ଇଣ୍ଡିଆ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅଗଷ୍ଟ ୭ ତାରିଖରେ
ବିରୋଧୀ ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅଗଷ୍ଟ ୭ ତାରିଖରେ ରାହୁଲ ଗାନ୍ଧୀଙ୍କ ବାସଭବନରେ ଅନୁଷ୍ଠିତ ହେବାକୁ ଯାଉଛି । ରାତ୍ର ଭୋଜନ ସହ ଏହି ବୈଠକରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇପାରେ । କିଛିଦିିନ ହେବ ରାହୁଲ ଗାନ୍ଧୀ ସିଧାସଳଖ ନିର୍ବାଚନ କମିସନ ଗଣତନ୍ତ୍ରକୁ ହତ୍ୟା କରି ବିଜେପି ପାଇଁ କାମ କରୁଥିବା ଅଭିଯୋଗ କରୁଛନ୍ତି । ଏଥିରେ ସେ କହିଛନ୍ତି କି, ୨୦୨୪ ସାଧାରଣ ନିର୍ବାଚନ ବେଳେ ନିର୍ବାଚନ କମିସନ ୭୦-୮୦ ଆସନରେ ଗଡବଡ଼ କରି ବିଜେପି ପାଇଁ କାମ କରିଥିଲେ । ଯଦି ୧୫ ଆସନ ଏପଟ ସେପଟ ହୋଇଥାନ୍ତା ତେବେ ମୋଦୀ ଆଜି ବିରୋଧୀଦଳରେ ବସିଥାନ୍ତେ । ଅନୁମାନ କରାଯାଉଛି କି, ଏହି ବୈଠକରେ ବିଶେଷ କରି ନିର୍ବାଚନ କମିସନଙ୍କ ବାବଦରେ ଆଲୋଚନା ହୋଇପାରେ ।
ଏହାସହ ଅପରେସନ ସିନ୍ଦୂରକୁ ନେଇ ଟ୍ରମ୍ପଙ୍କ ବୟାନ, ଆମେରିକା ଲଗାଇଥିବା ୨୫ ପ୍ରତିଶତ ଟାରିଫ୍ ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି । ଇଣ୍ଡିଆ ମେଣ୍ଟର ପୂର୍ବ ବୈଠକ ଜୁଲାଇ ୧୯ ତାରିଖରେ ଭର୍ଚୁଆଲି ହୋଇଥିଲା । ଯେଉଁଥିରେ ୨୪ ଟି ରାଜନୈତିକ ଦଳର ପ୍ରତିନିଧୀ ସାମିଲ ହୋଇଥିଲେ । ଏହି ବୈଠକରେ ଏଥର ଫାରକୁ ଅବଦ୍ଦୁଲ୍ଲା ସାମିଲ ହେବା ନେଇ କହିଛନ୍ତି । ସେ କହିଛନ୍ତି କି, ବିହାରରେ ଏସଆଇଆର ପ୍ରକ୍ରିୟା ଉପରେ ଚର୍ଚ୍ଚା ହେବ, ଯେଉଁଥିରେ ବିଜେପି-ଜେଡିୟୁ ମେଣ୍ଟର ବିଜୟ ସୁନିଶ୍ଚିତ କରିବାକୁ ବିଜେପି ନିର୍ବାଚନ ଆୟୋଗଙ୍କ ସହ ମେଣ୍ଟ କରିଥିବା ଫାରକୁ ଅଭିଯୋଗ କରିଛନ୍ତି । ଏହି ବୈଠକକୁ ନେଇ ସିପିଆଇର ମହାସଚିବ ଡି.ରାଜା କହିଛନ୍ତି କି, ଏହି ବୈଠକ ପାଇଁ ରାହୁଲ ଗାନ୍ଧୀ ନିଜେ ଫୋନ କରି ବିରୋଧୀଦଳନେତାମାନଙ୍କୁ ନିମନ୍ତ୍ରଣ କରିଛନ୍ତି । ହେଲେ ବୈଠକରେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତାହା ସ୍ପଷ୍ଟ ହୋଇନାହିଁ ।