ମୋଦିଙ୍କୁ ନେଇ ଦ୍ୱନ୍ଦ୍ୱରେ ନବୀନ!

ମୋଦିଙ୍କୁ ନେଇ ଦ୍ୱନ୍ଦ୍ୱରେ ନବୀନ!

 ଭୁବନେଶ୍ୱର :  ସମସ୍ତେ କହୁଛନ୍ତି ୨୦୨୪ରୁ ଓଡ଼ିଶାରେ ଚାଲିଛି ଡବଲ ଇଞ୍ଜିନ୍ ଶାସନ  । କିନ୍ତୁ ରାଜ୍ୟ ରାଜନୀତିକୁ ନିରେଖି ଦେଖିଲେ, ୨୦୧୯ରୁ ହିଁ ରାଜ୍ୟରେ ଡବଲ ଇଞ୍ଜିନ୍ ଚାଲିଥିବା ପ୍ରତୀୟମାନ ହେଉଥିଲା  । ନବୀନ ପିଟୁଥିବା ସମଦୂରତାର ବାଜାରେ ମୋଦି ମୋଦି ହିଁ ଶୁଭୁଥିଲା  । ସଂସଦରେ ନବୀନ ସବୁବେଳେ ମୋଦିଙ୍କ ସାଥ୍ ହିଁ ଦେଉଥିଲେ  । ସେପଟେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଉପରେ ଗର୍ଜି ଆସୁଥିବା ବିଜେପିର ସ୍ୱର ୨୦୧୯ରେ ବି ନରମ ହୋଇଯାଇଥିଲା  ।  ବିଶେଷକରି ରାଜ୍ୟସଭା ସାଂସଦ ଭାବେ ଅଶ୍ୱିନୀ ବୈଷ୍ଣବଙ୍କ ନିର୍ବାଚନ ମୋଦି ଓ ନବୀନଙ୍କ ମଧ୍ୟରେ ଥିବା ଭିତିରିଆ ନିଘନ ସମ୍ପର୍କର ପ୍ରମାଣ ଦେଇଥିଲା  ।
୨୦୧୪ରେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ହେବା ପରେ ନବୀନ ସରକାରଙ୍କ ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇଥିଲେ  । ୨୦୧୭ରେ ତାହାର ସୁଫଳ ବି ବିଜେପି ପାଇଥିଲା  । ସେହି ସମୟରେ ଓଡ଼ିଶାରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ହେଉ ଅବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କ ଘନଘନ ଓଡ଼ିଶା ଗସ୍ତ ହେଉ ସବୁକିଛି ଦେଖିବାକୁ ମିଳୁଥିଲା  । ପ୍ରେସମିଟ୍ରେ ସମସ୍ତେ ନବୀନ ସରକାରଙ୍କୁ ଘନଘନ ଆକ୍ରମଣ ବି କରୁଥିଲେ  । କିନ୍ତୁ ୨୦୧୯ରେ ସବୁକିଛି ବଦଳି ଯାଇଥିଲା  । ନବୀନ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ମାସକ ପରେ ବିଜେଡ଼ି ଓ ବିଜେପି ମଧ୍ୟରେ ଏକ ଗୁପ୍ତ ରଣନୀତି କରାଯାଇଥିବା ସ୍ପଷ୍ଟ ହୋଇଥିଲା  । ସୌମ୍ୟରଞ୍ଜନ ପଟ୍ଟନାୟକ ବିଧାୟକ ଭାବେ ନିର୍ବାଚିତ ହେବାରୁ ସେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ  । ତାଙ୍କ ସ୍ଥାନରେ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ  । ଏମିତିକି ଅଶ୍ୱିନୀ ବିଜେଡ଼ି ପ୍ରାର୍ଥୀ ହେବେବୋଲି ନବୀନ ପ୍ରେସମିଟ୍ରେ କହିଦେଇଥିଲେ  । ନବୀନଙ୍କ ଘୋଷଣାର କିଛି ସମୟ ପରେ ହଠାତ୍ ବିଜେପି ଅଶ୍ୱିନୀଙ୍କୁ ପ୍ରାର୍ଥୀ କରିବାରୁ ନବୀନ କଥା ଢୋକିବାକୁ ବାଧ୍ୟ ହୋଇଥିଲେ  । ନବୀନ କହିଥିଲେଯେ, ବିଜେପି ପ୍ରାର୍ଥୀ ଅଶ୍ୱିନୀଙ୍କୁ ବିଜେଡ଼ି ସମର୍ଥନ କରିବ  । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍ରେ ନବୀନଙ୍କ ସହ କଥା ହୋଇଥିଲେ  । ଯାହାକି ରାଜ୍ୟ ରାଜନୀତିରେ ସ୍ୱାଭାବିକ ଭାବେ ଆଲୋଡ଼ନ ସୃଷ୍ଟି କରିଥିଲା  । ବିଜେପିର ଶକ୍ତି ନଥିଲେବି ଅଶ୍ୱିନୀ ରାଜ୍ୟସଭାକୁ ନିର୍ବାଚିତ ହେବା ସହ ପରେ ରେଳମନ୍ତ୍ରୀ ହେବାର ସୌଭାଗ୍ୟ ପାଇଥିଲେ  । ଏହା ପରେପରେ ମୋଦିଙ୍କ ନିଦେ୍ର୍ଦଶ କ୍ରମେ ରାଜ୍ୟ ବିଜେପି ନବୀନଙ୍କ ପ୍ରତି ନରମ ଆଭିମୁଖ୍ୟ ପୋଷଣ କରିଥିଲା  । ରାଜ୍ୟ ବିଜେପିର ନେତାମାନେ ଚିରାଚରିତ ଭାବେ ନବୀନଙ୍କୁ ସମାଲୋଚନା କରୁଥିଲେବି ଯେତେ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସନ୍ତି ସେମାନେ କିନ୍ତୁ ପୂର୍ବଭଳି କଠୋର ସମାଲୋଚନା କରିନଥିଲେ  । ଏମିତିକି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ନବୀନ ନିବାସରେ ପଖାଳ ଭୋଜନ ବି ଆଲୋଡ଼ନ ସୃଷ୍ଟି କରିଥିଲା  । ସେପଟେ ଧର୍ମକୁ ଆଖିଠାର ଭଳି ମଝିରେ ମଝିରେ ଉଭୟ ଦଳର ତୁଙ୍ଗ ନେତାଙ୍କ ମନରେ ବାକଯୁଦ୍ଧ ଦେଖିବାକୁ ମିଳିଥିଲା  । ଦୁଇ ଦଳର ଚିହ୍ନ ଅଲଗା ହୋଇଥିଲେ ବି ତୁଙ୍ଗ ନେତାଙ୍କ ହୃଦୟ କିନ୍ତୁ ମିଶିଯାଇଥିଲା  ।  ୨୦୨୪ ନିର୍ବାଚନ ପୂର୍ବରୁ ଏହାର ନଜିର ସାରା ଓଡ଼ିଶା ଦେଖିଥିଲା  । ଏମିତିକି ସଂଖ୍ୟା ନଥିଲେବି ପୁଣିଥରେ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ବିଜେଡ଼ି ସମର୍ଥନ କରିଥିଲା  । ନିର୍ବାଚନ ସମୟରେ ଦୁଇ ଦଳ ପ୍ରାର୍ଥୀ ଘୋଷଣା ନକରି ମେଣ୍ଟ ନେଇ ବିଚାରବିମର୍ଷ କଲେ  । ପରେ ଅବଶ୍ୟ ରାଜ୍ୟ ବିଜେପି ନେତାଙ୍କ କଠୋର ବିରୋଧ ପରେ ମେଣ୍ଟ ନିଷ୍ପତ୍ତି ହୋଇପାରିନଥିଲା  । ପରେପରେ ନିର୍ବାଚନୀ ସଭାରେ ଦୁଇ ଦଳ ରାଜନୀତିର ଚିରାଚରିତ ଘଟଣାକ୍ରମେ ମୁହାଁମୁହିଁ ହୋଇଥିଲେ  । ଆଜି ଯଦି ବିଜେଡ଼ିର ଲୋକସଭାରେ ପୁରୁଣା ଶକ୍ତିଥାଆନ୍ତା ତେବେ ମୋଦିଙ୍କ ଏନଡ଼ିଏରେ ବିଜେଡ଼ି ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସାମିଲ୍ ହେବା ନିଶ୍ଚିତ ଥିଲା ବୋଲି ରାଜନୀତିକ ଅନୁଶୀଳକ ମାନେ ମତପୋଷଣ କରନ୍ତି  । 
୨୦୨୪ ଜୁନ୍ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶପଥ ଗ୍ରହଣ ଉତ୍ସବରେ ନବୀନଙ୍କ ସହ ମୋଦି ଓ ଶାହଙ୍କ ଭେଟଘାଟ ଯିଏ ନିରେଖି ଦେଖିଥିବ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କ ଜଳଜଳ କରି ଦେଖିପାରିଥିବେ  । ଏବେବି ବିଜେଡ଼ିର ମୋଦିଙ୍କ ପ୍ରେମ ଯାଇନାହିଁ  । ୱାକଫ ବିଲ୍ ହେଉ ଅବା ସଂସଦରେ ସଦ୍ୟତମ ଅପରେସନ୍ ସିନ୍ଦୁର ଆଲୋଚନା କାଳରେ ବିଜେଡ଼ିର ଆଭିମୁଖ୍ୟ ବି ସମସ୍ତେ ଦେଖିଛନ୍ତି  । ନବୀନ ଓ ମୋଦିଙ୍କ ମଧ୍ୟରେ ସମ୍ପର୍କ ନାହିଁ ବୋଲି ଯଦି ଦୁଇ ଦଳ ଯେତେ କହିଲେବି ଲୁଚିଛି ନା ଗୋଡ଼ ଦୁଇଟି ଦିଶୁଛି ବୋଲି କୁହାଯାଇପାରିବ  । ଏବେ ନବୀନଙ୍କ ପାଇଁ ଆଉ ଏକ ପରୀକ୍ଷାର ବେଳ  । କାହିଁକିନା ଚଳିତ ମାସ ଶେଷ ଆଡ଼କୁ ନବୀନଙ୍କୁ ଆଉ ଏକ ନିଷ୍ପତ୍ତି ନେବାକୁ ପଡ଼ିବ  । ଅଗଷ୍ଟ ୨୧ ସୁଦ୍ଧା ଏନଡ଼ିଏ ତାହାର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବ  । କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ବି ପ୍ରାର୍ଥୀ ଦେବା ନିଶ୍ଚିତ  । ଏଭଳି ସ୍ଥିତିରେ ପୁଣିଥରେ ନବୀନଙ୍କୁ ମୋଦିଙ୍କ ଫୋନ୍ କଲ୍ ଆସିବ  । ସେପଟେ ଉଭୟ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ନବୀନ ନିବାସ ଆସି ନବୀନଙ୍କୁ ଭେଟିବେ ନଚେତ୍ ଫୋନ୍ ଯୋଗେ ଆଲୋଚନା କରିବା ସ୍ୱାଭାବିକ କଥା  । ଏଭଳି ସ୍ଥିତିରେ ନବୀନ କି ନିଷ୍ପତ୍ତି ନେବେ ? ସମ୍ପ୍ରତି ଦଳର କର୍ମୀ ଓ ନେତାମାନେ ବିଜେପି ସହ ଆଦୌ ସମ୍ପର୍କ ରଖିବାକୁ ଚାହୁଁନାହାନ୍ତି  । ବରଂ ଆଗାମୀ ଦିନରେ କଂଗ୍ରେସ ସହ ମେଣ୍ଟ ନେଇ ବି ଚର୍ଚ୍ଚା ହେଉଛି  । ହେଲେ ନବୀନ ଓ ପାଣ୍ଡିଆନ୍ କିନ୍ତୁ କଂଗ୍ରେସ ଅପେକ୍ଷା ବିଜେପି ସହ ସମ୍ପର୍କ ବଢ଼ାଇବାକୁ ଚାହୁଁଛନ୍ତି  । ଏହି ପରିପ୍ରେକ୍ଷୀରେ ନବୀନ ପୂର୍ବଭଳି ସମଦୂରତ୍ୱର ଡିଣ୍ଡିମ ପିଟିବେ ନା ମୋଦି ମୋଦି ଜପିବେ ତାହା ଦେଖିବାକୁ ବାକି ରହିଲା  ।