ଶୁଭେଚ୍ଛା ଜଣାଇବା ପାଇଁ ବ୍ରହ୍ମବରଦାରେ ମେଳି କଲେ ବରୀର ଆଶାୟୀ ନେତା
ଯାଜପୁର: ଆଗକୁ ନିର୍ବାଚନ । ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ପରିଲକ୍ଷିତ ହେଲାଣି । ଭୋଟରଙ୍କୁ ନିଜ ସପକ୍ଷରେ ନେବାକୁ ଉଦ୍ୟମ କରୁଛନ୍ତି । ତେବେ ବରୀ ବିଧାନସଭା କ୍ଷେତ୍ର ପାଇଁ ପ୍ରମୂଖ ରାଜନୈତିକ ଦଳ ବିଜେଡ଼ି, ବିଜେପି କି କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନଥିଲେ ହେଁ ଆଶାୟୀ ଏକ ପ୍ରକାର ନିର୍ବାଚନ ପ୍ରଚାର କରିଚାଲିଛନ୍ତି । କିଏ କର୍ମୀ ମାନଙ୍କୁ ଏକାଠି କରି ଗୁରୁମନ୍ତ୍ର ଦେଉଥିବା ବେଳେ କିଏ ଆଗଧାଡ଼ିର ନେତାଙ୍କ ସହ ଭବିଷ୍ୟତ ରଣନିତି ପ୍ରସ୍ତୁତ କରୁଛନ୍ତି । ବରୀରୁ ପ୍ରାର୍ଥୀ ହେବାକୁ ବିଜେଡ଼ି, ବିଜେପି ଏବଂ କଂଗ୍ରେସରୁ ଏକାଧିକ ଆଶାୟୀ ରହିଥିବା ବେଳେ ମୁସଲମାନ ଭାଇଭଉଣୀଙ୍କ ସମର୍ଥନ ହାସଲ ପାଇଁ ଆସିଥିବା ସୁଯୋଗକୁ ହାତଛଡ଼ା କରିବାକୁ ଚାହିଁନାହାନ୍ତି । ଯାହା ଆଜି ରସୁଲପୁର ବ୍ଲକ ବ୍ରହ୍ମବରଦାରେ ଦେଖିବାକୁ ମିଳିଥିଲା । ଯାଜପୁର ଜିଲାର ବ୍ରହ୍ମବରଦା ଏକ ମୁସଲମାନ ବହୁଳ ଅଞ୍ଚଳ ଭାବେ ଜଣା । ବରୀ ନିର୍ବାଚନ ମଣ୍ଡଳୀର ବ୍ରହ୍ମବରଦାରେ ହଜାରହଜାର ସଂଖ୍ୟାର ଭୋଟର ରହିଛନ୍ତି । ମୁସଲମାନଙ୍କ ଭୋଟ ବିଭିନ୍ନ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଇଥାଏ । ଏଣୁ ଗୋଟିଏ ବଡ଼ ଭୋଟ ଅଂଶକୁ ହାତଛଡ଼ା କରିବାକୁ କିଏବା ଚାହିଁବ । ଏଣୁ ଆଜି ଇଦ-ଉଲ ଫିତର ଅବସରରେ ବରୀରୁ ନିର୍ବାଚନ ଲଢିବାକୁ ଆଶାୟୀଥିବା ବିଜେଡ଼ି, ବିଜେପି ଏବଂ କଂଗ୍ରେସ ନେତା ମୁସଲମାନ ଭାଇ ମାନଙ୍କୁ ଶୁଭେଚ୍ଛା ଜଣାଇବାକୁ ବ୍ରହ୍ମବରଦାରେ ସକାଳୁ ସକାଳୁ ଡ଼େରା ପକାଇଥିଲେ । ବ୍ରହ୍ମବରଦାର ଇଦଗା ପଡ଼ିଆରେ ଏକାଠି ହୋଇଥିଲେ ହଜାର ହଜାର ମୁସଲମାନ ଭାଇ । ସକାଳ ୬.୧୫ ସମୟରେ ଧର୍ମସଭା ପରେ କୋରାନ ପାଠ ପରେ ସମୁହ ନମାଜପାଠ କରିଥିଲେ । ନମାଜ ପାଠ ପରେ ଡ଼େରା ପକାଇଥିବା ବରୀ ବିଧାୟୀକା ସୁନନ୍ଦା ଦାସ, ବିଜେଡ଼ିର ଅନ୍ୟତମ ନେତା ବିଶ୍ୱରଂଜନ ମଲିକ, ସଂଜିବ ଜେନା, ବିଜେପି ନେତା ଉମେଶ ଜେନା, କଂଗ୍ରେସ ନେତ୍ରୀ ଆରତୀ ଦେଓ ପ୍ରମୂଖ ମୁସଲମାନ ଭାଇ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଛେକେ ଛେକେ ଆଶାୟୀ ନେତା ସମର୍ଥକଙ୍କୁ ଧରି ଉପସ୍ଥିତ ହେବା ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଥିଲା । ବରୀରୁ ବିଜେଡ଼ି, ବିଜେପି କି କଂଗ୍ରେସ କାହାକୁ ପ୍ରାର୍ଥୀ କରିବ, ତାହା ଅସ୍ପଷ୍ଟ ରହିଥିବା ବେଳେ ଆଶାୟୀ କିନ୍ତୁ ଭୋଟରଙ୍କ ଆସ୍ଥାଭାଜନ ହେବାକୁ କସରତ ଜାରୀ ରଖିଛନ୍ତି ।