ସ୍ୱାଧୀନତା ଦିବସ ନେଇ ପ୍ରସ୍ତୁତି ବୈଠକ

ଜଗତସିଂହପୁର :  ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଜେ. ସୋନାଲ ଆଗାମୀ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସକୁ ପାଳନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅଗଷ୍ଟ ୧୫ ଦିନ ସକାଳ ୪.୩୦ ରେ ରାମଧୁନ, ପ୍ରଭାତ ଫେରି ସକାଳ ୬, ବିଭିନ୍ନ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ ସକାଳ ୭.୩୦ ମି ଏବଂ ଜିଲ୍ଲାସ୍ତରୀୟ ପତାକା ଉତ୍ତୋଳନ ୯.୧୫ ମି. ରେ ଅନୁଷ୍ଠିତ ହେବ । ପ୍ରତ୍ୟେକ କାର୍ଯ୍ୟାଳୟର ମୁଖ୍ୟମାନେ ନିଜ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହି ପତାକା ଉତ୍ତୋଳନ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ପ୍ରଥମ ରୁ ତୃତୀୟ, ୪ର୍ଥ ରୁ ୫ମ, ୬ଷ୍ଠ ରୁ ୮ମ, ହାଇସ୍କୁଲ ଓ କଲେଜ ସ୍ତରରେ ବକୃତା, ଦେଶାତ୍ମକ ବୋଧକ ସଙ୍ଗୀତ ଓ କୁଇଜ୍ ପ୍ରତିଯୋଗିତା ବ୍ଲକ ଓ ପୌର ପରିଷଦ ମଧ୍ୟରେ ୮.୮.୨୦୨୫ ରିଖ ଓ ଜିଲ୍ଲାସ୍ତରରେ ୧୧.୮.୨୦୨୫ ତାରିଖରେ ଅନୁଷ୍ଠିତ ହେବ ।  ବିଭିନ୍ନ ବିଭାଗ ଓ ପାରାଦୀପର ପ୍ରମୁଖ ଶିଳ୍ପ ସଂସ୍ଥାଙ୍କ ଦ୍ୱାରା ପ୍ରଜ୍ଞାପନ ମେଢ ପରେଡ ସମୟରେ ପ୍ରଦର୍ଶିତ ହେବ । ଚଳିତବର୍ଷ ପୌର ପରିଷଦ, ଜଗତସିଂହପୁର ଓ ଅଳକା ଆଶ୍ରମ ପରିଚାଳନା କମିଟି ପକ୍ଷରୁ ମଧ୍ୟ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା । ସରକାରୀ ବାଳିକା ହାଇସ୍କୁଲର ପୁରାତନ ଛାତ୍ରୀ ସଂସଦ ପକ୍ଷରୁ ଜିଲ୍ଲାର ମାଟ୍ରିକ ଟପ୍ପରଙ୍କୁ ପୁରସ୍କୃତ କରାଯିବ । ବୈଠକରେ ସଭାପତି, ଜିଲ୍ଲା ପରିଷଦ ମନୋଜ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ରାଉତ, ନିର୍ବାହୀ ଅଧିକାରୀ ରବି ନାରାୟଣ ଜେଠୀ, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସତ୍ୟବ୍ରତ ଦାସ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ  ଅଜିଙ୍କା ମାଣେ, ପୌରପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ସିଂହ, ପୌର ପରିଷଦ ନିର୍ବାହୀ ଅଧିକାରୀ ସୀମା ଜେନା, ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ, କ୍ଷେତ୍ରୀୟ ଅଧିକାରୀ, ବୁଦ୍ଧିଜୀବୀ, ଶିକ୍ଷକ ଶିକ୍ଷୟିତ୍ରୀ, ଗଣମାଧ୍ୟମ ପ୍ରତିନିଧି, ଆଇନଜୀବି ପ୍ରମୁଖ ଉପସ୍ଥିତ  ଥିଲେ । ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରତିଚୀ ତନୟା ମହାନ୍ତି ସ୍ୱାଗତ ଭାଷଣ ଓ ଦିଲ୍ଲୀପ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।