ମହିଳାଙ୍କୁ ରାକ୍ଷୀ କରିଛି ସ୍ୱାବଲମ୍ବୀ : ଧାନ ଓ ଯଅରେ ପ୍ରସ୍ତୁତ ଜଗନ୍ନାଥଙ୍କ ରାକ୍ଷୀର ବଢୁଛି ଚାହିଦା
ଖୋର୍ଦ୍ଧା: ଦୃଢ଼ ମନୋବଳଏବଂ ଇଚ୍ଛାଶକ୍ତି ଥିଲେ ସଫଳତା ମିଳିଥାଏ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଖୋର୍ଦ୍ଧା ବ୍ଲକ ଜଂକିଆ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାଆମ୍ବ ମୌଜାର ବାଲିଗାଡିଆ ଗ୍ରାମର ଅନିମା ସାମନ୍ତରାୟ । ନିଜସ୍ୱ ଉଦ୍ୟମ ଓ ନିଷ୍ଠା ବଳରେ ଜଣେ ସଫଳ ମହିଳା ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ଅନିମା ସାମନ୍ତରାୟ ସରକାରୀ ଏମସିଏମ୍ର ପ୍ରଶିକ୍ଷିକା ରହିଛନ୍ତି । ସ୍ଥାନୀୟ ଅଞ୍ଚଳରେ କିପରି ଆଗ୍ରହୀ ମା’ ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ ସେ ଉଦ୍ୟମ ଚଳାଇଛନ୍ତି । ପ୍ରାୟେ ୧୦ରୁ ଅଧିକ ପରିବାର ପାଇଁ ଅନିମା ଏବେ ପାଲଟିଛନ୍ତି ଆଲୋକର ଦୀପଶିଖା । ତାଙ୍କ ହାତ ତିଆରି ବିଭିନ୍ନ ହସ୍ତକଳା ସାମଗ୍ରୀ ରାକ୍ଷୀ ଆଜି ଦେଇଛି ଏକ ସ୍ୱତନ୍ତ୍ର ପରିଚୟ । ଯାହାଫଳରେ ସେ ସ୍ୱାବଲମ୍ବୀ ହୋଇ ରୋଜଗାର ଏବଂ ସମ୍ମାନ ପାଇବା ସହିତ ଅନ୍ୟ ମାନଙ୍କୁ ସ୍ୱାବଲମ୍ବୀ ହେବାକୁ ପ୍ରୋସôାହିତ କରୁଛନ୍ତି । ପ୍ରକାଶ ଥାଉ କି କିଛି ନୂଆ କରିବା ପାଇଁ ଯୋଜନା ତଥା ଆଗକୁ ବଢିବାର ଜିଜ୍ଞାସା ଅନିମା ଓ ତାଙ୍କ ସହଯୋଗୀଙ୍କ ପାଇଁ ସଫଳତା ଆଣିଦେଇଛି । ଅନିମା ଙ୍କ ପରାମର୍ଶ କ୍ରମେ ଜଂକିଆ ପଞ୍ଚାୟତର ୧୦ ଜଣ ମହିଳା ସଦସ୍ୟା ଏକତ୍ର ହୋଇ ଗଠନ କରିଛନ୍ତି ମା ବୃନ୍ଦାବତୀ ମହିଳା ଗ୍ରୁପ । ଗ୍ରୁପ୍ ର ସଭ୍ୟ ମାନେ ରାକ୍ଷୀ ଓ ସରକାରୀ ସାହାଯ୍ୟ ସହଯୋଗ ରେ ବିଭିନ୍ନ ହସ୍ତକଳା ସାମଗ୍ରୀ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି । ଘରେ ବସି ଏହି କୁଟୀର ଶିଳ୍ପ ମାଧ୍ୟମରେ ରୋଜଗାର କରିପାରୁଛନ୍ତି ।
ଚଳିତବର୍ଷ ବଜାରରୁ କଞ୍ଚା ମାଲ କିଣି ବିଭିନ୍ନ ପ୍ରକାରର ରଙ୍ଗ ବେରଙ୍ଗର ରାକ୍ଷୀ ପ୍ରସ୍ତୁତ କରୁଛନ୍ତି । ଯଅ, ଧାନ, ମାଳି, କାଇଁଚ, ଶଙ୍ଖରେ ବିଭିନ୍ନ ଡିଜାଇନର ରାକ୍ଷୀ ହେଉଛି । ବିଶେଷତ ଧାନ ଓ ଯଅ ରେ ପ୍ରସ୍ତୁତ ହେଉଛି ଜଗନ୍ନାଥଙ୍କ ରାକ୍ଷୀ । ପ୍ରତି ରାକ୍ଷୀ ଭଣ୍ଡାର ମାଲିକ ଓ ଗ୍ରାହକଙ୍କ ଆଗ୍ରହ ବଢ଼ିବାରେ ଲାଗିଛି । ରଙ୍ଗ ,ମାଳି , କାଇଁଚ ରେ ପ୍ରସ୍ତୁତ ରାକ୍ଷୀ ଗୁଡ଼ିକ ମନୋଭରା ଓ ଆକର୍ଷଣୀୟ । ଆଗକୁ ରାକ୍ଷୀ ପୂର୍ଣ୍ଣିମା ଆସୁଥିବା ବେଳେ ଏହି ସମୟରେ ରାକ୍ଷୀ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିବାକୁ ଲକ୍ଷ୍ୟ ରଖିଛନ୍ତି ମା ବୃନ୍ଦାବତୀ ଗୋଷ୍ଠୀର ମହିଳା ମାନେ । ଏବେ ସୁଦ୍ଧା ପ୍ରାୟ ୧୦ ହଜାରରୁ ଅଧିକ ରାକ୍ଷୀ ହୋଇ ସାରିଲାଣି । ଇତିମଧ୍ୟରେ ଜଣେ ହୋଲ ସେଲର କେବଳ ବହୁ ସଂଖ୍ୟକ ଜଗନ୍ନାଥ ରାକ୍ଷୀ ନେଉଥିବାବେଳେ ଆହୁରି ନେବା ପାଇଁ ଅର୍ଡର୍ ଦେଇଥିବା କଥା ଅନିମା କହିଛନ୍ତି । ଅନିମା କୁହନ୍ତି ରାକ୍ଷୀ ପ୍ରସ୍ତୁତ ଲାଗି ୟୁଟୁ୍ୟବ ପ୍ରେରଣା ଯୋଗାଇଥିଲା । ନିଜସ୍ୱ ଉଦ୍ୟମରେ ଦୁଇ ମାସ ସଦସ୍ୟଙ୍କୁ ନେଇ ଶିଖାଇଛନ୍ତି । ୪ ମାସ ହେବ ମିଶିକି ଆରମ୍ଭ କରିଛୁ ରାକ୍ଷୀ । କଉଡ଼ି, ଶାମୁକା ଓ ପୁରୀ ଅଞ୍ଚକରୁ ମାଳି , ଭୁବନେଶ୍ୱର ରୁ ଭଲ ୁଚୁମୁକି, ଭେଲ୍ଭେଟ କପଡା ସହିତ କଟକ ପେପର ଆଣି ଘରେ କରି ରାକ୍ଷୀ ପ୍ରସ୍ତୁତ କରୁଛନ୍ତି । ପ୍ରାୟେ ୫୦ ହଜାର ଟଙ୍କାର ମାଲ ଆଣିଛନ୍ତି । ଚଳିତ ବର୍ଷ ପ୍ରାୟେ ଏକ ଲକ୍ଷ ଟଙ୍କାର ରାକ୍ଷୀ ବିକ୍ରି ହେବ ବୋଲି ଆଶା ରଖିଛନ୍ତି । ଅନ୍ୟ ମହିଳା ସଦସ୍ୟାମାନେ ଘର କାମ ଧନ୍ଧା ସାରି ଦିନ ଗୋଟିଏରୁ ରାତି ପର୍ଯ୍ୟନ୍ତ ରାକ୍ଷୀ କାର୍ଯ୍ୟ କରୁଛନ୍ତି । ଏହି ବଳକା ସମୟକୁ ଲଗାଇ ଦୁଇ ପଇସା ରୋଜଗାର କରୁଛୁ ବୋଲି ସେମାନେ କହିଛନ୍ତି । ରାକ୍ଷୀ ୫ ଟଙ୍କାରୁ ଆରମ୍ଭ କରି ୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଛି । ଆଗକୁ ଏମାନଙ୍କୁ ସରକାରୀ ସୁବିଧା ଯୋଗାଇ ଦେଲେ ସେମାନେ ହସ୍ତ କଳା ଶିଳ୍ପକୁ ନିଜର ଜୀବିକା ରୂପେ ଆଗେଇ ନେବା ସହିତ ଆମର ହସ୍ତକଳାକୁ ଦେଶ ବିଦେଶରେ ବିସ୍ତାରିତ କରିପାରିବେ ବୋଲି ମତବ୍ୟକ୍ତ କରିଛନ୍ତି ।