ବିଶ୍ୱକୁ ଭାରତ ଦେଇଛି କ’ଣ ?

 ମାୟାଧର ନାୟକ : ଏଇ ବିଶ୍ୱରେ ଯେଉଁ ଭୂଖଣ୍ଡରେ ଯେଉଁମାନେ ରହିଥିଲେ ରହିଛନ୍ତି, କିଛି ଲୋଭ ଓ ଲାଭରେ ଏପାଖସେପାଖ ହୋଇଛନ୍ତି  । ସେମାନଙ୍କ ଜ୍ଞାନ, ତତ୍ତ୍ୱ, ଉଦ୍ଭାବନ, ଶିକ୍ଷା, ଦୀକ୍ଷା ଯୋଗୁ ମଣିଷଜାତି ଉପକୃତ ହୋଇଛି – ଏବେ ମଧ୍ୟ ଉପକୃତ ହେଉଛି  । ମଣିଷ ସବୁଠୁ ଊର୍ଦ୍ଧ୍ୱରେ  । ତା’ ଜାତି, ବର୍ଣ୍ଣ, ସଂପ୍ରଦାୟ କିଛି ନାହିଁ  । ଭାରତର ମଣିଷରକ୍ତ ଲାଲ୍ - ଆମେରିକା, ଇଂଲଣ୍ଡ, ରୁଷ, ଜାପାନ, ଚୀନ୍, ଆଫ୍ରିକା ଇତ୍ୟାଦି ଖଂଡମଂଡଳବାସୀ ମଣିଷଙ୍କ ରକ୍ତ ମଧ୍ୟ ଲାଲ୍  । ଯେକୌଣସି ଦେଶର ହେଉ – ସେ ମଣିଷ ଯେତେବେଳେ ସମଗ୍ର ବିଶ୍ୱର ଚିନ୍ତାଭାବନା କରି ବିକାଶପାଇଁ କିଛି ସାଧନାର ମୂଳ ଦେଇଯାଏ – ସେ ମୂଳରୁ ଡାଳ, ଫୁଲପତ୍ର, ଫଳ - ଯୁଗଯୁଗଧରି ମଣିଷକୁ ଯୋଗାଇଆସିଛି ଅନାମୟତାର ଆବଶ୍ୟକ ଅମ୍ଳଜାନ । ଏଇ ମଣିଷ ଯେତେବେଳେ କିଛି ନିର୍ଜୀବ ନମୁନା ସୃଷ୍ଟି କରେ ତାହା ମଧ୍ୟ ବିଶ୍ୱବିକାଶରେ ସହାୟକ ହୁଏ  । ହେଲେ ଅତିରୁ ଇତିହୋଇ ବିଶ୍ୱଧ୍ୱଂସର ସହାୟକ ହୁଏ ଅନେକ ଅପନିର୍ମାଣ ।
କେଉଁ ଦେଶର ମହାତ୍ମାମାନେ ବିଶ୍ୱକୁ କ’ଣ କ’ଣ ଦେଇଛନ୍ତି – ତାହାର ଇତିହାସ ବଡ଼ÿ ଲମ୍ବା  । ଆମେ ଏଠାରେ କେବଳ ଏ ବିଶ୍ୱକୁ ଭାରତବର୍ଷ କ’ଣ ଦେଇଛି – ସେହି ବିଷୟରେ ଆଲୋଚନା କରିବା  । ଭାରତ ପୃଥିବୀକୁ ଦେଇଛି ବେଦବାଣୀ, ରାମକାହାଣୀ, ମହାଭାରତ, ଗୀତା, ଗୀତାଞ୍ଜଳି, ଗଙ୍ଗାଜଳ, ପୁଣି ନୋଷ୍ଟ୍ରାଡମସ୍ଙ୍କ ଭଳି ଭେଙ୍ଗାବାବା ଏବଂ ‘ନାସା’, ବିଶ୍ୱ ସ୍ୱାସ୍ଥ୍ୟସଂସ୍ଥା, ବିଶ୍ୱପର୍ଯ୍ୟାବରଣ ସଂସ୍ଥା, ବିଶ୍ୱ ମୁଦ୍ରାପାଣ୍ଠି, ଜାତିସଂଘ ଆକଳନଠୁ ଆରମ୍ଭ କରି ବିଭିନ୍ନ ଭବିଷ୍ୟବାଣୀର ପରଂପରାଠୁ ଅନ୍ୟୂନ ୬୦୦ବର୍ଷ ତଳେ ସର୍ବଜନପୂଜ୍ୟ ସଂଥ ମହାତ୍ମା ହାଡିଦାସ ମାଳିକାର ବିଶ୍ୱବିଖ୍ୟାତ ଭବିଷ୍ୟବାଣୀ  । ସତ୍ୟ, ତ୍ରେତୟା, ଦ୍ୱାପରଯୁଗ ପରେ ଏବେ ଆମେ କଳିଯୁଗ ଶେଷାର୍ଦ୍ଧରେ ଉପନୀତ ବୋଲି କୁହାଯାଏ । ବର୍ତ୍ତମାନ ପୃଥିବୀରେ ଆଠଶହକୋଟି ଜନସଂଖ୍ୟା  । ଆମ ଭାରତ ଏକନମ୍ବରରେ ୧୪୨କୋଟି ୮୬ଲକ୍ଷ  । ଚୀନ୍କୁ ସୁଦ୍ଧା ଏବେ ପକାଇଦେଲାଣି ପଛରେ  । ଅବଶ୍ୟ ଆମେ ଦୁଃଖୀଭାରତୀୟ  । ଖୁସି ତାଲିକାର ୧୪୮ଦେଶ ମଧ୍ୟରୁ ଆମ ନମ୍ବର ୧୩୬  ।
ସତ୍ୟଯୁଗରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ଦୁର୍ଗା, କାଳୀ, ସରସ୍ୱତୀ, ଗଣେଶ,ନାରଦ ପ୍ରମୁଖ ଦେବଦେବୀ ସାରା ବିଶ୍ୱପାଇଁ ଥିଲେ ବିଶ୍ୱାସର ବରାଭୟମୁଦ୍ରାରେ ବିରାଜିତ । କିନ୍ତୁ ଭାରତବର୍ଷରେ ତ୍ରେତୟାଯୁଗରେ ରାମ-ରାବଣ ଯୁଦ୍ଧରୁ ରାମାୟଣ ମହାକାବ୍ୟ ସୃଷ୍ଟି ହୋଇଛି  । ଆଜି ବି ରାମ-ଲକ୍ଷ୍ମଣ-ସୀତା-ହନୁମାନ କାହାଣୀ ଘରେ ଘରେ ଶୁଣାଯାଉଛି  । ସିନେମା, ଟିଭି, ସିରିଏଲରେ ଦେଖିଆସିଲେଣି ବେଜାୟ ବର୍ଷ । ରାମଙ୍କର ରାଜାଭିଷେକବେଳେ ଅଯୋଧ୍ୟାରେ ଷୋଳହଜାର ସାଧୁସନ୍ଥ ଥିଲେବି ମାତ୍ର ୮ଜଣ – (୧) ବଶିଷ୍ଠ, (୨) ବାମଦେବ, (୩) ଜାପାନୀ, (୪) କାଶ୍ୟପ, (୫) କାର୍ତାୟନ, (୬) ଗୌତମ, (୭) ବିଜୟ, (୮) ସୂର୍ଯ୍ୟଜ୍ଞ ଋଷି ବିଶେଷଭାବରେ ଆମନ୍ତ୍ରିତ ହୋଇ ଯୋଗଦେଇଥିଲେ  । ପୂର୍ବରୁ ରାବଣ ସୀତାଙ୍କୁ ଚୋରାଇନେଇଥିବା ସମୟରେ ତାଙ୍କୁ ଠାବ କରିବାପାଇଁ ୮ଜଣ ସେନାପତି ଯାଇଥିଲେ  । ସେମାନେ ହେଲେ – (୧) ହନୁମାନ, (୨) ଅଙ୍ଗଦ, (୩) ନଳ, (୪) ନୀଳ (୫) ଜାମ୍ବବାନ, (୬) ସୁଶେତି, (୭) ମହୀନ୍ଦ୍ର, (୮) ତ୍ରିବିନ୍ଦ  । ଏସବୁ ରାମକାହାଣୀ ରାମାୟଣରେ ଅଛି  । 
ଦ୍ୱାପରଯୁଗରେ ମହାଭାରତ ମହାକାବ୍ୟ, ଗୀତାଭାଗବତ ଶ୍ରେଷ୍ଠଦାନ  । ସେଇ ଭଗବାନ ଶ୍ରୀକୃଷ୍ଣଙ୍କର ଅଷ୍ଟପାଟରାଣୀ ଥିଲେ  । ସେମାନେ ହେଲେ – (୧) ରୁକ୍ମିଣୀ, (୨) ସତ୍ୟଭାମା, (୩) ଜାମ୍ବବତୀ, (୪) କାଳିନ୍ଦୀ, (୫) ମିତ୍ରବିନ୍ଦା, (୬) ନଗ୍ନଜୀତୀ, (୭) ଭଦ୍ରା, (୮) ଲକ୍ଷ୍ମଣା  । ଗୁରୁଙ୍କ ଗୁରୁ ମହାଗୁରୁ ବ୍ୟାସଦେବ ମହାଭାରତ ମହାକାବ୍ୟ ରଚନା କରିଥିଲେ  । ଭାଗବତରେ ଅଷ୍ଟଭାବ ହେଲା – (୧) ପ୍ରେମ, (୨) ସ୍ନେହ, (୩) ମାନ୍ୟ, (୪) ପ୍ରଣୟ, (୫) ରାଗ, (୬) ଅନୁରାଗ, (୭) ଭାବ, (୮) ମହାଭାବ  ।
କଳିଯୁଗରେ ଆମେ ଏ ପର୍ଯ୍ୟନ୍ତ ବିଶ୍ୱକୁ ଦେଇଛେ କ’ଣ ? ବେଦସଂସ୍କୃତ – ଋକ୍ବେଦ, ସାମବେଦ, ଯଜୁର୍ବେଦ, ଅଥର୍ବବେଦ  । ଏଥିସହିତ ଧର୍ମ, ଦର୍ଶନ, ଗଣିତ, କଳା, ଭାସ୍କର୍ଯ୍ୟ, ସ୍ଥାପତ୍ୟ ଆଦି ପ୍ରତ୍ୟେକ କ୍ଷେତ୍ରରେ ଅବିସଂବାଦିତ ଅବଦାନ  । ମହାନ୍ ବିଶ୍ୱସଂସ୍କୃତି, ଗଣସଂସ୍କୃତି, ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି, ସାମ୍ୟ, ମୈତ୍ରୀ ଓ ଐକ୍ୟର ପ୍ରତୀକ ଭାବେ ପୁରୀରୁ ସାରାବିଶ୍ୱକୁ ବ୍ୟାପିଛି  । ଗଣିତଜ୍ଞ ରାମାନୁଜ୍ଙ୍କ ଶୂନ୍, ଜିରୋର ଉଦ୍ଭାବନ ସାରାବିଶ୍ୱରେ ବିରଳ  । ଗୌତମ ବୁଦ୍ଧ ଅଷ୍ଟଚେକା ଘାସରେ ବସି ତପସ୍ୟା ସାରିବା ପରେ ବିଶ୍ୱକୁ ଅଷ୍ଟାଙ୍ଗିକ ମାର୍ଗଦେଇଥିଲେ  । ୨୦୮୩ବର୍ଷ ତଳେ ଭୋଗ-ଉପଭୋଗ ଭିତରୁ ମହିମାମନ୍ତ୍ରରେ ପହଂଚିଥିଲେ  । ଜ୍ଞାନ ଓ ଧ୍ୟାନର ନୂତନମାର୍ଗ, ମୁକ୍ତିର ମାର୍ଗ ‘କାମନାର ବିନାଶରେ ଦୁଃଖର ବିନାଶ’ ଉତ୍ତମମାର୍ଗ ଜଗତଜୀବନ ଉଦ୍ଧାରକରିବାକୁ ଅନ୍ଧକାରରୁ ଆଲୋକ ନିର୍ବାଣମନ୍ତ୍ର ଦେଇଯାଇଛନ୍ତି  । ଏଇ ଓଡିଶାର ସନ୍ଥକବି ଭୀମଭୋଇଙ୍କ ଭୁବନମୋହନ ଭାବୋତ୍ସବ – “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁଦେଖୁ କିବା ସହୁ – ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ” – ଏଇ ପଦକ ସାରାବିଶ୍ୱରେ ଶ୍ରେଷ୍ଠ  । ମହାତ୍ମା ଗାନ୍ଧୀଙ୍କ ‘କର ବା ମର’ ନେତାଜୀ ସୁଭାଷ ବୋଷଙ୍କ “ମୋତେ ରକ୍ତ ଦିଅ, ମୁଁ ତମକୁ ସ୍ୱାଧୀନତା ଦେବି” – ଏ ଆହ୍ୱାନ ସାରାବିଶ୍ୱରେ ଅନନ୍ୟ  । 
ଯେଉଁ ଭାରତବର୍ଷର ମହାତ୍ମାମାନେ ସମଗ୍ର ବିଶ୍ୱକୁ ତାଙ୍କର ଅମର ଅବଦାନ ଦେଇଯାଇଛନ୍ତି – ଏବେ ସେଇ ଭାରତବର୍ଷରେ ଧନରାକ୍ଷସମାନଙ୍କର ତାଣ୍ଡବଲୀଳା ଚାଲିଛି । ସେମାନେ ଜାଲିଆତିର ଜାଲରେ ଧରାପଡି ଏବେ ବଦନାମ ଗଳିର ବାଦଶାହା  । ସେମାନଙ୍କ ଠକାମି ଭାରତକୁ ବିଶ୍ୱରେ ବଦନାମ୍ କରିଦେଇଛି  । ପୁଣି ଭେଜାଲ୍ ବିଷର ଭଣ୍ଡାରରେ ଭାରତ ଅଗ୍ରଣୀ  । ସବୁଦେଶଭଳି ଭାରତ ମଧ୍ୟ ମିଛରାଜନୀତିରେ ମାତିଛି  । ରାଜନୀତିରେ ନୀତି, ଆଦର୍ଶ ବୋଲି କିଛି ନାହିଁ  । ଏବେ ବିଶ୍ୱକୁ ଭାରତ ନକାରାତ୍ମକ ସନେ୍ଦଶ ଦେଉଛି  । ମୋବାଇଲ, କମ୍ପ୍ୟୁଟର ଉଦ୍ଭାବନ ଯୋଗୁ ବିଶ୍ୱବ୍ରହ୍ମାଣ୍ଡରେ କ’ଣ ସବୁ ଘଟିଯାଉଛି କ୍ଷଣିକମଧ୍ୟରେ ଗଣମାଧ୍ୟମରେ ବିଶ୍ୱବାସୀ ଜାଣୁପାରୁଛନ୍ତି  । କୌଣସି ଦେଶ ଲୁଚାଛପାରେ କିଛି କଲେ କି କିଛି କହିଲେ – ସବୁ ପ୍ରଘଟ ହୋଇଯାଉଛି  । ସଂଗେସଂଗେ ସମସ୍ତେ ଦେଖୁଛନ୍ତି, ଶୁଣୁଛନ୍ତି, ପଢୁଛନ୍ତି  । ଯେତେ ମିଛ କହି ବାହାଦୁରି ମାରିଲେ ବି ସେସବୁ ଇତିହାସର ଅଳିଆଗଦାରେ ପଡିବାକୁ ବାଧ୍ୟ  । 
ବିଶ୍ୱରେ ଯେତେସବୁ ଅଘଟଣ, ରକ୍ତପାତ, ଦୁର୍ଘଟଣା, ଅମାନବୀୟ କାର୍ଯ୍ୟ ଆମେରିକା, ରୁଷ, ଚୀନ୍, ଭାରତ, ପାକିସ୍ତାନ, ଉତ୍ତରକୋରିଆ, ଫ୍ରାନସ୍, ଇଂଲଣ୍ଡ, ଗ୍ରୀସ୍, ଆଫ୍ରିକା ପ୍ରମୁଖ ଦେଶରେ ଚାଲିଛି  । ଏଇସବୁ ଦେଶର ମହାତ୍ମାମାନଙ୍କର ଅବଦାନ ବିଶ୍ୱକୁ ଅନେକ କିଛି ଦେଇଛି  । ତାଙ୍କ ଉତ୍ତର-ଦାୟାଦମାନେ କିନ୍ତୁ ଏବେ ଖାଲି ବିଶ୍ୱକୁ ବିଷ ବାଂଟିବାରେ ବ୍ୟସ୍ତ  । ଏ ଦେଶର ଅତୀତକୁ ଯେଭଳିଭାବେ ବିଶ୍ୱ ସ୍ମରଣ କରୁଛି – ବର୍ତ୍ତମାନକୁ ଘୃଣା କରିବାରେ ଲାଗିଛି  । ଭବିଷ୍ୟତରେ ଏ ଦେଶମାନଙ୍କ ଭିତରୁ କେହିନାକେହି ମହାତ୍ମା ଆବିର୍ଭାବ ହୋଇ ସମଗ୍ର ବିଶ୍ୱକୁ ଆଲୋକିତ କରିପାରନ୍ତି  । ୫୦୦ବର୍ଷ ପୂର୍ବରୁ ବିଶ୍ୱବିଖ୍ୟାତ ଭବିଷ୍ୟବିତ୍ ନୋଷ୍ଟ୍ରାଡାମସ୍ ଯେଉଁ ଭବିଷ୍ୟତବାଣୀ ଶୁଣାଇଯାଇଥିଲେ ୬୦୦ବର୍ଷ ପୂର୍ବରୁ ମଧ୍ୟ ମହାତ୍ମା ହାଡିବନ୍ଧୁ ଦାସ ‘ହାଡିଦାସ ମାଳିକା’ ରଚନା କରିଯାଇଛନ୍ତି  । ଏ ଦୁଇମହାତ୍ମାଙ୍କ ବାଣୀ ଆଜିର ବୈଜ୍ଞାନିକମାନଙ୍କ ଗବେଷଣାରୁ ପ୍ରକାଶ ପାଉଛି  । ସେମାନେ ମଧ୍ୟ ଭବିଷ୍ୟତର ବିପଦ ସଂପର୍କରେ ସୂଚନା ଦେଉଛନ୍ତି  । ଆଜି ସମଗ୍ରବିଶ୍ୱରେ ଅସୁମାର ଅଘଟଣ ହଠାତ୍ ହଠାତ୍ ଘଟିଯାଉଛି  । ଭୋକ ଓ ରୋଗ ମାଡିଆସୁଛି  । ମଣିଷ ଧନଦାନବ ପାଲଟିଯାଉଛି  । ବିଜ୍ଞାନର ବିକାଶଦିଗକୁ ନଚାହିଁ ବିନାଶଆଡେ ମୁହାଁଇଛେ - ଯାହାଫଳରେ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଆଜି ଥରହର  । ଏଭଳି ଅବସ୍ଥାରେ ଏଇ ୨୦୨୩ ଜୁଲାଇ ମାସରେ ଏ ଲେଖକ ଅତୀତ, ବର୍ତମାନକୁ ଗଭୀରଭାବେ ଅନୁଧ୍ୟାନକରି ଅଭିଜ୍ଞତାରୁ ଭବିଷ୍ୟତରେ କ’ଣ କ’ଣ ସବୁ ଘଟିବ – ସମସ୍ତଙ୍କ ବାଣୀକୁ ଚିପୁଡି ‘ବିଶ୍ୱଭବିଷ୍ୟବାଣୀ’ ପୁସ୍ତକ ରଚନା କରିଛି  । ଏ ‘ବିଶ୍ୱଭବିଷ୍ୟବାଣୀ’ ଅଜସ୍ର ଅଗ୍ନିକଣାରେ ପ୍ରସ୍ତୁତ  । ଏ ଗୋଟିଏ ଭବଷ୍ୟତର ପରମାଣୁବୋମା – ଏଇ ପରମାଣୁବୋମା ଛାର୍ଖାର୍ କରିଦେଇପାରେ ରାକ୍ଷସରାଜର ଛତ୍ରଛାଉଣୀ  । ଏ ‘ବିଶ୍ୱଭବିଷ୍ୟବାଣୀ’ ଆଜି ନହେଲେ କାଲି ସତହେବାକୁ ଯାଉଛି – ସେତେବେଳେ ଏ ଲେଖକ ଥିବ କି ନଥିବ  । ଯେଉଁମାନେ ବଂଚିରହିଥିବେ – ସେମାନେ ହୁଏତ କହିପାରନ୍ତି - ‘ବିଶ୍ୱଭବିଷ୍ୟବାଣୀ’ ବିଶ୍ୱକୁ ଏକ ମହାନ୍ ଅବଦାନ  ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩