କେନ୍ଦ୍ରାପଡ଼ାରେ ୨୦୩ଟି ନୂତନ ବୁଥ୍  

 କେନ୍ଦ୍ରାପଡା : କେନ୍ଦ୍ରାପଡାର ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲ୍ଲିକ, ନବକୃଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ଆଲୋଚନାରେ କେନ୍ଦ୍ରାପଡା ଜିଲ୍ଲାର ପ୍ରତ୍ୟେକ ବୁଥ୍ରେ ବାରଶହ ଭୋଟର୍ ରହିବେ । ଅଧିକ ଭୋଟର୍ ଥିବା ବୁଥ୍ ଗୁଡିକୁ ଭଙ୍ଗାଯାଇ ନୂତନ ଦୁଇଟି ବୁଥ୍ କରିବା ପାଇଁ ପ୍ରସ୍ତାବ ଆଗତ କରାଗଲା । ଏହି ପ୍ରସ୍ତାବକୁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅଧିକାରୀମାନେ ନିଜ ନିଜ ପ୍ରକୋଷ୍ଠରେ ବିଭିନ୍ନ ରାଜନୈତିକ ସଂଗଠନକୁ ଡାକି ଅବଗତ କରାଇଥିଲେ । ଏ ବିଷୟରେ ଯଦି କାହାର କୈାଣସି ଆପତି ଥାଏ ତାହା ସେମାନେ ନିର୍ବାଚନ ଅଧିକାରୀଙ୍କୁ ଜଣାଇପାରିବେ । କେନ୍ଦ୍ରାପଡାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୦୩ଟି ବୁଥ୍ ବଢାଇ ଦିଆଯାଇଛି । ସେଥିରେ ୯୬- ପାଟକୁରାରେ ୨୧ଟି ନୂତନ ବୁଥ୍ , ୯୭- କେନ୍ଦ୍ରାପଡାରେ ୫୪ଟି ବୁଥ୍, ୯୮- ଆଳିରେ ୩୭ଟି ବୁଥ୍, ୯୯- ରାଜନଗରରେ ୪୬ଟି ବୁଥ୍, ୧୦୦- ମହାକାଳପଡାରେ ୪୫ଟି ବୁଥ୍ ନୂତନ ଭାବରେ ଗଠିତ କରାଯାଇଛି । ଆୟୋଜିତ ଏହି ବୈଠକରେ ଭାରତୀୟ ଜାତୀୟ କଂଗ୍ରେସର ଜିଲ୍ଲା ସଂଯୋଜକ ପ୍ରଫୁଲ୍ଲ କୁମାର ଦାସ, ଭାରତୀୟ ଜନତା ପାର୍ଟିର ଉପିନ ରାଉତ, ବିଜୁ ଜନତା ଦଳର ଧିରେନ୍ ସାହୁ, ମାକ୍ସ କମ୍ୟୁନିଟି ପାର୍ଟିର ସଂପାଦକ ଗୟାଧର ଧଳ, ବହୁଜନ ସମାଜବାଦୀ ପାର୍ଟିର ସୁଧାକର ମଲ୍ଲିକଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।