ଉପମୁଖ୍ୟମନ୍ତ୍ରୀଙ୍କୁ ସିଆରପିଙ୍କ ଦାବିପତ୍ର
କନ୍ଧମାଳ / ଫୁଲବାଣୀ : ଓଡିଶା ଜୀବିକା ମିଶନରେ କାର୍ଯ୍ୟରତ ସିଆରପି-ସିଏମ୍ମାନଙ୍କୁ ସରକାର ମାସିକ ପାରିଶ୍ରମିକ ବଦଳରେ କାର୍ଯ୍ୟ ୱାରି ଇନ୍ସେନଟିଭ ପ୍ରଦାନକୁ ନେଇଥିବା ନିଷ୍ପତ୍ତିକୁ ବିରୋଧ କରି କନ୍ଧମାଳ ଜିଲ୍ଲା ସିଆରପିମାନଙ୍କ ପକ୍ଷରୁ ଚାରିଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉଦେ୍ଦଶ୍ୟରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ରମେଶ ଜେନାଙ୍କୁ ପ୍ରଦାନ କରାଯାଇଛି । ଗତ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମାସିକ ୬ ହାଜର ଏକ ଶହ ଟଙ୍କା ହାରରେ ବେତନ ପ୍ରଦାନ କରାଯାଉଥିବାବେଳେ ଗତ ୪ମାସ ହେଲା ଦରମା ପ୍ରଦାନ କରାଯାଇନାହିଁ । ପୁନଃ ମାସିକ ଦରମା ନ ଦେଇ କାମୱାରୀ ଇନ୍ସେନଟିଭ ଦେବାକୁ ନିଦେ୍ର୍ଦଶ ଦିଆଯାଇଛି । ଯାହାଫଳରେ ୬୧୦୦ଟଙ୍କା ଦରମା ସ୍ଥାନରେ ଇନ୍ସେନଟିଭ ଆକାରରେ ମାତ୍ର ୧୫୦୦ରୁ ୨୦୦୦ଟଙ୍କା ମିଳିବ । ସମସ୍ତ କର୍ମଚାରୀଙ୍କର ଦରମା ଓ ପାରିଶ୍ରମିକ ବଢୁଥିବା ବେଳେ ହୁ ହୁ ଦରବୃଦ୍ଧି ଯୁଗରେ ସିଆରପିମାନଙ୍କୁ କମ୍ ପାରିଶ୍ରମିକ ଦେବା ଦୁର୍ଭାଗ୍ୟ ଜନକ । ଏହା ବ୍ୟତୀତ ଅନ୍ଲାଇନ କାମ ପାଇଁ ଗୋଟିଏ ଟାବଲେଟ୍ ଯୋଗାଇ ଦେବା, ଗ୍ରାମ ପଞ୍ଚାୟତସ୍ତରୀୟ ସଂଘ ବଦଳରେ ବ୍ଲକ ଜୀବିକା ମିଶନରୁ ସିଧାସଳଖ ଦରମା ଦେବା ଏବଂ ମାସିକ ଦରମା ୬୧୦୦ରୁ ୧୦ହଜାରକୁ ସର୍ବନିମ୍ନ ବୃଦ୍ଧି କରିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି । ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାପତି ଗୀତାଞଳୀ କହଁରଙ୍କ ସହ ସମ୍ପାଦିକା ସୁସ୍ମିତା ନାୟକ, ଗିତାରାଣୀ କହଁର, ଅମିତା ପ୍ରଧାନ, ପାଞ୍ଚାଳି ପ୍ରଧାନ,ନର୍ମଦା ଦିଗାଲ, ଶିବାନି ଦେହୁରୀ, ମଧୁମିତା ପ୍ରଧାନ, ସ୍ନେହଲତା ପ୍ରଧାନ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ।