ଇଣ୍ଡିଆ ବୁକ୍ ଅଫ ରେକେର୍ଡସରେ ମାନପୁରର କୁନି ଝିଅ ପୂର୍ବଜା
ଦାନଗଦୀ : ବୟସ ମାତ୍ର ୨ବର୍ଷ ୮ ମାସ । ପାଟି ଠିକ ଭାବେ ଫିଟିନାହିଁ । ଖନେଇ ଖନେଇ କଥା କୁହନ୍ତି । କଅଁଳ ବୟସରେ ଜଣେ କୁନୀ ପ୍ରତିଭା ନିଜର ପ୍ରଚଣ୍ଡ ପ୍ରତିଭା ବଳରେ ଜାତୀୟ ସ୍ତରରେ ନାଁ ରଖିବା ସହ ନିଜ ଗାଁ ଓ ଅଂଚଳ ପାଇଁ ଗୌରବନୀତ୍ୱ କରିଛନ୍ତି । ତୁଳସୀ ଦୁଇ ପତ୍ରରୁ ବାସିବା ପରି ଗୋବର୍ଦ୍ଧନପୁର ପଂଚାୟତର ମାନପୁର ଗାଁର ବିସ୍ମୟକୁନି ଝିଅ ପୂର୍ବଜା ଚୌଧୁରୀ ମାତ୍ର ୨୬ସେକେଣ୍ଡରେ ୨୮ଟି ରାଜ୍ୟର ରାଜଧାନୀ ନାମ ଉଚ୍ଚାରଣ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ଖାଲି ସେତିକି ନୁହେଁ ବିଚକ୍ଷଣା ଶିଶୁ ପ୍ରତିଭା ପୂର୍ବଜାଙ୍କର ଅଦଭୂତ ପ୍ରତିଭା ୨୨ଟି ଗାଡିର ନାମ, ୨୨ଟି ପନିପରିବା, ୨୨ଟି ବନ୍ୟଜନ୍ତୁ,୨୨ଟି ଗୃହପାଳିତ ପଶୁ, ୨୨ଟି ପକ୍ଷୀ, ୨୨ ଗୋଟି ଫଳ,୨୬ଟି ଇଂଲିଶ ଅକ୍ଷର,୨୦ଟି ସଂଖ୍ୟା,୧୧ଟି ରଙ୍ଗ, ୧୧ଟି ଆକୃତି, ହିନ୍ଦୀ ବର୍ଣମାଳା,୧୫ଟି ଜାତୀୟ ସଂକେତ, ଓଡିଶାର ପବିତ୍ର ଦର୍ଶନୀୟ ସ୍ଥାନ ଗୁଡିକର ନାମ ଅନର୍ଗଳ କହିପାରୁଛନ୍ତି ।
ଏଥିପାଇଁ ସେ ସଫଳତା ସ୍ୱରୂପ ଇଣ୍ଡିଆ ବୁକ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ପିତା ଇଞ୍ଜିନିୟର ସ୍ୱରାଜ କୁମାର ଚୌଧୁରୀ ଓ ମାତା ଶକ୍ତିମୟୀଙ୍କ ସହ ଜେଜେ ବାପା ଶିଶିର ଚୌଧୁରୀ ସହ ପୁରା ଚୌଧୁରୀ ପରିବାର ସଫଳତାରେ ଖୁସି ବ୍ୟକ୍ତ କରିଥିବା ବେଳେ ଏହା ଦାନଗଦୀ ବ୍ଲକ୍ ଓ ଯାଜପୁର ଜିଲା ପାଇଁ ଗର୍ବ ଗୌରବ ହୋଇପାରିଛି । ଏହି ରେକର୍ଡ କରିବା ପରେ ତାଙ୍କୁ ଶୁଭେଚ୍ଛା ଓ ପ୍ରଶଂସାର ସୁଅ ଛୁଟିଛି । ଏହି ସଫଳତା ପରେ ଏସିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇବା ପାଇଁ ପିତା ମାତା ତାଙ୍କୁ ପ୍ରସ୍ତୁତ କରୁଥିବା ବେଳେ ଭବିଷ୍ୟତରେ ଭାରତୀୟ ପ୍ରଶାସନିକ ସେବା ରେ କିପରି ଜନସାଧାରଣଙ୍କର ସେବା ଆମ ଝିଅ କରିପାରିବ ସେଥିପାଇଁ ଆମେ ଆଶାବାଦୀ ଅଛୁ ବୋଲି କହିଛନ୍ତି ।