ଅନୁପ୍ରବେଶ ଉପରେ ଦୃଷ୍ଟି ନେଇ ବୈଠକ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ଉପକୂଳ ଅଂଚଳକୁ ସୁରକ୍ଷିତ ରଖିବା ପାଇଁ ଏକ ଉଚ୍ଚ ସ୍ତରୀୟ ବୈଠକ ଜିଲ୍ଲପାଳ ରଘୁରାମ ଆର ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଉପଜିଲ୍ଲପାଳ ଅରୁଣ ନାୟକଙ୍କ ସମେତ ଡିଏସପି ଆଇବି ଲକ୍ଷ୍ମୀ ନାରାୟଣ ତିୱାରୀ, ଏସିଏଫ ଗଗନ ମଲିକ, ଏସଡିପିଓ ଜ୍ୟୋତି ରଂଜନ ଗୌଡ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶଶାଙ୍କ ଶେଖର ସାହୁ, ଗଦାଧର ରାଉତ, କିଶୋର କୁମାର ତରାଇ, ବିମଳ ମଲିକ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଉପକୂଳ ଅଂଚଳକୁ ସୁରକ୍ଷିତ ରଖିବା ସହ ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବା, କୌଣସି ଅଜଣା ଜଳଯାନ, ବ୍ୟକ୍ତି ସମୂହ ଓ ଅନୁପ୍ରବେଶ କାରୀଙ୍କୁ ଦେଖିବା ମାତ୍ରେ ତୁରନ୍ତ ସଂପୃକ୍ତ ଅଂଚଳର ଥାନାକୁ ଖବର ଦେବା ଉପରେ ଗୁରୁତ୍ୱ ରଖାଯାଇଛି । ଏହା ସହ ସମୁଦ୍ରକୁ ଯାଉଥିବା ମସ୍ୟଜୀବି ମାନେ ଜୀବନରକ୍ଷା ଜ୍ୟାକେଟ ପିନ୍ଧିବା ସହ ନିଜର ପଞ୍ଜିକରଣ କରାଇବା ବାଧ୍ୟତାମୂଳକ କରାଯାଇଛି । ବିଶେଷକରି ଅନୁପ୍ରବେଶ କାରୀଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ପାଇଁ ତଟରକ୍ଷୀ ବାହିନୀ, ରାଜସ୍ୱ ଅଧିକାରୀ, ବନ ବିଭାଗ, ମତ୍ସ୍ୟ ବିଭାଗ ତୀକ୍ଷ୍ଣ ଦୃଷ୍ଟି ରଖି ସଜାଗ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।