ଚିକିତ୍ସାଳୟର ଅବ୍ୟବସ୍ଥାକୁ ନେଇ ଆନେ୍ଦାଳନ ଚେତାବନୀ

 ଢେଙ୍କାନାଳ : ଡାଇରିଆ ୱାର୍ଡରେ ଦୁର୍ଗନ୍ଧ, ଠିକ୍ ଭାବରେ ହେଉନି ଶୌଚାଳୟ ସଫା । ପ୍ରତିଦିନ ବଦଳାଯାଉନି ବେଡ଼ସିଟ୍ ଏବଂ ରୋଗୀମାନଙ୍କୁ ଦିଆଯାଉଛି ନିମ୍ନମାନର ଖାଦ୍ୟ ବୋଲି ଆମ୍ ଆଦମୀ ପାର୍ଟିର ସଦସ୍ୟମାନେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିବାବେଳେ ଦେଖିବା ସହ ସେ ସମ୍ବନ୍ଧରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଯଦି ଏହି ସମସ୍ୟାର ସମାଧାନ ଶୀଘ୍ର କରାଯାଏ, ତେବେ ଆପ୍ ପକ୍ଷରୁ ଆନେ୍ଦାଳନ ଚେତାବନୀ ଦିଆଯାଇଛି । ଆପ୍ ପକ୍ଷରୁ କୁହାଯାଇଛି ଯେ, ସରକାରଙ୍କ ପକ୍ଷରୁ ପ୍ରତ୍ୟହ ଖାଦ୍ୟ ସୁଚିର ତାଲିକା ଟଙ୍ଗା ଯାଇଛି ଓ କେଉଁ ଦିନ କେଉଁ ରଙ୍ଗର ବେଡ୍ସିଟ ରୋଗୀଙ୍କ ପାଇଁ ବିଛାଯିବ ତାର ତାଲିକା ମଧ୍ୟ ଟଙ୍ଗା ହୋଇଛି । ହେଲେ ତାହା ଏଠାରେ ପାଳନ କରାଯାଉନଥିବାବେଳେ ଯିଏ ଅଭିଯୋଗ କରିବ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ଜବରଦସ୍ତି ପଠାଇ ଦିଆଯାଏ ବୋଲି ଅଭିଯୋଗ ହୋଇଛି । ତେଣୁ ଭୟରେ କେହି ଆପତ୍ତି ଅଭିଯୋଗ କରନ୍ତି ନାହିଁ । ସେହିପରି ଆଇଡି ୱାର୍ଡର ଶୌଚାଳୟ ଅନେକ ଦିନ ଠାରୁ ଖରାପ ହୋଇ ତାଲା ପଡ଼ିଛି । ଏଠାରେ ସମ୍ପୂର୍ଣ୍ଣ ଦାୟିତ୍ୱହୀନତା ବାରି ହେଉଥିବା ବେଳେ ଉତ୍ତରଦାୟିତ୍ୱ କାହାର ନାହିଁ ବୋଲି ଆପ୍ ପକ୍ଷରୁ ଅଭିଯୋଗ କରାଯାଇଛି । ଏପରି ଅବ୍ୟବସ୍ଥାର ସମାଧାନ ନ ହେଲେ ଆଗାମୀ ଦିନରେ ସେହି ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନେ୍ଦାଳନ କରାଯିବ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ନଗର ସଭାପତି ଦେବାଶିଷ ନନ୍ଦ, ଅଭିମନୁ୍ୟ ଦଳେଇ ପ୍ରମୁଖ ଚେତାବନୀ ଦେଇଛନ୍ତି ।