ହେଉନି ଓଭରବି୍ରଜ ନିର୍ମାଣ : ଅନବରତ ପଡୁଛି ରେଳଫାଟକ, ହନ୍ତସନ୍ତ ପଥଚାରୀ

 ତାଳଚେର : ତାଳଚରେ ବାଇପାସ୍ ଛକ ଠାରୁ ହାଟତୋଟାକୁ ଯାଇଥିବା ମୁଖ୍ୟରାସ୍ତାରେ ରେଲୱେ ଫାଟକ ରହିଛି । ପ୍ରାୟ ସମୟରେ ଏହି ଫାଟକ ପଡ଼ୁଥିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହି ମୁଖ୍ୟରାସ୍ତାରେ କୋର୍ଟ, କଚେରୀ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ତହସିଲ, ଆରଆଇ, ରେଭିନୁ୍ୟ ଅଫିସ୍, ଫରେଷ୍ଟ ଅଫିସ୍, ପଶୁଚିକିତ୍ସାଳୟ, ମହିଳା ମହାବିଦ୍ୟାଳୟ, ଯୁବରାଜ ହାଇସ୍କୁଲ, ବିରାଦରପଡ଼ା ୟୁପି ସ୍କୁଲ, ଷ୍ଟେଟବ୍ୟାଙ୍କ, ଗ୍ରାମ୍ୟବ୍ୟାଙ୍କ, ପୋଷ୍ଟ ଅଫିସ୍, ପୌରପରିଷଦ ଚିକିତ୍ସାଳୟ ଏବଂ ଛୋଟବଡ଼ ସରକାରୀ, ବେସରକାରୀ କାର୍ଯ୍ୟାଳୟର କର୍ମଚାରୀମାନେ ଅଫିସ୍ କାର୍ଯ୍ୟରେ ଯିବାକୁ ବହୁ ଅସୁବିଧାର ସମ୍ମୁଖୀନ  ହେଉଛନ୍ତି । ଏପରିକି ଦେଶର ଭବିଷ୍ୟତ ଛାତ୍ରଛାତ୍ରୀ ଓ କୁନିକୁନି ପ୍ରତିଭାମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଗୁରୁତ୍ୱପୂର୍ଣ୍ଣ ଯାନ ଗୁଡ଼ିକ ଯଥା ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ, ଜନନୀ ଏକ୍ସପ୍ରେସ୍ ଇତ୍ୟାଦି ମଧ୍ୟ ଏହି ଅସୁବିଧାର ସମ୍ମୁଖୀନ ହେଉଥିବା ବି ଲକ୍ଷ୍ୟ କରାଯାଇଛି । ତେବେ ଏପରି ସମସ୍ୟା ଉପୁଜୁଛି ଯେ, ରାସ୍ତାର ଉଭୟ ପାଶ୍ୱର୍ରେ ଶହଶହ ଯାନବାହାନ ଠିଆ ହେବାରୁ ଯାତାୟତ ବାଧାପ୍ରାପ୍ତ ହେଉଛି । ଫଳରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ଦେଖାଦେଉଛି । ତେବେ ଏଠାରେ ପ୍ରଶ୍ନ ଉଠେ କୋଇଲା ଖଣିରୁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟିଟଙ୍କା ରାଜସ୍ୱ ନେଉଥିବା ବେଳେ ଜନସାଧାରଣଙ୍କ ସୁବିଧା ନିମନ୍ତେ ଓଭରବି୍ରଜ ନିର୍ମାଣ କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇ ଆସୁଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ ଦିଗରେ ନା ଏମସିଏଲ ନା ସ୍ଥାନୀୟ ପ୍ରଶାସନ କେହି ହେଲେ ସାମାନ୍ୟତମ କର୍ଣ୍ଣପାତ ଓ ଦୃଷ୍ଟି ଦେଉନଥିବା ଏକ ଦୁର୍ଭାଗ୍ୟଜନକ ବିଷୟ ହୋଇଛି । ତେଣୁ ଏ ସମସ୍ୟାର ସମାଧାନକୁ ନେଇ ବିଭିନ୍ନ ମହଲରେ ଦାବି ହେଉଛି ।