ଅଟୋଷ୍ଟାଣ୍ଡରେ ବସ୍ ଚାର୍ଜିଂ ୟୁନିଟ୍ ନିର୍ମାଣକୁ ବିରୋଧ
ସମ୍ବଲପୁର : ବୀର ସୁରେନ୍ଦ୍ର ସାଏ ଅଟୋ ଚାଳକ ସଂଘର ଏକ ପ୍ରତିନିଧି ମଣ୍ଡଳୀ ସଂଘର ଉପଦେଷ୍ଟା ସଂଜିତ ମହାନ୍ତିଙ୍କ ନେତୃତ୍ୱରେ ସମ୍ବଲପୁର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅଇଁଠାପାଲି ସ୍ଥିତ ସମ୍ବଲପୁର ଘରୋଇ ବସ୍ ଟର୍ମିନାଲର ଅଟୋଷ୍ଟାଣ୍ଡରେ ଅବୈଧ ଭାବେ ବସ୍ ବ୍ୟାଟେରୀ ଚାର୍ଜିଂ ଯୁନିଟ୍ ବିସ୍ତାର ଉପରେ ସଂଘ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ କରାଯାଇ ଦୃଷ୍ଟି ଆକର୍ଷଣ କରାଯାଇଛି । ସଂଘ ଦାବି ଅନୁଯାୟୀ, ୨୦୧୫ରୁ ବସ ଟର୍ମିନାଲ ମଧ୍ୟରେ ଏକ ଅଞ୍ଚଳ ଅଟୋ ରିକ୍ସାର (୩ ଚକିଆ ଯାନ) ପାର୍କିଂସ୍ଥଳୀ ସ୍ୱରୂପରେ ସଂଘକୁ ଅନୁମୋଦିତ ହୋଇଥିଲା । ଯେଉଁଠି ସେମାନେ ନିୟମିତ ଭାବେ ଗାଡ଼ି ପାର୍କ କରୁଛନ୍ତି ଏବଂ ଭଡା ଦେଇ ଆସୁଛନ୍ତି । ସମ୍ବଲପୁର ଉନ୍ନୟନ ପ୍ରାଧିକରଣ ଅଟୋଷ୍ଟାଣ୍ଡ ପାଇଁ ଅନୁମୋଦନ କରିଛି । ତେବେ ବର୍ତ୍ତମାନ ଏହି ଅଞ୍ଚଳରେ ଆମ ବସ୍ ସେବାପାଇଁ ନିର୍ମିତ ସିଆରୟୁଟିର ବସ ଗୁଡିକ ଅବୈଧ ଭାବେ ବସ୍ ଚାର୍ଜିଂ ୟୁନିଟ୍ ସ୍ଥାପନ କରି ବସ ଡିପୋ ବିସ୍ତାର ଉଦ୍ୟମ କରୁଛନ୍ତି, ଯାହା ଅଟୋ ଷ୍ଟାଣ୍ଡ ପାଇଁ ଦିଆଯାଇଥିବା ଅନୁମୋଦନ ଓ ଅନୁମତିର ବିରୋଧାଭାସ । ସଂଘର ଉପଦେଷ୍ଟା ସଞ୍ଜିତ ମହାନ୍ତି ଓ ସାଧାରଣ ସମ୍ପାଦକ ପ୍ରେମାନନ୍ଦ ମିଶ୍ର ଆଲୋଚନାରେ ଜିଲ୍ଲାପାଳଙ୍କୁ ଅଟୋ ଚାଳକ ମାନେ ଯେଉଁ ଶତାଧିକ ଅଟୋ ଚାଳକ ନିଜର ଜୀବିକା ପାଇଁ ଏହି ଅଟୋ ଷ୍ଟାଣ୍ଡରେ ନିର୍ଭର କରନ୍ତି, ସେମାନେ ଆର୍ଥିକ ସମସ୍ୟାରେ ପଡ଼ିବା ସହ ନିଜର ଜୀବିକା ହରାଇବେ । ଏହି ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂଘର ବୀରେନ୍ଦ୍ର ସାହୁ, ଦେବଜ୍ୟୋତି ପଟ୍ଟନାୟକ, ସୁମିତ ପଟେଲ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ ।