ଜାତୀୟ କୃମି ନାଶକ ଦିବସ ବୈଠକ
ଖୋର୍ଦ୍ଧା : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତାଲିମ ସମ୍ମିଳନୀ କକ୍ଷରେ ଜାତୀୟ କୃମି ନାଶକ ଦିବସ ଓ କୃମି ନିରାକରଣ ନିମନ୍ତେ ବିଭାଗୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଛି । ସମନ୍ୱୟ ଓ କାର୍ଯ୍ୟନ୍ୱୟନ ବିଭାଗର ଦାୟିତ୍ୱ ଓ କର୍ତ୍ତବ୍ୟ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ସଞ୍ଜୟ ଚନ୍ଦ୍ର ରାୟ ପ୍ରକାଶ କରି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ସମନ୍ୱିତ ଶିଶୁ ବିକାଶ ଅଧିକାରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗ ଭଳି ବିଭାଗର ସର୍ବଶ୍ରେଷ୍ଠ ଦାୟିତ୍ୱ ଅଛି ଏବଂ ସେମାନେ ଏହି ମହତ କୃମି ନାଶକ ଅଭିଯାନରେ ଉସôର୍ଗୀକୃତ ନିଷ୍ଠାପର ସେବା ଯୋଗାଇ ଦେବା ପାଇଁ ଆହ୍ୱାନ ଦେଇଥିଲେ । ଆସନ୍ତା ୧୨ ଅଗଷ୍ଟ ଦିନ ଖୋର୍ଦ୍ଧା ଜିଲ୍ଲାର ୧ ରୁ ୧୯ ବର୍ଷ ପିଲା ଏବଂ ୨୦ ରୁ ୨୪ ବର୍ଷ ପର୍ଯ୍ୟନ୍ତ ମହିଳା ମାନଙ୍କୁ ଅଙ୍ଗନୱାଡ଼ି କେନ୍ଦ୍ର ଓ ସମସ୍ତ ସ୍କୁଲରେ ଆଲବେଣ୍ଡଜାଲ ବଟିକା ପ୍ରଦାନ କରାଯିବ । ରକ୍ତ ହୀନତା ଏବଂ ଅସୁସ୍ଥତାରୁ ଦୂରେଇ ରଖିବାକୁ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଫେବୃୟାରୀ ଏବଂ ଅଗଷ୍ଟ ମାସରେ ଏହି ଔଷଧ ପ୍ରଦାନ କରାଯାଉଛି । ଖୋର୍ଦ୍ଧା ଜିଲ୍ଲାର ୨୧୧୮ ସ୍କୁଲ ଏବଂ ୨୬୦୧ ଅଙ୍ଗନୱାଡି କେନ୍ଦ୍ରରେ ୭, ୬୫, ୦୭୪ ଜଣ ପିଲାଙ୍କୁ ଓ ୧, ୧୫, ୮୩୧ ମହିଳାଙ୍କୁ ଏହି ବଟିକା ପ୍ରଦାନ କରାଯାଇ ସୁସ୍ଥ ଖୋର୍ଦ୍ଧା ଭିଜନକୁ ସାକାର କରିବାକୁ ପଦକ୍ଷେପ ନିଆଯିବ ବୋଲି ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ପ୍ରକାଶ କରିଛନ୍ତି । ଶିଶୁ ପୋଷଣ ସ୍ୱାସ୍ଥ୍ୟ ରୋଜାଲିନ ମହାପାତ୍ର, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶୁଭକାନ୍ତ ଗନ୍ତାୟତ ଏବଂ ଏଡିଏମଓ ଡ. ପ୍ରଦୀପ୍ତ ସାହୁ ଯୋଗଦେଇ ବିଭିନ୍ନ ଉପାଦେୟ ବକ୍ତବ୍ୟ ରଖିଥିଲେ ।