ପୁରାଣ ବଚନାମୃତ

ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର : 
ପୁରାଣ ହିଁ ଭାରତର ଯଥାର୍ଥ ଇତିହାସ  । ଏହି ଗ୍ରନ୍ଥ ସମୂହରୁ ଭାରତୀୟ ଜୀବନାଦର୍ଶ, ସଭ୍ୟତା, ସଂସ୍କୃତି, ଇତିହାସ ଓ ବିଦ୍ୟାବୈଭବର ଉକ୍ରର୍ଷ ଉପଲବ୍ଧ ହୋଇଥାଏ  । ପୁରାଣ ଗ୍ରନ୍ଥରେ ଆଧ୍ୟାତ୍ମବିଦ୍ୟା ସହିତ ବ୍ୟବହାରିକ ବିଦ୍ୟାର ସମନ୍ୱୟ ଘଟି ସଦଗୁଣ ଅର୍ଜନର ବିଧିବିଧାନ ପ୍ରୟୋଗାତ୍ମକ ଧାରାରେ ବର୍ଣ୍ଣନା କରାଯାଇ ମାନବିକତାର ଗନ୍ତବ୍ୟମାର୍ଗ ନିର୍ଦ୍ଧାରଣ କରାଯାଇଛି  । ସମାଜରେ ନୈତିକତା ବିକାଶ କାମନାରେ ମୁଁ ଅନେକ ସ୍ଥଳରେ ପୁରାଣ ସମୂହ ଉପରେ ପ୍ରବଚନ ପ୍ରଦାନ କରିଛି  । ପ୍ରବଚନ ମାଧ୍ୟମରେ ପୁରାଣରେ ଥିବା ଲୋକଚରିତ୍ର ଗଠନର ସର୍ବକାଳୀନ ଆବେଦନକୁ ମୁଁ ଶ୍ରୋତାଙ୍କ ନିକଟରେ ପରିବେଷଣ ପୂର୍ବକ ପ୍ରତିପାଦନ କରିଛି ଯେ ପୁରାଣ ସମୂହ ପ୍ରାଚୀନ ହୋଇ ମଧ୍ୟ ନିତ୍ୟନୂତନ  । ଦୀର୍ଘ ପଚାଶବର୍ଷ ଧରି ପୁରାଣ ବର୍ଣ୍ଣିତ ଆଖ୍ୟାନ, ଉପାଖ୍ୟାନ, ନୀତିକଥା, ସଦୁପଦେଶ, ଧର୍ମ ଅଧର୍ମ, କର୍ମ ଅକର୍ମ, ଜ୍ଞାନ ଅଜ୍ଞାନ, ଅର୍ଥ ପରମାର୍ଥ ଓ ଅନିତ୍ୟ ଅଧ୍ୟାତ୍ମ ପରିବେଷଣ କରି ମୁଁ ମାନବୀୟ ଚେତନାର ଉତ୍ତରୋତ୍ତର ବିକାଶ କାମନା କରିଛି  ।
ବେଦ ସୃଷ୍ଟିର ବହୁ ପୂର୍ବରୁ ପୁରାଣର ସୃଷ୍ଟି  । ମାନବ ସଭ୍ୟତା ସୃଷ୍ଟିର ବହୁ ପୂର୍ବରୁ ପିତାମହ ବ୍ରହ୍ମା ତପସ୍ୟାରେ ବ୍ରତୀ ହୋଇ ସର୍ବପ୍ରଥମେ ପୁରାଣ ସ୍ମରଣ କରିଥିଲେ  ।
ପୁରାଣଂ ସର୍ବଶାସ୍ତ୍ରାଣାଂ ପ୍ରଥମଂ ବ୍ରହ୍ମଣା ସ୍ମୃତମ୍,
ଅନନ୍ତରଂଚ ବକ୍ତ୍ରେଭ୍ୟୋ ବେଦାସ୍ତସୃ ବିନିର୍ଗତ  ।
ପୁରାଣ ସମୂହ ପ୍ରଥମେ ଏକଶହ କୋଟି ଶ୍ଳୋକ ସମ୍ବଳିତ ଥିଲେ ହେଁ ମହର୍ଷି ବାଦରାୟଣ ବେଦବ୍ୟାସ ଶହେକୋଟି ଶ୍ଳୋକକୁ ମାତ୍ର ଚାରିଲକ୍ଷ ଶ୍ଳୋକରେ ସଂକ୍ଷିପ୍ତ କରି ଅଷ୍ଟାଦଶ ପୁରାଣ ସ୍ୱରୂପରେ ପ୍ରକାଶ କଲେ  । ଏହି ଅଷ୍ଟାଦଶ ପୁରାଣକୁ ପୁରାଣ ବିଗ୍ରହ ଭଗବାନ ମହାବିଷ୍ଣୁଙ୍କର ସାକ୍ଷାତ ସ୍ୱରୂପ ବିବେଚନ କରାଯାଇଛି  । ଅଷ୍ଟାଦଶ ବିଦ୍ୟା ପ୍ରତିପାଦିତ ଅଷ୍ଟାଦଶ ପୁରାଣର କ୍ରମ ବ୍ରହ୍ମପୁରାଣରୁ ଆରମ୍ଭ ହୋଇ ବ୍ରହ୍ମାଣ୍ଡ ପୁରାଣରେ ଶେଷ ହୋଇଛି ଏବଂ ମଧ୍ୟ ସ୍ଥଳରେ ବ୍ରହ୍ମବୈବର୍ତ୍ତ ପୁରାଣ ବିଦ୍ୟମାନ ରହି ପୁରାଣ ଗାଥାରେ ବ୍ରହ୍ମବୋଧର ମାଧୁରିମା ପ୍ରକଟିତ ହୋଇଛି  । ପରିମାଣରେ ନିର୍ଗୁଣ ନିରାକାର ବ୍ରହ୍ମ ସଗୁଣ ସାକାର ପୁରାଣ ପୁରୁଷ ସ୍ୱରୂପରେ ପ୍ରତିଭାତ ହୋଇ ସକଳ ଜୀବ ନିମିତ୍ତ ସହଜଲଭ୍ୟ ହୋଇପାରିଛନ୍ତି  । ଭାରତୀୟ ଜନମାନସରେ ବିଶ୍ୱାସ ରହିଛି ଯେ ପୁରାଣ ଶ୍ରବଣ କଲେ ସକଳ ଦୂରିତ ନାଶ ହୋଇଯାଏ  ।
ଯଥା ପାପାନି ପୂଯନ୍ତେ ଗଙ୍ଗା ବାରି ବିଗାହନାତ୍,
ତଥା ପୁରାଣ ଶ୍ରବଣାତ୍ ଦୂରିତାନାଂ ବିନାଶନମ୍  ।
ଧର୍ମୀୟ ଚେତନାର ଉତ୍ତରଣରେ ପୁରାଣ ପଠନ ଓ ଶ୍ରବଣ ଏକ ପବିତ୍ର ପରମ୍ପରା ସ୍ୱରୂପରେ ପ୍ରତିଭାତ ହୋଇ ଜନମାନସରେ ଆଧ୍ୟାତ୍ମିକ ଚେତନାର ପ୍ରଚାର ଓ ପ୍ରସାର ଘଟିପାରିଛି  ।
ମହର୍ଷି କୃଷ୍ଣ ଦ୍ୱୈପାୟନ ବାଦରାୟଣ ବେଦବ୍ୟାସ ସ୍ୱକୀୟ ଅଲୋ÷କିକ କାବ୍ୟତୂଳିକା ଦ୍ୱାରା ଭାରତୀୟ ସଭ୍ୟତା ଓ ସଂସ୍କୃତିର ଶାଶ୍ୱତ ତଥା ସ୍ୱର୍ଣ୍ଣିମ ଚିତ୍ର ଅଷ୍ଟାଦଶ ପୁରାଣରେ ଅଙ୍କନ କରିଛନ୍ତି  । ଚାରି ଲକ୍ଷ ଶ୍ଳୋକ ବିଶିଷ୍ଟ ବିଶ୍ୱର ଏହି ସମୃଦ୍ଧତମ ସାହିତ୍ୟ ଐଶ୍ୱରୀୟ ଶକ୍ତିର ଦିବ୍ୟାନୁଭୂତିରେ ଅନୁରଞ୍ଜିତ  । ସମାଜରେ ନୈତିକତା ତଥା ଶୁଦ୍ଧ ମାନବିକତା ବିକାଶର ଦୃଷ୍ଟିକୋଣରେ ସତ୍ୟନିଷ୍ଠ ଐତିହାସିକ ବ୍ୟାସଦେବ ଅଷ୍ଟାଦଶ ବିଦ୍ୟା ସମ୍ବଳିତ ଶହେ କୋଟି ଶ୍ଳୋକ ବିଶିଷ୍ଟ ପୁରାଣଗାଥାକୁ ଅଷ୍ଟାଦଶ ପୁରାଣ ରୂପେ ପ୍ରକାଶ କରିଯାଇଛନ୍ତି  । ସେହି ଅଷ୍ଟାଦଶ ପୁରାଣ ହେଉଛି ବ୍ରହ୍ମ, ପଦ୍ମ, ବିଷ୍ଣୁ, ବାୟୁ, ଭାଗବତ, ନାରଗଦ, ମାର୍କଣ୍ଡ, ଅଗ୍ନି, ଭବିଷ୍ୟ, ବ୍ରହ୍ମବୈବର୍ତ୍ତ, ଲିଙ୍ଗ, ବିରାହ, ସ୍କନ୍ଦ, ବାମନ, କୂର୍ମ, ମତ୍ସ୍ୟ, ଗରୁଡ ଓ ବ୍ରହ୍ମାଣ୍ଡ ପୁରାଣ  । ବ୍ରହ୍ମବୋଧର ଅପରୋକ୍ଷାନୁଭୂତିକୁ ପ୍ରତ୍ୟକ୍ଷ କରାଇବାର ମହାନ ଅଭିପ୍ରାୟରେ ବେଦବ୍ୟାସ ଅଷ୍ଟାଦଶ ପୁରାଣରେ ବିଶ୍ୱର ସକଳ ମାନବଙ୍କ ନିମିତ୍ତ ଧର୍ମୀୟ ଆଚରଣ ପ୍ରତିପାଦନ କରିଯାଇଛନ୍ତି  । ପୁରାଣ ନିଦେ୍ର୍ଦଶିତ ଧର୍ମୀୟ ଆଚରଣରେ ବ୍ରହ୍ମପ୍ରାପ୍ତି ସୁଗମ ଓ ସୁନିଶ୍ଚିତ  । ସଚେତନ ଅବସ୍ଥାରେ ସଗୁଣ ବ୍ରହ୍ମାନୁଭୂତି ଅର୍ଜନ ନିମିତ୍ତ ବିଜ୍ଞ, ପ୍ରଜ୍ଞ, ସିଦ୍ଧସାଧକ ବୃନ୍ଦ ସମଗ୍ର ପୁରାଣକୁ ପରଂବ୍ରହ୍ମଙ୍କ ସୁଗଣ ଶରୀର ରୂପ ପରିକଳ୍ପନା ପୂର୍ବକ ତାଙ୍କୁ ପୁରାଣ ପୁରୁଷ ନାମରେ ସମ୍ବୋଧନ କରିଛନ୍ତି  । ପୁରାଣ ପୁରୁଷଙ୍କର ଶିର ହେଉଛି ବ୍ରହ୍ମପୁରାଣ, ହୃଦୟ ହେଉଛି ପଦ୍ମପୁରାଣ, ବିଷ୍ଣୁପୁରାଣ ଦକ୍ଷିଣବାହୁ, ବାୟୁପୁରାଣ  ବାମବାହୁ, ଭାଗବତ   ଜଂଘ ଯୁଗଳ, ନାଭି ହେଉଛି ନାରଦ ପୁରାଣ, ଦକ୍ଷିଣ ଚରଣ ମର୍କଶ୍ରେଷ୍ଠ ପୁରାଣ, ଅଗ୍ନି ପୁରାଣ ବାମଚରଣ, ଭବିଷ୍ୟପୁରାଣ ଦକ୍ଷିଣ ଜାନୁ, ବ୍ରହ୍ମବୈବର୍ତ୍ତ ବାମଜାନୁ,  ବାମନ ପୁରାଣ ତ୍ୱଚ୍ଚା, କୂର୍ମ ପୁରାଣ ପୃଷ୍ଠଦେଶ, ମତ୍ସ୍ୟପୁରାଣ ମେଦ,ଗରୁଡ଼ ପୁରାଣ ମଜ୍ଜା ଏବଂ ବ୍ରହ୍ମାଣ୍ଡ ପୁରାଣ ଅସ୍ଥି ଅଟେ  । ବ୍ୟାସଦେବ ପଦ୍ମପୁରାଣରେ ପୁରାଣ ପୁରୁଷଙ୍କୁ ଏହିପରି ବର୍ଣ୍ଣନା କରିଛନ୍ତି  । ତି୍ରକାଳଦର୍ଶୀ ବ୍ୟାସଦେବ ବେଦର ରହସ୍ୟକୁ ବିଭିନ୍ନ ପୋ÷ରାଣିକ ଆଖ୍ୟାୟିକା ମାଧ୍ୟମରେ ପ୍ରତିପାଦନ କରିଯାଇଛନ୍ତି  ।
ବେଦାର୍ଥାଦଧିକଂ ମନ୍ୟେ ପୁରାଣାର୍ଥ ବରାମାନେ  ।
ବେଦା ପ୍ରତିଷ୍ଟିତାଃ ସର୍ବେ ପୁରାଣେ ନାତ୍ରସଂଶୟଃ  ।
ପୁରାଣରେ ବେଦବର୍ଣ୍ଣିତ ଲୋ÷କିକ ପାରଲୋ÷କିକ ତତ୍ତ୍ୱ, ପାଞ୍ଚଲକ୍ଷଣାତ୍ମକ ଆଖ୍ୟାନ ଉପଖ୍ୟାନ, ପ୍ରବନ୍ଧ, କଳ୍ପନା ଓ ସିଦ୍ଧାନ୍ତ ରୂପରେ ପ୍ରତିପାଦିତ  । ପୁରାଣର ପରିଭାଷାରେ ଏହି ପାଞ୍ଚଲକ୍ଷଣକୁ ସର୍ଗ, ପ୍ରତିସର୍ଗ, ବଂଶ, ମନ୍ୱନ୍ତର ଓ ବଂଶାନୁଚରିତ ବୋଲି କୁହାଯାଇଛି  ।
ସର୍ଗଶ୍ଚ ପ୍ରତିସର୍ଗଶ୍ଚ ବଂଶ ମନ୍ୱନ୍ତରାଣିତ
ବଂଶାନୁଚରିତଂ ଚୈବ ପୁରାଣଂ ପଞ୍ଚଲକ୍ଷଣଂ  ।
ପୁରାଣ ଓ ଉପପୁରାଣ ମାନଙ୍କରେ ଏହି ପାଞ୍ଚଗୋଟି ହେଉଛି ମୁଖ୍ୟ ପ୍ରତିପାଦ୍ୟ ବିଷୟ, ଯାହା ମାଧ୍ୟମରେ ବୈଦିକ ତତ୍ତ୍ୱକୁ ପ୍ରତିଷ୍ଠା କରାଯାଇଛି  । ଅଖିଳ ବିଶ୍ୱର ଉତ୍ପତ୍ତି ଓ ପଦାର୍ଥ ସମୂହର ସୃଷ୍ଟିକୁ ପୁରାଣରେ ସର୍ଗ ଏବଂ ସୃଷ୍ଟିର ବିପରୀତ ଅର୍ଥାତ୍ ପ୍ରଳୟକୁ ପ୍ରତିସର୍ଗ କୁହାଯାଇଛି  । ଜଗତରେ ସ୍ଥିତ ଦେବତା, ଋଷି ଓ ମନୁଷ୍ୟଙ୍କ ସନ୍ତାନ ପରମ୍ପରାର ବର୍ଣ୍ଣନା ପୁରାଣରେ ବଂଶ ରୂପେ ଖ୍ୟାତ  । ସୃଷ୍ଟିର ଅବଧି ବା କାଳଗଣନା ମନ୍ୱନ୍ତର ଏବଂ ବର୍ଣ୍ଣିତ ଚରିତାବଳୀ ବଂଶାନୁଚରତ ଭାବରେ ପୁରାଣ ପୃଷ୍ଠା ମଣ୍ଡନ କରିଛି  । ସକଳ ପୁରାଣ ଓ ଉପପୁରାଣରେ ଏହି ପଞ୍ଚଲକ୍ଷଣାତ୍ମକ ବୈଶିଷ୍ଟ୍ର ଥିଲେ ହେଁ ମହାପୁରାଣରେ ଦଶଲକ୍ଷଣାତ୍ମକ ବୈଶିଷ୍ଟ୍ୟ ରହିଛି  । ସିଦ୍ଧ, ସାଧୁ, ମହାତ୍ମା ଓ ବିଦ୍ୱାନବୃନ୍ଦ ଭାଗବତ ଓ ବ୍ରହ୍ମବୈବର୍ତ୍ତ ପୁରାଣକୁ ମହାପୁରାଣ ରୂପେ ବିବେଚନା କରିଛନ୍ତି  । ଶ୍ରୀମଦ୍ ଭାଗବତରେ ମହାପୁରାଣର ଦଶଲକ୍ଷଣ ବର୍ଣ୍ଣିତ  ।
ଅତ୍ର ସର୍ଗ ବିସର୍ଗ ଚ ସ୍ଥାନ ପୋଷଣ ମୁତୟଃ,
ମନ୍ୱନ୍ତର ସାନୁକଥା ବିରୋଧ ମୁକ୍ତିରାଶ୍ରୟଃ  ।
ଅର୍ଥାତ୍ ମହାପୁରାଣରେ ସର୍ଗ, ପ୍ରତିସର୍ଗ, ସ୍ଥାନ, ପୋଷଣ, ଉତି, ମନ୍ୱନ୍ତର, ଇଶାନୁକଥା, ନିରୋଧ, ମୁକ୍ତି ଓ ଆଶ୍ରୟ ଏହି ଦଶଗୋଟି ବିଷୟ ବର୍ଣ୍ଣିତ  । ଏହି ଦଶଗୋଟି ହେଉଛି ଆଶ୍ରୟତତ୍ତ୍ୱ  । ପଞ୍ଚଭୂତ, ପଞ୍ଚତନ୍ମାଦ୍ରା, ଇନ୍ଦ୍ରିୟସକଳ, ଅହଂକାର ଓ ମହତତ୍ତ୍ୱ ହେଉଛି ‘ସର୍ଗ’  । ବ୍ରହ୍ମାଙ୍କ ସୃଷ୍ଟି ନିର୍ମାଣ ହିଁ ‘ବିସର୍ଗ’ ସୃଷ୍ଟି ରକ୍ଷା ନିମିତ୍ତ ଭଗବାନଙ୍କର ଶ୍ରେଷ୍ଠ ସିଦ୍ଧିର ନାମ ‘ସ୍ଥାନ’  । ଭକ୍ତଗଣଙ୍କୁ ରକ୍ଷା କରିବା ନିମିତ୍ତ ଭଗବାନଙ୍କର କୃପାର ନାମ ‘ପୋଷଣ’  । ମନ୍ୱନ୍ତରାଧିପତି ପ୍ରଜାପାଳନ ନିମିତ୍ତ ଯେଉଁ ଶୁଦ୍ଧ ଧର୍ମାଚରଣ କରିଥାନ୍ତି ତାହାହିଁ “ମନ୍ୱନ୍ତର”  । ଉତି ହେଉଛି କର୍ମବନ୍ଧନ ଏବଂ କର୍ମବନ୍ଧନରୁ ମୁକ୍ତି ପାଇବା ନିମିତ୍ତ ବିଭିନ୍ନ ଅବତାରର ଲୀଳା ପ୍ରସଙ୍ଗ ହେଉଛି ‘ଇଶକଥା’  । ଯୋଗନିଦ୍ରାଭିଭୂତ ଈଶ୍ୱରଙ୍କ ସଭାରେ ଜୀବାତ୍ମା ଲୀନ ହେବା ହିଁ ‘ନିରୋଧ’  । ଅଜ୍ଞାନ ପଥ ପରିହାର ପୂର୍ବକ ଜୀବ ଆପଣାର ପ୍ରକୃତ ସ୍ୱରୂପ ଉପଲବଧି କରିବା ହେଉଛି ‘ମୁକ୍ତି’ ଏବଂ ପରଂବ୍ରହ୍ମରେ ତାରଣାଗତ ହେବା ହିଁ ‘ଆଶ୍ରୟ’ ଶ୍ରୀମଦ ଭାଗବତ ମହାପୁରାଣରେ ବିଭିନ୍ନ ଆଖ୍ୟାୟିକା ବର୍ଣ୍ଣନ ଛଳରେ ଏହି ଦଶଗୋଯି ତତ୍ତ୍ୱ ସୁନ୍ଦର ଓ ହୃଦୟସ୍ପର୍ଶୀ ଶୈଳୀରେ ବର୍ଣ୍ଣିତ  । ପୁରାଣ ସମୂହ ହେଉଛି ଅନନ୍ତ ଜ୍ଞାନ ରାଶିର ଭବ୍ୟଭଣ୍ଡାର  । ଏହି ପରମଗ୍ରନ୍ଥ ସମୂହରେ ସକଳ ଦର୍ଶନର ମୂଳ ସିଦ୍ଧାନ୍ତର ସମାବେଶ ଘଟିଥିବାରୁ ଏହା ସର୍ବଦର୍ଶନ ସଂଗ୍ରହ ରୂପେ ମର୍ଯ୍ୟାଦାବନ୍ତ  । ଲୋ÷କିକ ଜୀବନରେ ଅଲୋ÷କିକ ଜୀବନର ସଫଳତା ନିମିତ୍ତ ପୁରାଣ ହିଁ ସର୍ବଶ୍ରେଷ୍ଠ ଦିଗଦର୍ଶକ  । ବ୍ୟକ୍ତିଗତ, ପାରିବାରିକ, ସାମାଜିକ ଓ ପାରଲୋ÷କିକ ଜୀବନ ନିର୍ମାଣ ନିମିତ୍ତ ପୁରାଣ ସମୂହ ଦର୍ଶପଣ ସଦୃଶ  । ପୁରାଣ ସମୂହରୁ ଭୂଗୋଳ ସଂପର୍କରେ ଅନେକ ତଥ୍ୟ ଉପଲବଧି ହୋଇଥାଏ  । ଭାରତର ପୁଣ୍ୟତୋୟା ନଦୀସମୂହ, ଶୈଳତୀର୍ଥରାଜି, ଚାରିଧାମ, ସପ୍ତମୋକ୍ଷଦାୟିନୀ ପୁରୀ, ତୀର୍ଥ ଓ କ୍ଷେତ୍ରମାନଙ୍କର ମହିମା ବାଖ୍ୟାନରେ ପୁରାଣ ଶତମୁଖ  । ପୁରାଣ ସମୂହରେ ଇତିହାସର ଅଭାବ ନାହିଁ  । ଅନେକ ରାଜବଂଶର ଇତିହାସ, ବୀରତ୍ୱ ଓ ବଂଶାବଳୀ ବାଖ୍ୟାନରେ ପୁରାଶ ଶତମୁଖ  । ପୁରାଣ ସମୂହରେ ଇତିହାସର ଅଭାବ ନାହିଁ  । ପୁରାଣ ମାନଙ୍କରୁ ପ୍ରାଚୀନ ଭାରତୀୟ ରାଷ୍ଟ୍ରନୀତିର ଗୋ÷ରବୋଜ୍ଜଳ ଚିତ୍ର, ଭାରତବାସୀଙ୍କର ମୋ÷ଳିକ  ଅଧିକାର, କର୍ତ୍ତବ୍ୟନିଷ୍ଠା, ଦାୟିତ୍ୱ ଓ କ୍ଷମତା ସଂପର୍କରେ ଅନେକ ଲୋକଚ ତଥା ମିଳିଥାଏ  । ଅଧିକନ୍ତୁ ବ୍ୟାସ, ମନୁ, ଶୁକ୍ରାଚାର୍ଯ୍ୟ, କଣିକ, ବିଦୁର ପ୍ରଭୃତି ରାଷ୍ଟ୍ରନୀତି ବିଶାରଦ ବୃନ୍ଦଙ୍କର ସୁବ୍ୟବସ୍ଥିତ ପ୍ରଜାହିତକର ରାଜନୈତିକ ବିଚାର ବିମର୍ଷର ପରିଚୟ ପୁରାଣରେ ଉପଲବଧି  ।
ଭଗବତ ଲୀଳାହିଁ ପୁରାଣ କଥାବସ୍ତୁର ମୂଳକେନ୍ଦ୍ର  । ପୁରାଣରେ କୁହାଯାଇଛି ଯେ ହରିକଥା ଶ୍ରବଣ, ସ୍ମରଣ ଓ ଗାୟନ ହିଁ ମାନବର ଶ୍ରେଷ୍ଠ ସାଧନ  । ହରିଭକ୍ତିର ଅନାବିଳ ଶ୍ର୍ରୋତ୍ର ହିଁ ପୁରାଣର ମାଧୁର୍ଯ୍ୟ  । ପୁରାଣ ସମୂହରେ ଭକ୍ତିର ଯଥାର୍ଥ ସ୍ୱରୂପ, ସାଧୁ, ସନ୍ଥ, ମହାତ୍ମା, ରାଜର୍ଷି, ଦେବର୍ଷି ଓ ଭକ୍ତଗଣଙ୍କ ଚରିତ ବର୍ଣ୍ଣନାରେ ପୁନଃ ପୁନଃ ଉଲ୍ଲିଖିତ ଓ ଆଲୋଚିତ ହୋଇଛି  । ପୁରାଣର ସିଦ୍ଧାନ୍ତ ହେଉଛି ଅହର୍ନିଶ ଈଶ୍ୱରଙ୍କ ନାମ ଜପବିବା ଦ୍ୱାରା ସଂସାରର ବାଧା ସ୍ପର୍ଶ କରିପାରେ ନାହିଁ  । ହରିଙ୍କର ଦିବ୍ୟନାମ ସ୍ମରଣ ଦ୍ୱାରା ସକଳ ପାପ ବିନାଶ ହୋଇ ଚିତ୍ତ ନିର୍ମଳ ହୁଏ ଏବଂ ହୃଦୟରେ ବିଶ୍ୱାସର ବୀଜ ବପନ ହୁଏ  । ପରିଣାମ ସ୍ୱରୂପ ଦ୍ରୁତଗାମୀ ମନ ନିୟନ୍ତ୍ରିତ ହୋଇ ଈଶ୍ୱରଙ୍କ ଠାରେ କେନ୍ଦ୍ରୀଭୂତ ହୁଏ ତଥା ଈଶ୍ୱର ଦର୍ଶନ ସହଜ, ସରଳ ଓ ସୁଗମ ହୋଇଥାଏ  । ଏହାହିଁ ପୁରାରର ନିଷ୍ପର୍ଷ  । ପୁରାଣ ମୀମାଂସା ଅନୁଯାୟୀ ନାମ ସ୍ମରଣ ହେଉଛି ଆତ୍ମବିଶ୍ୱାସକୁ ସୁଦୃଶ କରିବାର ସରଳ ପଥ  । ହରିନାମ ସ୍ମରଣ ହେଉଛି ସଂସାର ସର୍ପ ଦଂଶନରେ ଆଘାତ ପ୍ରାପ୍ତ ଜୀବ ନିମିତ୍ତ ଅମୋଘ ବିଷହର ମନ୍ତ୍ର  । ପ୍ରତ୍ୟେକ ସଂସାରୀ ଜୀବ ନିମିତ୍ତ ଏହା ଅମରତ୍ୱ ଓ ଶାନ୍ତି ପ୍ରଦାୟକ ଅମୃତ ଅଟେ  । ଶ୍ରଦ୍ଧା ଓ ବିଶ୍ୱାସ ଯୁକ୍ତ ନାମ ସ୍ମରଣ କଲେ ମନ ଓ ତାହାର ବୃତ୍ତି ସମୂହ ଏକତ୍ର ହୋଇ ଈଶ୍ୱରଙ୍କ ଠାରେ ସଂଶ୍ଲିଷ୍ଟ ହୁଏ  । ଭବ ସାଗରରୁ ଉଦ୍ଧାର ପାଇବା ନିମିତ୍ତ ନାମ ସ୍ମରଣ ଏକ ସୁରକ୍ଷିତ ନୋ÷କାସଦୃଶ  । ପୁରାଣର ଅନେକ ଆଖ୍ୟାୟିକାରେ ନାମ ସ୍ମରଣ ଦ୍ୱାରା ହିଁ ଅନାବିଳ ଭକ୍ତି ମାଧ୍ୟମରେ ଭଗବତ୍ ପ୍ରାପ୍ତି ବର୍ଣ୍ଣିତ  । ଭଗବତ ପ୍ରାପ୍ତି ପୁରାଣର ପରମ ପ୍ରୟୋଜନ  । ଭଗବତ୍ ସ୍ମୃତି, ଭଗବତ୍ ଭକ୍ତି, ଭଗବତ ସାକ୍ଷାତକାର ହିଁ  ପୁରାଣ ସମୂହର ସତ୍ଫଳ  । ମହାପୁରାଣ  ଶ୍ରୀମଦ୍ ଭାଗବତ ହେଉଛି ସର୍ବଶ୍ରେଷ୍ଠ ଭକ୍ତିଗ୍ରନ୍ଥ ତଥା ସିଦ୍ଧାନ୍ତ ରତ୍ନ ସମନ୍ୱିତ ସକଳ ଲୋକର ଏକମାତ୍ର ଚକ୍ଷୁସଦୃଶ  । ଏହି ପୁରୋଦୃଷ୍ଟିରୁ ଭାଗବତକୁ ନିଗମ କଳ୍ପତରୁ ଅର୍ଥାତ୍ ବେଦ ବୃକ୍ଷର ଅମୃତମୟ ଫଳ ରୂପେ ବିବେଚନା କରାଯାଇଛି  । ଜଗତଗୁରୁ ଶ୍ରୀଧର ସ୍ୱାମୀଙ୍କ ଭାଷାରେ ଭକ୍ତିରୂପକ ମନ୍ଦାରେ ସତ୍ରୂପକ ବୀଜରୋପଣ କଲେ ଯେଉଁ ପରମ ବୃକ୍ଷ ଉତ୍ପନ୍ନ ହେବ ତାହାର ନାମ ଭାଗବତ  । ସାଧନ ଓ ସାଧ୍ୟ ଉଭୟ ଭକ୍ତିର ଯଥାର୍ଥତା ଏହି ପରମଗ୍ରନ୍ଥରେ ପ୍ରତିପାଦନ କରାଯାଇଛି  । ଶ୍ରୀମଦ ଭାଗବତ ମହାପୁରାଣ ହେଉଛି ଭଗବାନଙ୍କର ସାରସ୍ୱତ ବିଗ୍ରହ  । ମହର୍ଷି କୃଷ୍ଣ ଦ୍ୱୈପାୟନ ବାଦରାୟଣ ବେଦବ୍ୟାସ ଏହି ପରମଗ୍ରନ୍ଥକୁ ସର୍ବ ବେଦାନ୍ତସାର ଉଦ୍ଘୋଷଣା ପୂର୍ବକ ଉଲ୍ଲେଖ କରିଛନ୍ତି:-
ଶ୍ରୀମଦ୍ ଭାଗବତ ପୁରାଣ ମମଳଂ ଯଦ୍ ବୈଷ୍ଣବାନାଂ ପ୍ରିୟଂ
ଯସ୍ମିନ ପାରମହସ୍ୟମେକମମଳଂ ଜ୍ଞାନଂ ପରଂ ଗୀୟତେ  ।
ତତ୍ର ଜ୍ଞାନ ବିଭାଗ ଭକ୍ତି ସହିତଂ ନୈଷ୍କର୍ମ୍ୟ ବିଷ୍କୁତଂ
ତତ୍ତ୍ୱଶୂନ ବିପଂନ ବିଚାରଣ ପରୋଭକ୍ତ୍ୟା ବିମୁଖେନ୍ନରଃ  ।
ପୁରାଣ ସାହିତ୍ୟ ହେଉଛି ଭାରତୀୟ ସଂସ୍କୃତିର ଅନୁପମ ରତ୍ନ ତଥା ବିଶ୍ୱର ଶ୍ରେଷ୍ଠ ସାରସ୍ୱତ ସଂପଦ  । ମହାମୁନି ବେଦବ୍ୟାସଙ୍କର ଏହା ହେଉଛି ମାନବ ସଭ୍ୟତା ନିମିତ୍ତ ଶ୍ରେଷ୍ଠ ଅବଦାନ  । ସର୍ବକାଳୀନ ଆବେଦନ ଏହାକୁ ଅମର ସୃଷ୍ଟିର ମର୍ଯ୍ୟାଦା ପ୍ରଦାନ କରିଛି  । ଶାସ୍ତ୍ରରେ ପୁରାଣର ଅର୍ଥ ବ୍ୟାଖ୍ୟା ପୂର୍ବକ କୁହାଯାଇଛି  । ପୁରା ଅପି ନବଂ ପୁରାଣମ୍’ ଅର୍ଥାତ୍ ପ୍ରାଚୀନ ହେଲେ ମଧ୍ୟ ସବୁ ଯୁଗ ଓ ସକଳ ସ୍ଥାନର ମନୁଷ୍ୟଙ୍କ ନିମିତ୍ତ ଏହା ନିତ୍ୟ ନୂତନ  । ଏହାର ପ୍ରାମାଣିକତା, ଦାର୍ଶନିକତା, ମହିମା ଓ ମହତ୍ତ୍ୱ ଅବର୍ଣ୍ଣନୀୟ  । ପୁରାଣ ହେଉଛି ଭଗବାନଙ୍କର ସ୍ୱରୂପ  । ଭକ୍ତି, ଜ୍ଞାନ, ଯୋଗ, ସଦାଚାର ଏବଂ ଲୀଳାମୟ ଭଗବାନଙ୍କର ପବନ ଚରିତରେ ପୁରାଣ ସମୂହ ସମୁଜ୍ଜ୍ୱଳ  । ଭକ୍ତିଧାରାର ଦିଗଦିଗନ୍ତ ଆଧାରିତ ଉପାଖ୍ୟାନ ସମୂହ ହେଉଛି ପୁରାଣ ସମୂହର ସୋ÷ରଭ  । ଭାଗବତ ପ୍ରେମର ସହଜ ଓ ସରଳ ରାଜମାର୍ଗ ବିବେଚନ ପୁରାରର ନିଷ୍କର୍ଷ  । ଆଧ୍ୟାତ୍ମିକ ସାଂସ୍କୃତିକ ଓ ସାମାଜିକ ଜୀବନଦର୍ଶନର ଜୀବନ୍ତ ଭାଷ୍ୟ ହେଉଛି ପୁରାଣ ସାହିତ୍ୟ  । ଜନମାନସକୁ ସନାତନୀ ଆଚାର ଓ ବିଚାରରେ ଉଦ୍ବୁଦ୍ଧ କରାଇବାରେ ପୁରାଣ ସମୂହର ଭୂମିକା ଉଲ୍ଲେଖନୀୟ  । ପୁରାଣ ସାହିତ୍ୟର ସ୍ୱରୂପ, ବୈଶିଷ୍ଟ୍ର, ସୋ÷ନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ, ମାଧୁର୍ଯ୍ୟ, ସୋ÷ରଭ ଓ ବିଭୂତି ଅବର୍ଣ୍ଣନୀୟ  । ଯଥାର୍ଥରେ କୁହାଯାଇଛି:-
ତୁଳସୀ କାନନଂ ଯତ୍ର ଯତ୍ର ପଦ୍ମବନାନି ଚ
ପୁରାଣ ପଠନଂ ଯତ୍ର ତତ୍ର ସଂନିହିତୋ ହରିଃ  ।
ଆନନ୍ଦନଗର , କାଠଗଡା, ଢେଙ୍କାନାଳ, ୮୮୯୫୨୩୦୭୨୨