ବାତ୍ୟାସ୍ଥଳି ପରିଦର୍ଶନ କଲେ ଅତିରିକ୍ତ ତହସିଲଦାର
ବ୍ରହ୍ମବରଦା : ବାତ୍ୟା ଦାନାର ପ୍ରଭାବ ରାଜ୍ୟର ବିଭିନ୍ନ ଉପକୁଳବର୍ତ୍ତୀ ଜିଲାରେ ଉପଲବ୍ଧ ହେବା ସହ ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ପଞ୍ଚାୟତ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି । ଜାହାର ପ୍ରକୋପରେ ଗୁରୁବାର ସକାଳୁ ତୁହାକୁ ତୁହା ବର୍ଷା ସାଙ୍ଗକୁ ଦଲକା ଦଲକା ପବନ ଆରମ୍ଭ ହୋଇଯାଇଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସମେତ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ହୋଇ ରହିଥିବା ସହ ଏଥିପ୍ରତି ଭୟଭୀତ ନହେବା ପାଇଁ ଲୋକମାନଙ୍କୁ ମାଇକ ପ୍ରଚାର ଠାରୁ ଆରମ୍ଭ କରି, ସୋସିଆଲ ମିଡିଆ ଓ ବିଭିନ୍ନ ଇଲକ୍ଟ୍ରୋନିକ ଗଣମାଧ୍ୟମ ଦ୍ୱାରା ପ୍ରଚାର ପ୍ରସାର କରାଯାଉଛି । ଏହି ଅବସରରେ ରସୁଲପୁର ଅତିରିକ୍ତ ତହସିଲଦାର ରାଜୀବ ବଲ୍ଲଭ ବ୍ଲକ ଅଧିନ ବିଭିନ୍ନ ବାତ୍ୟାସ୍ଥଳିକୁ ପରିଦର୍ଶନ କରିଛନ୍ତି । ଏହି କ୍ରମରେ ଶ୍ରୀ ବଲ୍ଲଭ ବ୍ରହ୍ମବରଦା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଥିବା ବାତ୍ୟାସ୍ଥଳି ଠାରେ ପହଞ୍ଚି ଏଠାକାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ରଶାସନ ପକ୍ଷରୁ ଏଠାରେ ଆଶ୍ରୟ ନେବାକୁ ଥିବା ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ, ପାନୀୟ ଜଣ, ରାତ୍ରିରେ ଆଲୋକ ପାଇଁ ଜେନେରେଟର ଆଦି ବିଷୟରେ ନୋଡାଲ ଅଫିସର ଦୁର୍ଜୟ କୁମାର ଷଡଙ୍ଗୀ, ଗ୍ରାମ୍ୟ ଉନ୍ନୟନ ଅଧିକାରୀ ନିରଞ୍ଜନ ବଳଙ୍କ ଠାରୁ ପଚାରି ବୁଝିଛନ୍ତି । ତାସହିତ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଆଶାକର୍ମୀ ଓ ଅଙ୍ଗନୱାଡି, ସୁରକ୍ଷିତ ଜୀବନ ପାଇଁ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ରାକେଶ ଦେଓ, ସମାଜସେବୀ ପ୍ରଦୀପ ଦାସ, ୩୬ନଂ ଜିଲାପରିଷଦ ସଭ୍ୟା ଭାରତୀ ବିଶ୍ୱାଳ, ସିଆରସି ବିଜୟ କୁମାର ସାହୁ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ଆଇଚ, ବିଦ୍ୟାଳୟ ପରିଚାଳନା ସଭାପତି ଜୁଲ ଫିକର ଅଲ୍ଲୀଙ୍କ ସହିତ ଆଲୋଚନା କରିଥିଲେ । ଏହା ବ୍ୟତୀତ ଆଇନ ଶୃଙ୍ଖଳା ପାଇଁ କନେଷ୍ଟବଳ ଲମ୍ବୋଦର ପୃଷ୍ଟିଙ୍କୁ ବାତ୍ୟା ଆଶ୍ରୟ ସ୍ଥଳରେ ନିୟୋଜିତ କରାଯାଇଥିବା ଥାନା ଅଧିକାରିଣୀ ଅଂଶୁମାଳା ଦାସ ସୂଚନା ଦେଇଛନ୍ତି ।