ଆତ୍ମା କମିଟି ଗଠନରେ ଅନିୟମିତତା ଅଭିଯୋଗ : କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା
ସାଲେପୁର : ସାଲେପୁର ବ୍ଲକ୍ ଆତ୍ମା କମିଟି ଗଠନରେ ବ୍ୟାପକ ଅନିୟମିତତା କରାଯିବା ସହ ଦଳୀୟ ଭିତ୍ତିରେ କମିଟି ଗଠନ କରାଯାଇଥିବା ଓ ଅଣ କୃଷକଙ୍କୁ ଏହି କମିଟିରେ ସାମିଲ କରାଯାଇଥିବା ଅଭିଯୋଗ କରି ଏହି କମିଟିର ପୁନଃ ଗଠନ କରାଯିବା ଦାବି ନେଇ ବହୁ ଚାଷୀ ସାଲେପୁର କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ । ସାଲେପୁର କୃଷି ଅଧିକାରୀ ସେମାନଙ୍କ ଦାବି ଗ୍ରହଣ କରି ଏହି ଘଟଣାର ପୁନଃ ବିଚାର ପାଇଁ ପ୍ରତିଶ୍ରୁତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା । ପ୍ରକାଶ ଯେ ସାଲେପୁର ବ୍ଲକ୍ରେ ୩୫ଗୋଟି ପଞ୍ଚାୟତ ରହିଥିବାବେଳେ ସାଲେପୁର କୃଷି ବିଭାଗ ପକ୍ଷରୁ ନୂତନ ଭାବେ ଗଠନ କରାଯାଇଥିବା ଆତ୍ମା କମିଟି ଗଠନରେ ଅନିୟମିତତା କରାଯାଇଛି । ଦଳୀୟ ଭିତ୍ତିରେ ଏହି କମିଟିରେ ଅଣଚାଷୀମାନଙ୍କୁ ଚୟନ କରାଯାଇଥିବାବେଳେ ଗୋଟିଏ ପଞ୍ଚାୟତରୁ ୫ଜଣଙ୍କୁ ସଦସ୍ୟ ଭାବେ ନିଆଯାଇଛି । ସେହିପରି କୃଷି ବିଭାଗ ଅଧିକାରୀ ରାଜନୈତିକ ହାତବାରିଷୀ ସାଜି ବେଆଇନ୍ ଭାବେ ଏହି ଆତ୍ମା କମିଟି ଗଠନ କରିଥିବା ଅଭିଯୋଗ କରି ଆଜି ସାଲେପୁର କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ସାଲେପୁର ବ୍ଲକ୍ ପୂର୍ବତନ ଆତ୍ମା ସଭାପତି ଦିଲ୍ଲୀପ ଦାଶଙ୍କ ନେତୃତ୍ୱରେ ବିରଞ୍ଚôନାରାୟଣ କର, ସରପଞ୍ଚ ସଂଜୟ ବେହୁରା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଚିତ୍ତରଂଜନ ମହାନ୍ତି, ଅଶ୍ୱିନୀ କୁମାର ଦାସ, ପୂର୍ବତନ ସରପଞ୍ଚ ବିଭୁତିଭୂଷଣ ଦାଶ ସମେତ ବହୁ ଚାଷୀ କୃଷି ବିଭାଗ କାର୍ଯ୍ୟାଳୟ ଆଗରେ ଗଣଧାରଣାରେ ବସିଥିଲେ ।