସହିତ ଶ୍ରୀଜିଉଙ୍କ ପୂଜନ ଓ ଘୋଷଯାତ୍ରା ଆରମ୍ଭ କରିଥିଲେ । ଦେବଗଡ ଜିଲ୍ଲାର ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରର ରଥଟଣା ଦେଖିସାରି ପୁରୁଣାଗଡ ଜଗନ୍ନାଥ ମନ୍ଦିର ୨ଦିନ ରଥଟଣା ଦେଖିବାର ସୁଯୋଗ ପାଇପାରିବେ ବୋଲି ସେହି ସମୟରେ ତତ୍କାଳୀନ ରାଜାଙ୍କ କଳ୍ପନାନୁସାରେ ରଥଯାତ୍ରା ଅନୁଷ୍ଠିତ ହେଉଛି । ପୁରୁଣାଗଡସ୍ଥିତ ଜଗନ୍ନାଥ ମନ୍ଦିର ପୁରୀ ଜଗନ୍ନାଥ ମନ୍ଦିର ଶେ?ଳୀରେ ନିର୍ମାଣ କରାଯାଇଥିଲା ।ତତକାଳୀନ ରାଜା ପ୍ରତାପ ରୁଦ୍ର ଦେବଙ୍କ ଦେହାନ୍ତ ପରେ ରାଜା ସର୍ବେଶ୍ୱର ଦେବ, ରାଜା ଅର୍ଜୁନ ଦେବ, ରାଜା ବାଲୁଙ୍କା ବୃଷଭ ଦେବ କ୍ରମାନ୍ୱୟରେ ସମସ୍ତ ରାଜାମାନେ ରଥଯାତ୍ରା କରିଥିଲେ । ତତକାଳୀନ ରାଜା ବ୍ରଜସୁନ୍ଦର ଦେବ ଜଗନ୍ନାଥ ମନ୍ଦିରର ସଂଲଗ୍ନ ମୁଖଶାଳା, ଭୋଗମଣ୍ଡପ ନିର୍ମାଣ କରିଥିଲେ । ରାଜା ବାସୁଦେବ ସୁଢଳ ଦେବ ମନ୍ଦିର ପରିସରରେ ଝୁଲଣ ଗୃହ, କୁଞ୍ଜବନ ଓ ପୁଷ୍ପ ବାଟିକା ତିଆରି କରିଥିଲେ । ପୂର୍ବ ପ୍ରଚଳିତ ପ୍ରଥା ଓ ନିୟମକୁ ଦୃଷ୍ଟିରେ ରଖି ତତକାଳୀନ ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ ୧୯୦୮ରେ ମନ୍ଦିରର ନିୟମାବଳୀ ପୁସ୍ତକ ପ୍ରକାଶ କରିଥିଲେ । ବର୍ତ୍ତମାନ ବି ମନ୍ଦିରର ପରିଚାଳନା ଦାୟିତ୍ୱ ରାଜପରିବାର ହାତରେ ରହିଛି ।