ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ  ଇସ୍ତଫା ଦାବିକଲା କଂଗ୍ରେସ

 ଭୁବନେଶ୍ୱର :  ୨୦୨୪ ସାଧାରଣ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବାରୁ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇସ୍ତଫା ଦିଅନ୍ତୁ ବୋଲି ପ୍ରଦେଶ କଂଗ୍ରେସ କମିଟି ଦାବି କରିଛି । ଶନିବାର ପୂର୍ବାହ୍ନରେ କଂଗ୍ରେସ ଭବନଠାରେ ମିଡ଼ିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସଙ୍କ ସଂଯୋଜନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଦୁଇ ବରିଷ୍ଠ ଉପସଭାପତି ଓ ଉଭୟ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଏବଂ ଲଲାଟେନ୍ଦୁ ମହାପାତ୍ର ତଥା ବରିଷ୍ଠ ମୁଖପାତ୍ର ରଜନୀ ମହାନ୍ତି ଏହି ମର୍ମରେ ଦାବି କରିଛନ୍ତି । ୨୦୨୧ ମସିହାରେ ଏକ ଜମି କିଣିବା ବାବଦରେ ନିରଞ୍ଜନ ଶତପଥୀ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ୨୫ ଲକ୍ଷ ଟଙ୍କାର ଠକେଇ ଶିକାର ହେବା ନେଇ ମନ୍ତ୍ରୀ ଶ୍ରୀ ପାତ୍ର ନିକଟରେ ଏତଲା ଦେବାରୁ ମନ୍ତ୍ରୀଙ୍କ ମିଥ୍ୟା ସତ୍ୟପାଠ ପ୍ରଘଟ ହୋଇଥିଲା  । ସମ୍ବିଧାନର ଧାରା ୨୩୪ ଅନୁସାରେ ତଥା ୧୯୫୧ ଜନ ପ୍ରତିନିଧି ଆଇନର ଉପଧାରା ୩୩/୩୬ ଅନୁସାରେ ନିର୍ବାଚନ ଆୟୋଗ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବା ଉଚିତ । ସେହିଭଳି ମିଥ୍ୟା ସତ୍ୟପାଠ କରିଥିବା ଜଣେ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କିଭଳି ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି ସେ ନେଇ କଂଗ୍ରେସ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଛି ।
ଗତ ନିର୍ବାଚନରେ ମନ୍ତ୍ରୀ ଶ୍ରୀ ପାତ୍ର ନିଜ ସତ୍ୟପାଠରେ ମୋଟ ୭ ଲକ୍ଷ ୩୫ ହଜାର ୯୦ ଟଙ୍କା ଥିବା ଏବଂ କିଛି ଋଣ କରି ନଥିବା ଦର୍ଶାଇଥିଲେ । ବାର୍ଷିକ ୨୦ ଲକ୍ଷ ଟଙ୍କା ଉପାର୍ଜନ କରୁଥିବା ସେ ଦର୍ଶାଇଛନ୍ତି । କିନ୍ତୁ ସତ୍ୟପାଠରେ ଜମିକିଣା ଅଗ୍ରୀମ ୨୫ ଲକ୍ଷ ଟଙ୍କାର ଉଲ୍ଲେଖ କରିନାହାନ୍ତି । ତେବେ ଏଠାରେ ସତ୍ୟପାଠକୁ ନେଇ ସାମ୍ବିଧାନିକ ବିରୋଧାଭାଷ ସ୍ପଷ୍ଟ ହୋଇଛି । ଭାରତୀୟ ଜନ ପ୍ରତିନିଧି ୧୯୫୧ ଆଇନର ଉପଧାରା ୩୬ କ୍ଲଜ -୨ ଉପଧାରା-ବି ଅନୁସାରେ ଯଦି ଜଣେ ପ୍ରାର୍ଥୀ ନିର୍ବାଚନ ସମୟରେ ତାଙ୍କର ସ୍ଥାବର, ଆସ୍ଥାବର ଏବଂ ଋଣର ତାଲିକା ସମ୍ପୂର୍ଣ ରୂପେ ଦାଖଲ ନ କରନ୍ତି ଏବଂ ଲୁଚେଇ ରଖନ୍ତି, ତାହାହେଲେ ତାଙ୍କ ବିଧାନସଭା ପଦ ଅସିଦ୍ଧ କରିବାର ନିୟମ ଅଛି । ଭାରତୀୟ ସମ୍ବିଧାନ ଧାରା ୩୨୪ ଏବଂ ମାନ୍ୟବର ସୁପ୍ରିମ କୋର୍ଟଙ୍କ ଅନୁସାରେ ମୁକ୍ତ ଏବଂ ସ୍ୱଚ୍ଛ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗକୁ ଉକ୍ତ ଧାରା ଅନୁଯାୟୀ କ୍ଷମତା ପ୍ରଦାନ କରାଯାଉଛି । ଯେହେତୁ ମନ୍ତ୍ରୀ ଶ୍ରୀ ପାତ୍ର ନିର୍ବାଚନ ସତ୍ୟପାଠରେ ଜମିକିଣା ବାବଦ ୨୫ ଲକ୍ଷ ଟଙ୍କା ପଇଠ କରିଥିବା ଘୋଷଣା କରିନାହାନ୍ତି, ତେଣୁ ସତ୍ୟପାଠର ଖିଲାପ ହୋଇଛି । ମନ୍ତ୍ରୀ ଶ୍ରୀ ପାତ୍ର ଖୋଦ ୨୫ ଲକ୍ଷ ଅଗ୍ରୀମ ଦେଇ ଠକେଇର ଶିକାର ହୋଇଥିବା ଏତଲା ଦେଇଛନ୍ତି ଏବଂ ଏହା ଗଣମାଧ୍ୟମ ତଥା ରାଜ୍ୟର ରାଜନୀତିରେ ଚର୍ଚ୍ଚାର ବିଷୟବସ୍ତୁ ହୋଇଛି । ତେଣୁ ନିର୍ବାଚନ ଆୟୋଗ ଏହାକୁ ନିଜ ସଂଜ୍ଞାନରେ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା । ଅଥଚ ଘଟଣାକୁ ଆଠ ଦିନ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଆୟୋଗ ସାମାନ୍ୟ ପଦକ୍ଷେପ ମଧ୍ୟ ଗ୍ରହଣ କରିନାହାନ୍ତି ।
ଏଣୁ କଂଗ୍ରେସ ଦଳ, ଘଟଣାର ବିହିତ ତଦନ୍ତ କରି ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିକଟରେ ଦାବି କରୁଛି ।  ଅଯୋଗ୍ୟ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ବରଖାସ୍ତ କରି ସାମ୍ବିଧାନିକ ବିଧିବ୍ୟବସ୍ଥା ରକ୍ଷା କରନ୍ତୁ ବୋଲି କଂଗ୍ରେସ ଦାବି କରିଛି ।