ଶିକ୍ଷକ କର୍ମଚାରୀ ସଂଘର ଧାରଣା

ରାଜକନିକା : ରାଜ୍ୟ ଶିକ୍ଷକ ସଂଘ ଆହ୍ୱାନରେ ରାଜକନିକା ବ୍ଲକ ସ୍କୁଲ କଲେଜ ମିଳିତ ଶିକ୍ଷକ କର୍ମଚାରୀ ସଂଘ ପକ୍ଷରୁ ଏକ ଦିବସ ବ୍ୟାପୀ ଧାରଣା ଅନୁଷ୍ଠିତ ହୋଇଛି । ଶିକ୍ଷକ କାଳିପ୍ରସାଦ ନାୟକଙ୍କ ଦ୍ୱାରା ଉଦ୍ଘାଟିତ ଧାରଣାରେ ବିଭିନ୍ନ ସ୍କୁଲର ୫୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଯୋଗଦେଇଥିଲେ । ପାଞ୍ଚ ଦଫା ଦାବି ଯଥା-ଅନୁଦାନ ଯୋଗ୍ୟ ସମସ୍ତ ସ୍କୁଲ ଓ କଲେଜକୁ ଅନୁଦାନ ପ୍ରଦାନ, ଅନୁଦାନପ୍ରାପ୍ତ ସମସ୍ତ ଶିକ୍ଷକ କର୍ମଚାରୀଙ୍କୁ ଚାକିରୀ ସର୍ତ୍ତାବଳୀ ସହିତ ପେନ୍ସନ୍ ପ୍ରଦାନ, ୨୦୦୬ ରୁ ୨୦୧୩ ମଧ୍ୟରେ ନିଯୁକ୍ତିପ୍ରାପ୍ତ ସମସ୍ତ ଶିକ୍ଷକଙ୍କୁ ୬ ବର୍ଷର ନାସନାଲ ଇଂକ୍ରିମେଣ୍ଟ ପ୍ରଦାନ ସହିତ ଉପଯୁକ୍ତ ବରିଷ୍ଠତା ପ୍ରଦାନ, ଅବସର ବୟସ ୬୨ ବର୍ଷକୁ ବୃଦ୍ଧି, ସମସ୍ତ ଭିତ୍ତିଭୂମି ଓ ଶିକ୍ଷକ ନିଯୁକ୍ତି ପରେ ୟୁଏଏସକୁ ଲାଗୁ କରିବା ଆଦି ଦାବି ନେଇ ଆୟୋଜିତ ଏହି ଧାରଣା କାର୍ଯ୍ୟକ୍ରମରେ ବ୍ଲକ ଅଲୋଷ୍ଟାର ସଭାପତି ପ୍ରଦୀପ୍ତ ଦାଶ ପୌରୋହିତ୍ୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଓଷ୍ଟା ସମ୍ପାଦକ ପ୍ରଣବ ଜେନା, ଜିଲ୍ଲା ଓଷ୍ଟା ସମ୍ପାଦକ ଭଗବାନ ସାହୁ, ଉପସଭାପତି ସଞ୍ଜୟ ସାମଲ, ପ୍ରାକ୍ତନ ବ୍ଲକ ସମ୍ପାଦକ ନବ କିଶୋର ସୁତାର, ଶିକ୍ଷକ ନେତା ରମାକାନ୍ତ ସାହୁ, ବିଜୟ କୁମାର ବେହେରା, ରତିକାନ୍ତ ଦାସ, ବଟକୃଷ୍ଣ ପଣ୍ଡା ପ୍ରମୁଖ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ଶିକ୍ଷକ ମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ସମ୍ପର୍କରେ ଆଲୋଚନା କରିଥିଲେ । ବ୍ଲକ ଓଷ୍ଟା ସମ୍ପାଦକ ଅରବିନ୍ଦ ନାୟକ ଉଦେ୍ଦଶ୍ୟ ଜ୍ଞାପନ କରିବା ସହିତ ଚଳିତ ମାସ ୮ ତାରିଖରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାରଣା ଓ ଦାବି ଦିବସ ୧୬ ତାରିଖରେ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ବହୁ ସଂଖ୍ୟାରେ ଯୋଗଦେଇ ଆଗାମୀ ଆନେ୍ଦାଳନକୁ ଜୋରଦାର୍ କରିବାକୁ ଆହ୍ୱାନ ଦେଇଥିଲେ । ବ୍ଲକ ଓଷ୍ଟା ସଭାପତି ସୁରେନ୍ଦ୍ର ନାଥ ରାଉତ, ଉପସଭାପତି ଅମର ବାରିକ, ଯୁଗ୍ମସମ୍ପାଦକ ପ୍ରଭାତ ବାରିକ, କାର୍ଯ୍ୟକାରୀ ସଦସ୍ୟ ନିରୋଦ ରାଉତ, ପଦ୍ମଲୋଚନ ଦାସ, ପ୍ରଧାନଶିକ୍ଷକ ମାନସ କର, ନରେଶ ସ୍ୱାଇଁ, ଅନୁରାଗ ସାମଲ, ରଞ୍ଜନ ମଲ୍ଲିକ, ମନୋରମା ରାଉଳ ଶିକ୍ଷୟିତ୍ରୀ ପ୍ରଜ୍ଞା ମୟୀ ବେହେରା, ଝିଲ୍ଲୀ ରାଣୀ ସାହୁ, ଶିକ୍ଷକ ଅରୁଣ ଧଳ ପ୍ରମୁଖ ଆଗାମୀ ଆନେ୍ଦାଳନକୁ ସଫଳ କରିବାକୁ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଶେଷରେ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ, ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ତଥା ଜିଲ୍ଲା ଶିକ୍ଷାଧିକାରୀଙ୍କ ଉଦେ୍ଦଶ୍ୟରେ ରାଜକନିକା ମଣ୍ଡଳ ଶିକ୍ଷା ଅଧିକାରୀ ରତିକାନ୍ତ ସେନାପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଚାନ୍ଦବାଲି : ୬ଦଫା ଦାବି ନେଇ ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ପ୍ରତିବାଦ କଲେ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଙ୍ଘ  । ଆଜି ଓଡ଼ିଶା ସ୍କୁଲ କଲେଜ  ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଚାନ୍ଦବାଲି ଶାଖା ତରଫରୁ ଏହି ଧାରଣାରେ ବିଭିନ୍ନ ସ୍କୁଲ ଓ କଲେଜର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସାମିଲ ହୋଇଥିଲେ  । ଦାବି ପୂରଣ ପାଇଁ ଶିକ୍ଷାଧିକାରୀଙ୍କ ଜରିଆରେ ଏକ ଦାବିପତ୍ର ସରକାରଙ୍କୁ ପ୍ରଦାନ କରିଛନ୍ତି  ।ସମସ୍ତ ଯୋଗ୍ୟ ବିବେଚିତ ସ୍କୁଲ ଓ କଲେଜ ଗୁଡିକୁ ଅନୁଦାନ ପ୍ରଦାନ, ଅବସର ବୟସ ୨ବର୍ଷ ବୃଦ୍ଧି ,ପୁରାତନ ପେନସନ ସ୍କିମ ଲାଗୁ ଆଦି ୬ ଦଫା ଦାବି ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରିବା ସହ ଏହାକୁ ପୂରଣ କରିବା ସହ ଦାବି କରିଛି ଶିକ୍ଷକ ସଂଘ  ।