ଦିଲ୍ଲୀରୁ ୮୬ ଲକ୍ଷ ଚୋରି : ନୀଳଗିରିରୁ ୧ ଗିରଫ, ୨୦ ଲକ୍ଷ ଜବତ
ନୀଳଗିରି : ନୀଳଗିରି ଥାନା ଅଧିନ ଈଶ୍ୱରପୁର ପଞ୍ଚାୟତ ଭୀମେଇ ଗ୍ରାମର କାଶୀନାଥ ମଲ୍ଲିକ (୩୦), ଦିଲ୍ଲୀର ଏକ ବିଲଡରଙ୍କ ଘରେ ରୋଷେୟା ଭାବେ କାମ କରିଆସୁଥିଲେ । ଘର ମାଲିକ କାଶୀନାଥଙ୍କୁ ପରିବାରର ଜଣେ ସଦସ୍ୟ ଭାବେ ବିଶ୍ୱାସ କରିଥିଲେ । କିନ୍ତୁ କାଶିନାଥ ଘରେ ଥିବା ଲକ୍ଷ ଲକ୍ଷ ଟଙ୍କାର ଲୋଭର ବଶବର୍ତ୍ତୀ ହୋଇ ଘରେ କଳାକନା ବୁଲାଇଥିଲା । ଏନେଇ ମାଷ୍ଟର ପ୍ଳାନ କରିବା ସହ ନିଜ ଗ୍ରାମର ଦୁଇ ବନ୍ଧୁ ଆଶୁତୋଷ ଓ ଜଗବନ୍ଧୁଙ୍କୁ ଦିଲ୍ଲୀ ଡାକିଥିଲେ । ଦୁଇ ବନ୍ଧୁଙ୍କ ସହଯୋଗରେ ଘରର ସପରିବାର ରାତିରେ ଶୋଇଥିବା ବେଳେ କାଶୀନାଥ ମଲ୍ଲିକ ଘର ଆଲମିରା ଭାଙ୍ଗି ୮୬ ଲକ୍ଷ ଟଙ୍କା ଚୋରି କରି ପଳାଇ ଆସିଥିଲେ । ଉକ୍ତ ଚୋରି ଟଙ୍କାକୁ ୨୨ ଲକ୍ଷ ଆଶୋତୋଷ, ୨୩ ଲକ୍ଷ ଜଗବନ୍ଧୁ, ଏବଂ ୪୧ ଲକ୍ଷ ଟଙ୍କା କାଶୀନାଥ ବାଣ୍ଟି ନେଇଥିଲେ । ଯୋଜନା ମୁତାବକ ଯିଏ ପ୍ରଥମେ ପୁଲିସ ହାତରେ ଧରା ପଡିବ ସେ ଅନ୍ୟ ଦୁଇ ଜଣଙ୍କୁ ବେଲରେ ଆଣିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ । ମାତ୍ର ଦିଲ୍ଲୀ ପୁଲିସ ଆଶୋତୋଷକୁ ଦିଲ୍ଲୀ ରେଲୱେ ଷ୍ଟେସନ ଏବଂ ଜଗବନ୍ଧୁକୁ ପାଟଣା ବସଷ୍ଟାଣ୍ଡରୁ ଗିରଫ କରିବାରେ ସଫଳ ହୋଇଥିଲା । ବିଶେଷ ସୂତ୍ରରୁ ଦିଲ୍ଲୀ ପୁଲିସ ଖବର ପାଇ ନୀଳଗିରି ପୁଲିସ ସହଯୋଗରେ କାଶୀନାଥକୁ ତାଙ୍କ ଘରୁ ଗିରଫ କରିବା ସହିତ ନଗଦ ୨୦ ଲକ୍ଷ ଟଙ୍କା ଜବତ କରି ଦିଲ୍ଲୀ ନେଇ ଯାଇଥିଲେ ।